ଭିକାରି ସାରା ଦୁନିଆ!!

ଯାହାର ତୃଷ୍ଣା ଯେତେ ଅଧିକ, ସେ ସେତେ ଦରିଦ୍ର

ମନକୁ ସଂସ୍କୃତ, ଶିକ୍ଷିତ ଓ ମାର୍ଜିତ କରି ନ ଶିଖାଇଲେ ଏ ଦେଶର ‘ସରଳ ଜୀବନଯାପନ ଓ ବୌଦ୍ଧିକ ଚିନ୍ତା’ କଥାକୁ ମନରେ ନ ପୂରାଇଲେ ଦେଶସାରା ଏମିତି ଆନ୍ଦୋଳନ ଚାଲିଥିବ !
ହିନ୍ଦୀ ଭାଷାରେ ଏକ ଭଜନ ‘ରାମ ଏକ ଦାତା, ଭିକାରି ସାରି ଦୁନିଆ’ ବେଶ୍‌ ପ୍ରାଣଛୁଆଁ ଲାଗେ। ଏଇ ଭଜନଟି ଏକ ଭଜନ ଆସରରେ ବେଶ୍‌ ଜମାଣିଆ ହୋଇଥିବାବେଳେ, ସେଠି ଉପସ୍ଥିତ ଓ ଏହାର ଆୟୋଜକ ଜଣେ କୋଟିପତି, ଏ ଗୀତ ଏକ ଅନ୍ଧାନୁସରଣ ଓ ଆଜୀବନ ଦରିଦ୍ର ବା ଭିକାରି ପାଇଁ ଉତ୍ସାହପ୍ରଦ ହୋଇପାରେ ବୋଲି କହି ବେଶ୍‌ ନାପସନ୍ଦ କଲେ। କହିଲେ, ‘ଅପନା ହାତ୍‌ ଜଗନ୍ନାଥ’, କର୍ମ କରିଚାଲ। ଗୀତାରେ ସ୍ବୟଂ ଭଗବାନ କହିଲେ, ‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’। ମାଟି ପଲାଘରେ ଜନ୍ମି ବଡ଼ଲୋକ ବନିଥିବା ଜଣେ ଦୁନିଆ ସାରା ଭିକାରି ଦେଖିଥିଲେ, ଦି ଯାଦୁଆଙ୍କ ଭଳି ରମ୍ପାରମ୍ପିରେ ମରିଥାନ୍ତେ ସିନା ‘ଜାଲିମି ଲୋସନ’ ବା ‘କଣ୍ଡୁ ଦାବାନଳ’ ଯାଏ କୋଉ ଯାଇ ପାରିଥା‌େନ୍ତ?’ ବରଂ ‘ସୋଽହଂ’ ମୁଁ ହିଁ ବ୍ରହ୍ମ ଭାବରେ ଜୀବନକୁ ଗଢ଼। ଏମିତି ହତାଶିଆ ଭଜନ ପ୍ରଭୁଙ୍କୁ ତୁଷ୍ଟ କରୁନଥିବ। ପ୍ରଭୁ ତ ଆମ ଭଳି ଖୋସାମତି ପ୍ରିୟ ନୁହନ୍ତି। ଏମିତି ଘନଘନ ତାଳି ମାଡ଼ରେ ସେ କହୁଥିବାବେଳେ ଆମେ କିନ୍ତୁ ତାଙ୍କ ନିର୍ବୋଧତା ଓ ଭାବହୀନତା କଥା ଭାବି, ତାଙ୍କ କଥାରେ ଏକମତ ହୋଇ ପାରିଲୁନାହିଁ। ସେ ସବୁ ଦୀର୍ଘ ତର୍କାଧୀନ ବିଷୟ। ମାତ୍ର ଏ ଘଟଣାର ବହୁଦିନ ପରେ ଏବେ ତାଙ୍କ ସହ କଥାବାର୍ତ୍ତା ବେଳେ ସେ କହିଲେ, ‘ଆପଣ ମୋ ସହ ଦ୍ବି-ମତ ସେଦିନ ହେବା ମୋତେ କଷ୍ଟ ଦେଇଥିଲା। ଆଜି କିନ୍ତୁ ବୁଝୁଛି ସତରେ ଦୁନିଆଟା ସାରା ଭିକାରି, ଦେହରେ ଓ ମନରେ ବି। ଏ କଥା ଏ ସମ୍ବାଦପତ୍ରମାନ ପାଠ ପରେ ମନକୁ ଧରୁଚି।

ସ୍ବାଧୀନ ଭାରତରେ, ଗଣତାନ୍ତ୍ରିକ ପଦ୍ଧତିରେ ଜନତାର ସରକାର ପ୍ରତିଷ୍ଠିତ, ଟିପ ଚିହ୍ନ ଦେଉଥିବା ଅସ୍ପୃଶ୍ୟ ଗାଁର ମନା ଭୋଇ କି ଗିରିଜନ ଶ୍ରେଣୀର ସାରୁଆ ଟୁଡୁ ଆଜି ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ ବନିପାରୁଛନ୍ତି। ଜାତି ଦେଶ ଗଠନରେ ଏ ନାଗରିକଗଣ ବ୍ରତୀ ହେବା କଥା। ମାତ୍ର ଘଟୁଚି କ’ଣ? ଚପରାସୀଠୁ ଆରମ୍ଭ କରି ଆଇ.ଏ.ଏସ୍‌ ପର୍ଯ୍ୟନ୍ତ ଟାଟା, ବିରଲା ଓ ଅମ୍ବାନୀ କିଏ ଏ ଅଭାବବୋଧରୁ ମୁକ୍ତ କହୁନାହାନ୍ତି? ଗାଡ଼ି ଧୋଉଥିବା କ୍ଲିନର, ଗାଡ଼ି ଚଳଉଥିବା ଡ୍ରାଇଭର, ଗାଡ଼ି ଚଢ଼ୁଥିବା ମାଲିକ ଓ ଗାଡ଼ି ବିକୁଥିବା ଏବଂ ତିଆରି କରୁଥିବା କିଏ ଏ ଅଭାବବୋଧରୁ ମୁକ୍ତ କହୁନ? ଦେଶର, ଜାତିର ଉନ୍ନତି ପାଇଁ ଗଠିତ ସଙ୍ଗଠନମାନେ ଏବେ ସ୍ବାର୍ଥସାଧନ ପାଇଁ ଏକଜୁଟ ହୋଇ ଏ ଭୋଟରଙ୍କା ଓ ଭୋଟ ତିଆରି କାଦୁଅ-କୀଳାର ନେତାମାନଙ୍କୁ ବେଶ୍‌ ଦୋହଲଉଛନ୍ତି। ଏବେ ଡ୍ରାଇଭର (ଗାଡ଼ିଚାଳକ) ଭାଇମାନଙ୍କ ଆନ୍ଦୋଳନ ହୋଇଥିଲା। ଏକାଠି ହୋଇ, ରାସ୍ତା ଅବରୋଧ କରି ଗାଡ଼ି ନ ଚଳାଇ ଅଚଳାବସ୍ଥା ସୃଷ୍ଟି ସେମାନଙ୍କ ଦାବି ପୂରଣର ଆୟୁଧ, ମାଧ୍ୟମ। ଏଥିପାଇଁ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମାଡ଼ପିଟା, ମୁଣ୍ଡଫଟା, ଗିରଫଦାରୀ ସମ୍ବାଦପତ୍ରମାନଙ୍କର ପ୍ରଥମ ପୃଷ୍ଠା ବି ଦଖଲ କରୁଚି। କିଛିଦିନ ପୂର୍ବରୁ ଡାକ୍ତର, ହାଉସ୍‌ ସର୍ଜନ୍‌, ବିଦ୍ୟୁତ୍‌ କର୍ମଚାରୀ, ପାଚିକା ସଂଘ, ଅଙ୍ଗନବାଡି କର୍ମୀ, ଶିକ୍ଷକ ସଂଘ ଆଦିଙ୍କ ଦ୍ବାରା ଆନ୍ଦୋଳନ କରାଯାଇଥିଲା। ଦେଶଗଠନ ପାଇଁ ନୁହଁ; ଦରମା, ଭତ୍ତା, ସ୍ବୀୟ ସୁବିଧା ବଢ଼ାଇବା ଓ ହାସଲ କରିବା ନେଇ।

ମାଗିବା ଓ ଭିକ୍ଷାଭ୍ୟାସ ଅଭାବବୋଧର ଏକ ପ୍ରତିକ୍ରିୟା, ୟେ ତ ଯୁବପିଢ଼ିକୁ ଗ୍ରାସ କରିସାରିଲାଣି। ଆମ ସଂସ୍କୃତିର କଥା ‘ମାଗିବାଠୁ ହୀନ ନାହିଁ କି ଦେବାଠୁ ପୁଣ୍ୟ ନାହିଁ’। ମାତ୍ର ଏବେ ସ୍କୁଲ, କଲେଜ ପିଲାମାନେ ଗଣେଶ ପୂଜା, ସରସ୍ବତୀ ପୂଜା ପାଇଁ ରାସ୍ତାରେ ଦଉଡ଼ି ପକାଇ ଚାନ୍ଦା ଆଦାୟ କରୁଛନ୍ତି। ଏପରିକି ଲଜ୍ଜାଶୀଳା ଲଳନାମାନେ ପଇସା ପାଇଁ ରାଜରାସ୍ତାକୁ ଓହ୍ଲାଇଲେଣି। ଖୁଦୁରୁକୁଣୀ, ଭାଲୁକୁଣୀ ଓଷା ପାଇଁ ଏଙ୍କର ନିର୍ଲଜ୍ଜ ମାଗଣ ଏ ଦେଶ ସଂସ୍କୃତିକୁ ବୁଡ଼ାଇ ସାରିଲାଣି। ଜଙ୍ଗଲରେ ତୃଷାର୍ତ୍ତ ରାଜା କୁଡ଼ିଆବାସୀ ବାଆଜିଙ୍କଠାରୁ ପାଣି ପାଇ ବଞ୍ଚିଗଲା ଭଳି ବୋଧ କଲେ। କୁଡ଼ିଆ ଘର ଓ କୌପୀନ ଦେଖି ଏଙ୍କ ଅଭାବ କଥା ସେ ଭାବିଲେ ଓ ରାଜ୍ୟରେ କୋଠା ତୋଳି ଦେବାକୁ କହି ସୁନା ହାର ପ୍ରଦାନ କଲେ। ଏକୁ ପ୍ରତ୍ୟାଖ୍ୟାନ କରିଥିବା ବାଆଜି ଉତ୍ତରରେ କହିଲେ- ‘ହେ ରାଜନ୍‌! ସ ତୁ ଭବତି ଦରି‌େଦ୍ରା ଯସ୍ୟ ତୃଷ୍ଣା ବିଶାଳାଃ, ମନସି ଚ ପରିତୁଷ୍ଟେ କୋଽର୍ଥବାନ୍‌ କୋ ଦରିଦ୍ରଃ?’ ଯେ ମନକୁ ତୁଷ୍ଟ ସନ୍ତୋଷ ହେବା ଶିଖାଇପାରିଛି, ତା’ ଆଗରେ ଧନୀ ଦରିଦ୍ର କ’ଣ? ଯାହାର ତୃଷ୍ଣା ଯେତେ ଅଧିକ, ସେ ସେତେ ଦରିଦ୍ର। ମନକୁ ସଂସ୍କୃତ, ଶିକ୍ଷିତ ଓ ମାର୍ଜିତ କରି ନ ଶିଖାଇଲେ ଏ ଦେଶର ‘ସରଳ ଜୀବନଯାପନ ଓ ବୌଦ୍ଧିକ ଚିନ୍ତା’ କଥାକୁ ମନରେ ନ ପୂରାଇଲେ ଦେଶସାରା ଏମିତି ଆନ୍ଦୋଳନ ଗୋଟିକ ପରେ ଗୋଟିଏ କରୁଥିବେ, ପୁଲିସଠଉ ମାଡ଼ ଖାଉଥିବେ ଓ ଏ ମୁଣ୍ଡିଆଳଙ୍କ ଉପରକୁ ଅଣ୍ଡା ଫିଙ୍ଗୁଥିବେ। ୟେ ସବୁ ଏବେ ଲଙ୍କାରେ ହରିନାମର ଅଟ୍ଟହାସ୍ୟ ଓ ବିସ୍ମୟକର।

Comments are closed.