ଆଭାସି ମୁଦ୍ରାର ଗୋଲକ ଧନ୍ଦା

କ୍ରାଏପ୍ଟୋ କରେନ୍ସିର ବିକଳ୍ପ ଭାବେ କେନ୍ଦ୍ର ସରକାର ଯଦି କମ୍ପ୍ୟୁଟରକୃତ ଅଥବା ଡିଜିଟାଲ ମୁଦ୍ରା ପ୍ରଚଳନ କରନ୍ତି ନିବେଶକମାନେ ଲାଭବାନ ହୋଇପାରନ୍ତେ

ଆଭାସି ମୁଦ୍ରାକୁ ଆଧୁନିକ ଯୁଗର ମହାମାରୀ କହିଲେ ଭୁଲ ହେବ ନାହିଁ। କାରଣ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ଅର୍ଥ କମାଇବା ଆଶାରେ ଅଧିକ ସଂଖ୍ୟାରେ ନିବେଶକ ଏଥିରେ ପୁଞ୍ଜି ନିବେଶ କରୁଛନ୍ତି। ଏହି ମୁଦ୍ରା ଉପରେ ସରକାରୀ ନିୟନ୍ତ୍ରଣ ନାହିଁ।କେତେବେଳେ ଏହାର ମୂଲ୍ୟ ଦ୍ରୁତ ଗତିରେ ଉପରକୁ ଉଠୁଛି ତ ଆଉ କେତେବେଳେ ହଠାତ୍‌ ନିମ୍ନକୁ ଖସି ଯାଉଛି। ଏହି ମହାମାରୀ ରୂପକ କ୍ରାଏପ୍ଟୋ କରେନ୍ସି ବା ଆଭାସି ମୁଦ୍ରାର ପ୍ରଚଳନ ଦେଶରେ କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଏଥିରେ ଅର୍ଥ ଲଗାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇ ଚାଲିଛି। ତେବେ ଏଭଳି ଆଭାସି ମୁଦ୍ରା ଉପରେ ଲଗାମ କଷିବାକୁ ସରକାର ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି।

ଆଗାମୀ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ‘ଦ କ୍ରାଏପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଧେୟକ-୨୦୨୧’ ଆଗତ କରିବାକୁ ଯାଉଛନ୍ତି। ଏହି ବିଧେୟକ ଗୃହୀତ ହେଲେ ଭାରତରେ ପ୍ରଚଳିତ ସମସ୍ତ କ୍ରାଏପ୍ଟୋ କରେନ୍ସି ବେଆଇନ ହୋଇଯିବ। ପ୍ରତିବଦଳରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପ୍ରଚଳନ କରିବ। ଏହି ମୁଦ୍ରାକୁ ଆମେ ଦେଖି ପାରନ୍ତିନି କିମ୍ବା ଛୁଇଁ ପାରନ୍ତି ନାହିଁ। କ୍ରାଏପ୍ଟୋ କରେନ୍ସି ହେଉଛି ଏକ ପ୍ରକାର ଅଦୃଶ୍ୟ ମୁଦ୍ରା। ଏହି ମୁଦ୍ରା ଉପରେ କୌଣସି ଦେଶର ସରକାରଙ୍କ ନିୟନ୍ତ୍ରଣ ନଥାଏ। ଏହା କେବଳ ଗୋଟିଏ ଦେଶ ମଧ୍ୟରେ ସୀମିତ ନଥାଏ; ବରଂ ବିଶ୍ବର ସମସ୍ତ ଦେଶରେ ଏହାର ପ୍ରଚଳନ ଏବେ ଜାରି ରହିଛି।

ନିକଟରେ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ କ୍ରାଏପ୍ଟୋ କରେନ୍ସିକୁ ବେଆଇନ ଘୋଷଣା କରିଥିଲା। ଏହା ବ୍ୟତୀତ ନାଇଜେରିଆ, ତୁର୍କୀ, ବଲଭିଆ, ଆଲଜେରିଆ, କାତାର, ବାଂଲାଦେଶ ଓ ଇଣ୍ଡୋନେସିଆ ପ୍ରମୁଖ ରାଷ୍ଟ୍ର ଏହି ମୁଦ୍ରା ପ୍ରଚଳନ ଉପରେ କଟକଣା ଜାରି କରିଛନ୍ତି। ଭାରତରେ ଅନେକ ନିବେଶକ କ୍ରାଏପ୍ଟୋ କରେନ୍ସିରେ ପୁଞ୍ଜି ନିବେଶ କରିଛନ୍ତି। ଅମିତାଭ ବଚ୍ଚନ ଓ ରଣବୀର ସିଂହଙ୍କ ପରି ଅଭିନେତା କ୍ରାଏପ୍ଟୋ କରେନ୍ସିରେ ପୁଞ୍ଜି ନିବେଶ ପାଇଁ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ପ୍ରବର୍ତ୍ତାଉ ଥିବା ଦେଖିବାକୁ ମିଳୁଛି। ବିଟ୍‌କଏନ ପରି ଆଭାସି ମୁଦ୍ରା ନିବେଶକଙ୍କ ବେଶ୍‌ ଧ୍ୟାନ ଆକର୍ଷଣ କରିପାରିଛି। ତେବେ ଗତ ବର୍ଷ ଏହି ମୁଦ୍ରା ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ନିମ୍ନଗାମୀ ହୋଇଥିଲା। ଫଳରେ ନିବେଶକମାନେ କୋଟିକୋଟି ଟଙ୍କା କ୍ଷତି ସହି ଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଏପ୍ଟୋ କରେନ୍ସିକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ। ଏହି ଆଭାସି ମୁଦ୍ରା ଆତଙ୍କବାଦୀଙ୍କ ପାଣ୍ଠି ଭାବେ ଯେପରି ବ୍ୟବହାର ନହୁଏ ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା।

ଆଭାସି ମୁଦ୍ରା ପ୍ରଚଳନରେ ଚୀନ୍‌ ଥିଲା ବିଶ୍ବର ସର୍ବ ବୃହତ୍‌ ବଜାର। ଏହି ମୁଦ୍ରାର ମୂଲ୍ୟ ଅସ୍ଥିର ହେତୁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ଆଭାସି ମୁଦ୍ରାକୁ ବେଆଇନ ଘୋଷଣା କରିଥିଲେ। ରାତାରାତି ଧନୀ ହେବା ପାଇଁ ଲୋକମାନେ ବିଟ୍‌କଏନ ପରି ଆଭାସି ମୁଦ୍ରାରେ ବ୍ୟାପକ ମାତ୍ରାରେ ପୁଞ୍ଜି ନିବେଶ କରୁଛନ୍ତି। ବିଶେଷ କରି ବେକାର ଯୁବଗୋଷ୍ଠୀ ଏହାକୁ ସେମାନଙ୍କ ଆୟର ଏକ ପନ୍ଥା ଭାବେ ଗ୍ରହଣ କରିଛନ୍ତି। ଅତୀତରେ ଏହି ମୁଦ୍ରା ଆଶାତୀତ ରିଟର୍ଣ୍ଣ ଦେଇ ନିବେଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲା। ଅଳ୍ପ ସମୟରେ ଅଧିକ ଅର୍ଥ କମାଇବାର ମାଧ୍ୟମ ଥିଲା କ୍ରାଏପ୍ଟୋ କରେନ୍ସି। ତେବେ ସ୍ଥିରତା ରହୁ ନଥିବାରୁ ଏହାର ମୂଲ୍ୟ ମଧ୍ୟ ବହୁ ତଳକୁ ଖସି ଯାଇଥାଏ। ଏପରି ସ୍ଥିତିରେ ନିବେଶକ କୋଟିକୋଟି ଟଙ୍କା କ୍ଷତି ସହି ମାନସିକ ଭାରସାମ୍ୟ ହରାଇ ବସେ। ଏବେ ବିଟକଏନର ମୂଲ୍ୟ ସାଢ଼େ ୬୫ ହଜାର ଆମେରିକୀୟ ଡଲାର (ପ୍ରାୟ ୪୯ ଲକ୍ଷ ଟଙ୍କା)। ସ୍ବଳ୍ପ ସମୟ ମଧ୍ୟରେ ଏହି ମୁଦ୍ରା ଅତି ଶକ୍ତିଶାଳୀ ହୋଇ ପାରିଛି। ତେବେ ସର୍ବଦା ଏହି ମୁଦ୍ରା ଏପରି ସ୍ଥିତିରେ ଥିବ ଭାବିବା ଭୁଲ। ଆଗାମୀ ଦିନରେ ଏହାର ମୂଲ୍ୟ ହ୍ରାସ ପାଇପାରେ।

୨୦୦୦ ମସିହା ଠାରୁ କମ୍ପ୍ୟୁଟର ଓ ଆଇଟି କମ୍ପାନୀଗୁଡ଼ିକର ବେପାର ବେଶ୍‌ ବୃଦ୍ଧି ପାଇବାରେ ଲାଗିଛି। ସେହି ବର୍ଷଠାରୁ ଏପରି କମ୍ପାନୀଗୁଡ଼ିକରେ ଲୋକମାନେ ବହୁତ ପୁଞ୍ଜି ନିବେଶ କରିଥିଲେ। ତେବେ କିଛି ବର୍ଷ ପରେ ବେପାର ମାନ୍ଦା ପଡ଼ିବାରୁ ପୁଞ୍ଜି ନିବେଶକ କାଙ୍ଗାଳ ହୋଇ ଯାଇଥିଲେ। ଆଭାସି ମୁଦ୍ରା ଅଦୃଶ୍ୟ ହେତୁ ଏହାର ଚୋରି ସମ୍ଭାବନା କମ୍‌ ବୋଲି ନିବେଶକମାନେ ଭାବୁଥିଲେ ା ତେବେ ନିକଟରେ କର୍ଣ୍ଣାଟକରେ ଘଟିଥିବା ବିଟ୍‌କଏନ ମାମଲା ସଭିଙ୍କୁ ଚକିତ କରିଛି। କେତେକ ସାଇବର ଅପରାଧୀ କ୍ରାଏପ୍ଟୋ କରେନ୍ସି ୱେବସାଇଟ୍‌କୁ ହ୍ୟାକ କରି କୋଟିକୋଟି ବିଟ୍‌କଏନ ନିଜନିଜର ଜମାଖାତାକୁ ନେଇ ଯାଇଥିଲେ। ଏହା ସରକାରୀ ନିୟନ୍ତ୍ରଣରେ ନଥିବାରୁ କ୍ଷତିଗ୍ରସ୍ତ ନିବେଶକଙ୍କୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ। ଏହିପରି ଏକାଧିକ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କମ୍ପ୍ୟୁଟରକୃତ ଅଥବା ଡିଜିଟାଲ ମୁଦ୍ରା ପ୍ରଚଳନ କରିବା ନିଷ୍ପତ୍ତି ସରକାର ନେବା ଉଚିତ୍‌। କ୍ରାଏପ୍ଟୋ କରେନ୍ସିର ମାୟାଜାଲରୁ ନିବେଶକଙ୍କୁ ବଞ୍ଚାଇବାକୁ ହେଲେ ସରକାର ସମାନ୍ତରାଳ ଭାବେ ଆଇନସମ୍ମତ ଡିଜିଟାଲ ମୁଦ୍ରା ପ୍ରଚଳନ କରିବା ଉପରେ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ। କେବଳ ବେଆଇନ ଘୋଷଣା କରିଦେଲେ ହେବ ନାହିଁ ; ନିବେଶକଙ୍କୁ ଏହାର ବିକଳ୍ପ ଯୋଗାଇ ଦେବା ଆବଶ୍ୟକ। କ୍ରାଏପ୍ଟୋ କରେନ୍ସି ପ୍ରଚଳନରୁ ସରକାରଙ୍କୁୁ କୌଣସି ଟିକସ ମିଳେ ନାହିଁ। ଯଦି ଏହାକୁ ଆଇନ ସମ୍ମତ କରିଦିଅନ୍ତେ ତେବେ ସରକାର ମଧ୍ୟ ଲାଭ ପାଇପାରନ୍ତେ। ଆଗାମୀ ଶୀତକାଳୀନ ଅଧିବେଶନରେ ଏହି ବିଧେୟକ ଯଦି ଗୃହୀତ ହୁଏ ଅଦୃଶ୍ୟ ମୁଦ୍ରା ଦୃଶ୍ୟମାନ ହେବ ଓ ଅଧିକ ସଂଖ୍ୟାରେ ନିବେଶକ ଏଥିରେ ପୁଞ୍ଜି ନିବେଶ କରିବେ। ଏହାଦ୍ବାରା ଦେଶର ଅର୍ଥନୀତି ମଧ୍ୟ ସୁଦୃଢ ହୋଇ ପାରିବ।

Comments are closed.