ସୀତା ଠାବ କରିବ କିଏ?

ଲୋକେ ବୁଝୁଛନ୍ତି, ଏଡ଼େଏଡ଼େ ଆଖିରେ ବି ଦେଖୁଛନ୍ତି ଯେ ପଇସା କେମିତି ପକେଟରେ ଓ ପାଞ୍ଚ ଆଙ୍ଗୁଠି କେମିତି ପାଟିରେ ପଶେ।

‘ସତ’ଠୁ ‘ମିଛ’ କେତେ ଦୂର? ରଜାଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ‘ଚାରି ଆଙ୍ଗୁଳ ମାତ୍ର।’ ରଜା କହିଲେ, ‘କେମିତି?’ ମନ୍ତ୍ରୀ କହିଲେ, ‘ସିଧା କଥାଟେ ଇୟେ, କାନଠୁ ଆଖିର ଦୂରତାର କଥା ଇୟେ। କାନ ଦେଖେନି ଶୁଣେ। ଶୁଣାକଥାର ସତ୍ୟତା କେତେ? ଇୟେ କାନକୁ କାନ ଡେଇଁ ଡେଇଁ କିମ୍ଭୂତକିମାକାର ରୂପ ଧରେ।’ ମୂଷାର ରୂପ ଏଠି ବାଘ ହୋଇଯାଇପାରେ। ମାତ୍ର ଆଖି ଶୁଣେନି କିଛି, ଖୋଦ ଦେଖେ, ଦେଖୁଥାଏ। କୁହାଯାଏ, ‘ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ।’ ତେବେ ସବୁଠି ଏ କଥା ପ୍ରଯୁଜ୍ୟ ହୋଇପାରିବନି। ବିଶ୍ବାସବୋଧ ପ୍ରଦୂଷିତ ହୋଇଗଲେ, ସେଥିରେ ଘୁଣ ଲାଗିଲେ ଆଖି ଆଡ଼କୁ କଥା ଯାଏ। ମାତ୍ର ଆଖି କ’ଣ ସବୁ ଦେଖିପାରେ? ଅନେକ ପ୍ରଗାଢ଼ ସତ୍ୟ, ତଥ୍ୟ, ତତ୍ତ୍ବ ଅଛି ଯାହା ଆଖିର ବିଷୟ ନୁହେଁ। ମାତ୍ର ନିଚ୍ଛକ ଏ ସତ୍ୟ। ଏମିତି ତଥ୍ୟକୁ ଗାଲୁଆମାନେ ବେଶ୍‌ ଭିଣାଭିଣି କରିବାର ଖୋରାକ ପାଆନ୍ତି। ସେ ତମ ପିତା କି ନୁହେଁ, ତମ ଆଖି ସେ ପିତୃତ୍ବ କଥା ଦେଖିଛି କି ବୋଲି ପ୍ରଶ୍ନର ଉତ୍ତର କାଇଁ? ଏବେ ଅବଶ୍ୟ ଡିଏନ୍‌ଏ ପରୀକ୍ଷା ପିତୃତ୍ବ ଜାଣିବା ପାଇଁ ବ୍ୟବହାର ହେଉଛି। ଛାଡ଼ନ୍ତୁ ସେ ଗାଲୁ ଭୁରୁଡ଼ି କଥା। ସେ ତ ‘ଗାଲୁଆଙ୍କ ବାରବାଟି ଚାଷ।’ ଏ ସଂସାର ସାକ୍ଷୀର, ପ୍ରମାଣର ନୁହେଁ; ଖୋଦ ବିଶ୍ବାସ ଓ ବିଶ୍ବାସବୋଧର। ବିଶ୍ବାସ ହଜିଗଲା ତ ତମେ ହଜିଗଲ। ଅବିଶ୍ବାସ, ସନ୍ଦେହର ଗଳିର ଅନ୍ତ ନାହିଁ। ଏମିତି ଏକ ଜୀବନରେ, ସମାଜରେ ସ୍ଥିତି ଢେର ବିପନ୍ନ, ଅଶାନ୍ତମୟ। ଏଠି ଏବେ ଘଟୁଥିବା ‘ଆତ୍ମହତ୍ୟା’ ଏଇ ବିଶ୍ବାସବୋଧ ଅଭାବର କାରଣ।

ତେବେ ଏ ଘୋର ବିଷୟମୟ ସଂସାରରେ ଆଖି ଓ କାନ ଉଭୟେ ଘୁଣଖିଆ ହୋଇଯାଇଥିବା ଜଣାପଡୁଛି। ଆଖି ଦେଖିଥିବା କଥାଟା ଅବିକଳ ଯଦି ଜିଭ ନ କହିଲା ତେବେ ‘ଆଖି’ ଦେଖାର କି ଫଳ? ଏଠି ଏବେ ‘ଆଖି ଓ ଜିଭ’ର ବୁଝାମଣା ହୋଇଯାଉଛି। ଅଦାଲତରେ ଆଖିଦେଖା ସାକ୍ଷୀଙ୍କୁ ଅଦାଲତ ଶେଷରେ ‘ମିଛ ସାକ୍ଷୀ’ ଘୋଷଣା କରିଥା’ନ୍ତି। ଏମାନଙ୍କୁ ଦଣ୍ଡିତ ମଧ୍ୟ କରାଯାଇଥାଏ। ତାଙ୍କର ‘ଦାସେ ଯାଇଥିଲେ ଫାଣ୍ଡିକି’ ଅବସ୍ଥା ହୁଏ। ଜିଭର ଏବେ ହଜାର ନାଟ ଲାଗିଛି। ଏଠି ଲାଳ ଏବେ ବେଶ୍‌ ଧରୁଛି ଜିଭକୁ। ଖବରକାଗଜରେ ପ୍ରକାଶିତ ଗୋଟିଏ ଦିନର ଦୁଇଟି ଖବରରେ ଆଖି, କାନର ସ୍ଥିତି ଏବେ ବିପନ୍ନ ଓ ନିର୍ଭରଯୋଗ୍ୟ ନ ହେବା ଜଣାପଡ଼ିଛି। ୟେ ଖୋଦ ରାଜ୍ୟ ସରକାର ମନ୍ତ୍ରୀ ମହୋଦୟଙ୍କର କଥା। ରାଜ୍ୟରେ ‘ବିଜୁ ସେତୁ’ ଯୋଜନା ଏକ ବିରାଟ ପ୍ରକଳ୍ପ। ଗ୍ରାମାଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ପରିଣତିରେ ଗ୍ରାମାଞ୍ଚଳ ଅର୍ଥନୀତି ବିକଶିତ ହେବା ଏହାର ଲକ୍ଷ୍ୟ। ଏହା ଆର୍‌.ଡି (ଗ୍ରାମ୍ୟ ଉନ୍ନୟନ) ବିଭାଗ ଅଧୀନ।

ଏସବୁ ସେତୁ ନିର୍ମାଣ ବିଷୟରେ ଖୋଦ ମନ୍ତ୍ରୀ ଏକ ସମୀକ୍ଷା ବୈଠକ ଡକାଇଥିଲେ। ଏଥିରୁ ଯାହା ତଥ୍ୟ ମିଳିଲା, ତା’ ଅତ୍ୟନ୍ତ ଭୟଙ୍କର। ୨୦୨୨-୨୩ ଓ ୨୩-୨୪ରେ ୨୮୮ଟି ସେତୁ ଏହି ଯୋଜନାରେ ସମାପ୍ତ ହୋଇଥିବାର ଦର୍ଶାଯାଇଛି। ସମୀକ୍ଷା ବୈଠକରେ ତାଙ୍କ ବିଭାଗର ସଫଳତାର ଏକ ପ୍ରମାଣ ସେ ରାଜ୍ୟବାସୀଙ୍କୁ ଦେବେ ବୋଲି ଭାବିଥିଲେ। ମାତ୍ର କ୍ଷେତ୍ର ଉପରେ ସ୍ବୟଂ କାମ କରୁଥିବା ଓ ସ୍ବଚକ୍ଷୁରେ ଦେଖୁଥିବା ‘ଆଖି-ଜିଭ’ ବୁଝାମଣିଆବାବୁ, ଏ କଥା ମନ୍ତ୍ରୀଙ୍କୁ ଜଣାଅଛି କି ନାହିଁ କେଜାଣି? ଏବେ ହପ୍‌ପାରେ ପଡ଼ିଯାଇଛନ୍ତି। ଏବେ କଥା ବାଗେଇବାକୁ କହୁଛନ୍ତି, ସେତୁ ସରିଛି, ସଂଯୋଗ ରାସ୍ତା ଆଦି ଛୋଟ ଛୋଟ କାମ ଯାହା ରହିଯାଇଛି। ଲୋକେ ବୁଝୁଛନ୍ତି, ଏଡେ ଏଡେ ଆଖିରେ ବି ଦେଖୁଛନ୍ତି ଯେ ପଇସା କେମିତି ପକେଟରେ ଓ ପାଞ୍ଚ ଆଙ୍ଗୁଠି କେମିତି ପାଟିରେ ପଶେ। ମନ୍ତ୍ରୀ ଅଧିକା ସାଧୁତା ଦେଖାଇବାକୁ, ଲୋକଙ୍କୁ ଚମକାଇବାକୁ ‘ଫଟୋ’ ଉଠାଇବାକୁ ନିର୍ଦେଶ ଦେଇଛନ୍ତି। ଚିଫ୍‌ ଇଞ୍ଜିନିୟର (ମୁଖ୍ୟଯନ୍ତ୍ରୀ)ଙ୍କଠାରୁ ତଳିଆ ଇଞ୍ଜିନିୟର ଯାଏ ଏବେ ଫଟୋଉଠାରେ ବାଇ, ବ୍ୟସ୍ତ। ଯେଉଁମାନେ ଚଳଚ୍ଚିତ୍ର ଦେଖୁଛନ୍ତି ସେମାନେ ବୁଝନ୍ତି ଫଟୋଉଠା କେତେ ସତ! ଆଖି-ଜିଭ ଫେଣ୍ଟା ସତ୍ୟ (ଅସତ୍ୟ)ର ଜେଜେବାପା କି କ’ଣ! ଚାଲୁ ଫଟୋଉଠା। ବିଚରା ଫଟୋ ଦୋକାନୀ, ଫଟୋଗ୍ରାଫର କିଛି ‘ଦାନା’ ପାଇଯାଆନ୍ତୁ, ଖାଇଯାଆନ୍ତୁ।

ଏବେ ଏହା ସହିତ ମହାଲେଖାକାର ବେଶ୍‌ ଗୁରୁତର କଥା କହିଛନ୍ତି। ଯୋଜନା ଅର୍ଥ ଲୋକଙ୍କ କାମରେ ଲାଗୁନି ବୋଲି ତାଙ୍କ ବିବରଣୀ ପତ୍ରରୁ ଜଣାପଡ଼େ। ଯାହା ସବୁ ଅର୍ଥ ବିଭିନ୍ନ ବିଭାଗକୁ ଦିଆଯାଇଛି, ସେ ସବୁର ବିନିଯୋଗ ପତ୍ର ବାରମ୍ବାର ଲେଖିଲେ ମିଳୁନି ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବଡ଼ କାଇଦାରେ ଚିଲୋଉଛନ୍ତି। ଆରେ ବାବୁ ଟଙ୍କା ଖର୍ଚ୍ଚ ହୋଇଥିଲେ ସିନା ବିନିଯୋଗ ପତ୍ର ମିଳିବ! ଟଙ୍କା ଖର୍ଚ୍ଚ ନ ହୋଇ କେଉଁ କେଉଁଠି ଜମା ରହିଛି ତା’ର ସନ୍ଧାନ କରିବ କିଏ? ଟଙ୍କା-ସୀତା ଠାକୁରାଣୀଙ୍କୁ ରାବଣମାନେ କେଉଁଠି ଲୁଚାଇଛନ୍ତି ତା’ ସିନା ହନୁମାନ ଠାବ କରିପାରିବେ। ମାତ୍ର ସୀତା-ଠାବ ହନୁମାନ କାହାନ୍ତି? ଶହଶହ କୋଟି ଟଙ୍କାର ଏ ଯେଉଁ ବିନିଯୋଗ ପତ୍ର ମିଳୁନି, ସେଥିରୁ ଏ ରାଜ୍ୟ ରାଜକୋଷ କେତେ ନିରାପଦ। କେତେ ଜନତାର ସେବାରେ ଲାଗୁଛି ତା’ ଅନୁମେୟ। ମାତ୍ର କହିବ କିଏ, ଶୁଣିବ କିଏ? ‘ଶ୍ରୋତା ବକତା କେହି ନାହିଁ, ରୋଦନ କରୁ କାହିଁ ପାଇଁ।’

Comments are closed.