bjd gruha runa banner

ଟିକା ନଷ୍ଟ ଚିନ୍ତାଜନକ

mission shakti banner

ଓଡ଼ିଶା, କେରଳ ଓ ପଶ୍ଚିମ ବଙ୍ଗର ଟିକାକରଣ ପ୍ରଣାଳୀକୁ ସଭିଏଁ ଗ୍ରହଣ କରିବା ଆବଶ୍ୟକ

ଟିକା ଅଭାବ ଯୋଗୁଁ ଅଧିକାଂଶ ରାଜ୍ୟରେ ପ୍ରାୟ ସପ୍ତାହେ ହେଲା ଟିକାକରଣ ଅଭିଯାନ ବନ୍ଦ ରହିଛି। ଦେଶରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ। ଏମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ନିଶ୍ଚୟ ଏକ ଆହ୍ବାନ ସଦୃଶ। ଏଥି ପାଇଁ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗି ପାରେ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସବୁ ବର୍ଗର ଜନସାଧାରଣଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି। ତେବେ ବିଭିନ୍ନ ରାଜ୍ୟରେ ଟିକା ଯେପରି ନଷ୍ଟ ହେଉଛି ତାହା ଚିନ୍ତାଜନକ।

କେନ୍ଦ୍ର ସରକାରଙ୍କ ସୂଚନାନୁଯାୟୀ, ଯୋଗାଇ ଦିଆଯାଇଥିବା ମୋଟ ଟିକାର ୩୩.୯୫ ପ୍ରତିଶତ ଝାଡ଼ଖଣ୍ଡରେ ନଷ୍ଟ ହୋଇଛି। ସେହିପରି କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ଟିକା ଆଦୌ ନଷ୍ଟ ହୋଇ ନାହିଁ। କେରଳରେ ଟିକା ନଷ୍ଟ ବିଯୁକ୍ତ (-୬.୩୭ ), ପଶ୍ଚିମ ବଙ୍ଗରେ (-୫.୪୮) ଓ ଓଡ଼ିଶାରେ (-୩.୧) ପ୍ରତିଶତ ରହିଛି। ବିଯୁକ୍ତ ଅର୍ଥ ହେଲା ଏକ ଟିକା ଶିଶିରେ ଥିବା ବଳକା ପାନର ସଦୁପଯୋଗ କରିବା। ଜଣେ ବ୍ୟକ୍ତି ଟିକା ନେବା ପରେ ଉକ୍ତ ଶିଶିରେ ଯାହା ବଳିପଡ଼େ ତାକୁ ଅଧିକାଂଶ ସ୍ବାସ୍ଥ୍ୟ କର୍ମୀ ଫିଙ୍ଗି ଦେଇଥା’ନ୍ତି। ତେବେ କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ବଳକା ଟିକାର ମଧ୍ୟ ବିନିଯୋଗ ହୋଇଛି। ଜଣେ ବ୍ୟକ୍ତି ପାଇଁ ଗୋଟିଏ ଟିକାଶିଶି ହିସାବକୁ ନିଆଯାଇଥାଏ। ଗୋଟିଏ କୋଭିସିଲ୍ଡ ଟିକାର ଗୋଟିଏ ଥାକରେ ୧୦ ପାନ ଓ ଗୋଟିଏ କୋଭାକ୍ସିନ ଗୋଟିଏ ଥାକରେ ୨୦ ପାନ ଥାଏ। ପ୍ରତି ଶିଶିରେ ୦.୫ ମି.ଲି. (ଜଣକ ପାଇଁ) ଟିକା ଥାଏ। ଗୋଟିଏ ଶିଶିରୁ ଜଣେ ବ୍ୟକ୍ତି ଟିକା ନେବା ପରେ ମାତ୍ର କିଛି ବଳିପଡ଼େ। କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀମାନେ ଅଳ୍ପ ବଳକା ଥିବା ଟିକା ଶିଶିକୁ ନଫିଙ୍ଗି ନୂଆ ଶିଶିରୁ ଆଉ କେତେ ମିଲି. ଟିକା ମିଶାଇ ୦.୫ ମିଲି. ଟିକା ଅନ୍ୟ ଜଣେ ବ୍ୟକ୍ତିକୁ ଦେଇଥା’ନ୍ତି। ଫଳରେ ସରକାର ୧୦ ଜଣଙ୍କ ପାଇଁ ୧୦ଟି ଟିକା ଶିଶି ପଠାଇ ଥିବାବେଳେ ସ୍ବାସ୍ଥ୍ୟ କର୍ମୀଙ୍କ ଦକ୍ଷତା ଯୋଗୁଁ ଏହା ପ୍ରାୟ ୧୨ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦିଆ ଯାଇପାରେ। ଏହାକୁ ହିଁ ବିଯୁକ୍ତ(-) ବା ବଳକା ଟିକା କହନ୍ତି। ଏପରି ପଦକ୍ଷେପ କେବଳ କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀମାନେ ଆପଣାଇଛନ୍ତି। ଗୋଟିଏ ଟିକା ପେଟି ଖୋଲିଲେ ଏଥିରେ ଥିବା ସମସ୍ତ ପାନ ୪ ଘଣ୍ଟା ମଧ୍ୟରେ ଶେଷ ହେବା ଆବଶ୍ୟକ। ୪ ଘଣ୍ଟା ପରେ ଏହା ନଷ୍ଟ ହୋଇ ଯାଇଥାଏ। ଶେଷରେ ଏହାକୁ ଫିଙ୍ଗିବାକୁ ପଡ଼ିଥାଏ। ତେଣୁ କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ଆବଶ୍ୟକୀୟ ବ୍ୟକ୍ତି ହେଲେ ଯାଇ ଟିକା ପେଟି ଖୋଲା ଯାଇଥାଏ। ଅର୍ଥାତ୍‌ ଗୋଟିଏ ଟିକା ପେଟିରେ ଯଦି ୧୦ ପାନ ଅଛି, ତେବେ ଏହି ପେଟି ଖୋଲିବା ପୂର୍ବରୁ ୧୦ ଜଣ ଲୋକ ଟିକା ଗ୍ରହଣ ପାଇଁ ଉପସ୍ଥିତ ଅଛନ୍ତି କି ନାହିଁ କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀ ଦେଖନ୍ତି। ତା’ ପରେ ଟିକା ପେଟି ଖୋଲନ୍ତି। ଫଳରେ ଟିକା ଆଉ ନଷ୍ଟ ହୁଏ ନାହିଁ। ଟିକାର ମହତ୍ତ୍ବ କେବଳ ଏହି ୩ଟି ରାଜ୍ୟ ବୁଝିଥିବା ଜଣାପଡ଼ୁଛି। ଅନ୍ୟ ରାଜ୍ୟର ସ୍ବାସ୍ଥ୍ୟ କର୍ମୀ ଉପରୋକ୍ତ ରାଜ୍ୟ ୩ଟିରୁ ଶିକ୍ଷା ଲାଭ କରିବା ଉଚିତ୍‌।

ଝାଡ଼ଖଣ୍ଡ ସର୍ବାଧିକ ଟିକା ନଷ୍ଟ କରିଥିବା ବେଳେ ଛତିଶଗଡ଼ରେ ୧୫.୭୯, ମଧ୍ୟ ପ୍ରଦେଶରେ ୭.୩୫, ପଞ୍ଜାବରେ ୭.୦୮, ନୂଆଦିଲ୍ଲୀରେ ୩.୯୫, ରାଜସ୍ଥାନରେ ୩.୯୧, ଉତ୍ତରପ୍ରଦେଶରେ ୩.୭୮, ଗୁଜରାଟରେ ୩.୬୩ ଓ ମହାରାଷ୍ଟ୍ରରେ ୩.୫୯ ପ୍ରତିଶତ ଟିକା ନଷ୍ଟ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମେ’ ମାସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୭୯୦.୬ ଲକ୍ଷ ଟିକା ପଠାଯାଇଥିଲା। ଏଥିରୁ ୬୧୦.୬ ଲକ୍ଷ ଟିକା ବ୍ୟବହାର କରାଯାଇଛି। ସରକାରୀ ସୂଚନା ଅନୁଯାୟୀ ଏପ୍ରିଲ ମାସ ଅପେକ୍ଷା ମେ’ରେ କମ୍‌ ଟିକାକରଣ ହୋଇଛି। ଦେଶର ମୋଟ ୨୮ଟି ରାଜ୍ୟରୁ କେବଳ କେରଳ, ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ଟିକା ନଷ୍ଟ ହୋଇ ନାହିଁ; ବରଂ ସେମାନେ ବଳକା ଟିକାର ସଦୁପଯୋଗ କରିଛନ୍ତି। ଟିକା ପରିଚାଳନାକୁ ନେଇ ଉପରୋକ୍ତ ୩ଟି ରାଜ୍ୟ ସରକାର କେତେ ତତ୍ପର ଏଥିରୁ ସହଜେ ଅନୁମେୟ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ ‘ଟିକାକରଣ ଅଭିଯାନରେ ଭାରତ କୌଣସି ବିକଶିତ ରାଷ୍ଟ୍ରଙ୍କଠାରୁ ପଛରେ ପଡ଼ି ନାହିଁ’। ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ପରି ୪ ବିକଶିତ ରାଷ୍ଟ୍ରଙ୍କ ଟିକାକରଣକୁ ଭାରତ ସହ ତୁଳନା କଲେ ଜଣାପଡ଼େ ଯେ ଭାରତ ଉନ୍ନତ ସ୍ଥିତିରେ ଅଛି। ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଆମେରିକାରେ ୩୦ କୋଟି ୧୬ ଲକ୍ଷ, ବ୍ରିଟେନରେ ୭ କୋଟି, ଜର୍ମାନୀରେ ୫ କୋଟି ୬୫ ଲକ୍ଷ ଓ ଫ୍ରାନ୍ସରେ ୪ କୋଟି ଟିକା ଦିଆଯାଇଥିଲା। ସେହିପରି ଏହି ସମୟ ମଧ୍ୟରେ ଭାରତ ୨୩ କୋଟି ୨୭ ଲକ୍ଷ ଟିକା ଦେଇଛି; ଅର୍ଥାତ୍‌ ଟିକାର ପାନ ଦୃଷ୍ଟିରୁ ଦେଖିଲେ ବିକଶିତ ରାଷ୍ଟ୍ର ଆମେରିକା ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।

ସେହିପରି ଚଳିତ ମାସ ୭ ତାରିଖ ସୁଦ୍ଧା ଆମେରିକାରେ ୧୩ କୋଟି ୮୯ ଲକ୍ଷ, ବ୍ରିଟେନରେ ୨.୭ କୋଟି, ଜର୍ମାନୀରେ ୧ କୋଟି ୮୧ ଲକ୍ଷ ଓ ଫ୍ରାନ୍ସରେ ୧କୋଟି ୨୯ ହଜାର ଜନସାଧାରଣ ଟିକାର ଦୁଇ ପାନ ନେଇ ସାରିଛନ୍ତି। ଏହି ସମୟ ମଧ୍ୟରେ ଭାରତର ୪କୋଟି ଲୋକ ଟିକାର ୨ ପାନ ନେଇ ସାରିଥିଲେ। ତେଣୁ ଟିକାର ଦୁଇପାନ ଦେବା କ୍ଷେତ୍ରରେ ମଧ୍ୟ ଭାରତ ଆମେରିକା ତଳକୁ ଦ୍ବିତୀୟ ସ୍ଥାନରେ ରହିଛି। ଯଦି ଟିକାର ଏକ ପାନ କଥା ବିଚାରକୁ ନିଆଯାଏ ଭାରତ ଆମେରିକାଠାରୁ ଆଗରେ ରହିଛି। ଏହି ସମୟ ମଧ୍ୟରେ ଆମେରିକାର ୧୮କୋଟି ଜନସାଧାରଣ ଟିକାର ପ୍ରଥମ ପାନ ନେଇଥିବାବେଳେ ଭାରତରେ ୧୯ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରଥମ ପାନ ନେଇଛନ୍ତି। ଯଦି ଟିକାକରଣରେ ଜନସାଧାରଣଙ୍କ ପ୍ରତିଶତକୁ ବିଚାରକୁ ନିଆଯାଏ ଭାରତ ଢେର ପଛରେ ଥିବା ଜଣାପଡ଼ିବ; କାରଣ ଭାରତର ଜନସଂଖ୍ୟା ଯେ କୌଣସି ବିକଶିତ ରାଷ୍ଟ୍ରର ଜନସଂଖ୍ୟାଠାରୁ ଢେର ଅଧିକ। ଆମେରିକାରେ ୩୨.୮ ଓ ବ୍ରିଟେନରେ ୬.୯ କୋଟି ଜନସାଧାରଣ ବାସ କରନ୍ତି। ଫ୍ରାନ୍ସ ଓ ଜର୍ମାନୀର ଜନସଂଖ୍ୟା ଭାରତ ତୁଳନାରେ ଅତି ନଗଣ୍ୟ।

ଆମ ଦେଶର ଜନସଂଖ୍ୟା ଏବେ ୧୩୫ କୋଟି​‌ରୁ ଊର୍ଦ୍ଧ୍ବ । ୭ ଜୁନ୍‌ ସୁଦ୍ଧା ଆମେରିକା ସମୁଦାୟ ଜନସଂଖ୍ୟାର ୪୨ ପ୍ରତିଶତ ଜନସାଧାରଣ ଟିକାର ଦୁଇଟି ପାନ ନେଇ ସାରିଥିବାବେଳେ ବ୍ରିଟେନରେ ୪୧, ଜର୍ମାନୀରେ ୨୧ ଓ ଫ୍ରାନ୍ସରେ ମୋଟ ଜନସଂଖ୍ୟାର ୧୯ ପ୍ରତିଶତ ଜନସାଧାରଣ ଦୁଇ ପାନ ନେଇ ସାରିଛନ୍ତି। ତେବେ ଭାରତରେ ଏହି ସମୟ ମଧ୍ୟରେ ମାତ୍ର ୩.୨୮ ପ୍ରତିଶତ ଜନସାଧାରଣ ଟିକାର ଦୁଇଟି ପାନ ନେଇ ଥିଲେ। ତେଣୁ ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ସବୁଠାରୁ କମ୍‌ ଲୋକ ଟିକା ନେଇଥିବା ଜଣାପଡ଼ିଛି। ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ଜନସାଧାରଣଙ୍କୁ ଟିକା ଯୋଗାଇ ଦେବା ଦୁରୂହ ବ୍ୟାପାର ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଉତ୍ପାଦନ ଠାରୁ ଆରମ୍ଭ କରି ଟିକା ଯୋଗାଣ ବ୍ୟବସ୍ଥା ବିକଶିତ ରାଷ୍ଟ୍ରଗୁଡ଼ିକରେ ଯେପରି ସହଜ ଓ ସରଳ ଭାରତରେ ସେପରି ନୁହେଁ। ତେଣୁ ଟିକାର ବୋଝ କେବଳ କେନ୍ଦ୍ର ସରକାରଙ୍କ ଉପରେ ଲଦି ଦେଲେ ହେବନି ା ପ୍ରତିଟି ରାଜ୍ୟ ସରକାର, ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ ଓ ଦେଶର ଜନସାଧାରଣ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିବା ଆବଶ୍ୟକ। ଟିକା ଯେପରି ନଷ୍ଟ ନହୁଏ ଓ ଅଧିକରୁ ଅଧିକ ଲୋକ ନେଇପାରିବେ ସେଥିପାଇଁ ରାଜ୍ୟ ସରକାର ବିଶେଷ ଯତ୍ନବାନ୍‌ ହେବା ଆବଶ୍ୟକ।

Comments are closed.