www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ପାଦକୀୟ: ସମୟାନୁବର୍ତ୍ତୀ ଶାସନ

ସରକାରୀ କର୍ମଚାରୀଙ୍କ ସମୟାନୁବର୍ତ୍ତିତା ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିକଟରେ ଏକ କଡ଼ା ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ପ୍ରାଶାସନିକ ବ୍ୟବସ୍ଥାରେ ଦକ୍ଷତା ଓ ଉତ୍ତରଦାୟିତ୍ବ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ଏବଂ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟରେ ଅଫିସରେ ଉପସ୍ଥିତ ରହି ଠିକ ସମୟରେ ପ୍ରସ୍ଥାନ କରିବାକୁ ନିର୍ଦେଶ ଦେଇଛନ୍ତି ସରକାର। ଏହି ନୀତି ସରକାରୀ ସେବାର ମାନ ବୃଦ୍ଧି ଏବଂ ଜନସାଧାରଣଙ୍କ ମଧ୍ୟରେ ସରକାରୀ ବିଭାଗ ପ୍ରତି ଆସ୍ଥା ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ।

କହିବା ନିଷ୍ପ୍ରୟୋଜନ ଯେ ସରକାରୀ କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଏକ ଦୀର୍ଘଦିନର ସମସ୍ୟା। ଅନେକ ସରକାରୀ ଅଫିସକୁ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ନ ଆସିବା କିମ୍ବା ଅଫିସ ସମୟରେ ଅନୁପସ୍ଥିତ ରହିବା ଯୋଗୁଁ ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ମିଳେ ନାହିଁ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଏହା କେବଳ ପ୍ରାଶାସନିକ କାର୍ଯ୍ୟକୁ ବାଧା ଦିଏ  ନାହିଁ, ବରଂ ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରେ। ସୁତରାଂ ରାଜ୍ୟ ସରକାରଙ୍କ ଏହି ନୂଆ ମାର୍ଗଦର୍ଶିକା ସ୍ୱାଗତଯୋଗ୍ୟ।

- Advertisement -

ତେବେ ଏହି ମାର୍ଗଦର୍ଶିକାର ସଫଳତା ଏହାର କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରିବ; କାରଣ ଏଭଳି ତାଗିଦା ବା ନିର୍ଦେଶ ପ୍ରଥମ ଥର ପାଇଁ ଦିଆଯାଇ ନାହିଁ ବା କର୍ମଚାରୀମାନେ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ତେବେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥାକୁ ଯଦି କଡ଼ାକଡ଼ି କରାଯିବ, ତେବେ ଏ କ୍ଷେତ୍ରରେ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି। ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହାର ନିୟମିତ ନିରୀକ୍ଷଣ ଓ ଉପସ୍ଥାନର  ବିଶ୍ଳେଷଣ  ଆବଶ୍ୟକ। ଏହା ସହିତ ଉପରିସ୍ଥ ଅଧିକାରୀଗଣ କର୍ମଚାରୀଙ୍କୁ ଏହି ନୀତି ପ୍ରତି ସଚେତନ କରାଇବା ଏବଂ ସମୟାନୁବର୍ତ୍ତିତାର ଗୁରୁତ୍ୱ ବୁଝାଇବା ଦରକାର। ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟ ଯଦି ସମୟାନୁବର୍ତ୍ତୀ ହେବେ, ଏ ସମସ୍ୟା ସୁଧାରିବାରେ ବେଶି ସମୟ ଲାଗିବ ନାହିଁ।

ଯେତେବେଳେ ସମସ୍ତ କର୍ମଚାରୀ ନିୟମିତ ଓ ସମୟାନୁବର୍ତ୍ତୀ ହେବେ, ସେତେବେଳେ କାର୍ଯ୍ୟର ଗୁଣବତ୍ତା ଏବଂ ଦକ୍ଷତା ସ୍ୱାଭାବିକ ଭାବେ ବୃଦ୍ଧି ପାଇବ। ଏହା ଜନସାଧାରଣଙ୍କୁ ସମୟୋଚିତ ସେବା ପ୍ରଦାନ କରିବାରେ ସହାୟକ ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇବ। ତେବେ ଏହି ନୀତିକୁ କେବଳ କର୍ମଚାରୀଙ୍କୁ ନିୟନ୍ତ୍ରଣ କରିବାର ଉପାୟ ଭାବେ ନୁହେଁ, ବରଂ ଏକ ସକାରାତ୍ମକ ପରିବର୍ତ୍ତନର ଅଂଶ ଭାବେ ଦେଖାଯିବା ଉଚିତ। ସରକାରୀ କର୍ମଚାରୀ ପ୍ରାଶାସନିକ ବ୍ୟବସ୍ଥାର ମେରୁଦଣ୍ଡ। ସେମାନଙ୍କ ଦକ୍ଷତା ଓ ସମର୍ପଣ ଭାବ ବିନା କୌଣସି ସରକାରୀ ଯୋଜନା ସଫଳ ହୋଇପାରିବ ନାହିଁ। ତେଣୁ, ସରକାରଙ୍କୁ କେବଳ ନିୟମ କାର୍ଯ୍ୟକାରୀ କଲେ ହେବ ନାହିଁ, ସେମାନଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ ପରିବେଶ, ପ୍ରୋତ୍ସାହନ ଏବଂ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିବାକୁ ହେବ।

ମୋଟାମୋଟି କହିଲେ ଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ଓଡ଼ିଶା ସରକାରଙ୍କ ଏହି ନୂଆ ମାର୍ଗଦର୍ଶିକା ପ୍ରାଶାସନିକ ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିବ; କାରଣ ଏହା ରାଜ୍ୟର ସରକାରୀ ସେବାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାରେ ସହାୟକ ହେବ। ତେବେ ଓଡ଼ିଆରେ ଓଡ଼ିଶା ଶାସନ ଚାଲିବ ବୋଲି ଆରମ୍ଭରୁ କହିଆସୁଥିଲେ ହେଁ ମୋହନ ସରକାର ଗତ ବର୍ଷକ ଭିତରେ ତାହା କରିପାରିଲେ ନାହିଁ। ଆମର ଆଶା ଯେ ଏହି ସମୟାନୁବର୍ତ୍ତୀ ନିୟମ ସେହିପରି ନିଷ୍ଫଳ ପାଲଟିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories