ଆମେ ତ କଳମଖିଆ

ରଥ ଉପରକୁ ସେବକ ସମାଜ ବା ପରିବାର ସଂଖ୍ୟାଧିକ ଉଠିବାରେ ତ କଟକଣା ଓ ନିର୍ଦିଷ୍ଟ ନିୟମ ଅଛି।

ବୁଦ୍ଧିର ନିନ୍ଦା ପ୍ରଶଂସା କରାଯାଇପାରେ, ଦୁର୍ବୁଦ୍ଧି, ପଛବୁଦ୍ଧି ଇତ୍ୟାଦି। ଶ୍ଳେଷାତ୍ମକ ଭାବେ କୁହାଯାଏ ଚୋର ଗଲା ପର ବୁଦ୍ଧି। ତତ୍କାଳ ବୁଦ୍ଧିରେ ବ୍ୟୋମଯାନକୁ ଦୁର୍ଘଟଣାରୁ ବର୍ତ୍ତାଇ ପାରି ବାହାବା ନେବା ବୁଦ୍ଧିର ଉଦାହରଣ ବି କିଛି କମ୍‌ ନାହିଁ। ମାତ୍ର ‘ଭାବ’ର ଅଭାବ ବା ଭାବକୁ ତେଢ଼ିବା, ଏଡ଼ିବା ଅକ୍ଷମଣୀୟ ଏକ ତ୍ରୁଟି। ଏ ତ୍ରୁଟିର ପ୍ରତିକାର ବା ଦଣ୍ଡ ଦୈବଠୁ ଆସିପାରେ ବା ଗୋଟେ ଦୃଢ଼ ମୁଖିଆ ବା ମୁରବି ଦ୍ବାରା କରାଯାଇପାରେ। ଋଷିଙ୍କ ପ୍ରତି ଅସଦାଚରଣ କରିବା, ତାଙ୍କୁ ଉପହାସ କରିବା ଏକ ଭାବଗତ ଅପରାଧ। ମାତ୍ର ଶାମ୍ବ ସେମିତି କଲେ। ମହାରାଜ କୃଷ୍ଣଙ୍କ ତନୟ ତାଙ୍କର କିଏ ‘ଢୋ’ କରିବ? କୋଉ ମନ୍ତ୍ରୀ ବା ଦାରୋଗା ତାଙ୍କୁ ବାନ୍ଧିବ ବା ଆକଟିବ? ଯାହା ଆମ ଦେଶରେ ରାଜ୍ୟରେ ଘଟୁଛି। ପଣ୍ଡିତଙ୍କ ପୁଅକୁ ମାଙ୍କଡ଼ମରା ଦୋଷ ଲାଗେନି। ଆରେ, ବୋପା ବଳରେ, କୁଣ୍ଡାଖିଆ ଅମଲା, ହାକିମମାନଙ୍କୁ ସିନା ଦବେଇ ଦେବ, ମାତ୍ର ଭଗବତ୍‌ ଭାବ ରାଜ୍ୟରେ ଅଦୃଷ୍ଟ ଭରି ରହିଥିବା ପ୍ରତିକାରାତ୍ମକ ଶକ୍ତିକୁ କିଏ ଏଡ଼ିବ? ଏ ଶକ୍ତି ସଦାସର୍ବଦା ଦୀନ, ଅସହାୟଙ୍କ ହାତ ପାଆନ୍ତାରେ। ଏଙ୍କ ଆଖିର ଲୁହ, ଏଙ୍କ ଅସନ୍ତୋଷ ପାଖରେ ଏ ଭଗବତ୍‌ ବା ଦିବ୍ୟଶକ୍ତି ଉଭା ହୋଇଥାଏ ଯାହା ଶାମ୍ବଙ୍କଠି ଘଟିଲା, ବଉଁଶ ବୁଡ଼ିଗଲା ନା ନାଇଁ ମ ! ଯୁଗ ଯୁଗାନ୍ତ ପର୍ଯ୍ୟନ୍ତ ଏ ସୃଷ୍ଟିକୁ ରାଜା ମହାରାଜାମାନେ, ମନ୍ତ୍ରୀ, ପ୍ରଧାନମନ୍ତ୍ରୀମାନେ ରକ୍ଷା କରି ନଥାନ୍ତି, ଯଦିଓ ଶାସନ କରୁଛନ୍ତି ବୋଲି କୁହାଯାଏ।

ଏବେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପର୍ବ ଚାଲିଛି। ସାରା ବିଶ୍ବରେ ଏ ଯାତ୍ରାର ଆକର୍ଷଣ ଓ ପ୍ରଭାବ ରହିଛି। ଏ ପ୍ରଭାବ, ଏ ଭାବବିହ୍ବଳ ଅବସ୍ଥା ଆଜିର ନୁହଁ, ଇୟେ ଯୁଗ ଯୁଗର। ତାଙ୍କ ଯାତ୍ରା ଦେଖିବା ପାଇଁ ବଡ଼ ବିକଳରେ ଏତେ ଦୂରକୁ ଧାଇଁଥାଏ ସାଲବେଗ, ସେ ପୁଣି ଯବନ। ମାତ୍ର ଆହୁରି କୋଶେ ବାଟ, କେମିତି ପହଞ୍ଚିବ? ପାଦ ଫୋଟକା ହୋଇଗଲାଣି। ରଥ ଅଟକିଗଲା। କେତେ ଚେଷ୍ଟା ତ ହେଲା। ଭକ୍ତ ପହଞ୍ଚିବା ପରେ ଘିଡ଼ି ଘିଡ଼ି ରଥ ଗଡ଼ିଲା। ୟେ ସବୁ ଭାବଗତ କଥା। ଆଇନ ହାକିମଙ୍କ ହାତକୁ ପାଇବ? ମାତ୍ର ୪୦୦ ବର୍ଷ ତଳର କଥା ଇୟେ, ଲୋକେ ଗପ ବୋଲି କହୁଛନ୍ତି। ଯୁକ୍ତିତର୍କ ଏଥିକୁ ପାଇବନି। ଟେପ୍‌ ରେକର୍ଡର କାଇଁ ଭିଡିଓ କାଇଁ? ତୁଳସୀ ପତ୍ରଟେ କୁଦିଦେଲେ, କେତେ ଅପରାଧ ପରି ଲାଗେ। କୋଟି ମୁଣ୍ଡିଆ ଲୋକଟି ମାରୁଥାଏ, ତାକୁ କ୍ଷମା କରିଦେବାକୁ। ମାତ୍ର ଏ​‌େ​‌ବ ରଣପୁରରେ ଶ୍ରୀଜଗନ୍ନାଥଙ୍କ ରଥ ଉପରେ, ଦ୍ବିତୀୟ ଦିନ ଯାତ୍ରାରେ ପ୍ରଭୁଙ୍କ ପଛପଟେ ରଥ ତଳେ ପରିସ୍ରା କରିଦେଲା। ଇଲୋ ମା’ କେଡ଼େ କଥାଟେ ହେଲାମ! ଗାଁର ବୁଢ଼ାବୁଢ଼ୀ ଗାଳିଦେଲେ, କେମିତି କିଛି ତା’ର ଛିଡ଼ିଗଲାନି ମ! ଏବେ କ’ଣ ତାକୁ ପ୍ରଶାସନ କାର୍ଯ୍ୟରୁ ସାମୟିକ ନିଲମ୍ବନ କରିଛି। ଯଦି ସେ ନିରୀହ, ଡାଇବେଟିସ୍‌ ରୋଗୀ, ପ୍ରସା ବେଗ ରୋଧିପାରିଲାନି, ସେଟା ତା’ର ଦୁର୍ଭାଗ୍ୟ। ଛାଡ଼ନ୍ତୁ ସେ ସବୁ କଥା। ଇଏ ରଥଯାତ୍ରାରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ବେଳେ ଏତେ ଠେଲାପେଲା ହେଲା ଯେ ଆତୁର ଉତ୍କଣ୍ଠାରେ ଜଗନ୍ନାଥଙ୍କ ଏ ଅପୂର୍ବ ପହଣ୍ଡି ବିଜେ ଭକ୍ତେ ଦେଖିବେ କ’ଣ, ପ୍ରଭୁଙ୍କ ସେବକଙ୍କ ପିଠି, ସୁନାଚେନ ପକା ବକ୍ଷ ଓ ଗ୍ରୀବା କେବଳ ଦିଶୁଥାଏ। ଅବଶ୍ୟ ସେବକମାନଙ୍କ ଶରୀରର ବିଭିନ୍ନ ଟେଲିଭିଜନ ଓ କାମେରାରେ ବାରମ୍ବାର ପ୍ରକାଶିତ ଓ ପ୍ରଚାରିତ ହୋଇ ସେମାନଙ୍କ ଘରେ ସିନା ତାଙ୍କ ଅଖଣ୍ଡ ପତିଆରାରେ ଘର ଲୋକେ ସିନା କୁରୁଳି ଥିବେ, ମାତ୍ର ବଡ଼ଦାଣ୍ଡର ଭକ୍ତ ଓ ସାରା ବିଶ୍ବରେ ସିଧାପ୍ରସାରଣରେ ଯେଉଁମାନେ ଦିଅଁଙ୍କୁ ଦେଖିପାରୁନଥିବେ ତାଙ୍କ ବିରକ୍ତି ଓ ଗାଳି ବିଚରା ଏ ଦଇତାପତିମାନଙ୍କ ଉପରେ ପଡୁଥିବ। ମାତ୍ର ତାଙ୍କର ଦୋଷ କ’ଣ?

ଜଗନ୍ନାଥଙ୍କୁ ପହଣ୍ଡି ବିଜେ ତ ତାଙ୍କର ଆଇନଗତ ଅଧିକାର, ତାଙ୍କର ବି ତ ଭାବ ଅଛି! ଅସହିଷ୍ଣୁଙ୍କ ଏ କଥା ମାନିବା ସମ୍ଭବ ନୁହେଁ। ତେବେ ୟାର ପ୍ରତିକାର କ’ଣ? ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ଗୋଟିଏ ଉଚ୍ଚକ୍ଷମତାପନ୍ନ ସଂସ୍ଥା ରହିଛି। ରାଜ୍ୟ ସରକାରଙ୍କ ତୁଙ୍ଗ ଅଫିସରମାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ଜଗନ୍ନାଥଙ୍କ ସେବକ ପରିବାର ଏଥିରେ ସଭ୍ୟ ଅଛନ୍ତି। ଏମାନେ କି ନିୟନ୍ତ୍ରଣ, କି ସୁବିଧା କରୁଛନ୍ତି, ନା ଜଗନ୍ନାଥଙ୍କ ପାଇଁ ନା ଭକ୍ତମାନଙ୍କ ପାଇଁ? ପହଣ୍ଡି ବେଳେ, ସାରା ଜଗତ ଜନଙ୍କୁ ଯେ ନିତି ପହଣ୍ଡି କରୁଛନ୍ତି, ସେ ନିଜେ ଝୁଙ୍କି ପଡ଼ିବା, ଅଣେଇ ହୋଇପଡ଼ିବା ଏକ ଗୁରୁତର ଘଟଣା। ମନ୍ଦିର ପରିଚାଳନା ସମିତିର ଜଣେ ସଭ୍ୟ ଏଥିରେ ଢେର ଆହତ ଓ ବ୍ୟଥିତ ହୋଇଛନ୍ତି। ‘କହିଲେ ମଲି ନ କହିଲେ ମଲି’ ଭାବରେ ଛଟପଟ ହୋଇ ସେ ନିଜ ନାମ ପ୍ରକାଶ ନ କରି, ରୋକ୍‌ଠୋକ୍‌ କଥାଟେ କହିଛନ୍ତି। ସେ କହିଛନ୍ତି ଏଥିକୁ ପ୍ରଶାସନ ଦାୟୀ। ରଥ ଉପରକୁ ସେବକ ସମାଜ ବା ପରିବାର ସଂଖ୍ୟାଧିକ ଉଠିବାରେ ତ କଟକଣା ଓ ନିର୍ଦିଷ୍ଟ ନିୟମ ଅଛି। ସେ ପ୍ରଶ୍ନ କରିଛନ୍ତି ଯେ ଏମାନେ ରଥ ଉପରକୁ ଏତେ ଲୋକଙ୍କୁ କାହିଁକି ଛାଡ଼ିଲେ? ଆରେ ବାବୁ ଏଙ୍କୁ ରୋକିବ କିଏ? ଇଏ ସବୁ ପରା ମହାଦେବଙ୍କ ଷେଣ୍ଢ! ହାତ ମାର ତ ଦେଖି! ଜଗା ବଳରେ ବଳୀୟାନ ଏଙ୍କ ପ୍ରଭାବ ସରକାରୀ ମୁଣ୍ଡିଆଳଙ୍କ ଯାଏ ବିସ୍ତାରିଛି। ଜଣଙ୍କୁ ରଥରୁ ଓହ୍ଲାଇଦିଅ ତ ସବୁ ସେବକେ ଆତ୍ମସମ୍ମାନ ନେଇ ଆନ୍ଦୋଳନ କରିଦେଲେ ତ ବିଚରା ମୁଣ୍ଡିଆଳ ପୁଲିସ, ହାକିମଙ୍କ ଖାକି ପୋଷାକ ଉତୁରିଯିବ। ସିଏ ‘ଉପାୟ ଶୂନ୍ୟ’ ! ଜିଲାପାଳ କୋରାପୁଟ କି ମାଲକାନାଗିରି ଯିବେ। ସରକାର ବି ନିନ୍ଦିତ ଓ ଅପାରଗ ହେବେ। ଏ ଅଭିଯୋଗ କରିଥିବା ପରିଚାଳନା ସମିତି ସଭ୍ୟଙ୍କ ନାମ ପ୍ରକାଶ ଭୟ ଯେମିତି ସମସ୍ତଙ୍କର ବି ସେମିତି ଭୟ। ସଭିଏଁ ଆମେ ‘କଳମ’ଖିଆ। ‘ଅଣ୍ଟାଏ ପାଣିକି ଗଲିଲୋ ବାପା ପଦ୍ମ ଘୁଞ୍ଜି ଘୁଞ୍ଚି ଯାଉଛି’, ‘ମୁଁ କି କରିବି କହଲୋ ଝିଅ, ତୋ ମା’ ତ କଳମ ଖାଇଛି।’ ସ୍ବାର୍ଥ ଲୋଭର କଳମ ଖାଇଥିବା ସଭିଏଁ ଆମେ ଜଗନ୍ନାଥଙ୍କ ଝିଙ୍କି ପଡ଼ିବା, ରଥରେ ପରିସ୍ରା କରିବା ଦେଖୁଥିବା।

Comments are closed.