କୋଭିଡ୍-୧୯ ଯୋଗୁଁ ବେରୋଜଗାରଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ୯୫ ଶତାଂଶ ଲୋକଙ୍କ ଆୟ ହ୍ରାସ ପାଇଛି। ଏହିପରି ସମୟରେ ବଜାରରେ ଜିନିଷପତ୍ରର ଦରଦାମ୍ ଯେପରି ପ୍ରତି ମୁହୂର୍ତ୍ତରେ ବଢ଼ିଚାଲିଛି, ତା’ର ମାଡ଼ ସହିବାକୁ ଲୋକଙ୍କର ଆଉ ବଳ ପାଉନାହିଁ। ସରକାର ଗରିବ ଓ ମଧ୍ୟବିତ୍ତଙ୍କ କ୍ଷତକୁ ଉପଶମ କରିବା ପରିବର୍ତ୍ତେ ଅଧିକ ଦାଉ ସାଧୁଥିବା ପରି ମନେହେଉଛି।
ଦେଶରେ ପାଞ୍ଚଟି ରାଜ୍ୟର ନିର୍ବାଚନ ସରିବା ପରଠାରୁ କ୍ରମାଗତ ପେଟ୍ରୋଲ ଓ ଡିଜେଲ୍ର ଦାମ୍ ବୃଦ୍ଧି ପାଇ ଏବେ ଦେଶର ବହୁ ଜାଗାରେ ଏହି ଇନ୍ଧନର ମୂଲ୍ୟ ଲିଟର ପିଛା ଶହେ ଟଙ୍କାରୁ ଅଧିକ ହେଲାଣି। ଏପରି ବୃଦ୍ଧିକୁ ଦେଖି ପ୍ରଥମରୁ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ୍ୟ ସାବ୍ୟସ୍ତ ହୋଇଛି ଏବଂ ତା’ର ପ୍ରଭାବ ଏବେ ବଜାରର ସମସ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଦେଖିବାକୁ ମିଳିଲାଣି। ଖୁଚୁରା ମହରଗ ହାର ନେଇ ସରକାରଙ୍କର ଯେଉଁ ପରିସଂଖ୍ୟାନ ଆସିଛି, ସେଥିରେ ଏହା ଜଳଜଳ ହୋଇ ଦିଶୁଛି। ପେଟ୍ରୋଲ୍ ଡିଜେଲ୍ ଦର କ୍ରମଶଃ ଲୋକଙ୍କ ପାଇଁ ଅତି କଷ୍ଟଦାୟକ ହେଉଥିବାବେଳେ ନିତ୍ୟବ୍ୟବହାର୍ଯ୍ୟ ଓ ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି।
ମୁଦ୍ରାସ୍ଫୀତି ହାର ଯଦି ବର୍ତ୍ତମାନ ଗତିରେ ବଢ଼ିଚାଲେ, ତେବେ ତାହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ବିପର୍ଯ୍ୟୟ ସୃଷ୍ଟିକାରୀ ହେବ
ସରକାରୀ ପରିସଂଖ୍ୟାନ ଅନୁଯାୟୀ ଅଶୋଧିତ ତୈଳ ଓ ବିନିର୍ମିତ ବସ୍ତୁଗୁଡ଼ିକର ଦର ବୃଦ୍ଧି ଫଳରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମହରଗ ହାର ଗତ ମେ ମାସରେ ଅତି ଉଚ୍ଚ ସ୍ତର ୧୨.୯୪ ଶତାଂଶରେ ପହଞ୍ଚିଥିଲା। ମାତ୍ର ବର୍ଷକ ତଳେ ମୁଦ୍ରାସ୍ଫୀତି ଶୂନରୁ ୩.୩୭ ଶତାଂଶ ତଳେ ରହିଥିଲା। ଏବେ ଖାଦ୍ୟପେୟର ଦର ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଦୈନନ୍ଦିନ ଆବଶ୍ୟକ ଜିନିଷପତ୍ରର ଦାମ୍ ଅନିୟନ୍ତ୍ରିତ ହୋଇସାରିଛି। ଚଳିତବର୍ଷ ଆରମ୍ଭରୁ ହିଁ ପାଇକାରୀ ଓ ଖୁଚୁରା ମୂଲ୍ୟ ବୃଦ୍ଧି ପାଇଚାଲିଛି, ଯାହା ଉପରେ କାହାର ଆଦୌ ନିୟନ୍ତ୍ରଣ ଥିବା ପରି ମନେହେଉ ନାହିଁ। ସରକାର ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍ବିଆଇ)କୁ ଖୁଚୁରା ମୁଦ୍ରାସ୍ଫୀତିର ହାର ଦୁଇ ଶତାଂଶ କମ୍ ବା ବେଶି ସହ ୨-୬ ଶତାଂଶ ମଧ୍ୟରେ ରଖିବାକୁ କହିଥିଲେ।
ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିସହ ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଭାତଥାଳି ଜଡ଼ିତ; କିନ୍ତୁ ତାହା ନୋହିଲା। ଏବେ ମନେହେଉଛି ଏହା କେବଳ ସରକାରୀ ଦସ୍ତାବିଜ୍ ଭିତରେ ହିଁ ସୀମିତ ହୋଇ ରହିଯାଇଛି। ପରିଣାମସ୍ବରୂପ ଖୁଚୁରା ମହରଗ ହାର ମେ ମାସରେ ବୃଦ୍ଧି ପାଇ ୬.୩୦ ଶତାଂଶରେ ପହଞ୍ଚିଥିଲା। ବିଡ଼ମ୍ବନା ହେଲା, ଯେଉଁ ସମୟରେ ଦୈନନ୍ଦିନ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି, ସେତେବେଳେ ଏପରି ନୀତି କାର୍ଯ୍ୟକାରୀ ହେଉଛି ଯେ ମହରଗ କମିବା ବଦଳରେ କ୍ରମାଗତ ବଢ଼ିଚାଲିଛି। ଏବେ ମଧ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍ରେ ସର୍ବାଧିକ ଟିକସ ଆଦାୟ କରୁଛନ୍ତି। ସେପଟେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏସବୁ ଏକ ନିମ୍ନଗାମୀ ଅର୍ଥନୀତିର ଲକ୍ଷଣ, ଯାହା ଆଗକୁ ଏକ ବିକଟ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।
କେନ୍ଦ୍ରୀୟ ବ୍ୟାଙ୍କ ଯଦି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିପାରିବ ନାହିଁ, ତେବେ ଏହାର ଚାପ ଉପଭୋକ୍ତାଙ୍କ ବାସ୍ତବ ଆୟ ଉପରେ ପଡ଼ିବ ଏବଂ ତାହା ଚାହିଦାର ଅଭିବୃଦ୍ଧିକୁ ଆପେ ହ୍ରାସ କରିବ। ଗତ ବର୍ଷକ ଭିତରେ ଲୋକଙ୍କ ଆୟ କମିବା ପରେ ଚାହିଦା ଓ ଯୋଗାଣ ଉଭୟ ଅସ୍ବାଭାବିକ ହୋଇଛି। ଆଗକୁ ଯଦି ମୁଦ୍ରାସ୍ଫୀତିର ହାର ଏପରି ଗତିରେ ଚାଲେ, ତେବେ ତାହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ବିପର୍ଯ୍ୟୟ ସୃଷ୍ଟିକାରୀ ହେବ। ଏଥିରୁ ମୁକୁଳିବା ଆଦୌ ସହଜ ହେବନାହିଁ। ବର୍ତ୍ତମାନ ଏହି ସ୍ଥିତିରୁ ରକ୍ଷା ପାଇବା ପାଇଁ ସରକାରଙ୍କୁ ନିଜର ଲୋଭ ପରିତ୍ୟାଗ କରିବାକୁ ହିଁ ହେବ। ପେଟ୍ରୋଲ୍ ଓ ଡିଜେଲ୍ ଭଳି ଇନ୍ଧନର ଖୁଚୁରା ମୂଲ୍ୟରେ ହ୍ରାସ କରିବାକୁ ହେବ ଏବଂ ଏଥିପାଇଁ କେନ୍ଦ୍ରୀୟ ଟିକସ କମାଇବା ଜରୁରୀ। ଏହା ଖୁଚୁରା ମହରଗ ହାରକୁ ୬ ଶତାଂଶଠୁ କମ୍ କରିଦେଇପାରେ।
କେନ୍ଦ୍ର ସରକାର କିନ୍ତୁ ଇନ୍ଧନରୁ ଟିକସ ହ୍ରାସ ନ କରିବାକୁ ସତେଯେମିତି ବଦ୍ଧପରିକର, କାରଣ ଏହା ସପକ୍ଷରେ ହାସ୍ୟାସ୍ପଦ ଯୁକ୍ତି ବାଢ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବର୍ତ୍ତମାନର ଆବଶ୍ୟକତା ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥ ମନ୍ତ୍ରଣାଳୟ ସହ ଏ ବିଷୟରେ ଗଭୀର ବିଚାରବିମର୍ଶ କରି ଏହି ସଙ୍କଟର ସମାଧାନ ବାଟ ବାହାର କରୁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ନୀତିରେ ସ୍ପଷ୍ଟତା ରହୁ, ଯାହାକୁ ନିବେଶକ ଓ ଉତ୍ପାଦକମାନେ ମଧ୍ୟ ଜାଣନ୍ତୁ। ତା’ହେଲେ ସବୁ ସ୍ତରରେ ସ୍ବଚ୍ଛତା ରହିବ ଓ ବିଶ୍ବସନୀୟତା ବଢ଼ିବ। କୋଭିଡ଼ ୧୯ ମହାମାରୀରେ ଅର୍ଥବ୍ୟବସ୍ଥାର ଗତିକୁ ତ୍ବରାନ୍ବିତ କରିବାକୁ ହେଲେ ଏହା ସବୁଠୁ ବେଶି ଜରୁରୀ। ଅର୍ଥ ବ୍ୟବସ୍ଥାକୁ ଠିକ୍ ରାସ୍ତାକୁ ଆଣିବାକୁ ହେଲେ ଏହି ଅସାଧାରଣ ସମୟରେ ସରକାରଙ୍କୁ ମଧ୍ୟ କିଛି ନୂଆ ଏବଂ ଅସାଧାରଣ ପଦକ୍ଷେପ ଆପଣାଇବାକୁ ପଡ଼ିବ। ସରକାର ନିଜର ଦୋଷଦୁର୍ବଳତାଗୁଡ଼ିକୁ ଚିହ୍ନଟ କଲେ ହିଁ ତାହା ସମ୍ଭବ ହେବ।


