ବଢୁଛି ଭାରତର ପତିଆରା
ରପ୍ତାନିକାରୀ ରାଷ୍ଟ୍ର ପାଇଁ ଭାରତ ଏକ ବୃହତ୍ ବଜାର
ଆନ୍ତର୍ଜାତିକ ମହଲରେ ଭାରତର ପତିଆରା ବଢୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିକଟେର ଆମେରିକା ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ଚୀନ ଓ ପାକିସ୍ତାନର ଗାତ୍ରଦାହ ହେଉଛି, ହେବା ବି ସ୍ବାଭାବିକ। ଆମେରିକା ଓ ଚୀନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାବେଳେ ବିସ୍ତାରବାଦୀ ଚୀନ ଭାରତର ଉତ୍ତର ପୂର୍ବ ସୀମାରେ ଗତ ଦୁଇବର୍ଷ ଧରି ଯେଉଁଭଳି ଭାବରେ ସୀମା ବିବାଦକୁ ତେଜାଇ ରଖି ସମର ସଜ୍ଜା ଆରମ୍ଭ କରିଛି, ତାହା ଭାରତ ପାଇଁ ବଡ ବିପଦର କାରଣ ହୋଇଛି। ଏଭଳି ଏକ ପରିସ୍ଥିତିରେ ଆନ୍ତର୍ଜାତିକ ମହଲରେ ଭାରତର ପ୍ରତିପତ୍ତି ବୃଦ୍ଧିପାଇବା ଏବଂ ବିଶ୍ବର ଅନେକ ରାଷ୍ଟ୍ର ଭାରତକୁ ଗୁରୁତ୍ବ ଦେବା ବିଷୟକୁ ଚୀନ ସହଜରେ ହଜମ କରିପାରୁନାହିଁ। ସେଥିପାଇଁ ଏହା ଭାରତର ପାରମ୍ପରିକ ଶତ୍ରୁରାଷ୍ଟ୍ର ପାକିସ୍ତାନ ସହିତ କିଛିବର୍ଷ ହେଲା ସମ୍ପର୍କ ବୃଦ୍ଧିକରିବାରେ ଲାଗିଛି। ତାହା ସହିତ ଭାରତ ସୀମାକୁ ଲାଗିରହିଥିବା ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଆଦି ରାଷ୍ଟ୍ରକୁ କଳ, ବଳ, କୋୖଶଳରେ ନିଜ ଆଡକୁ ଆଣି ଭାରତକୁ ଚାରିପଟୁ ଘେରିବା ଯୋଜନା କରୁଛି। ଇତିମଧ୍ୟରେ ଚୀନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପରମାଣୁ ତୋପକୁ ମଧ୍ୟ ପାକିସ୍ତାନ ଭାରତ ସୀମାରେ ମୁତୟନ କରିଥିବା ଖବର ଆସୁଛି। ଏପରି କି ଚୀନ ସୈନ୍ୟମାନେ ପାକ୍ ଅଧିକୃତ କାଶ୍ମୀରରେ ପାକ୍ ସେନାଙ୍କୁ ତାଲିମ ଦେବା ଏବଂ ସେଠାରେ ଉପସ୍ଥିତ ରହିଥିବା ଆମେରିକାର ଗୋଇନ୍ଦା ସୂଚନାରୁ ଜଣାଯାଇଛି।
ସୋଭିଏତ୍ ରୁଷିଆ ବିଭାଜନ ପରବର୍ତ୍ତୀ ସମୟରେ ଭାରତ ତତ୍କାଳୀନ ପରିସ୍ଥିତିର ଆବଶ୍ୟକତା ଦୃଷ୍ଟିରୁ ଆମେରିକା ଆଡକୁ ଢଳିବା ଆରମ୍ଭ କରିଥିଲା, ହେଲେ ମଧ୍ୟ ରୁଷିଆ ସହିତ ସମ୍ପର୍କ ପୂର୍ବବତ୍ ବଜାୟ ରଖିଥିଲା। ଆମେରିକା ଓ ରୁଷିଆ ଭଳି ପରସ୍ପରର ବିରୋଧୀ ବିଶ୍ବର ଦୁଇ ମହାଶକ୍ତି ସହିତ ସୁସମନ୍ବୟ ବଜାୟ ରଖିବା କାଠିକର ପାଠ ହୋଇଥିଲେ ମଧ୍ୟ ଭାରତର ବୈଦେଶିକ ନୀତି ସେହି ବାଟରେ ଆଗେଇ ଚାଲିଛି। ଦେଶର ଜନସାଧାରଣଙ୍କ ଆବଶ୍ୟକତା ବୈଦେଶିକ ନୀତିରେ ଅଗ୍ରାଧିକାର ଲାଭ କରୁଛି। ଅବଶ୍ୟ ପରମାଣୁ କାର୍ଯ୍ୟକ୍ରମକୁ ନେଇ ମଝିରେ ଆମେରିକା କ୍ଷୁବ୍ଧ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଭାରତ ସହିତ ଏକପ୍ରକାର ବାଧ୍ୟବାଧକତାରେ ସମ୍ପର୍କ ସୁଧାରିଛି।
ସେହି ବାଧ୍ୟବାଧକତା ହେଉଛି ଅର୍ଥନୀତି ଏବଂ ବଜାର ବ୍ୟବସ୍ଥା। ସୋଭିଏତ୍ ସମୟରୁ ଭାରତ ତାହାର ପ୍ରତିରକ୍ଷା ସାମଗ୍ରୀ ମୁଖ୍ୟତଃ ରୁଷିଆରୁ ଆମଦାନୀ କରୁଥିବାବେଳେ ପରବର୍ତ୍ତୀ ସମୟରେ ଏହା ବୈଶ୍ବିକ ପ୍ରତିରକ୍ଷା ଦୃଶ୍ୟପଟକୁ ନଜରରେ ରଖି ଆମେରିକା ନିକଟରୁ ସେସବୁ ସାମଗ୍ରୀ ଖରିଦ କରୁଛି। ତାହା ସତ୍ତ୍ବେ ରୁଷିଆ ନିକଟରୁ ଯୁଦ୍ଧାସ୍ତ୍ର ଖରିଦ ବନ୍ଦ କରିନାହିଁ, ଯାହାର ଉଦାହରଣ ହେଉଛି ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ। କେବଳ ରୁଷିଆ, ଆମେରିକା ନୁହେଁ; ବିଶ୍ବର ଅନେକ ରପ୍ତାନିକାରୀ ରାଷ୍ଟ୍ର ପାଇଁ ଭାରତ ଏକ ବୃହତ୍ ବଜାର ହୋଇଛି। ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୭୫ ଲକ୍ଷ କୋଟି ଆମେରିକୀୟ ଡଲାର ହୋଇଛି। ୨୦୨୩ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହାର ଜିଡିପି ବୃଦ୍ଧି ହାର ୬.୧ ପ୍ରତିଶତ ହୋଇଛି। ଏହାକୁ ନେଇ ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି।
ଏହି ସମୟରେ ନିଜକୁ ବିଶ୍ବର ଏକ ନମ୍ବର ଦେଶ ବୋଲି ଦାବି କରୁଥିବା ଆମେରିକାରେ ଜିଡିପି ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଛି। ସେଠାରେ ବ୍ୟକ୍ତିଗତ ଉପଭୋକ୍ତା ଆହରଣ ଅଭିବୃଦ୍ଧି ୪.୨ ପ୍ରତିଶତ ହୋଇଛି। ଅଥଚ ଭାରତରେ ଏହି ହାର ୭.୩ ପ୍ରତିଶତ ହୋଇଛି। ଚୀନରେ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ଅଭିବୃଦ୍ଧି ୪.୫ ପ୍ରତିଶତ ହୋଇଛି। ଅନ୍ୟ ପକ୍ଷରେ ରୁଷିଆରେ ତାହା ଗତବର୍ଷ ଜାନୁଆରୀ-ମାର୍ଚ୍ଚ ତୁଳନାରେ ୧.୮ ପ୍ରତିଶତ ହ୍ରାସପାଇଛି। ୟୁକ୍ରେନ ଯୁଦ୍ଧ ଏବଂ ତାହାକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ରୁଷିଆ ବିରୁଦ୍ଧରେ ଏକାଧିକ ଅର୍ଥନୈତିକ କଟକଣା ଲାଗୁ କରାଯିବାରୁ ସେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି।
ତେଣୁ ଏ ସବୁ ତଥ୍ୟକୁ ଦେଖିଲେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଆଗରେ ରହିଥିବା କୁହାଯାଇପାରିବ। କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଭାରତ ସରକାର ପରିସ୍ଥିତିର ଯେଉଁଭଳି ଭାବରେ ମୁକାବିଲା କଲେ ଏବଂ ଅର୍ଥନୀତିକୁ ସୁଧାରିବା ଦିଗରେ ଏକାଧିକ ପଦକ୍ଷେପ ନେଇଥିଲେ, ତାହାର ଫଳ ଏବେ ଦେଖିବାକୁ ମିଳୁଛି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଜାତିସଂଘ ଠାରୁ ନେଇ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ରୁଷିଆକୁ ଭାରତ ନିନ୍ଦା ନକରିବା, ଏପରିକି ରୁଷିଆ ନିକଟରୁ କମ୍ ମୂଲ୍ୟରେ ପେଟ୍ରୋଲିୟମ ଖରିଦ କରିବା, ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକାଧିକ ରାଜିନାମାରେ ଭାରତ ସ୍ବାକ୍ଷର କରିବା ସତ୍ତ୍ବେ କ୍ବାଡ୍କୁ ଏକ ସାମରିକ ମେଣ୍ଟରେ ପରିଣତ କରିବାକୁ ଭାରତ ରାଜି ନ ହେବା, ଭାରତରେ ମାନବାଧିକାର ଉଲ୍ଲଘଂନକୁ ନେଇ ଆମେରିକାରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରଶ୍ନ ଉଠାଇବା ଭଳି ପ୍ରସଙ୍ଗରେ ଉଭୟ ଆମେରିକା ଏବଂ ଭାରତ ମଧ୍ୟରେ ଅସନ୍ତୋଷ ରହିଛି; କିନ୍ତୁ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି, ଆୟ ଆଦିକୁ ପ୍ରାଥମିକତା ଦେଇ ସେମାନେ ପରସ୍ପର ସହିତ କାନ୍ଧରେ କାନ୍ଧ ମିଳାଉଛନ୍ତି।
ଭାରତୀୟ ମଜଭୁତ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରଯୁକ୍ତି (ଆଇଟି) କ୍ଷେତ୍ରରେ ଭାରତୀୟଙ୍କର ପାରଦର୍ଶିତା ବିଶ୍ବବିଦିତ। ଆମେରିକାର ପ୍ରଯୁକ୍ତିସ୍ଥଳ କୁହାଯାଉଥିବା ସିଲିକନ୍ ଭ୍ୟାଲିରେ ସଂଖ୍ୟାଗରିଷ୍ଠ ହେଉଛନ୍ତି ଭାରତୀୟ। ତାହା ସହିତ ଭାରତ ଯୁବବର୍ଗଙ୍କର ଏକ ରାଷ୍ଟ୍ର ଭାବରେ ବିଶ୍ବରେ ପରିଚିତ ହେଉଛି। ଏସବୁକୁ ଆଧାର କରି ଆମ ଦେଶର ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ କାର୍ଯ୍ୟକାରୀ କରିବା ଦ୍ବାରା ଭାରତ ଏବେ ପ୍ରତିରକ୍ଷା ସହିତ ଅନେକ କ୍ଷେତ୍ରରେ ରପ୍ତାନିକାରୀ ରାଷ୍ଟ୍ର ଭାବରେ ଉଭା ହୋଇଛି। ଏହା ମଧ୍ୟ ଅନେକ ପାରଦର୍ଶୀ ରାଷ୍ଟ୍ରର ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଚଳିତ ସପ୍ତାହରେ ରୁଷିଆର ରଣକୋୖଶଳାତ୍ମକ ପ୍ରୟାସସମୂହ ସଂସ୍ଥା ପକ୍ଷରୁ ମସ୍କୋରେ ଆୟୋଜିତ କାର୍ଯ୍ୟକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ପ୍ରଶଂସା କରିବା ସହିତ ‘ମେକ୍ ଇନ ଇଣ୍ଡିଆ’ ଅଭିଯାନ ଅନୁକରଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରୁ ପ୍ରତ୍ୟାବର୍ତ୍ତନ କରିବାର ଦିନ କେତେଟା ପରେ ରୁଷିଆ ରାଷ୍ଟ୍ରପତି ଭାରତକୁ ଉଚ୍ଚ ପ୍ରଶଂସା କରିବା ନିଶ୍ଚିତରେ ବୈଶ୍ବିକ ସ୍ତରରେ ଭାରତର ଗୁରୁତ୍ବ ବୃଦ୍ଧି ହୋଇଥିବା ପ୍ରତିପାଦିତ କରୁଛି; କିନ୍ତୁ ଏହା ପଛର ବାସ୍ତବତା ହେଉଛି, ପାଶ୍ଚାତ୍ୟ ରାଷ୍ଟ୍ରସମୂହର କଟକଣାରେ ଅଣନିଃଶ୍ବାସୀ ରୁଷିଆ ସେହି ଦେଶର କମ୍ପାନୀଗୁଡିକ ନିମନ୍ତେ ଭାରତୀୟ ବଜାରରେ ସୁଯୋଗ ଖୋଜୁଛନ୍ତି। ତେଣୁ ଭାରତ ନିଜ ସାମର୍ଥ୍ୟର ସୁଯୋଗ ନେଇ ଏବଂ ଉଚିତ୍ ବୈଦେଶିକ ନୀତି ଅନୁସରଣ କରି ଆଗକୁ ବଢିଲେ ଏହା ଯେ ଦିନେ ବିଶ୍ବଗୁରୁ ହେବ, ସେଥିରେ ସନ୍ଦେହ ନାହିଁ।
Comments are closed.