ସରକାରଙ୍କ ପାଇଁ ଚେତାବନୀ
ଗତ ବୁଧବାର କେନ୍ଦ୍ର ସରକାର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (ଏନ୍ଏଫ୍ଏଚ୍ଏସ-୫)ଦ୍ବିତୀୟ ପର୍ଯ୍ୟାୟର ଯେଉଁ ନିଷ୍କର୍ଷ ପ୍ରକାଶ କରିଛନ୍ତି, ସେଥିରେ ଓଡ଼ିଶା କେତେକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବାବେଳେ ଅନେକ କ୍ଷେତ୍ରରେ ଉଦ୍ବେଗଜନକ ସ୍ଥିତିରେ ରହିଛି। ଏଥିରେ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଜନସଂଖ୍ୟା, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୋଷଣ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସ୍ଥାନ ପାଇଛି। ସୂଚନାଯୋଗ୍ୟ, ଏନ୍ଏଫଏଚ୍ଏସ୍-୫ର ପ୍ରଥମ ପର୍ଯ୍ୟାୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହାର ରିପୋର୍ଟ ଗତ ୨୦୨୦ ଡିସେମ୍ବରରେ ସାର୍ବଜନୀନ ହୋଇଥିଲା।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ରିପୋର୍ଟରେ ଭାରତରେ ମୋଟ ପ୍ରଜନନ ହାର ବର୍ତ୍ତମାନ ୨.୦ ଥିବାବେଳେ ଏନ୍ଏଫ୍ଏସ୍ଏସ୍-୫ରେ ଏହା ୨.୨ ରହିଥିଲା। ଓଡ଼ିଶାରେ ମଧ୍ୟ ଏହା ହ୍ରାସ ପାଇଛି। ଏଥିରୁ ଜନସଂଖ୍ୟାର ସ୍ଥିରତା ରହିଛି ବୋଲି କୁହାଯାଇପାରିବ, ଯାହା ଗତ ପାଞ୍ଚବର୍ଷ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। ଅନ୍ୟ ପକ୍ଷରେ ସମଗ୍ର ଭାରତବର୍ଷରେ ରକ୍ତହୀନତା (ଏନିମିଆ)ରେ ପୀଡ଼ିତ ଶିଶୁ ଓ ମହିଳାଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ୫ରୁ ୫୯ ମାସର ୬୭% ଶିଶୁ ରକ୍ତହୀନତାରେ ପୀଡ଼ିତ ଅଛନ୍ତି, ଯାହା ଏନ୍ଏଫଏଚ୍ଏସ୍-୪ରେ (୨୦୧୫-୧୬) ୫୮.୬% ରହିଥିଲା। ଓଡ଼ିଶାରେ ମଧ୍ୟ ଏହି ହାର ଖୁବ୍ ବୃଦ୍ଧି ପାଇଥିବା ଦେଖାଯାଇଛି। ୨୦୧୫ରେ ଏହା ୪୪.୬ ଶତାଂଶ ଥିବାବେଳେ ପାଞ୍ଚବର୍ଷ ପରେ ଏହା ୬୪.୨ ଶତାଂଶରେ ପହଞ୍ଚିଛି। ସହରାଞ୍ଚଳର ୫୬.୨ ଶତାଂଶ ଓ ଗ୍ରାମାଞ୍ଚଳର ୬୫.୬ ଶତାଂଶ ଶିଶୁ ଏଥିରେ ଅନ୍ତର୍ଭୁକ୍ତ। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତା ବୃଦ୍ଧି ପାଇଛି। ଗତ ସର୍ବେକ୍ଷଣରେ ୧୫-୪୯ ବର୍ଷ ବୟସର ୫୧ ଶତାଂଶ ମହିଳା ଏହି ରୋଗରେ ପୀଡ଼ିତ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୪.୩ ଶତାଂଶରେ ପହଞ୍ଚିଛିି।
ସବୁଠୁ ବଡ଼ ଚିନ୍ତାର ବିଷୟ ଯେ ସହରାଞ୍ଚଳର ୬୧.୪ ଶତାଂଶ ଓ ଗ୍ରାମାଞ୍ଚଳର ୬୬.୩ ଶତାଂଶ କିଶୋରୀ/ଯୁବତୀ ମଧ୍ୟ ରକ୍ତହୀନତାରେ ପୀଡ଼ିତ। ବିବାହ ପରେ ଏହି ଯୁବତୀଙ୍କଠାରୁ ଜନ୍ମିତ ଶିଶୁ ମଧ୍ୟ ସେଥିରେ ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ। ଶିଶୁ ଓ ମହିଳାଙ୍କ ଏହି ସ୍ବାସ୍ଥ୍ୟ ଅବନତି ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କ ପୁଷ୍ଟି ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରୁଛନ୍ତି; କିନ୍ତୁ ଯୋଜନାଗୁଡ଼ିକ ସେମାନଙ୍କ ପାଖରେ ଠିକରେ ପହଞ୍ଚୁଛି ତ? ମହାମାରୀ କାଳରେ ସେମାନଙ୍କ ନିକଟରେ ସରକାରୀ ବ୍ୟବସ୍ଥା ପହଞ୍ଚି ନପାରିବା ସ୍ବାଭାବିକ ବୋଲି ସରକାର କହୁଛନ୍ତି; କିନ୍ତୁ ଅନ୍ୟ ସମୟରେ ମଧ୍ୟ ଏହାର ଲାଭ ସେମାନେ ପାଇପାରିଛନ୍ତି ସେଭଳି ଜଣାପଡ଼ୁନାହିଁ। ସହରାଞ୍ଚଳର ଅର୍ଦ୍ଧାଧିକ ଓ ଗ୍ରାମାଞ୍ଚଳର ଦୁଇ-ତୃତୀୟାଂଶ ଶିଶୁ ଓ ମହିଳା ଯଦି ରକ୍ତହୀନତା ରୋଗରେ ପୀଡ଼ିତ, ତେବେ ସରକାରଙ୍କୁ ଏ ବିଷୟରେ ଗଭୀର ଚିନ୍ତନ କରିବାର ଆବଶ୍ୟକତା ରହିଛି; କାରଣ ରକ୍ତହୀନତା ଅନ୍ୟାନ୍ୟ ବହୁ ରୋଗକୁ ନିମନ୍ତ୍ରଣ କରି ଆଣିଥାଏ। ଓଡ଼ିଶା ସରକାର ମହିଳାମାନଙ୍କ ପାଇଁ ବହୁତ କିଛି କରୁଛନ୍ତି ବୋଲି କହୁଛନ୍ତି; କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା କିପରି ହେଉଛି, ଏହି ତଥ୍ୟ ବାସ୍ତବତାକୁ ଦର୍ଶାଉଛି। ସାମାଜିକ ସ୍ତରରେ ମଧ୍ୟ ଏ ନେଇ କିଛି ସମସ୍ୟା ନିଶ୍ଚୟ ରହିଛି; କାରଣ ପୁରୁଷଙ୍କ କ୍ଷେତ୍ରରେ ରକ୍ତହୀନତା ଦେଖାଯାଇନାହିଁ। ଏଥିରୁ ଖାଦ୍ୟପେୟ ଉପଯୋଗିତାରେ କିଛି ଲିଙ୍ଗଗତ ପ୍ରଭେଦ ରହୁଥିବା ଅନୁମେୟ।
ଏହି ସ୍ବାସ୍ଥ୍ୟ ସର୍ବେକ୍ଷଣରୁ ଆଉ ଯେଉଁ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି, ତାହା ହେଲା କନ୍ୟା ସନ୍ତାନ ପ୍ରତି ହତାଦର। ଜନ୍ମବେଳେ ଲିଙ୍ଗ ଅନୁପାତ ୨୦୧୫-୧୬ରେ ୧୦୦୦ ପୁରୁଷରେ ୯୩୨ ମହିଳା ଥିଲାବେଳେ ଏହା ଏନ୍ଏଫ୍ଏଚ୍ଏସ୍-୫ରେ ୮୯୪କୁ ଖସିଆସିଛି। ଆମ ସମସ୍ତଙ୍କ ପାଇଁ ଏହା ଏକ ବଡ଼ ସତର୍କଘଣ୍ଟି। କିଛି ବର୍ଷ ତଳେ ଆମ ରାଜ୍ୟରେ କନ୍ୟା ଭ୍ରୂଣହତ୍ୟା ବେଶ୍ ଚହଳ ସୃଷ୍ଟି କରିଥିଲା; କିନ୍ତୁ ଏବେ ଏପରି ଘଟନା ସମସ୍ତଙ୍କ ଅଲକ୍ଷ୍ୟରେ ବଢ଼ିଚାଲିଥିଲେ ହେଁ ତାକୁ ଉପେକ୍ଷା କରାଯାଉଛି, ଏହି ତଥ୍ୟାବଳୀରୁ ତାହା ଅନୁମାନ କରାଯାଇପାରେ। ବଡ଼ ଚିନ୍ତାର ବିଷୟ ଯେ ସହରାଞ୍ଚଳ (୯୫୦) ଅପେକ୍ଷା ଗ୍ରାମାଞ୍ଚଳ (୮୮୫)ରେ ଏହି ଲିଙ୍ଗ ଅନୁପାତ ଅଧିକ ହ୍ରାସ ପାଇଛି। ଏହାର ଅର୍ଥ ଗ୍ରାମାଞ୍ଚଳରେ ମଧ୍ୟ କନ୍ୟା ଶିଶୁଙ୍କ ପ୍ରତି ହତାଦର ଉଦ୍ବେଗଜନକ ଭାବେ ବଢ଼ିଛି। ଅବଶ୍ୟ ରାଜ୍ୟରେ ମୋଟ ଜନସଂଖ୍ୟାର ଲିଙ୍ଗ ଅନୁପାତ ପାଞ୍ଚ ବର୍ଷ ତଳେ ୧,୦୩୬ ଥିବାବେଳେ ଏହି ସର୍ବେକ୍ଷଣରେ ଏହା ୧,୦୬୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ନବଜାତ ଓ ଶିଶୁ ମୃତ୍ୟୁ ହାର କ୍ଷେତ୍ରରେ ଓଡ଼ିଶା ସାମାନ୍ୟ ଉନ୍ନତି କରିଛି। ଏନ୍ଏଫ୍ଏଚ୍ଏସ୍-୫ର ତଥ୍ୟ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରକାର ଚେତାବନୀ। ଏହାକୁ ଅଦେଖା ନ କରି ଶିଶୁ ଓ ମହିଳାଙ୍କ ରକ୍ତହୀନତା ହ୍ରାସ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବା ଜରୁରୀ ମନେହୁଏ। ଆବଶ୍ୟକ ହେଲେ ପୁଷ୍ଟିହୀନତାର ନିରାକରଣ ନିମନ୍ତେ ଅଧିକ ଅନୁଦାନ ଯୋଗାଇ ଦିଆଯାଉ। ସ୍ବାସ୍ଥ୍ୟ ମାନକଗୁଡ଼ିକ ଯେ ପରସ୍ପର ସହ ସମ୍ବନ୍ଧିତ, ତାହା ବୁଝାଇ କହିବା ଅନାବଶ୍ୟକ।
Comments are closed.