ସମାନତା ନୁହେଁ ,ସମରସତା ଲୋଡ଼ା

 

ସମାନତା ଓ ସମରସତା ସମାନ କଥା ନୁହେଁ। ସମାନତା ବା ସାମ୍ୟ ଶବ୍ଦ ବ୍ୟବହାର କଲେ ଆମେ ସାଧାରଣତଃ ବ୍ୟକ୍ତିର ବାହ୍ୟରୂପ ଓ ଆଚାର ବ୍ୟବହାରକୁ ବିଚାରକୁ ନେଉ। ଦୁଇଜଣଙ୍କ ମଧ୍ୟରେ ବାହ୍ୟରୂପ ବା ବାହ୍ୟ ଆଚରଣ ସମାନ ହୋଇପାରେ; ମାତ୍ର ଦୁଇଜଣଙ୍କ ମନ ସମାନ ହୋଇ ନପାରେ। ଚିନ୍ତା ଓ ଚେତନାରେ ସମାନତା ସମ୍ଭବ ନୁହେଁ। ଦୁଇଜଣ ଦରିଦ୍ର ଲୋକ ବା ଦୁଇଜଣ ଧନୀଲୋକ ସମାନ ଚିନ୍ତା କରିବେ ବୋଲି ନୈଶ୍ଚିତ୍ୟ ନାହିଁ। ପାଶ୍ଚାତ୍ୟରେ ଯେଉଁ ସାମ୍ୟବାଦ ମୁଣ୍ଡ ଟେକିଥିଲା ତାହା କେବଳ ଭୌତିକବାଦ ଉପରେ ପର୍ଯ୍ୟବସିତ ଥିଲା। ରୁଷ ବିପ୍ଳବ ପରେ ଯେଉଁ ସାମ୍ୟବାଦର ପରିକଳ୍ପନା କରାଗଲା ତାହା ମୁଖ୍ୟତଃ ଧନର ସମାନ ଆବଣ୍ଟନ ଉପରେ ଗୁରୁତ୍ୱ ଦେଲା। ଧନର ସମାନ ଆବଣ୍ଟନ ହୋଇଗଲେ ମନ, ଚିନ୍ତା ଓ ଚେତନା ସମାନ ହୁଏ ନାହିଁ। ମଣିଷ ଜାତିରେ ସଂହତି ଆଣିବା ପାଇଁ ଆବଶ୍ୟକତା ହେଉଛି ସମରସତା। ଏହା ବିନା ସାମ୍ୟବାଦ ଭୁଶୁଡ଼ି ପଡ଼େ। ବିଶିଷ୍ଟ ଲେଖକ ଜର୍ଜ ଅରୱେଲ ଏହା ପ୍ରତିପାଦିତ କରିଛନ୍ତି ତାଙ୍କର ‘ଆନିମଲ ଫାର୍ମ’ ଉପନ୍ୟାସରେ।
ରୁଷିଆରେ ଷ୍ଟାଲିନ୍‍ ସାମ୍ୟବାଦର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଲେ, ମାତ୍ର ତାଙ୍କରି ସମୟରେ ହିଁ ସାମ୍ୟବାଦ ଭୁଶୁଡ଼ି ପଡ଼ିଲା। ଲେଖକ ଜର୍ଜ ଅରୱେଲ ତାକୁ ଏକ କାଳ୍ପନିକ ଗଳ୍ପ ମାଧ୍ୟମରେ ପରିବେଷଣ କଲେ। ମଣିଷ ହେଉଛି ଏକ ପ୍ରାଣୀ ଯିଏ କିଛି ବି ଉତ୍ପାଦନ ନ କରି ପଶୁପକ୍ଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଭୋଗ କରେ। ଅନ୍ୟ ପ୍ରାଣୀମାନଙ୍କୁ ଶୋଷଣ କରି ସୁଖରେ ରହେ। ‘ଆନିମଲ ଫାର୍ମ’ର୍ ଉପନ୍ୟାସର ବୁଢ଼ା ମେଜର ନାମକ ଏକ ବଣ୍ୟ ଶୂକର ଭୋଗମୟ ଜୀବନ ଯାପନ କରୁଥିବା ଏକଛ୍ରତବାଦୀ ‘ମଣିଷ’ ଜୋନ୍‍ସ ବିରୋଧରେ ଆନ୍ଦୋଳନ ଆହ୍ୱାନ କରିଛି। ଫାର୍ମର ସମସ୍ତ ପଶୁପକ୍ଷୀ ସେହି ଆନ୍ଦୋଳନରେ ଝାସ ଦେଇଛନ୍ତି ଓ ଶେଷରେ ଜୋନ୍‍ସକୁ ସେଠାରୁ ବିତାଡ଼ିତ କରିଛନ୍ତି। ଜୋନ୍‍ସର ମୃତ୍ୟୁ ପରେ ଶାସନ ଡୋରି ନେପୋଲିଅନ୍‍ ଓ ସ୍ନୋବଲ୍‍ ନାମକ ଦୁଇଜଣ ଗ୍ରାମ୍ୟଶୂକରଙ୍କ ହାତକୁ ଆସିଛି। ତିଆରି ହୋଇଛି ସାତୋଟି ସାମ୍ବିଧାନିକ ନିୟମ (୧) ଯେଉଁମାନେ ଦୁଇଟି ଗୋଡ଼ରେ ଚାଲନ୍ତି ସେମାନେ ଶତ୍ରୁ, (୨) ଯେଉଁମାନେ ଚାରୋଟି ଗୋଡ଼ରେ ଚାଲନ୍ତି ଓ ଯେଉଁମାନଙ୍କ ଡେଣାଥାଏ ସେମାନେ ବନ୍ଧୁ, (୩) କୌଣସି ପଶୁ ଲୁଗା ପିନ୍ଧିବେ ନାହିଁ, (୪) ବିଛଣାରେ ଶୋଇବେ ନାହିଁ, (୫) ମଦ୍ୟପାନ କରିବେ ନାହିଁ, (୬) ଅନ୍ୟ ପଶୁକୁ ମାରିବେ ନାହିଁ, (୭) ସମସ୍ତେ ସମାନ। ତୃତୀୟରୁ ସପ୍ତମ ପର୍ଯ୍ୟନ୍ତ ନିୟମ ଗୁଡ଼ିକ ବିଳାସମୟ ଜୀବନର ପରିପନ୍ଥୀ ଓ ସାମ୍ୟବାଦ ଦର୍ଶନର ପରିଚାୟକ।
ଶାସନ ଚାଲିଲା। ଘଟଣାକ୍ରମେ ନେପୋଲିଅନ୍‍ ସ୍ନୋବଲ୍‍କୁ ବିତାଡ଼ିତ କରି ସମସ୍ତ କ୍ଷମତା ଅକ୍ତିଆର କଲା। ବିଳାସ ବ୍ୟସନରେ ରହିଲା। କ୍ରମେ ସବୁ ନିୟମଗୁଡ଼ିକ ବିଚକ୍ଷଣତାର ସହ ପରିବର୍ତ୍ତନ କରାଗଲା। ପରିବର୍ତ୍ତିତ ନିୟମ ଗୁଡ଼ିକ ହେଲା କେହି ଅତ୍ୟଧିକ ମଦ ପିଇବ ନାହିଁ, ଚାଦର ପକାଇ ବିଛଣାରେ ଶୋଇବ ନାହିଁ, ବିନା କାରଣରେ ଅନ୍ୟ ପଶୁ ମାରିବ ନାହିଁ। ଏହି ସ୍ୱୀକୃତ ନିୟମ ଅନୁଯାୟୀ ସେ ମଦପିଇ ପାରିଲା, ବିନା ଚାଦରରେ କୋମଳ ଶଯ୍ୟାରେ ଶୋଇଲା, କୌଣସି ନା କୌଣସି କାରଣ ଦର୍ଶାଇ ଅନ୍ୟକୁ ମାରିପାରିଲା। ଶେଷରେ ‘ସମସ୍ତେ ସମାନ’ ନିୟମକୁ ପରିବର୍ତ୍ତନ କରାଗଲା। ତାହାହେଲା-ସମସ୍ତେ ସମାନ, ମାତ୍ର କିଛି ପ୍ରାଣୀ ଅନ୍ୟମାନଙ୍କଠାରୁ ବେଶୀ ସମାନ। ଏହିଭଳି ଭାବରେ ସାମ୍ୟବାଦ ଭୁଶୁଡ଼ି ପୁଣି ଆରମ୍ଭ ହେଲା ଏକଛତ୍ରବାଦ ଓ ଭୋଗବାଦ।
ଭୌତିକ ବିଚାର ଆଧାରରେ ବିକଶିତ ହୋଇଥିବା ସାମ୍ୟବାଦ ବେଶି ଦିନ ତିଷ୍ଠି ରହିପାରେ ନାହିଁ। ତାହା ହିଁ ରୁଷିଆ ମାଟିରେ ପ୍ରମାଣିତ ହୋଇଥିଲା। ଭାରତ ବିଶ୍ୱାସ କରେ, ରାଜନୈତିକ ବା ଅର୍ଥନୈତିକ ସମାନତା କୌଣସି ପରିବର୍ତ୍ତନ ଆଣିପାରେ ନାହିଁ ଯେ ପର୍ଯ୍ୟନ୍ତ ଅନ୍ତଃକରଣରେ ବା ମଣିଷର ଚେତନା ରାଜ୍ୟରେ ପରିବର୍ତ୍ତନ ନ ଆସିଛି। ଏକ ସୁସ୍ଥ ସମାଜ ପାଇଁ ଆବଶ୍ୟକ ସମତା ନୁହେଁ, ବରଂ ସମରସତା। ସମରସତା ହେଉଛି ଏକ ସହଭାଗୀ ଜୀବନ ଶୈଳୀର କଲ୍ୟାଣକାରୀ ପ୍ରବୃତ୍ତି। ପ୍ରକୃତି ସମସ୍ତଙ୍କୁ ଭିନ୍ନ ଭିନ୍ନ ଭାବରେ ଗଢ଼ିଛି। ପୃଥିବୀରେ କୋଟି କୋଟି ଲୋକ ଅଛନ୍ତି, ଏମାନଙ୍କ ମଧ୍ୟରେ ସମତା ଆଣିବା ସମ୍ଭବ ନୁହେଁ। ଧନୀ ରହିବେ, ଦରିଦ୍ର ବି ରହିବେ। ସମସ୍ତ ଅସମାନତା ସ‌େ‌ତ୍ତ୍ବ ସମସ୍ତେ ସେହି ଏକ ପରମାତ୍ମାଙ୍କ ଅଂଶ ବୋଲି ବେଦାନ୍ତ କହେ। ଗଛ, ଚେର, କାଣ୍ଡ, ଶାଖା, ପ୍ରଶାଖା, ପତ୍ର, ଫୁଲ, ଫଳ, ପୃଥକ୍‍ ଭାବରେ ସେମାନଙ୍କ ସତ୍ତା ବଜାୟ ରଖନ୍ତି। ମାତ୍ର ସମସ୍ତ ଗଛରେ ଗୋଟିଏ ଜୀବନ ସଞ୍ଚାରୀ ରସ ପ୍ରବାହିତ ହୁଏ ଓ ସମସ୍ତ ଅଂଶକୁ ପୋଷଣ କରେ। ସେହି ଦୃଷ୍ଟିରୁ ସେମାନେ ସମରସ ସଂପନ୍ନ। ଠିକ୍‍ ସେପରି ସମାଜରେ ବିଭିନ୍ନ ଧର୍ମ, ଜାତି ଓ ସଂପ୍ରଦାୟର ଲୋକ ରହିଲେ ମଧ୍ୟ ସେମାନେ ଏଭଳି ଭାବରେ ଉଦ୍‌ବୁଦ୍ଧ ହେବେ ଯେପରି ସ୍ନେହ ଓ ଆତ୍ମୀୟତାରେ ବାନ୍ଧି ହୋଇ ବିକଶିତ ହେବେ। ଏହାକୁ କୁହାଯାଏ ସମରସତା।
ସମରସତାର ସଂଜ୍ଞା ଦେବାକୁ ଯାଇ ବିଶିଷ୍ଟ ଚିନ୍ତାନାୟକ ମାଧବ ସଦାଶିବ ଗୋଲୱାଲ୍‍କର କହିଛନ୍ତି, ଷ୍ଟେସନରେ ଅଇଁଠା ପତର ଗୋଟାଇ ଉଦର ଭରୁଥିବା ଛୋଟ ଝିଅଟିଏ କୌଣସି ଉଦାର ଦାତା ପାଖରୁ ରୁଟି ଖଣ୍ଡିଏ ପାଇ ଖାଇବାକୁ ଆରମ୍ଭ କରନ୍ତେ ପାଣିକଳ ପାଖରେ ତା’ଭଳି ଆଉ ଏକ ଅସହାୟ ପିଲାକୁ ଦେଖିଲା। ନିଜେ ଏକା ନ ଖାଇ ନିଜ ରୁଟିରୁ ଫାଳେ ଛିଣ୍ଡାଇ ତାକୁ ଖାଇବାକୁ ଦେଲା। ଏହା ହେଉଛି ସମରସତା। ନିଜ ପେଟରେ ଭୋକ ଥିଲେ ମଧ୍ୟ ଅନ୍ୟର ପେଟର ଭୋକ ଅନୁଭବ କରିବା ହେଉଛି ସମରସତା। ମନେପଡ଼େ ଷୋଡ଼ଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ମନୀଷୀ ଲେଖକ ଓ ସମ୍ଭ୍ରାନ୍ତ ସାମନ୍ତ ତଥା ସେନାପତି ସାର୍‌ ଫିଲିପ୍‍ଙ୍କ କଥା (୧୫୫୪-୧୫୮୬)ା ଥରେ ସେ ଯୁଦ୍ଧକ୍ଷେତ୍ରରେ ଆହତ ହୋଇ ତଳେ ପଡ଼ିଯାଇଥାନ୍ତି। ସେତେବେଳେ ତାଙ୍କୁ କଷ୍ଟ ଦେଉଥାଏ ପ୍ରଚଣ୍ଡ ତୃଷା। ଜଣେ ସୈନିକ ତାହା ଲକ୍ଷ୍ୟ କରି ନିକଟସ୍ଥ ଏକ ସ୍ଥାନକୁ ଦୌଡ଼ିଯାଇ ଗୋଟିଏ ପାତ୍ରରେ କିଛି ପାଣି ସଂଗ୍ରହ କରି ଆଣିଲା। ଯେତେବେଳେ ସୈନିକଟି ତାଙ୍କ ମୁହଁରେ ପାଣି ଢ଼ାଳିବାକୁ ଯାଉଛି, ସେତେବେଳେ ସେ ଦେଖିଲେ ଅଦୂରରେ ଆଉ ଜଣେ ସୈନିକ ତୃଷାରେ ଛଟପଟ ହେଉଛି ଓ ଆତୁର ନୟନରେ ସାର୍‌ ଫିଲିପ୍‍ଙ୍କ ପାଇଁ ଅଣାଯାଇଥିବା ପାଣିପାତ୍ର ଆଡ଼େ ଅନାଇଛି। ସାର୍‌ ଫିଲିପ୍‍ ସୈନିକକୁ ଆଦେଶ ଦେଲେ ତାଙ୍କ ମୁହଁରେ ପାଣି ନ ଦେଇ ସେ ପ୍ରଚଣ୍ଡ ତୃଷାରେ ଛଟପଟ ହେଉଥିବା ସୈନିକକୁ ପାଣି ପିଆଇବା ପାଇଁ। ସୈନିକଟି ତାଙ୍କ ଆଦେଶ ମାନିବାକୁ ଯାଉଥିଲା। ମାତ୍ର ସେହି ଆହତ ତୃଷାର୍ତ୍ତ ସୈନିକ ଫିଲିପ୍‍ଙ୍କ ପାଇଁ ଆନୀତ ପାଣି ପିଇବାକୁ ଇଚ୍ଛା ନ କରନ୍ତେ ସାର୍‌ ଫିଲିପ୍‍ କହିଲେ, ‘ମୋ ଆବଶ୍ୟକତା ତୁଳନାରେ ତମ ଆବଶ୍ୟକତା ଅଧିକ।’ ଏହା ହିଁ ଥିଲା ତାଙ୍କର ଶେଷ ଉଚ୍ଚାରଣ। ତା’ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅନ୍ୟର ତୃଷାକୁ ସେ ଅନୁଭବ କରି ସମରସତା ଭାବର ପରିଚୟ ଦେଇଥିଲେ।
ଆମ ପାଟି ଭୋଜନ ଓ ଜଳ ଗ୍ରହଣ କରେ, ମାତ୍ର ତାହା ସଂପୂର୍ଣ୍ଣ ଶରୀରକୁ ସମରସ ହୋଇ ବିତରିତ ହୋଇଥାଏ। ବୃକ୍ଷର ବିଭିନ୍ନ ଅଂଗ ମଧ୍ୟ ଏହି ସମରସତା ଯୋଗୁଁ ଜୀବନ୍ତ ଥାନ୍ତି। ଠିକ୍‍ ସେପରି ସାମାଜିକ ଜୀବନ ମଧ୍ୟ ସମରସସଂପନ୍ନ। ସାମାଜିକ ସମରସତା କହିଲେ ସ୍ପୃଶ୍ୟ ଅସ୍ପୃଶ୍ୟ, ଧନୀ ଦରିଦ୍ର ମୂର୍ଖ ଜ୍ଞାନୀ, ସବଳ ଦୁର୍ବଳ, ନାରୀ ପୁରୁଷ ଆଦି ସମସ୍ତ ପ୍ରକାର ଭେଦଭାବର ନିରାକରଣକୁ ବୁଝାଏ। ସମରସତା ବିନା ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୁଏ ନାହିଁ। ଏଣୁ ସନାତନ ଧର୍ମ ସମତା ଉପରେ ଗୁରୁତ୍ୱ ନ ଦେଇ ସମରସତା ଉପରେ ଗୁରୁତ୍ୱ ଦିଏ। ବେଦାନ୍ତ ଦର୍ଶନ କହେ ‘ସର୍ବଂ ଖଳୁ ଇଦଂ ବ୍ରହ୍ମ’ ଅର୍ଥାତ୍‍ ସମଗ୍ର ସଚରାଚର ବିଶ୍ୱ ହେଉଛି ବ୍ରହ୍ମ। ଏହି ବ୍ରହ୍ମଙ୍କର କୌଣସି ଜାତି ନାହିଁ। ଏଣୁ ରାମାୟଣରେ ରାମଚନ୍ଦ୍ର ଯେତେବେଳେ ବନବାସ ଯାଇ ଶୃଙ୍ଗବେରପୁରରେ ପହଞ୍ଚିଛନ୍ତି ତାଙ୍କୁ ଶବର ଗୁହକ ସ୍ୱାଗତ କଲାବେଳେ ସେ ନିଜ ଭୁଜରେ ନିବିଡ଼ ଆଲିଙ୍ଗନ କରିଛନ୍ତି। ପୁନଶ୍ଚ ଜଟାୟୁ ସୀତାହରଣ ସମ୍ବାଦ ଦେବାପରେ ପ୍ରାଣ ଛାଡ଼ନ୍ତେ ରାମଚନ୍ଦ୍ର ଶୋକାଭିଭୂତ ହୋଇଛନ୍ତି ଓ ନିଜେ ଜଟାୟୁର ଅନ୍ତ୍ୟେଷ୍ଟି କ୍ରିୟା କରିଛନ୍ତି। ସେ ଶବରୀର ଅଇଁଠା ଫଳ ମଧ୍ୟ ଖାଇଛନ୍ତି। ଭଗବଦ୍‌ ଗୀତାରେ ଭଗବାନ କହିଛନ୍ତି ‘ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ’ ଅର୍ଥାତ୍‍ ଜୀବଲୋକରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀ ଭିତରେ ଥିବା ଆତ୍ମା ମୋର ସନାତନ ଅଂଶ ଅଟେ। ଏଣୁ ଉଚ୍ଚନୀଚ, ସ୍ପୃଶ୍ୟ ଅସ୍ପୃଶ୍ୟ, ଭେଦଭାବ ମଣିଷକୃତ। ସମଗ୍ର ଜଗତ ସମରସ ଆଧାରିତ। ଏଣୁ ଋକ୍‍ବେଦରେ ଋଷି କହିଛନ୍ତି “ସମାନୀ ବ ଆକୂତିଃ ସମାନା ହୃଦୟାନି ବଃ/ ସମାନମସ୍ତୁ ବୋ ମନୋ ଯଥା ବଃ ସସହାସତି।’’ ଅର୍ଥାତ୍‍ ତୁମମାନଙ୍କ ସଂକଳ୍ପ ସମାନ ହେଉ, ହୃଦୟ ସମାନ ହେଉ, ମନ ସମାନ ହେଉ ଯଦ୍ଦ୍ୱାରା ତୁମ୍ଭମାନଙ୍କ ବଳ ଓ ସାମର୍ଥ୍ୟ ଉତ୍ତମ ଭାବରେ ପ୍ରକାଶିତ ହୋଇପାରିବ।
ଏଣୁ ଭାରତବର୍ଷରେ ଯୁଗେ ଯୁଗେ ବହୁ ସାଧୁ ସନ୍ଥ ଏହି ସମରସତାର ବାର୍ତ୍ତା ପ୍ରଚାର କରିଛନ୍ତି। ତିରୁବଲ୍ଲବର, ସନ୍ଥ ନାମଦେବ ଓ ଜ୍ଞାନେଶ୍ୱର, ସ୍ୱାମୀ ରାମାନନ୍ଦ, ସନ୍ଥ କବୀର, ରଇଦାସ ଆଦି ଅନେକ ସନ୍ଥ ବିଭିନ୍ନ ଧର୍ମ ମତରେ ସମନ୍ୱୟ ସ୍ଥାପନ କରିଥିଲେ। ସନ୍ଥ ନରସି ମେହେଟ୍ଟା, ଗୁରୁ ନାନକ, ବଲ୍ଲଭାଚାର୍ଯ୍ୟ, ଏକନାଥ, ତୁକାରାମ ଆଦି ଅନେକ ସନ୍ଥ ଧର୍ମ, ଜାତି ଓ ସଂପ୍ରଦାୟର ଊର୍ଦ୍ଧ୍ବକୁ ଯାଇ ସମରସତାର ପ୍ରଚାର ଓ ପ୍ରସାର କରି ବହୁ ଲୋକଙ୍କୁ ପ୍ରଭାବିତ କରିଥିଲେ। ଓଡ଼ିଶାର ଗଣଦେବତା ଶ୍ରୀ ଜଗନ୍ନାଥ ଏହି ସମରସତା ଭାବର ଏକ ମୂର୍ତ୍ତିମନ୍ତ ପ୍ରତୀକ। ବଳରାମ ଦାସ ଏହି ସମରସତାର ଭାବକୁ ପୁରପଲ୍ଲୀରେ ଉଜ୍ଜୀବିତ କରିବା ପାଇଁ ଲେଖିଥିଲେ “ଲକ୍ଷ୍ମୀପୁରାଣ।”

Comments are closed.