ନକଲିରେ ଅସଲି ଭ୍ରମ
ଦେଶରେ ନୈତିକତାର ମାନ ବୃଦ୍ଧି ନ ହେଲେ, ଜନସଚେତନତା ତଥା ସାଧା ଜୀବନ ଚଳଣିର ସମ୍ମାନ ନ ବଢ଼ିଲେ, ମନ ତ ଓଲିଆ ହେବ ହିଁ ହେବ। ଏଥିକୁ ସରକାର ବା କ’ଣ କରିବେ !!
‘ନକଲି’, ଅସଲିର ଗରିଷ୍ଠତା ସ୍ବୀକାର କରେ, ଯାହାର ପ୍ରତିଧ୍ବନିରେ କୁହାଯାଇଛି ଯେ, ‘Hypocracy is the homage paid by vice to virtue’ ଭଣ୍ଡ ନିଜକୁ ବିକେଇବାକୁ ସାଧୁତା ବା ଅସଲିର ଶରଣାଗତ ହୁଏ। ଏ ଭଣ୍ଡତା, ଏ ଅସାଧୁତା, ଏ ନକଲି, ଏ ଜାଲିଆତି କାଳକାଳର କଥା। ମହାଭାରତରେ ଭୀମଙ୍କୁ ବିଷଲଡୁ ଖୁଆଇବା, ସତଘର ଧାରଣା ସୃଷ୍ଟି କରିବା ଲାଗି ଜଉ(ଜତୁ) ବା ଲାଖ ଘର ତିଆରି କରି ସେଥିରେ ପାଣ୍ଡବମାନଙ୍କୁ ରଖି ନିଅଁା ଲଗାଇବା, ସତ ମିରିଗ ରୂପରେ ରାବଣ ମାୟାବୀ ସୁନା ମିରିଗ ପଠାଇ ସୀତାଙ୍କୁ ଅପହରଣ କରିବା କଥା ବା ଅକଥା କି ଦୁର୍ବୁଦ୍ଧି, ପୁରାଣ ଯୁଗରୁ ଚଳିଆସିଛି। ସତ୍ୟର ବିଜୟ ଲମ୍ବା ରାସ୍ତାରେ ହେଲା ପରି, ଏ ସବୁ ଜାଲିଆତି, ନକଲି, ଭଣ୍ଡାମି ଧରାପଡ଼ିଯାଇଛି। ମାତ୍ର, ସବୁ ଅନୈତିକତା ଭିତରେ ରୋଗୀ, ଶିଶୁ ଆଦିଙ୍କୁ ଏମାନେ ଅସ୍ତ୍ର କରୁ ନ ଥିଲେ। ଏବେ କିନ୍ତୁ ପରିବର୍ତ୍ତନଶୀଳ ଏ ସମୟରେ ଏମିତି ଜାଲିଆତି ଓ ଭଣ୍ଡାମି ବଢ଼ି ଚାଲିଛି। କିଛିଦିନ ପୂେର୍ବ ଜୀବନରକ୍ଷାକାରୀ ଔଷଧକୁ ନକଲି କରି ଏ ଦୁର୍ବୃତ୍ତେ ଲକ୍ଷ୍ମୀଛଡ଼ା ବନିଯାଇଛନ୍ତି। ଏମିତି ଜାଲ୍ ଔଷଧ, ଖାଦ୍ୟ, ସବୁ ଜବତ ହୋଇ ଜନସାଧାରଣରେ ଆତଙ୍କ ଖେଳାଇ ଦେଇଛି। ଏଇ ତ ଗଲା ଜୀବନ କଥା। ନୈତିକତାର ପାଠ, ନିଯୁକ୍ତି ପୀଠରେ ଜାଲ୍ ପ୍ରମାଣପତ୍ର ଏବେ ଘୋର ବିଭ୍ରାଟ ଓ ବିଶୃଙ୍ଖଳାର ସ୍ରୋତ ବନିଯାଇଛି। ଜାଲ୍ ପ୍ରମାଣପତ୍ର (ସାର୍ଟିଫିକେଟ୍) ଦେଇ ଅଯୋଗ୍ୟ ଲୋକ ଗୁରୁତ୍ବପୂର୍ଣ୍ଣ ପଦପଦବୀ ପାଇଯାଉଛନ୍ତି। ସେମାନେ ନ୍ୟାୟ କେମିତି ଦେେବ? ‘ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ’। ସରକାର କିଛି ବର୍ଷ ତଳୁ ଘରୋଇ ବି.ଏଡ୍ ଆଦି ଉଠାଇ ଦେଲେ। ତେଣୁ ପଡ଼ୋଶୀ ରାଜ୍ୟ ମାନଙ୍କରେ ଥିବା ବହୁ ଘରୋଇ ବି.ଏଡ୍ କଲେଜକୁ ହଜାର ହଜାର ଟଙ୍କା ଦେଇ ସେଠାରୁ ପ୍ରମାଣପତ୍ର ଯୋଗାଡି ଆମ ଓଡ଼ିଆ ପିଲାଏ ଚାକିରି କରୁଛନ୍ତି। କି ପିଲା ଉତୁରିବେ ତାଙ୍କଠୁ? ଢଗ ଅଛି, ‘ଗଛ ତ ସୁଧାର ନୁହେଁ, ବଣ ବିଛୁଆତି। ତାଙ୍କ ଠାରୁ ପୁତ୍ର ଜାତ ହୁଅନ୍ତି କିମତି’। ଏବେ ବଲାଙ୍ଗିରରେ ଡ଼ାକ ବିଭାଗରେ ଚାକିରି ପାଇଁ ଦରଖାସ୍ତ କରିଥିବା ପ୍ରାର୍ଥୀଙ୍କଠାରୁ ମିଳିଥିବା ଏମିତି ଜାଲ୍ ପ୍ରମାଣପତ୍ର ତନଖିରେ ପୁଲିସ୍ ୧୯ଜଣଙ୍କୁ ଗିରଫ କରିଛନ୍ତି। ଏବେ ୬ ଜଣ ଆବେଦନକାରୀଙ୍କ ସଂପର୍କରେ ପୁଲିସ ବାବୁମାନେ କୁଆଡେ ତଥ୍ୟ ଖୋଳତାଡ଼ କରୁଛନ୍ତି। ମାତ୍ର ୟା’ର ପ୍ରତିକାର କ’ଣ ?
ଖାଦ୍ୟର ମାନ ପରଖିବାକୁ ଖାଦ୍ୟ ନିରୀକ୍ଷକ ମୁକରିର ଅଛନ୍ତି। ବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ, ଡାକ ବିଭାଗରେ ନିଯୁକ୍ତି ପାଇଁ ଏମିତି କେତେ ଜାଲ୍ ପ୍ରମାଣପତ୍ରର ବହୁଳ କାରବାର ଦେଖାଯାଇଛି। ଜାଲ୍ ପ୍ରମାଣପତ୍ରର ଅବିକଳତା ବେଶ୍ ପ୍ରଶଂସନୀୟ। ମାତ୍ର ନିଯୁକ୍ତି କର୍ମକର୍ତ୍ତା ଟିକିଏ ସାବଧାନ ହେଲେ ଏ ସବୁ ମୂଳରୁ ଧରାପଡ଼ନ୍ତା। ଲାଞ୍ଚ ନେଇ ଚାକିରି ବାଣ୍ଟୁଥିବା କର୍ମକର୍ତ୍ତାଗଣ ନିରେଖି ନିରେଖି, ସାବଧାନତାର ସହ ଏକୁ ସବୁ ପରୀକ୍ଷା କଲେ, ତନଖି କଲେ ମେଜ ତଳ ପଇସା ଆଉ ରଖିପାରିବେ ତ? ୟେ ଲୋକଙ୍କର ସୁଖ ସଉକ ପ୍ରତି ନିର୍ବୋଧ ଆକର୍ଷଣ ଓ ଦୁର୍ବଳତାର କାରଣ ହେଉଛି। ଜାଲ୍ କାରବାର, ଚାଉଳ, ତେଲ, ପ୍ରସାଧନ ସାମଗ୍ରୀ, କୋଉଥିରୁ ଏ ଜାଲିଆତି, ନକଲି ମୁକ୍ତ ନୁହେଁ। ଏ କାରବାର ଯେତେ ଧରାପଡୁଛି, ମଣିଷପଣିଆ କେମିତି ଓ କେତେ ଘୁଣ ଖାଉଛି, ତା ଜାଣିହୁଏ। ଦେଶରେ ନୈତିକତାର ମାନ ବୃଦ୍ଧି ନ ହେଲେ, ଜନସଚେତନତା ତଥା ସାଧା ଜୀବନ ଚଳଣିର ସମ୍ମାନ ନ ବଢ଼ିଲେ, ମନ ତ ଓଲିଆ ହେବ ହିଁ ହେବ। ଏଥିକୁ ସରକାର କ’ଣ କରିବେ? ସରକାର ତ ଚନ୍ଦ୍ର ବା ସ୍ବର୍ଗଲୋକରୁ ଆମଦାନୀ ଏକ ଅସ୍ତ୍ର ନୁହେଁ। ଇଏ ଆମ, ତମ ଭିତରୁ ଯାଇଥିବା ରାମା, ଦାମା, ଶାମା। ଯେଉଁମାନଙ୍କର କଲେଇ ଡାକ ହେଲା ରାମଚନ୍ଦ୍ର, ଦାମୋଦର ବା ଶ୍ୟାମସୁନ୍ଦର ବାବୁ। ଆଜି ଅବସ୍ଥା, ରୁଚି ଓ ଜୀବନ ଧାରଣର ମାନ ଏମିତି ବଦଳି ଯାଇଛି ଯେ, ‘ମତେ ତୁ ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’। ତେବେ ଡଙ୍ଗାବୁଡ଼ିଆଙ୍କ ଅବସ୍ଥା ଘନେଇ ଆସିଲା ପରି ଲାଗୁଛି।
Comments are closed.