ଯୁଦ୍ଧ ଯନ୍ତ୍ରଣା

ଯୁଦ୍ଧଗ୍ରସ୍ତ ୟୁକ୍ରେନର ଶଙ୍କାକୁଳ ବାତାବରଣରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଯଥାଶୀଘ୍ର ସ୍ବଦେଶ ଫେରାଇ ଅଣାଯିବା ଆବଶ୍ୟକ

ଯୁଦ୍ଧଗ୍ରସ୍ତ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭ୍‌ରେ ଭାରତୀୟ ଛାତ୍ର ନବୀନ ଶେଖରାପ୍ପାଙ୍କର ଗୁଳିମାଡ଼ରେ ମୃତ୍ୟୁ ହେବା ଘଟନା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ। ଏଥିରୁ ସେହି ଦେଶର ବାସିନ୍ଦା ଓ ସେଠାରେ ରହୁଥିବା ବିଦେଶୀ ନାଗରିକଙ୍କ ଜୀବନ କିପରି ବିପଦାପନ୍ନ ହୋଇପଡ଼ିଛି, ତାହା ସହଜେ ଅନୁମେୟ। ମୃତ ଛାତ୍ରଜଣକ ଖାର୍କିଭ୍‌ ଜାତୀୟ ଭେଷଜ ବିଶ୍ବବିଦ୍ୟାଳୟରେ ପଢ଼ୁଥିବାବେଳେ ସେ ନିଜେ ରହୁଥିବା ଆପାର୍ଟମେଣ୍ଟର ବଙ୍କରରେ ଆଶ୍ରୟ ନେଇଥିଲେ। ଦୁର୍ଯୋଗବଶତଃ ସେ ଏକ ଦୋକାନକୁ ଖାଦ୍ୟପେୟ କିଣିବାକୁ ଯାଇ ଧାଡ଼ି ବାନ୍ଧିଥିବା ସମୟରେ ରୁଷୀୟ ସୈନ୍ୟଙ୍କ ପକ୍ଷରୁ ବୋମା ବର୍ଷଣ କରାଯିବାରୁ ସେ ସେଠାରେ ଟଳିପଡ଼ିଥିଲେ। ଖାର୍କିଭ୍‌ ସମେତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଭାରତର ସହସ୍ରାଧିକ ଛାତ୍ରଛାତ୍ରୀ ଏବଂ ଅନ୍ୟ ଲୋକ ରହୁଛନ୍ତି। ଏମାନଙ୍କ ସଂଖ୍ୟା ୧୮ରୁ ୨୦ ହଜାର ହେବ ବୋଲି ଆକଳନ କରାଯାଉଛି। ଭାରତର ବୈଦେଶିକ ସଚିବଙ୍କ ଅନୁସାରେ, ଏହାଙ୍କ ଭିତରୁ ୧୨ ହଜାର ଛାତ୍ରଛାତ୍ରୀ ଫେରିସାରିଛନ୍ତି। ୟୁକ୍ରେନରେ ଓଡ଼ିଶାର ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ଫସିରହିଥିବା ଜଣାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ସୁଦ୍ଧା ୨୨ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଫେରି ଆସିଥିବାବେଳେ ଆହୁରି ଶତାଧିକ ସେଠାରେ ଶଙ୍କାକୁଳ ବାତାବରଣ ଭିତରେ ରହିଛନ୍ତି। ସେଠାରେ ପରିବହନ ବ୍ୟବସ୍ଥା ପ୍ରାୟ ବନ୍ଦ ହୋଇସାରିଥିବାବେଳେ କିପରି ସେମାନେ ନିଜ ସ୍ଥାନରୁ ପଡ଼ୋଶୀ ଦେଶର ସୀମାକୁ ପଳାଇ ଆସିପାରିବେ, ତାହା ହିଁ ଚିନ୍ତାର ବିଷୟ। ସେଠାକାର ଏଟିଏମ୍‌ ଓ ଅନ୍ୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଥିବାରୁ ଖାଦ୍ୟପେୟ କିଣିବା ମଧ୍ୟ ଦୁରୂହ ହୋଇପଡ଼ିବ। ଏପରି ସ୍ଥିତିରେ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର ନ କଲେ ଲୋକେ ବିଷମ ସଙ୍କଟରେ ପଡ଼ିବା ନିଶ୍ଚିତ।
କ୍ରମଶଃ ଯୁଦ୍ଧ ସ୍ଥିତି ଅଣାୟତ୍ତ ହେବାକୁ ବସିଛି; କାରଣ ଖାର୍କିଭ୍‌ରେ ବର୍ତ୍ତମାନ ରୁଷୀୟ ସୈନ୍ୟମାନେ ଅଧିକ ପରିମାଣରେ ଆକ୍ରମଣ ଜାରି ରଖିଥିବାବେଳେ ରାଜଧାନୀ କିଭ୍‌କୁ ଅକ୍ତିଆର କରିବାକୁ ରୁଷ ସେନା ସଜ ହେଉଛି। ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ ବୁଧବାର ସୁଦ୍ଧା କିଭ୍‌ ଆଡ଼କୁ ୬୪ କିଲୋମିଟର ପରିବ୍ୟାପ୍ତ ରୁଷୀୟ ଯୁଦ୍ଧାସ୍ତ୍ର ସଜ୍ଜିତ ଟ୍ୟାଙ୍କର୍‌ ସହିତ ସୈନ୍ୟସାମନ୍ତ ଧୀରେଧୀରେ ଅଗ୍ରସର ହେଉଛନ୍ତି। କୁହାଯାଉଛି ଯେ ରୁଷ ତା’ର ୭୫ ଶତାଂଶ ସୈନ୍ୟଙ୍କୁ ୟୁକ୍ରେନ ଯୁଦ୍ଧକୁ ପଠାଇଛି। ରୁଷ ପାଇଁ ଏବେ ଆଉ ସେଠାରେ ନିର୍ଦିଷ୍ଟ ନିଶାଣ ନାହିଁ, ବରଂ ଅନ୍ଧାଧୁନିଆ ଗୁଳିଗୋଳା ବର୍ଷଣ କରୁଛି, ଯାହା ସାଧାରଣ ନିରୀହ ନାଗରିକଙ୍କର ମଧ୍ୟ ଜୀବନ ନେବା ଥୟ। ରୁଷ ଇତିମଧ୍ୟରେ ୩୦ ଲକ୍ଷ କିଭ୍‌ ବାସିନ୍ଦାଙ୍କୁ ଘର ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ଚେତାବନୀ ଦେଇଛି। ଏଥିରୁ ଆଗାମୀ ସମୟର ଭୟାବହତାକୁ ଅନୁମାନ କରିବା କଷ୍ଟ ନୁହେଁ। ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରୁଷ କଟକଣା ରହିଥିବା ଅତୀବ ଘାତକ ଭାକ୍ୟୁମ୍‌ ଓ କ୍ଲଷ୍ଟର ବୋମାକୁ ଯୁଦ୍ଧରେ ବ୍ୟବହାର କରୁଛି। ରୁଷ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ହେଁ ବର୍ତ୍ତମାନ ସ୍ଥିତିରେ କ’ଣ ସତ କ’ଣ ମିଛ, ତାହା କହିବା ସହଜ ନୁହେଁ।
ଅପରପକ୍ଷେ, ସ୍ଥିତି ସଂଗିନ ହେବା ଦେଖି ଭାରତ ସରକାର ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଉଦ୍ୟମକୁ ଅଧିକ ବ୍ୟବସ୍ଥିତ କରିଛନ୍ତି। ଏପରି ପ୍ରଚେଷ୍ଟା ଯେ କିଛି ଦିନ ପୂର୍ବରୁ କରିବାର ଥିଲା, ତାହା କହିବା ବାହୁଲ୍ୟ ମାତ୍ର। ସେ ଯାହାହେଉ, ଉଦ୍ଧାର ଅଭିଯାନକୁ ସହଜ ସୁଗମ କରିବା ପାଇଁ ଚାରି ଜଣ ମନ୍ତ୍ରୀଙ୍କୁ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡ, ରୋମାନିଆ, ମୋଲ୍‌ଡୋଭା, ସ୍ଲୋଭାକିଆ ଓ ହଙ୍ଗେରୀକୁ ପଠାଯାଇଛି। ତେବେ ଅସଲ ସମସ୍ୟା ୟୁକ୍ରେନ ଭିତରୁ ସୀମା ପର୍ଯ୍ୟନ୍ତ ଲୋକଙ୍କୁ କିପରି ଅଣାଯିବ। ୟୁକ୍ରେନର ପଶ୍ଚିମ ସୀମାରେ ହଜାରହଜାର ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିବାରୁ ସେହ ପଥ ଦେଇ ଆସିବା ସହଜ ମଧ୍ୟ ନୁହେଁ। ବର୍ତ୍ତମାନ ସ୍ଥିତି ଏପରି ହେଲାଣି ଯେ ଘରୁ ବାହାରକୁ ବାହାରିଲେ ହିଁ ବିପଦ। ଏହା ଭାରତ ସରକାର ମଧ୍ୟ ବୁଝନ୍ତି। ଭାରତୀୟଙ୍କ ସୁରକ୍ଷା ପାଇଁ ୟୁକ୍ରେନ ଓ ରୁଷିଆ ସହିତ ଭାରତ ସରକାର ଆଲୋଚନା ମଧ୍ୟ କରିଛନ୍ତି; କିନ୍ତୁ ୟୁକ୍ରେନ ନିଜର ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଲଢ଼ୁଥିବା ସମୟରେ ତାହା ଭାରତୀୟଙ୍କ କଥା ବୁଝିବ କେତେବେଳେ! ସେହିପରି ରୁଷିଆ ଅନ୍ଧାଧୁନିଆ ତା’ର ଅସ୍ତ୍ର ପ୍ରୟୋଗ କରୁଥିବାରୁ ତାହାର ଶିକାର କିଏ ହେବ, ତାହା କେହି ସ୍ଥିର କରିପାରିବ ନାହିଁ। ଭାରତୀୟ ମଧ୍ୟ ଏହି ଅପରିଣାମଦର୍ଶୀ ଆକ୍ରମଣରୁ ବାଦ୍‌ ପଡ଼ି ନପାରନ୍ତି। ଅବଶ୍ୟ ବୁଧବାର ନବୀନଙ୍କ ମୃତ୍ୟୁ ଘଟନାକୁ ଦୁର୍ଭାଗ୍ୟଜନକ କୁହାଯାଇ ଏହାର ତଦନ୍ତ କରାଯିବ ଏବଂ ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ସୁରକ୍ଷିତ ଭାବେ ନିଆଯିବା ପାଇଁ ବାଟ ଖୋଲାଯିବ ବୋଲି ବୋଲି ରୁଷ ପକ୍ଷରୁ ଆଶ୍ବାସନା ଦିଆଯାଇଛି।
ୟୁକ୍ରେନରେ ଯୁଦ୍ଧର ଘନଘଟା ଭିତରେ ମଣିଷ ନିଜର ଅସ୍ତିତ୍ବ ଖୋଜୁଥିବାବେଳେ ରୁଷିଆ ପରମାଣୁ ଅସ୍ତ୍ରକୁ ମଧ୍ୟ ସଜ କରି ରଖିଛି। ଆମେ ପ୍ରାର୍ଥନା କରିବା ଯେ ଏହି ଭୟଙ୍କର ମହାବିନାଶକାରୀ ଅସ୍ତ୍ର ପ୍ରୟୋଗର ସେହି ଦୁର୍ଦିନ ଏ ପୃଥିବୀକୁ ଆଉ କେବେ ନ ଆସୁ। ଆଗକୁ ୟୁକ୍ରେନର ସ୍ଥିତି ଯେ ଅଧିକ ସଂଗିନ ହେବାକୁ ଯାଉଛି, ସେହି ଆଶଙ୍କା ଅମୂଳକ ନୁହେଁ। ତେଣୁ ଯଥାଶୀଘ୍ର ଭାରତୀୟଙ୍କୁ ଯୁଦ୍ଧଭୂମିରୁ ଫେରାଇ ଅଣାଯିବା ସହ ଭାରତ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ନିଜର ନିରପେକ୍ଷ ସ୍ଥିତି ଓ ଯୋଜନାର ପୁନଃସମୀକ୍ଷା କରିବା ଜରୁରୀ ହୋଇପଡ଼ିଛି। ଯୁଦ୍ଧ, ଶାନ୍ତି ନୁହେଁ ଆଣେ କେବଳ ଯନ୍ତ୍ରଣା, ମୂଢ଼ ମନୁଷ୍ୟ ଏହା କେବେ ବୁଝିବ।

Comments are closed.