ସୁପ୍ରିମକୋର୍ଟ ଝଟକା

ନିର୍ବାଚନ ଆୟୋଗକୁ ଯଥାସମ୍ଭବ ନିର୍ଦୋଷ ଓ ନିଷ୍ପକ୍ଷ କରିବାର ଯେଉଁ ପ୍ରୟାସ ଚାଲିଛି ତାହାକୁ ସାକାର କରିବାରେ ସରକାରଙ୍କ ନିଷ୍ଠାପୂର୍ଣ୍ଣ ନିଷ୍ପତ୍ତି ଜରୁରୀ

ସୁପ୍ରିମକୋର୍ଟ ଗୁରୁବାର ଦୁଇଟି ବିବାଦୀୟ ପ୍ରସଙ୍ଗରେ ଯେଉଁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ବ୍ୟବସ୍ଥାରେ ସଂଶୋଧନ ଓ ନିଷ୍ପକ୍ଷ କାର୍ଯ୍ୟନିର୍ବାହ ସକାଶେ ସୁଯୋଗ ସୃଷ୍ଟି କରିଛି କହିଲେ ଭୁଲ୍‌ ହେବ ନାହିଁ। ଆମ ଦେଶର ସାମ୍ବିଧାନିକ ପଦମର୍ଯ୍ୟାଦାଗୁଡ଼ିକର ଦୁରୁପଯୋଗ ହେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା କ୍ରମେ ଦୁର୍ବଳ ହେଉଛି ବୋଲି ଯେଉଁ ଆରୋପ କରାଯାଉଥିଲା ତାହା ଏହି ନିଷ୍ପତ୍ତି ପରେ ଥମିଯିବ ବୋଲି ଆଶା କରାଯାଏ। ସକ୍ରିୟ ଗଣତନ୍ତ୍ର ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ନିର୍ଭର କରେ। ଯଦି ପରିଚାଳନା ଦାୟିତ୍ବରେ ଥିବା ନିର୍ବାଚନ ଆୟୋଗର ସିଇସି ଓ ଦୁଇ ଇସିଙ୍କୁ ସରକାର ନିଜ ହିସାବରେ ନିଯୁକ୍ତି ଦେଇ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ କରନ୍ତି ତେବେ ତାହାର ନିଷ୍ପକ୍ଷତା ନେଇ ଯେ କେହି ପ୍ରଶ୍ନ କରିପାରିବ। କେତେକ କ୍ଷେତ୍ରରେ ସାଂପ୍ରତିକ ବ୍ୟବସ୍ଥା ସେହି ଢଙ୍ଗରେ ପରିଚାଳିତ ହେଉଛି। ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି ଯେଭଳି କଲେଜିୟମ୍‌ ବ୍ୟବସ୍ଥାରେ କରାଯାଉଛି ନିର୍ବାଚନ ଆୟୋଗ କ୍ଷେତ୍ରରେ ଅନୁରୂପ ପଦକ୍ଷେପ ଗ୍ରହଣ କରିବା ସକାଶେ ହୋଇଥିବା ଆବେଦନର ବିଚାର କରି ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ହିଣ୍ଡେନବର୍ଗ ରିପୋର୍ଟରେ ଆଦାନି ଗ୍ରୁପ୍‌ କମ୍ପାନୀଗୁଡ଼ିକ ବ୍ୟାପକ ଜାଲିଆତି କରିଥିବାର ଯେଉଁ ଅଭିଯୋଗ ଆସିଥିଲା ତାହାର ତଦନ୍ତ ସକାଶେ ସୁପ୍ରିମକୋର୍ଟ ନିଜଆଡୁ ୬ଜଣିଆ କମିଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରି ଦୁଇମାସ ମଧ୍ୟରେ ରିପୋର୍ଟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ସେବିକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଭାରତୀୟ ଷ୍ଟକବଜାର ନିୟାମକ ବ୍ୟବସ୍ଥାର ସମୀକ୍ଷା କରିବେ ୬ଜଣିଆ ବିଶେଷଜ୍ଞ କମିଟି। ସୂଚନାଯୋଗ୍ୟ କି କେନ୍ଦ୍ର ସରକାର ଆଦାନି ଗ୍ରୁପ୍‌ କମ୍ପାନୀ ବିରୋଧରେ ଷ୍ଟକବଜାର ଜାଲିଆତି ନେଇ ଆସିଥିବା ଅଭିଯୋଗର ସମୀକ୍ଷା ବା ଯାଞ୍ଚ ସକାଶେ ନିଜ ଆଡୁ କମିଟି ଗଠନ କରିବାର ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ଗଠନ କରିଥିବା ୬ଜଣିଆ କମିଟିର ଅଧ୍ୟକ୍ଷତା କରୁଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.ଏମ୍‌. ସାପ୍ରେ।

ସିବିଆଇ, ସିଭିସି ଓ ନିର୍ବାଚନ ଆୟୋଗଠାରୁ ଦେଶବାସୀ ନିଷ୍ପକ୍ଷ ନିଷ୍ପତ୍ତି ଚାହାନ୍ତି। ଏହି ପଦ ପଦବୀର ସ୍ବତନ୍ତ୍ର ସାମ୍ବିଧାନିକ ମର୍ଯ୍ୟାଦା ରହିଛି। କ୍ଷମତାସୀନ ସରକାର ସେମାନଙ୍କ ନିଯୁକ୍ତି କ୍ଷେତ୍ରରେ ବାଛବିଚାର ନ କରିବା ଆବଶ୍ୟକ। ବିଶେଷକରି ନିର୍ବାଚନ ପରିଚାଳନାର କାର୍ଯ୍ୟଧାରାରେ ପକ୍ଷପାତିତା ରହିଲେ କ୍ଷମତା ରାଜନୀତି ତାହାର ସୁଯୋଗ ନେବ। ଏ ନେଇ ହେଉଥିବା ଅଭିଯୋଗକୁ ନିଜର ସ୍ବାର୍ଥ ପାଇଁ କ୍ଷମତା କେନ୍ଦ୍ର ଏଡ଼ାଇଯାଇଥାଏ। ଏଭଳି ଏକ ପ୍ରସଙ୍ଗର ଗୁରୁତ୍ବ ଅନୁଭବ ପରି ନିର୍ବାଚନ ଆୟୋଗ ଦାୟିତ୍ବରେ ଥିବା ସିଇସି ଓ ଦୁଇ ଇସିଙ୍କ ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି। ସିବିଆଇ ମୁଖ୍ୟଙ୍କ ନିଯୁକ୍ତି ସକାଶେ ଥିବା ବ୍ୟବସ୍ଥା ଏ କ୍ଷେତ୍ରରେ ଲାଗୁ ହେବ। ନିଯୁକ୍ତି କମିଟିରେ ରହିବେ- ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା। ସ୍ବୀକୃତିପ୍ରାପ୍ତ ବିରୋଧୀ ଦଳ ନେତା ନ ଥିଲେ ଲୋକସଭାର ବୃହତ୍ତମ ଦଳର ନେତାଙ୍କୁ ଏ କ୍ଷେତ୍ରରେ ଗ୍ରହଣ କରାଯାଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କମିଟିର ମନୋନୀତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ହିଁ ନିଯୁକ୍ତି ଦେବେ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଧାରାକୁ ସରକାରୀ ବ୍ୟବସ୍ଥାରୁ ମୁକ୍ତ ରଖିବା ସକାଶେ ଅଦାଲତ ଦେଇଥିବା ସୁଚିନ୍ତିତ ପରାମର୍ଶର ଅନ୍ୟ ଏକ ଦିଗ ହେଲା, ଆୟୁକ୍ତ ନିଜସ୍ବ ସଚିବାଳୟ ମାଧ୍ୟମରେ କାର୍ଯ୍ୟ କରିବେ। ଏଥିସହ ତାଙ୍କର ସ୍ବତନ୍ତ୍ର ଆର୍ଥିକ କ୍ଷମତା ରହିବ, କୌଣସି ପରିସ୍ଥିତିରେ ସେ ଏଥିଲାଗି ସରକାରଙ୍କ ଉପରେ ନିର୍ଭର କରିବେ ନାହିଁ। ଆୟୋଗ ନିଜସ୍ବ ବଜେଟ ପ୍ରସ୍ତୁତ କରି ଦେଶର ସାମଗ୍ରିକ ପାଣ୍ଠିରୁ ସିଧାସଳଖ ଅର୍ଥ ଗ୍ରହଣ କରିପାରିବେ। ସୂଚନାଯୋଗ୍ୟ କି ପ୍ରଚଳିତ ବ୍ୟବସ୍ଥାରେ ଆୟୋଗକୁ ନିର୍ବାଚନ ପରିଚାଳନା ଓ ତାହାର ବ୍ୟୟଭାର ସକାଶେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଆଇନ ମନ୍ତ୍ରାଳୟ ଉପରେ ନିର୍ଭର କରିବାକୁ ପଡୁଥିଲା। ଏହି ନିର୍ଭରଶୀଳତା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିଲା କହିଲେ ଭୁଲ୍‌ ହେବ ନାହିଁ। ଗତ କିଛିବର୍ଷ ତଳେ ଏଭଳି କିଛି ଘଟଣା ଉପୁଜିଥିଲା ଯାହାଫଳରେ ଆୟୋଗ ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା। ନିର୍ବାଚନ ପରିଚାଳନାବେଳେ କ୍ଷମତାସୀନ ଦଳର ତ୍ରୁଟି ବିଚ୍ୟୁତି ସମ୍ପର୍କରେ ସିଇସି କଠୋର ପ୍ରତିକ୍ରିୟା ରଖିବାରୁ ଜଣେ କେନ୍ଦ୍ରମନ୍ତ୍ରୀ କହିଥିଲେ- ‘‘ଅର୍ଥ ମଞ୍ଜୁର ନ କଲେ ଆୟୁକ୍ତଙ୍କ ଗାଡ଼ି ଗଡ଼ିବନି, ସେଥିରେ ଏତେ ନାଲିଆଖି।’’ ଏ କଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ନିର୍ବାଚନ ଆୟୋଗଙ୍କୁ ସରକାରୀ ବ୍ୟବସ୍ଥାରୁ ମୁକ୍ତ ରଖିବା ଗୋଟିଏ ବଡ଼ ନିଷ୍ପତ୍ତି। ଏହି ରାୟର ଅନ୍ୟ ଏକ ଦିଗ ହେଲା, ସଂସଦରେ ସିଇସି ଓ ଇସିଙ୍କ ନିଯୁକ୍ତି ଆଇନ ପ୍ରଣୟନ ନ ହେଲା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସାମ୍ବିଧାନିକ ପୀଠ କହିଛନ୍ତି।

ନିର୍ବାଚନ ଆୟୋଗର ଯେ ସ୍ବତନ୍ତ୍ର ଗୁରୁତ୍ବ ଅଛି ଏ କଥା ସମସ୍ତେ ବୁଝନ୍ତି। ଗଠନ ଓ ନିଯୁକ୍ତି ପ୍ରକ୍ରିୟାରେ ଥିବା କୋହଳ ବ୍ୟବସ୍ଥାର ସୁଯୋଗ ନେଇ ଆସିଛନ୍ତି ବିଭିନ୍ନ ସମୟରେ କ୍ଷମତାରେ ଥିବା ସରକାରମାନେ। କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ଏହି ବ୍ୟବସ୍ଥା ଗଡ଼ି ଚାଲିଥିଲା। ଏହି ପ୍ରକ୍ରିୟା ମଧ୍ୟରେ ଟି.ଏନ୍‌. ଶେଷାନ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କ୍ଷମତା କ’ଣ ତାହା ନିଜ କାର୍ଯ୍ୟ ମାଧ୍ୟମରେ ପ୍ରମାଣ କରିଥିଲେ। କ୍ଷମତା ଉପରେ ଅଙ୍କୁଶ ପ୍ରୟୋଗ କରିବା ଦକ୍ଷତା ତାଙ୍କର ଥିଲା। ତାଙ୍କୁ ଜବତ କରିବା ପାଇଁ ତତ୍କାଳୀନ ସରକାର ତିନି ସଦସ୍ୟ ବିଶିଷ୍ଟ ଆୟୋଗ ଗଠନ କରିଥିଲେ। ଆମର ଏଠାରେ କହିବାର କଥା ହେଲା, ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟାନ୍ବୟନବେଳେ କ୍ଷମତା କିଛି ଗଳାବାଟ ରଖିବାର ପ୍ରୟାସ ମଧ୍ୟ କରିବ। ବ୍ୟବସ୍ଥାକୁ ସୁଧାରିବା ଓ ବିଗାଡ଼ିବାକୁ ଲୋକ ଅଛନ୍ତି। ସୁପ୍ରିମକୋର୍ଟ ଚାହିଁଲେ ସବୁ ଯେ ବଦଳାଇ ପାରିବେ ଏ କଥା ନୁହେଁ, ଆମେ ନିଜେ ନିଜକୁ ସୁଧାରିବା ଆବଶ୍ୟକ।

Comments are closed.