ନିନ୍ଦିତ ନ ହେଉ ଜଗନ୍ନାଥ ଧାମ
‘‘ଭକ୍ତ୍ୟା ତୁଷ୍ୟତି କେବଳଂ ନ ଚ ଗୁଣୈଃ ଭକ୍ତିପ୍ରିୟୋ ମାଧବଃ।’’ ଜ୍ଞାନ, ଗୁଣ, ପଣ୍ଡିତପଣିଆ ଆଚରଣ ଆଦି ପ୍ରଭୁଙ୍କୁ ତୁଷ୍ଟ କରିପାରେନି। ଭକ୍ତି ଓ ଭାବ ଏଥିପାଇଁ ଏକାନ୍ତ ଆବଶ୍ୟକ, ତା’ ବିନା ସବୁ ବେପାର, ମାୟା। ପରମ ନାସ୍ତିକ, ପ୍ରଭୁଦ୍ରୋହୀ ହିରଣ୍ୟକଶିପୁ, ପୁଅ ପରମଭକ୍ତ ପ୍ରହ୍ଲାଦ ଭକ୍ତିରେ ସଦା ବିରକ୍ତ ଓ କ୍ରୋଧିତ। ପଚାରିଲା ତା’ ପୁଅକୁ, ‘‘ତୋ ପ୍ରଭୁ କୋଉଠି ଅଛନ୍ତି ଦେଖା, ନହେଲେ ଆଜି ଏ ଗଦାରେ ତୋ’ ମୁଣ୍ଡକୁ ଚାରିଫାଳ କରିଦେବି।’’ ବିନମ୍ର ପ୍ରହ୍ଲାଦ ହସିଦେଇ କହିଲେ, ‘‘ପ୍ରଭୁ ସର୍ବତ୍ର ବିଦ୍ୟମାନ।’’ କ୍ରୋଧାନ୍ଧ ମୂର୍ଖ ହିରଣ୍ୟକଶିପୁ କହିଲା, ‘‘ଏ ଖମ୍ବରେ ଅଛନ୍ତି?’’ ପ୍ରହ୍ଲାଦ କହିଲେ ‘‘ହଁ’’। ଏତିକିରେ ଗଦାରେ ପ୍ରାସାଦସ୍ଥ ଖମ୍ବକୁ ପାହାରେ ଦେଲା, ଆରେ ବାପ, କି ଭୟଙ୍କର ଅବସ୍ଥା ହେଲା! ଖମ୍ବ ସହିତେ ଆକାଶ ସତେ ଯେମିତି ଭାଙ୍ଗିପଡ଼ିଲା। ଭୟଙ୍କର ବିକଟାଳ ଶବ୍ଦ କରି ଅଧା ମଣିଷ ଓ ଅଧା ସିଂହ ବେଶରେ ପ୍ରକଟିତ ହେଲେ, ପ୍ରଭୁଙ୍କର ଇୟେ ନୃସିଂହ ଅବତାର ହେଲା। ଏଡ଼େ ଏଡ଼େ ନଖରେ କୋଳରେ ପକାଇ ତା’ର ଅନ୍ତବୁଜୁଳା ସବୁ ବାହାର କରି ତାଙ୍କୁ ହତ୍ୟା କଲେ। ଦିନରେ ମରିବନି, ରାତିରେ ମରିବନି, ଜଳ, ସ୍ଥଳ, ଆକାଶରେ ମରିବନି, ମଣିଷ, ପଶୁ ବା ଦେବତା କେହି ମାରି ପାରିବେନି, କୌଣସି ଅସ୍ତ୍ରରେ ବି ମରିବନି ବର ପାଇ ନିଜକୁ ଅମର ମଣି ହିରଣ୍ୟକଶିପୁ ଗର୍ବ ଦମ୍ଭ ଅହଂକାରରେ ଉତୁରି ଉଠୁଥିଲା। ଏବେ ସେ, ଦିନ ନୁହଁ କି ରାତି ନୁହଁ, ସନ୍ଧ୍ୟା ବେଳେ ମଲା। ଅସ୍ତ୍ର ନୁହେଁ, ନଖରେ, ଦେବତା, ମଣିଷ କି ପଶୁ ନୁହେଁ, ନୃସିଂହ ରୂପରେ। ଜଳ, ସ୍ଥଳ, ଆକାଶ ନୋହି ନୃସିଂହଙ୍କ କୋଳରେ ମଲା। ସେ ବି ଏ ସ୍ତମ୍ଭରେ ଅଛନ୍ତି ବୋଲି ତାଙ୍କ ଭକ୍ତର କଥାକୁ ସତ ପ୍ରମାଣ କରିବାକୁ ସେ ସ୍ତମ୍ଭରୁ ବାହାରି ପଡ଼ିଲେ।
ମହାକବି ଲେଖିଛନ୍ତି, ‘‘ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାଷିତଂ, ବ୍ୟାପ୍ତିଂ ଚ ଭୂତେଷ୍ବଖିଳେଷୁ ଚାତ୍ମନଃ, ଅଦୃଶ୍ୟତାତ୍ୟଦ୍ଭୁତରୂପମୁଦ୍ବହନ୍ ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାନୁଷମ୍।’’ କେତେ ଗୋସେଇଁଙ୍କ ଛେନା, ରାବିଡ଼ି ଏଡ଼େଇ ସେ ଅଛବ ଦାସିଆ ବାଉରି ହାତରୁ ନଡ଼ିଆ, ବଡ଼ଦାଣ୍ଡରୁ ଗ୍ରହଣ କରିଛନ୍ତି। ଏମିତି କେତେ କଥା କହିଲେ ପ୍ରଭୁଙ୍କ ଲୀଳା କଥା ସରିବନି। ଏ ଠାକୁର ପଥର ହେବା, ଆଉ ପଥର, ଠାକୁର ହୋଇ କଥା କହିବାର ଉଦାହରଣ ଭୂରି ଭୂରି। ସାକ୍ଷୀ ଦେବାକୁ ଆସିଥିବା ଗୋପାଳ, ଭକ୍ତର ସର୍ତ୍ତ ଭଙ୍ଗ ହେତୁ ସେଇଠି ପଥର ହୋଇଗଲେ, ସେ ଦିନୁ ସାକ୍ଷିଗୋପାଳ ବନିଗଲେ। ମନ ଭିତରେ ଆଙ୍କି ହେଉଥିବା ଛବି, ମନ ଭିତରେ ଲହଡ଼ି ଭାଙ୍ଗୁଥିବା ଭାବର କିସମ କେମିତି ମାପିବ, କେମିତି ଠଉରେଇବ, ତା’ ସାକାର ରୂପରେ ପ୍ରକାଶିତ ନ ହେଲେ? ମୂର୍ତ୍ତି ପୂଜା ସେଇଆ। ଭକ୍ତି ଭାବରେ, ମାପରେ ସେ ପ୍ରକଟିତ ହୋଇ ଯାଆନ୍ତି ନ ହେଲେ ସେମିତି ପଥର ବନିଯାଆନ୍ତି।
ଏ ବିଷୟରେ ଅଧିକ ଜ୍ଞାନାଲୋଚନା, ମନ୍ଥନ ଅନାବଶ୍ୟକ। ଆମ କାଳିଆ ଠାକୁର ଜଗନ୍ନାଥଙ୍କୁ ଦେଖୁନା, ତାଙ୍କୁ ଭଲ ପାଉନା, ଦେଖିବ ଏ ଜୀବନର, ଏ ସୃଷ୍ଟିର ଅନନ୍ତ ରହସ୍ୟ କେମିତି ଫିଟି ପଡ଼ିବ। ବନ୍ଧୁ ମହାନ୍ତି, ବାଇ ମହାନ୍ତିଙ୍କ କଥା, ଯାହାଙ୍କୁ ଗପ ଭଳି ଲାଗୁଛି ତାଙ୍କଠେଇ କଥା ନାହିଁ। ସେ ଗପ ଭିତରେ ଅଦୃଶ୍ୟ ହୋଇଯାଆନ୍ତୁ। କାରଣ ପ୍ରଭୁ ପ୍ରସାର, ପ୍ରଚାର ଭାବର ନୁହନ୍ତି। ଗୀତାରେ ତ କହିଲେ, ‘‘ଇଦଂ ତେ ନାତପସ୍କାୟ ନାଭକ୍ତାୟ କଦାଚନ। ନ ଚାଶୁଶ୍ରୂଷବେ ବାଚ୍ୟଂ ନ ଚ ମାଂ ଯୋଽଭ୍ୟସୂୟତି।।’’ ଅତପସ୍ବୀ, ଅଭକ୍ତ ଓ ଅନାଗ୍ରହୀ ଲୋକକୁ ମୋ କଥା ମୋଟେ ଶୁଣାଇବ ନାହିଁ, କହିବ ନାହିଁ ବୋଲି ପ୍ରଭୁ ସ୍ବୟଂ ଗୀତାରେ ଅଷ୍ଟାଦଶ ଅଧ୍ୟାୟର ସତଷଠିତମ ଶ୍ଳୋକରେ କହିଲେ। ତେଣୁ ତାଙ୍କ ପାଇଁ ବାଦ ବିବାଦ କିଆଁ?’’ ସେ ତ ପୁଣି କହିଲେ, ‘‘ଯେ ଯଥା ମାଂ ପ୍ରପଦ୍ୟତେ ତାଂସ୍ତଥୈବ ଭଜାମ୍ୟହମ୍।’’ ମତେ ଯେ ଯେମିତି ଭାବେ, ମୁଁ ତାକୁ ସେମିତି ଦେଖେ। ଜଗନ୍ନାଥଙ୍କ ମୂର୍ତ୍ତିକୁ କଳାପାହାଡ଼ ଯେଉଁ ଅବସ୍ଥା କଲେ, ବିଶର ମହାନ୍ତି ‘ବ୍ରହ୍ମ’କୁ ଲୁଚାଇ ରଖିଥିଲେ, ସେ ଏକ ଭିନ୍ନ ପ୍ରସଙ୍ଗ।
ଏବେ ଜଗନ୍ନାଥଙ୍କ ନୀତି କ୍ରମାଗତ ଓ ଉଦ୍ଦେଶ୍ୟମୂଳକ ଭାବେ ବ୍ୟାହତ ହୋଇଥିବା ଘଟଣା ସାରା ଭକ୍ତ ମଣ୍ଡଳୀକୁ ଆହତ, ବ୍ୟଥିତ ଓ ଉତ୍ତେଜିତ କରିଛି। ତମେ ଯାହା କାମନା କରୁଚ କର, ମାତ୍ର ପ୍ରଭୁଙ୍କ ନୀତିକାନ୍ତି ଯେକୌଣସି ପରିସ୍ଥିତିରେ ମଧ୍ୟ ବ୍ୟାହତ ହେବାର ନୁହଁ। ଇୟେ ଧର୍ମ ଦ୍ରୋହ, ସଂସ୍କାର ସଂସ୍କୃତି ଦ୍ରୋହ। ତମ ଅହଂକାର, ତମ ଦଳୀୟ ବିଭେଦ, ତମ ଭାଗବଣ୍ଟାରେ ତମେ ଯେତେ ନଗ୍ନ ହୋଇପାରୁଛ ପାର, କାହାର କିଛି କହିବାର ନାହିଁ। ମାତ୍ର ବିଶ୍ବ ଜନତାର ବିଶ୍ବାସ ଓ ଭାବର ଆକର ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ବିଭ୍ରାଟ ଘଟାଇବାରେ କାହାର ବି ଅଧିକାର ନାହିଁ। ଶ୍ରୀଜଗନ୍ନାଥଙ୍କ ‘ବନକଲାଗି’ ଏକ ଭାବମୟ ଶ୍ରୀମୁଖ ଶିଙ୍ଗାର। ପ୍ରଭୁଙ୍କ ମୁଖମଣ୍ଡଳକୁ ଏଥିରେ ସୁଶୋଭିତ ଆକର୍ଷଣୀୟ କରାଯାଏ। ସୁନ୍ଦରିଆ ପୁଅକୁ ଆହୁରି ସୁନ୍ଦର କରିବାକୁ ମା’ ତାକୁ କୋଳରେ ବସାଇ, ତାକୁ ସଜ କରିବାର ଅପାର ଭାବ, ବନକଲାଗି ବେଳେ ସେବକମାନଙ୍କ ଠାରେ ଦେଖାଯାଏ। ସତରେ, ପ୍ରଭୁଙ୍କୁ ବେଶ କରିବାର ଏ ଭାବ, କର୍ତ୍ତବ୍ୟ, ପ୍ରାରବ୍ଧ କର୍ମାର୍ଜିତ ଏକ ଦୁର୍ଲଭ ସୁଯୋଗ। ଯେଉଁମାନେ ଏ ସୁଯୋଗ ପାଇଛନ୍ତି, ତାଙ୍କୁ ସାରା ଭକ୍ତଜନତା ଦେବତା ପରି ମାନ୍ୟକରେ।
ମାସକରେ ଚାରିଦିନ ଏହି ‘ବନକଲାଗି’ ବୁଧବାର କରାଯାଏ। ବିଶେଷ ଅସୁବିଧା ନ ହେଲେ ଗୁରୁବାର ହୁଏ। ମାତ୍ର ଗୁରୁବାର ପ୍ରଭୁଙ୍କର ବହୁ ଅଧିକ ନୀତିକାନ୍ତି ଥିବାରୁ ‘ବନକଲାଗି’ ବୁଧବାର ଦିନ କରାଯାଏ। ମାତ୍ର ଏକ ନୂତନ କାରଣ ଓ ଭାବରେ, ପ୍ରାପ୍ତିରେ ଏ ସେବକଗଣ ଏ ନୀତିକୁ ଗୁରୁବାର କରିବାକୁ ଆରମ୍ଭ କଲେ ଓ ସେହିଦିନ ହିଁ କରିବାର ଜିଦ୍ କଲେ। ପ୍ରଭୁଙ୍କୁ ଶହଶହ ବର୍ଷ ସେବା କରି ବଳିଷ୍ଠ, ବଳବାନ ହୋଇଯାଇଥିବା ଏ ପରମ ସେବକମାନଙ୍କ ସହ ମୁକାବିଲା କରିବ କିଏ? ‘‘ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ।’’ ଏବେ ମାସେ ହେବ ଏ ବନକଲାଗି ବନ୍ଦ ରହିଛି। କାହା ଲାଗି ଏ ବନ୍ଦ? କାହା ଉପରେ ଏ ରାଗ ଓ ଜିଦ୍ ଶୁଝା ଯାଉଛି? ଆରେ ଯାହା ଯୋଗୁଁ ତମେ ବଳୀୟାନ, ଯାହା ଯୋଗୁଁ ତମେ ଧନ୍ୟ ତା’ ମୁହଁକୁ ମାଖରା କେମିତି କରୁଚ? ଜଣେ ପରମ ଭକ୍ତ ସେବକର ପ୍ରଭୁ ହିଁ ମୁଖ୍ୟ। ମାନ, ଅଭିମାନ ଆଉ ସବୁ ଗୌଣ, ତୁଚ୍ଛ। ରାଜାଙ୍କ ଆଗରେ ଗୋଟିଏ ଶିଶୁପୁତ୍ରକୁ ଟଣା ଓଟରା କରି ଦୁଇ ମହିଳା ପହଞ୍ଚି ପ୍ରତ୍ୟେକେ ନିଜକୁ ମା’ ବୋଲି ଦାବି କରି ଶିଶୁକୁ ନେବାକୁ କହିଲେ। ବିସ୍ମିତ ଓ ବିବ୍ରତ ରାଜା ପ୍ରକୃତ ମା’ କିଏ ଜାଣିପାରିଲେନି। ଶେଷକୁ ନିର୍ଦେଶ ଦେଲେ, ଏ ଶିଶୁକୁ ମଝିରୁ ଦୁଇଫାଳ କରି ଦୁହିଁଙ୍କି ଅଧେ ଅଧେ ବାଣ୍ଟି ଦିଆଯାଉ। ଜଣେ ସ୍ତ୍ରୀଲୋକ ରାଜାଙ୍କର ଏ ନିଷ୍ପତ୍ତିରେ ଖୁସି ହୋଇଗଲା। ମାତ୍ର ଆଉ ଜଣେ ସ୍ତବ୍ଧ ହୋଇଗଲା। ଆଖି ଆଗରେ ପିଲାଟା ଏବେ ହଣା ଖାଇବ, ଚିତ୍କାର କରି ଉଠିଲା। ନାଇଁ ମଣିମା! ପିଲାଟା ତା’ର, ତାକୁ ଦିଆଯାଉ। ଅନ୍ୟ ସ୍ତ୍ରୀଲୋକଟି କହିଲା, ‘‘ଦେଖିଲେ ଆଜ୍ଞା ୟେ କେମିତି ମିଛ କହୁଥିଲା।’’ ରାଜା କିନ୍ତୁ ଶିଶୁକୁ ରକ୍ଷା କରାଯାଉ କହି, ‘ସେ ତା’ର ନୁହଁ’ କହିଥିବା ସ୍ତ୍ରୀଲୋକଟିକୁ ଶିଶୁକୁ ଦେଲେ। ଜାଣି ପାରିଲେ ଏ ଶିଶୁର ମା’ କିଏ? ତା’ ଶିଶୁ ଯାହା ପାଖରେ ହେଲେ ବି ବଞ୍ଚୁ, ୟେ ହେଲା ଭାବର କଥା। ଏବେ ସେବକମାନଙ୍କ ମଧ୍ୟରୁ କେତେକ ଜଗନ୍ନାଥଙ୍କ ସେବାକୁ ବେପାର କରିଦେଇଛନ୍ତି। ସେବକମାନଙ୍କର ଭକ୍ତମାନଙ୍କ ପ୍ରତି ଦୁର୍ବ୍ୟବହାର ଭକ୍ତମାନଙ୍କୁ ଆହତ କରୁଛି। ସାରା ଦେଶରେ ଜଗନ୍ନାଥ ଧାମ ଏଥିପାଇଁ ସମାଲୋଚିତ ଓ ନିନ୍ଦିତ ହେଉଛି। କାରଣ ଯାହା ହେଲେ ବି, ଜଗନ୍ନାଥଙ୍କ ଅପୂର୍ବ ସେବାକୁ ଯେଉଁମାନେ ଅବହେଳା କରୁଛନ୍ତି, ବ୍ୟାହତ କରୁଛନ୍ତି, ସେମାନେ ଜଗନ୍ନାଥଙ୍କ ଭକ୍ତ ହୋଇପାରନ୍ତି, ମାତ୍ର ତାଙ୍କୁ ବେପାରୀ-ଭକ୍ତ ବା ବେପାରୀ ସେବକ କୁହାଯାଉଛି। ଅଳ୍ପ କେତେକଙ୍କ ଯୋଗୁଁ ସମ୍ମାନନୀୟ ଏ ସେବକବୃନ୍ଦେ ଜନତାର ବିଶ୍ବାସବୋଧରୁ ଦୂରେଇ ନ ଯାଆନ୍ତୁ। ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟମାନେ ଏହାର ସମାଧାନ ପାଇଁ ଆଗେଇ ଆସନ୍ତୁ। ପ୍ରଭୁଙ୍କ ପ୍ରତି ଏ ଅବହେଳା ଅସହ୍ୟବୋଧ ହେଲାଣି। ଜୟ ଜଗନ୍ନାଥ।
Comments are closed.