www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ-ଆମେରିକା ନୂତନ ସମ୍ପର୍କ: ଚୀନ୍‌-ପାକିସ୍ତାନକୁ ବାଇଡେନ ପ୍ରଶାସନର କଡ଼ା ସନ୍ଦେଶ

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ସେ କ୍ଷମତା ଗ୍ରହଣ କରିଛନ୍ତି। ଦେଶର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ହୋଇଥିଲେ ହେଁ ଚୀନ୍‌ ଓ ପାକିସ୍ତାନ ପ୍ରତି ରହି ଆସିଥିବା ଆମେରିକାର ଦୃଷ୍ଟିଭଙ୍ଗୀରେ କୌଣସି ପରିବର୍ତ୍ତନ ହୋଇ ନପାରେ। ଭାରତ ସହ ସୀମା ବିବାଦ ସୃଷ୍ଟି କରିଥିବା ଚୀନ୍‌ ପ୍ରତି ବାଇଡେନ ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭାରତରେ ଆତଙ୍କବାଦ ଚଳାଇଥିବା ପାକିସ୍ତାନସ୍ଥିତ ଲସ୍କର-ଇ-ତଇବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁୁ ଇମ୍ରାନ ସରକାରଙ୍କ ଉପରେ ଆମେରିକା ପ୍ରଶାସନ ଚାପ ପକାଇବ ବୋଲି ଆମେରିକାର ଆଗାମୀ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲଏଡ ଅଷ୍ଟିନ୍‌ କହିଛନ୍ତି। ସିନେଟ (ଆମେରିକା ସଂସଦର ଉଚ୍ଚ ସଦନ)ରେ ଉଦ୍‌ବୋଧନ ଦେଉଥିବା ଅବସରରେ ସେ କହିଛନ୍ତି, ଭାରତ ପରି ବିଶାଳ ଗଣତନ୍ତ୍ର ଦେଶର ସାର୍ବଭୌମତ୍ବ ଯେପରି ଅକ୍ଷୁଣ୍ଣ ରହିବ ସେଥିପ୍ରତି ନୂତନ ପ୍ରଶାସନ ଧ୍ୟାନ ଦେବ । ବିସ୍ତାରବାଦୀ ଚୀନ୍‌କୁ ପ୍ରତିହତ କରିବା ଓ ଭାରତକୁ ସାମରିକ ଭାବେ ଅଧିକ ଗୁରୁୁତ୍ବ ଦେବା ବାଇଡେନ ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଚୀନ୍‌ ସବୁଠାରୁ ବିପଜ୍ଜନକ ଏବଂ ଚୀନ୍‌ ପଟୁ ସୃଷ୍ଟି ହେଉଥିବା ସମସ୍ତ ଆହ୍ବାନର ଆମେରିକା ଦୃଢ ଜବାବ ଦେବ ବୋଲି ନୂତନ ବିଦେଶ ମନ୍ତ୍ରୀ ହେବାକୁ ଥିବା ଏଣ୍ଟୋନି ବ୍ଲିକେନ କହିଛନ୍ତି।

ଶପଥ ଗ୍ରହଣ ପରେ ପରେ ବାଇଡେନ ଆମେରିକା ପ୍ୟାରିସ୍‌ ଜଳବାୟୁ ରାଜିନାମାରେ ସାମିଲ ହେବା, ମୁସଲମାନବହୁଳ ଏବଂ କେତେକ ଆଫ୍ରିକୀୟ ରାଷ୍ଟ୍ରର ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ ଟ୍ରମ୍ପ ଲଗାଇଥିବା କଟକଣାକୁ ଉଠାଇଦେବା, ମେକ୍ସିକୋ ସୀମାରେ ଚାଲିଥିବା ପ୍ରାଚୀର ନିର୍ମାଣ ବନ୍ଦ କରିବା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ପୁନଃ ସ୍ବୀକାର କରିବା ଆଦି ୧୫ଟି କାର୍ଯ୍ୟକାରୀ ଆଦେଶ ଉପରେ ସ୍ବାକ୍ଷର କରିଛନ୍ତି। ଏହା ବ୍ୟତୀତ ବାଇଡେନ ଖୁବ୍‌ ଶୀଘ୍ର ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମା ଇରାନ ସହ ପରମାଣୁ ଚୁକ୍ତି ସ୍ବାକ୍ଷର କରିଥିଲେ। ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହି ଚୁକ୍ତିରୁ ଆମେରିକାକୁ ଓହରାଇ ଆଣିଥିଲେ। ବାଇଡେନ ଆମେରିକାକୁ ପୁନଃ ଏହି ଚୁକ୍ତିରେ ସାମିଲ କରିପାରନ୍ତି। ଆମେରିକାର ପାରମ୍ପରିକ ଶତ୍ରୁରାଷ୍ଟ୍ର ରୁଷ୍‌ରୁ ତୁର୍କୀ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ କିଣିଥିଲା। ଆମେରିକା ନେତୃତ୍ବାଧୀନ ସାମରିକ ମେଣ୍ଟ ‘ନାଟୋ’ର ସଦସ୍ୟ ଭାବେ ତୁର୍କୀ ରହିଛି। ରୁଷ୍‌ଠାରୁ ଏସ-୪୦୦ କିଣିଥିବାରୁ ଟ୍ରମ୍ପ ପ୍ରଶାସନ ତୁର୍କୀ ଉପରେ କେତେଗୁଡ଼ିଏ ଆର୍ଥିକ କଟକଣା ଜାରି କରିଛନ୍ତି। ବାଇଡେନ ପ୍ରଶାସନ ଏହାକୁ ବଳବତ୍ତର ରଖିପାରନ୍ତି। ସେହିପରି ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌କୁ ପ୍ରତିହତ କରିବା ପାଇଁ ଆମେରିକା ନେତୃତ୍ବରେ ‘କ୍ବାଡ୍‌’ ଗଠିତ ହୋଇଛି। ଏହାକୁ ଏସିଆର ନାଟୋ ବୋଲି କୁହାଯାଉଛି।

- Advertisement -

ଏଥିରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ସଦସ୍ୟ ଅଛନ୍ତି। ଟ୍ରମ୍ପଙ୍କ ସମୟରେ ଏହି ମେଣ୍ଟ ଭାରତ ମହାସାଗରରେ ଏକାଧିକ ସମରାଭ୍ୟାସ କରିଥିଲା। ଏପରି କି ଆମେରିକାର ଦୁଇଟି ପରମାଣୁ କ୍ଷମତା ସମ୍ପନ୍ନ ଜାହାଜ ଏବେ ବି ତାଇୱାନ ଉପକୂଳରେ ଚୀନ୍‌କୁ ଜଗିଛି। ‘କ୍ବାଡ୍‌’ର ଶକ୍ତି ବୃଦ୍ଧି ପାଇଁ ବାଇଡେନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

ଟ୍ରମ୍ପଙ୍କଠାରୁ ବାଇଡେନ ଭାରତକୁ ଅଧିକ ଗୁରୁତ୍ବ ଦେବେ ବୋଲି କେତେକ କୂଟନୀତିଜ୍ଞ ଅନୁମାନ କରିଛନ୍ତି; କାରଣ ବାଇଡେନ ପ୍ରଶାସନରେ ୧୩ଜଣ ଭାରତୀୟ ବଂଶଜ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଯୁକ୍ତି ପାଇଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଭବନ ‘ହ୍ବାଇଟ ହାଉସ୍‌’ ପରିଚାଳନା ନିର୍ଦେଶକ ଭାବେ ନୀରା ଟଣ୍ଡନ, ସର୍ଜନ ଜେନେରାଲ ଭାବେ ଡା. ବିବେକ ମୂର୍ତ୍ତି (କରୋନା ଟିକାକରଣର ଗୁରୁ ଦାୟିତ୍ବ), ଆସୋସିଏଟ ଆଟର୍ଣ୍ଣି ଜେନେରାଲ ଭାବେ ବନିତା ଗୁପ୍ତା, ସେକ୍ରେଟାରୀ ଅଫ ଷ୍ଟେଟ୍ସ ଫର ସିଭିଲିଆନ ସିକ୍ୟୁରିଟି ଭାବେ ଉଜରା ଜିଆ, ପ୍ରଥମ ମହିଳା ଜିଲ ବାଇଡେନଙ୍କ ନୀତି ନିର୍ଦେଶିକା ଭାବେ ମାଲା ଅଡିଗା, ପ୍ରଥମ ମହିଳାଙ୍କ କାର୍ଯ୍ୟାଳୟର ଡିଜିଟାଲ ନିର୍ଦେଶିକା ଭାବେ ଗରିମା ବର୍ମା, ହ୍ବାଇଟ ହାଉସର ଡେପୁଟି ପ୍ରେସ୍‌ ସେକ୍ରେଟାରୀ ଭାବେ ସବରୀନା ସିଂହ, ହ୍ବାଇଟ ହାଉସ୍‌ ଡିଜିଟାଲ ଷ୍ଟ୍ରାଟେଜି ପାର୍ଟନରସିପ୍‌ ମ୍ୟାନେଜର ଭାବେ ଆ​‌େ​‌ୟଶା ଶାହା, ନ୍ୟାସନାଲ ଇକୋନମିକ୍‌ କାଉନସିଲର ଉପନିର୍ଦେଶକ ଭାବେ ସମୀରା ଫାଜିଲ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପ ନିର୍ଦେଶକ ଭାବେ ଗୌତମ ରାଘବନ, ଡାଇରେକ୍ଟର ଅଫ ସ୍ପିଚ୍‌ ରାଇଟିଂ ଭାବେ ବିନୟ ରେଡ୍ଡି, ରାଷ୍ଟ୍ରପତିଙ୍କ ଆସିଷ୍ଟାଣ୍ଟ ପ୍ରେସ ସେକ୍ରେଟାରୀ ଭାବେ ବେଦାନ୍ତ ପଟେଲ, ସିନିୟର ଡାଇରେକ୍ଟର ଫର ଟେକ୍ନୋଲୋଜି ଆଣ୍ଡ ନ୍ୟାସନାଲ ସିକ୍ୟୁରିଟୀ ଭାବେ ତରୁଣ ଛାବଡ଼ା, ସିନିୟର ଡାଇରେକ୍ଟର ଫର ସାଉଥ ଏସିଆ ଭାବେ ସୁମୋନା ଗୁହା, କୋ-ଅର୍ଡିନେଟର ଫର ଡେମୋକ୍ରାସି ଆଣ୍ଡ ହ୍ୟୁମନ ରାଇଟ୍ସ ଭାବେ ଶାନ୍ତି କଳାଥୀଲ, ଡୋମେଷ୍ଟିକ କ୍ଲାଇମେଟ ପଲିସିର ସିନିୟର ଆଡଭାଇଜର ଭାବେ ସୋନିଆ ଅଗ୍ରୱାଲ, କୋଭିଡ-୧୯ ରେସପନ୍ସ ଟିମର ପରାମର୍ଶଦାତା ଭାବେ ବିଦୁର ଶର୍ମା, ହ୍ବାଇଟ ହାଉସ ଆସୋସିଏଟ କାଉନସିଲର ସଦସ୍ୟ ଭାବେ ନେହା ଗୁପ୍ତା ଓ ସୀମା ଶାହା ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ଭାରତୀୟ ବଂଶଜ କମଳା ହାରିସ୍‌ ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ସମ୍ଭାଳିଛନ୍ତି। ଆମେରିକାର ଜନସଂଖ୍ୟା ପ୍ରାୟ ୩୨ କୋଟି ା ଏଥିରେ ଭାରତୀୟ ବଂଶଜଙ୍କ ସଂଖ୍ୟା ପ୍ରାୟ ୩୧.୮୦ ଲକ୍ଷ। ଚିକିତ୍ସା, ଶିକ୍ଷା, ପ୍ରଯୁକ୍ତି ଓ ବିଜ୍ଞାନ କ୍ଷେତ୍ରରେ ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଆମେରିକାର ୧୨ ଲକ୍ଷ ସବୁଜ କାର୍ଡଧାରୀଙ୍କ ମଧ୍ୟରେ ୬୮ ପ୍ରତିଶତ ହେଉଛନ୍ତି ଭାରତୀୟ ା କମ୍‌ ସମୟ ମଧ୍ୟରେ ଯେପରି ସବୁଜ କାର୍ଡ ମିଳିପାରିବ ସେ ସଂକ୍ରାନ୍ତରେ ବାଇଡେନ ଆଇନ ପ୍ରଣୟନ କରିପାରନ୍ତି। ଭାରତ-ଆମେରିକା ସମ୍ପର୍କର ସେତୁ ବାଇଡେନଙ୍କ ଯୁଗରେ ଅଧିକ ମଜଭୁତ ହେବ ବୋଲି ଆଶା କରାଯାଏ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories