www.samajalive.in
Saturday, December 13, 2025
23.1 C
Bhubaneswar

ଜଳ ଗହଳେ, ଜଳ ବିହୁନେ….

ଏ ବର୍ଷ ଦେଶର ପାଣିପାଗ ପରିସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କୋଉଠି ବର୍ଷା ବିତ୍ପାତରେ ଘରଦ୍ୱାର, ରାସ୍ତାଘାଟ ନଦୀଗର୍ଭକୁ ଖସିପଡୁଛି ତ କୋଉଠି ଜମି ଫାଟି ଆଁ କଲାଣି। ପୋଖରୀ, ଗଡ଼ିଆ, ନାଳରେ ପାଣି ନାହିଁ। କୂଅ କଥା ପଚାରେ କିଏ। ଶ୍ରାବଣ ମାସ ଅଧା ସରିବାକୁ ବସିଲାଣି। ଏତେବେଳକୁ ଜମିରେ ଧାନ ଗଛ ଆଣ୍ଠୁଏ ଉଚ୍ଚ ହେବା କଥା, କିନ୍ତୁ ଅଧିକାଂଶ ସ୍ଥାନରେ ଜମିକୁ ବିହନ ଯାଇନି। ଯାହା କିଛି ତଳି ପଡ଼ିଥିଲା, ତାହା ଜଳି ବଳିତା ହେଇଗଲା। ମୁଣ୍ଡରେ ହାତଦେଇ ବସିଛି ଚାଷୀ। କେବେ ଜମିକୁ ହଳ ଲଙ୍ଗଳ ନେବ, କେବେ ଚାଷକରି ଫସଲ ଫଳାଇବ ସେହି ଚିନ୍ତା ଘାରୁଛି ଚାଷୀଙ୍କୁ। ଏଭଳି ଏକ ପରିସ୍ଥିତିରେ ବଜାର ଦର ଆକାଶଛୁଆଁ। ଚାଉଳ ଦର ବି ବଢ଼ିଲାଣି। ଏଥିକୁ ସରକାରଙ୍କୁ ବି ଦୋଷ ଦେଇହେଉନି।

ସରକାରଙ୍କ କହିବା କଥା, ବର୍ଷା ନହେବାରୁ ଫସଲ ହୋଇନି, ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ହେଲେ ସବୁ ଠିକ୍‌‌ ହୋଇଯିବ। ହେଲେ ସରକାରଙ୍କ କଥାରେ ଯେ ବର୍ଷା ସ୍ୱାଭାବିକ ହେବ, ବାତ୍ୟା ଆସିବନି ସେକଥା କୁହାଯାଇ ପାରିବନି। ବାକି ରହିଲା କେନାଲ ବା ଉଠାଜଳସେଚନ ଜରିଆରେ ଜମିକୁ ଜଳସେଚିତ କରିବା କଥା। ଆମ ରାଜ୍ୟରେ ୩୫ ଭାଗ ଜମିକୁ ଏବେସୁଦ୍ଧା ଜଳସେଚନ ସୁବିଧା କରାଯାଇପାରିନାହିଁ। ଜମିରେ ପାଣି ମଡ଼ାଇବାକୁ ସରକାର ଅନେକ ଯୋଜନା କରୁଛନ୍ତି। ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେନାଲ ଖୋଳା ହେଉଛି, ପୂର୍ବରୁ ଥିବା କେନାଲର ଉନ୍ନତିକରଣ କରାଯାଉଛି। ସବୁ ଯୋଜନାରେ ରହିଛି, ଇୟେ ହେଉଛି ପୋଥି ବାଇଗଣ ଏବଂ ବାଡ଼ି ବାଇଗଣ ଭିତରେ ତଫାତ୍‌‌ର କଥା। ନଦୀରେ ପାଣି ଥିଲେ ତ କେନାଲରେ ଆସିବ ଏବଂ ଜମିରେ ମାଡିବ। ସେକଥାକୁ କାହାର ବଳ ଅଛି? ହେଲେ ସରକାର ଜଙ୍ଗଲ ସୁରକ୍ଷା ତ କରିପାରିବେ।

- Advertisement -

ବିକାଶ ନାଁରେ ବହୁ ପୁରାତନ ଗଛଗୁଡିକୁ କାଟି ଯେଉଁଭଳି ବିନାଶକୁ ଡାକି ଆଣୁଛନ୍ତି, ତାହାକୁ ତ ରୋକିପାରିବେ। କିନ୍ତୁ ତାହା ହେଉନି। ଚାଷୀ ଯେତିକି ବି ଫସଲ ଫଳାଉଛି ତାହାକୁ ସୁରକ୍ଷିତ ଭାବରେ ମହଜୁଦ ରଖିବା, ତାହାର ଉପଯୁକ୍ତ ସଂଗ୍ରହ ଓ ବିକ୍ରିବଟା କରିବା ବ୍ୟବସ୍ଥାରେ ସରକାରୀ ପ୍ରୟାସ ବହୁ ପଛରେ। ତାହା ନହେଲେ ଚାଷୀ କାହିଁକି ଆତ୍ମହତ୍ୟା କରନ୍ତା ଅଥବା ଫସଲକୁ ରାସ୍ତାରେ ଫିଙ୍ଗିଦେଇ ଘରକୁ ଫେରନ୍ତା? ସମସ୍ୟା ତ ଅନେକ। ସମାଧାନର ବାଟ ବି ଅଛି, କିନ୍ତୁ କାର୍ଯ୍ୟକାରୀ ହେଉନି। ଏ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ସମୟରୁ ପାଖାପାଖି ଆଠ ଦଶଦିନ ପରେ ଓଡ଼ିଶାକୁ ପ୍ରବେଶ କଲା । ଆଶା ଥିଲା, ବିଳମ୍ବରେ ଆସିଲେ ବି ବର୍ଷା ସ୍ୱାଭାବିକ ହେବ। କିନ୍ତୁ ଆଷାଢ (ଜୁନ୍‌‌)ରେ ବର୍ଷା ପରିମାଣ ନିଅଣ୍ଟିଆ ରହିଲା। ଶ୍ରାବଣ (ଜୁଲାଇ)ରେ ପରିସ୍ଥିତି ସମାନ। ହେଲେ ଦେଶର କିଛି ରାଜ୍ୟରେ ଅସ୍ୱାଭାବିକ ଭାବରେ ମାତ୍ରାଧିକ ବର୍ଷା ଚାଲିଛି। ସେଠାରେ ଜନଜୀବନ ବିପର୍ଯ୍ୟସ୍ତ। ହିମାଚଳ ପ୍ରଦେଶରେ ୮୦ରୁ ଅଧିକ ଲୋକଙ୍କର ଜୀବନ ହାନି ଘଟିଲାଣି। ସେହି ରାଜ୍ୟରେ ପ୍ରାୟ ୩ରୁ ୪ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ପ୍ରାଥମିକ ତଥ୍ୟ କହୁଛି। ରାଜଧାନୀ ଦିଲ୍ଲୀ ଅବସ୍ଥା ଆହୁରି ସାଂଘାତିକ।

ଯମୁନା ନଦୀର ଜଳପତ୍ତନ ବୃଦ୍ଧିପାଇବା ଦ୍ୱାରା ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତାହାସହିତ ଲଗାଣ ବର୍ଷା ଯୋଗୁ ରାଜଧାନୀର ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏରୁ ଅଣ୍ଟାଏ ଉଚ୍ଚାର ପାଣି ଜମିରହି ଗାଡି ମଟର ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଆସାମ, ରାଜସ୍ଥାନରେ ମଧ୍ୟ ବର୍ଷା ବିତ୍ପାତ ଚାଲିଛି। କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୦୧୩ରେ ଉତ୍ତରାଖଣ୍ଡର କେଦାରନାଥରେ ଯେଉଁଭଳି ଭାବରେ ‘ହିମାଳୟ ସୁନାମି’ ଆସି ଜଳ ପ୍ରଳୟ ହୋଇଥିଲା, ଚଳିତ ବର୍ଷ ଠିକ୍‌‌ ସେହିଭଳି ପରିସ୍ଥିତି ହୋଇଛି। ପାଣିପାଗର ଏଭଳି ଅନିୟମିତ ପ୍ରକୃତି ବୁଝିବା ବିଜ୍ଞାନୀଙ୍କ କ୍ଷମତା ବାହାରେ। ସେମାନେ କହୁଛନ୍ତି ଏହା ଏକ ବିରଳ ଘଟଣା। ସବୁ ଦୋଷ ଦେଉଛନ୍ତି ଜଳବାୟୁ ପରିବର୍ତ୍ତନକୁ, ତାହା ଠିକ୍‌‌। ବର୍ଷା ବିତ୍ପାତରେ ହିମାଚଳ, ଉତ୍ତରାଖଣ୍ଡର ଅନେକ ସ୍ଥାନରେ ପାହାଡ ଧସି ରାସ୍ତା ଉପରେ ପଡ଼ିଛି। ହଜାର ହଜାର ପର୍ଯ୍ୟଟକ ଅଟକି ରହିଛନ୍ତି।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଭୂମଧ୍ୟସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ ଅଥବା ଲଘୁଚାପ ମଧ୍ୟପ୍ରାଚ୍ୟ ଏବଂ ଇରାନ ଦେଇ ପୂର୍ବ ଦିଗକୁ ଗତିକଲେ ତାହା ଭାରତୀୟ ଉପମହାଦେଶର ପାଗରେ ପରିବର୍ତ୍ତନ ଆଣିଥାଏ। ବିଶେଷକରି ଉତ୍ତର ଭାରତର ପାଣିପାଗ ଉପରେ ତାହାର ଅଧିକ ପ୍ରଭାବ ପରିଲକ୍ଷିତ ହୁଏ। କିନ୍ତୁ ଏହି ପରିବର୍ତ୍ତନର ସ୍ୱଭାବ ଆକଳନ କରିବା କଷ୍ଟକର। ଅନ୍ୟପକ୍ଷରେ ଦେଶର ୧୨ରୁ ଅଧିକ ରାଜ୍ୟରେ ଚଳିତ ବର୍ଷ ଏଯାଏ ନିଅଣ୍ଟିଆ ବର୍ଷା ହୋଇଛି। ଏଗୁଡିକ ଦେଶର କେନ୍ଦ୍ର, ଦକ୍ଷିଣ, ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳରେ ରହିଛି। ଓଡ଼ିଶାରେ ଶ୍ରାବଣ ମାସ ଅଧା ପର୍ଯ୍ୟନ୍ତ ୧୨ଟି ଜିଲାରେ ବିଳମ୍ବରେ ହେଲେ ମଧ୍ୟ ସ୍ୱାଭାବିକ ଅଥବା ତାହାଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୮ଟି ବର୍ଷା ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହେଉଛି। ୧୨ଟି ଜିଲାରେ ସ୍ୱାଭାବିକ ବା ତାହାଠାରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ତାହା ଖରିଫ ଚାଷ ପାଇଁ ଉପଯୋଗୀ ହୋଇପାରିନି। ଅବଶିଷ୍ଟ ନିଅଣ୍ଟିଆ ୧୮ ଜିଲାରେ ଜମି ପଡ଼ିଆ ପଡ଼ିଛି। ତଥ୍ୟ ମୁତାବକ ଓଡ଼ିଶାରେ ମୋଟ ଉପରେ ଏଯାଏ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।

ରାଜ୍ୟର କଳାହାଣ୍ଡି ଜିଲାରେ ସର୍ବାଧିକ ୬୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ମୟୂରଭଞ୍ଜରେ ୫୪, କେନ୍ଦ୍ରାପଡ଼ା ୫୦, ଖୋର୍ଦ୍ଧା ୪୧, ଗଞ୍ଜାମ ୪୨, ରାୟଗଡ଼ା ୫୧ ଏବଂ ନବରଙ୍ଗପୁରରେ ୫୫ ପ୍ରତିଶତ ବର୍ଷା କମ୍‌‌ ହୋଇଛି। ଏହିସବୁ ଜିଲାରେ ମରୁଡ଼ି ଅବଶ୍ୟମ୍ଭାବୀ ମନେହେଉଛି। ଫସଲ ନହେଲେ ବା ଫସଲ ହାନି ଘଟିଲେ ଚାଷୀ ସହିତ ଖାଉଟି ପ୍ରଭାବିତ ହେବେ। ଦରଦାମ ବଢ଼ିବ, ମୁଦ୍ରାସ୍ଫୀତି ବି ତାକୁ ତାଳ ଦେବ। ସମୁଦାୟ ଅର୍ଥନୀତି ପ୍ରଭାବିତ ହେବ। ଚାଷୀଙ୍କୁ ସହାୟତା କରିବାକୁ ସରକାର ଅନୁକମ୍ପା ରାଶି ଯୋଗାଇବେ, ରିଆତି ଋଣ ବ୍ୟବସ୍ଥା କରିବେ। ଏସବୁ ତ ସାଧାରଣ ଜନତାଙ୍କ ଟିକସ ଅର୍ଥରେ ହେବ। ଏକଥା କେତେଜଣ ତର୍ଜମା କରୁଛନ୍ତି? ଘରର ଚାଳ ମରାମତି ନକରି ଘରଭଙ୍ଗା ସହାୟତା ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ। କେବଳ ଚାଷ ଯେ ପ୍ରଭାବିତ ହେବ ତାହା ନୁହେଁ, ବର୍ଷା ଅଭାବରୁ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର କମିଲେ ବିଦ୍ୟୁତ୍‌‌ ଉତ୍ପାଦନ କମିବ, କେନାଲରେ ଚାଷଜମିକୁ ମାଡ଼ିବା ପାଇଁ ଜଳ ମିଳିବନି। ଭୂତଳ ଜଳସ୍ତର ହ୍ରାସପାଇବ ଏବଂ ତାହାସହିତ କୂଅ, ନଳକୂଅ ବି ଶୁଖିଯିବ। ଆମ ରାଜ୍ୟ ଓ ଦେଶରେ ଚିନ୍ତାନାୟକଙ୍କର ଅଭାବ ନାହିଁ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏଭଳି ଘଟଣା ତ ପ୍ରାୟ ବର୍ଷ ପରିଲକ୍ଷିତ ହେଉଛି। ତାହାକୁ ଦେଖି ସ୍ଥାୟୀ ସମାଧାନ କାହିଁକି ହେଉନି? କଥାରେ ଅଛି ଜଳ ଗହଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି।

 

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories