www.samajalive.in
Saturday, December 13, 2025
14.1 C
Bhubaneswar

ପଦୋନ୍ନତି ଲାଳସା

ପଦୋନ୍ନତି ଲାଳସାରେ ଦେଶର ଗୁଣାତ୍ମକ ଶିକ୍ଷା ହ୍ରାସ ପାଉଛି

ଗବେଷଣା ଓ ବିକାଶ ମଧ୍ୟରେ ଅତୁଟ ସମ୍ପର୍କ ରହିଛି। କୌଣସି ବିଷୟରେ ଗବେଷଣା ବିନା ସେହି କ୍ଷେତ୍ରରୁ ବିକାଶ ଆଶା କରିବା ବୃଥା। ଦେଶର ବିଭିନ୍ନ ଏକାଡେମୀଗୁଡ଼ିକରେ କରାଯାଉଥିବା ଗବେଷଣା ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ପୂର୍ବରୁୁ କୌଣସି ରୋଗର ଟିକା ଉଦ୍ଭାବନ କରିବା ପାଇଁ ଦୀର୍ଘ ବର୍ଷ ଲାଗି ଯାଉଥିଲା। ଏପରିସ୍ଥଳେ ଆମ ଦେଶ​‌େ​‌ର ବର୍ଷକ ମଧ୍ୟରେ କରୋନା ଟିକା ବିକଶିତ ହେବା କମ୍‌ ବଡ଼ କଥା ନୁହେଁ। ବିଭିନ୍ନ ପ୍ରକ୍ରିୟା ଓ ପ୍ରାମାଣିକ ତଥ୍ୟ ଆଧାରରେ କୌଣସି ଟିକାକୁ ଶେଷ ରୂପ ଦେବା ସମୟସାଧ୍ୟ। ଟିକା ପ୍ରସ୍ତୁତ ପାଇଁ ଏକାଧିକ ସଂସ୍ଥା ବା ଅନୁଷ୍ଠାନ ଉଦ୍ୟମ ଆରମ୍ଭ କରିଥା’ନ୍ତି। ପୂର୍ବାପେକ୍ଷା ଏବେ ଯୋଗାଯୋଗ ଓ ବୈଷୟିକ ବିଦ୍ୟାର ଅଗ୍ରଗତି ଯୋଗୁଁ ଯେ କୌଣସି ଗବେଷଣା ସରଳ ଓ ସହଜ ହୋଇ ପାରିଛି। ଗୋଟିଏ ପଟେ ଅଭିଜ୍ଞ ଗବେଷକ ଦୀର୍ଘ ସମୟ ଧରି ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରସ୍ତୁତ କରୁଥିବାବେଳେ ଆଉ କେତେକ ଭ୍ରମାତ୍ମକ ତଥ୍ୟ ପ୍ରଚାରରେ ବାହାବା ନେବାରେ ଲାଗିଛନ୍ତି। ଫଳରେ ବିଦ୍ବାନ ଗବେଷକଙ୍କ ପରିଶ୍ରମର ମୂଲ୍ୟ ରହୁ ନାହିଁ। ଲୋକମାନେ ମଧ୍ୟ ଦ୍ବିଧାରେ ରହି କାହାକୁ ବିଶ୍ବାସ କରିବେ ଜାଣି ପାରୁ ନାହାନ୍ତି।

- Advertisement -

ବର୍ଷ ୨୦୨୦ରେ କରୋନା ମହାମାରୀ ସମୟରେ ବୈଜ୍ଞାନିକ ଓ ଚିକିତ୍ସା ବିଶେଷଜ୍ଞଙ୍କ ଗବେଷଣା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଲକ୍ଷାଧିକ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। ଗୋଟିଏପଟେ ବୈଜ୍ଞାନିକଙ୍କ ଗବେଷଣା ବୃଦ୍ଧି ପାଉଥିଲେ ମଧ୍ୟ କେତେକଙ୍କ ଲେଖାର ଗୁଣବତ୍ତା ରହୁ ନାହିଁ। ଗୁଣବତ୍ତା ନଥିବା ଲେଖା ସମାଜ ବା କୌଣସି ଅନୁଷ୍ଠାନର କେବେ ବି ମଙ୍ଗଳ କରି ପାରିବ ନାହିଁ। ଏପରି ଆତ୍ମପ୍ରଚାର ଗବେଷକଙ୍କ ଲେଖା କେବଳ ନିଜ ପାଇଁ ବୋଲି ବୁଝିବାକୁ ପଡ଼ିବ। ବୈଜ୍ଞାନିକ ସନ୍ଦର୍ଭରେ ଲେଖାଯାଉଥିବା ଆଲେଖ୍ୟଗୁଡ଼ିକୁ ସାଧାରଣତଃ ଗୁରୁତ୍ବ ଦିଆଯାଇଥାଏ। ବଜାର କେନ୍ଦ୍ରିକ ନ ହୋଇ ଏହି ଆଲେଖ୍ୟଗୁଡ଼ିକ ଲୋକଙ୍କ ବିଶ୍ବାସ ଭାଜନ ହେବା ଆବଶ୍ୟକ। ମହାମାରୀ ସମୟରେ କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଅଥବା ଟିକା ନେଇ ରୋଗୀର ମୃତ୍ୟୁ ଓ ଅମୁକ ଔଷଧ ସେବନ କଲେ କରୋନା ରୋଗୀ ଭଲ ହୋଇ ଯାଉଛନ୍ତି ପରି ବିଭିନ୍ନ ତଥ୍ୟ ପଦାକୁ ଆସିବାରେ ଲାଗିଛି। ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଥବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ମୁଖ୍ୟ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଉଛନ୍ତି। ଶେଷ ନିଷ୍କର୍ଷରେ ନ ପହଞ୍ଚି ଅଧା ଗବେଷଣାରେ ସନ୍ଦର୍ଭ ପ୍ରକାଶ କରିବା ଯୋଗୁଁ ଏପରି ପରିସ୍ଥିତି ଉପୁଜୁଛି।

ଏହି ସବୁ ସୂଚନା ସମାଜରେ ଲୋକଙ୍କ ମଧ୍ୟରେ ଭ୍ରମ ଓ ଭୟ ଉତ୍ପନ୍ନ କରୁଛି। ପରିସ୍ଥିତି ଏପରି ହୋଇଛି, କେତେକ କୋଭିଡ ଆକ୍ରାନ୍ତ ଏସବୁ ଭ୍ରମାତ୍ମକ ଖବର ଶୁଣି ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଉଛନ୍ତି। ଏପରି ଭ୍ରମାତ୍ମକ ଓ ମିଥ୍ୟା ସୂଚନା ଦେଉଥିବା ଗବେଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସେ ରାଜନୈତିକ ହେଉ କିମ୍ବା ଚିକିତ୍ସା କ୍ଷେତ୍ର ସମ୍ବନ୍ଧିତ ଗବେଷଣା; କୌଣସି ବୌଦ୍ଧିକ ସମୀକ୍ଷା ବିନା ଏସବୁ ପ୍ରକାଶ କରିବା ଉଚିତ୍‌ ନୁହେଁ। ଗବେଷକ ଓ ସୂଚନାଦାତାଙ୍କ ଏହା ହେଉଛି ନୈତିକ ଦାୟିତ୍ବ। ଏହି ଭ୍ରମାତ୍ମକ ଗବେଷଣା ଦ୍ବାରା ସମାଜରେ ମିଥ୍ୟା ପ୍ରଚାର ବ୍ୟାପିଚାଲିଛି। ସେମାନଙ୍କ ଉପରେ ଅଙ୍କୁଶ ଲଗାଯିବା ଆବଶ୍ୟକ।

ପ୍ରାମାଣିକ ତଥ୍ୟ ବିନା ପ୍ରକାଶ ପାଉଥିବା ଏହି ଗବେଷଣାଗୁଡ଼ିକ ସାମାଜିକ ଗଣମାଧ୍ୟମରେ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି। ଏପରି ମିଥ୍ୟା ଗବେଷଣାଗୁଡ଼ିକର ଚିତ୍ର, ଭିଡିଓ ଓ ସ୍ବର ପରିବର୍ତ୍ତନ କରାଯାଇ ପ୍ରସାର କରାଯାଉଛି। ଫଳରେ ଜଣକଠାରୁ ଅନ୍ୟ ଜଣକ ପର୍ଯ୍ୟନ୍ତ ଏହି ତଥ୍ୟ ପହଞ୍ଚିବା ବେଳକୁ ଅଧିକ ଭ୍ରମାତ୍ମକ ହୋଇ ଯାଉଛି। ଯେତେବେଳେ କୌଣସି ଲୋକତାନ୍ତ୍ରିକ ସଂସ୍ଥା ସରକାରଙ୍କ ହାତବାରିସି ସାଜିଥାଏ, ଶିକ୍ଷକ ଓ ବୁଦ୍ଧିଜୀବୀ ବର୍ଗ ସରକାରଙ୍କ ବୋଲକରା ହୋଇ ଯାଆନ୍ତି ସେତେବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ। ସିଦ୍ଧାନ୍ତାତ୍ମକ, ବିଚାରାତ୍ମକ ଓ ଅନୁଭବାତ୍ମକ ଗବେଷଣା ବିନା କୌଣସି ଲେଖା ଜନସାଧାରଣଙ୍କ ହିତରେ ଲାଗି ପାରିବ ନାହିଁ। ସର୍ବେକ୍ଷଣ ଓ ଅନୁସନ୍ଧାନ, ଜ୍ଞାନ ଏବଂ ସୂଚନାର ତାର୍କିକ ବିଶ୍ଳେଷଣ ବୁଦ୍ଧିଜୀବୀଙ୍କ ବିଶେଷତ୍ବ।

ତେବେ ଆଜିର ଇଣ୍ଟରନେଟ ଯୁଗରେ କେତେକ ଆତ୍ମପ୍ରଚାର ଗବେଷକ ନକଲ କରିବାରେ ବ୍ୟସ୍ତ। ଦେଶ ମଧ୍ୟରେ ଧରାପଡ଼ିବେ ଜାଣି ବିଶ୍ବର ଅନ୍ୟ ଗବେଷକଙ୍କ ସନ୍ଦର୍ଭ ଚୋରି କରି ସେସବୁକୁ କାଟଛାଣ୍ଟ କରି ନିଜ ନାମରେ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରୁଛନ୍ତି। କୌଣସି ବିଷୟ ଉପରେ ବର୍ଷାଧିକ କାଳ ଗବେଷଣା କଲେ ଏକ ସୁନ୍ଦର ସନ୍ଦର୍ଭ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଏବେ ନିଜକୁ ବିଶିଷ୍ଟ ଗବେଷକ ବୋଲାଉଥିବା କେତେକ ବ୍ୟକ୍ତି ଇଣ୍ଟରନେଟରୁ ଅନ୍ୟ ଗବେଷକଙ୍କ ସନ୍ଦର୍ଭ ନକଲ କରି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା- ସରକାର ଓ କେତେକ ବେସରକାରୀ ଅନୁଷ୍ଠାନ ଏପରି ଗବେଷକଙ୍କୁ ସାବାସି ଦେବା ସହ ପୁରସ୍କୃତ କରୁଛନ୍ତି। ଆଜିର ଯୁଗରେ ଲକ୍ଷଲକ୍ଷ ଗବେଷକ ସୃଷ୍ଟି ହେଉଛନ୍ତି; ଅଥଚ ମାର୍ଗଦର୍ଶକ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷା ପଦ୍ଧତି ଯୋଗୁଁ ନକଲି ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଆଜିର ଯୁଗରେ ଡିଗ୍ରୀ ବିନା ଶିକ୍ଷା ସଂସ୍ଥାଗୁଡ଼ିକରେ ପଦୋନ୍ନତି ଦିଆଯାଉ ନାହିଁ। ତେଣୁ ପଦୋନ୍ନତି ଲାଳସାରେ ଚାକିରି ଥାଇ ସେମାନେ ଅନାମଧେୟ ବିଶ୍ବବିଦ୍ୟାଳୟରୁ ପ୍ରମାଣପତ୍ର ଯୋଗାଡ କରିପାରୁଛନ୍ତି। ଏହି ପ୍ରମାଣପତ୍ର ସେମାନଙ୍କୁ ପଦୋନ୍ନତିର ସ୍ବାଦ ଚଖାଇ ପାରୁଛି। ଶିକ୍ଷା ଓ ଗବେଷଣାର ଗୁଣାତ୍ମକମାନ ହ୍ରାସ ପାଇଲେ କୌଣସି କ୍ଷେତ୍ରରେ ବିକାଶ ଆଶା କରିବା ବୃଥା। ଏପରି ମିଥ୍ୟା ପ୍ରଚାର କରୁଥିବା ଗବେଷକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories