ବିଡ଼ମ୍ବିତ ଓ ବିଳମ୍ବିତ ; ଶ୍ରମିକଙ୍କ ଦୁଃଖ ଲାଘବ ହେବ !
ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ କକର୍ଥନାକୁ ଦୂର କରିବା ପାଇଁ ଦାଏର ହୋଇଥିବା ଏକାଧିକ ଜନସ୍ବାର୍ଥ ଯାଚିକାକୁ ନାକଚ କରିଥିବା ଭାରତର ସର୍ବୋଚ୍ଚ ଅଦାଲତ ଏବେ ନିଜ ଆଡ଼ୁ ଏନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଯଥାର୍ଥ ପ୍ରସଙ୍ଗକୁ ବିଚାର ପାଇଁ ଗ୍ରହଣ କରିନଥିବା ମାନନୀୟ ଅଦାଲତ ଗଣମାଧ୍ୟମରେ ପ୍ରକାଶିତ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୁର୍ଦଶାର କାହାଣୀ ପଢ଼ିଶୁଣି ବିଳମ୍ବରେ ବିଗଳିତ ହେବାର କାରଣ ବୁଝିବା କଷ୍ଟ। ଏହି ହୃଦୟ ପରିବର୍ତ୍ତନ ପଛରେ ବାହ୍ୟ ଚାପ ନା ସମାଲୋଚନା ରହିଛି ତାହା ଜାଣିବାର ବାଟ ନାହିଁ କିମ୍ବା ସର୍ବୋଚ୍ଚ ନ୍ୟାୟପୀଠଙ୍କ ପ୍ରଜ୍ଞାକୁ ପ୍ରଶ୍ନ କରିବାର ବହପ ଆମର ନାହିଁ। କେବଳ ଏତିକି କହିବାର କଥା ଯେ ସରକାରଙ୍କ ଏହି ଚରମ ଉଦାସୀନତାକୁ ଏଯାଏ ବରଦାସ୍ତ କରାଯାଉଥିଲା କାହିଁକି? ବିଳମ୍ବରେ ହେଉ ପଛେ ଏକ ମହା ମାନବିକ ବିପତ୍ତି ନ୍ୟାୟପୀଠଙ୍କ ସାମୂହିକ ବିବେକକୁ ଚହଲାଇ ଦେଇଛି। ବିଳମ୍ବରେ ହେଉ ପଛେ ଏଭଳି ସମ୍ବେଦନଶୀଳତା ସବୁଠୁ ଅଧିକ ମହତ୍ତ୍ବ ରଖେ।
ଦେଶରେ ଆଭ୍ୟନ୍ତରୀଣ ଜରୁରୀ ଅବସ୍ଥା ଜାରି ହୋଇନାହିଁ କିମ୍ବା ନାଗରିକଙ୍କ ମୌଳିକ ଅଧିକାର ଲକ୍ଡାଉନ ଯୋଗୁଁ ନିଲମ୍ବିତ ହୋଇନି। ମହାମାରୀ ଆଇନ ଅନୁସାରେ ସରକାର ଲୋକଙ୍କୁ ବିଭିନ୍ନ କଠୋର କଟକଣା ମଧ୍ୟରେ ବାନ୍ଧି ରଖିଥିବାବେଳେ କର୍ତ୍ତୃପକ୍ଷ ଓ ପୁଲିସ ବାହିନୀ ଅଯଥାରେ କିମ୍ବା ଯଥାରେ ହେଉ କେତେକ ଶ୍ରେଣୀର ଲୋକଙ୍କ ଉପରେ ମାତ୍ରାଧିକ ଶକ୍ତି ପ୍ରୟୋଗ ଓ ଜୁଲୁମ ମଧ୍ୟ କରିଛନ୍ତି ଓ କରୁଛନ୍ତି। ଏଭଳି ସ୍ଥିତିରେ ଅଦାଲତଙ୍କ ଦ୍ବାରସ୍ଥ ହେବା କିମ୍ବା ନ୍ୟାୟ ମାଗିବା ଆଦୌ ଅପରାଧ ନୁହେଁ।
ଏବେ ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରବାସୀ ଶ୍ରମିକଙ୍କର ଯେଉଁ ଅକଥନୀୟ ଦୃଶ୍ୟ ଦେଖି ବିବ୍ରତ ହେଉଛନ୍ତି ଏବଂ ତୁରନ୍ତ ପ୍ରତିକାର ପାଇଁ ନିର୍ଦେଶ ଦେଇଛନ୍ତି ତାହା ଯଥେଷ୍ଟ ଆଗରୁ ହୋଇଥିଲେ ଅନେକ ନିରୀହ ଜୀବନ ରକ୍ଷା ପାଇଯାଇଥାନ୍ତା ଓ ଅନେକଙ୍କ ଦୁଃଖ ଲାଘବ ହୋଇଥାନ୍ତା। ଗଣମାଧ୍ୟମକୁ ଧନ୍ୟବାଦ ଯେ ଏହା ନିଜର ଦାୟିତ୍ବ ନିର୍ବାହ କରିଛି। ଏହା ସତ୍ତ୍ବେ ସରକାର ସଚେତନ ନ’ହେବାରୁ ଅଦାଲତଙ୍କୁ ନିଜଆଡ଼ୁ ହସ୍ତକ୍ଷେପ କରିବାକୁ ପଡ଼ୁଛି। ଏଥିରୁ ସରକାରଙ୍କର ପାରିବାପଣିଆ ଓ ଦାୟିତ୍ବବୋଧ ବୁଝାପଡ଼ୁଛି। ସତ୍ତାସୁର ସବୁବେଳେ ବଡ଼ବୋଲା ଓ ଅଳସୁଆ। ଚିତ୍କାର ନ’କଲେ ତା’ର ନିଦ ଭାଙ୍ଗେ ନାହିଁ କିମ୍ବା ପ୍ରତିବାଦ ନ’ହେଲେ ଏହା ସକ୍ରିୟ ହୁଏନା। ତେଣୁ ଅଦାଲତଙ୍କ ଛାଟର ଆବଶ୍ୟକତା ଥିଲା। ତେବେ ଏ ଛାଟରେ ସରକାର କେତେ ଚେତିବେ ତାହା ସମୟ କହିବ।
ସତ କହିବାକୁ ଗଲେ ବିନା ପ୍ରସ୍ତୁତି, ପ୍ରତିକାର ଓ ଦୂରଦୃଷ୍ଟିରେ ତରବରିଆ ଭାବେ ଲକ୍ଡାଉନ୍ ଲାଗୁ କରିଦିଆଗଲା। କୋଟିକୋଟି ପ୍ରବାସୀ ଶ୍ରମିକଙ୍କ ଉପଯୁକ୍ତ ଥଇଥାନ ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ସରକାର ବିଳମ୍ବରେ ଯେଉଁ ପଦକ୍ଷେପ ନେଲେ ସେଥିପାଇଁ ସାଧନ ଓ ସଂରଚନାର ଘୋର ଅଭାବ ରହିଥିଲା। ତେଣୁ ଅନିଶ୍ଚିତ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଘର ମୁହାଁ ହେଲେ। ଏବେ ତ ଏହି ଶ୍ରମିକଙ୍କ ଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଅଧା ସରିନାହିଁ। ସରକାରଙ୍କ ବିଳମ୍ବିତ ପଦକ୍ଷେପ ଦ୍ବାରା ଅବଶ୍ୟ ସେମାନେ ଫେରୁଛନ୍ତି; କିନ୍ତୁ ନିଜ ରାଜ୍ୟରେ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ମହାମାରୀ ଆଇନ ଅନୁସାରେ କ୍ବାରେଣ୍ଟାଇନ କେନ୍ଦ୍ରକୁ ଯିବାକୁ ପଡ଼ୁଛି। ଏସବୁ କେନ୍ଦ୍ରର ସ୍ଥିତି, ପରିଚାଳନାଗତ ଅବ୍ୟବସ୍ଥା ଓ ସମନ୍ବୟର ଅଭାବ ଭାରତବର୍ଷ ସାରା ଅତ୍ୟନ୍ତ ଖରାପ। ରାଜ୍ୟ ସରକାରଙ୍କ ପାଖରେ ସମ୍ବଳ ଓ ସାମର୍ଥ୍ୟର ଅଭାବ। ଏକ ଅପ୍ରତ୍ୟାଶିତ ବିରାଟ ଶ୍ରମିକ ପ୍ରତ୍ୟାବର୍ତ୍ତନ ସମସ୍ୟାର ଉଚିତ ମୁକାବିଲା କରିବାକୁ କେହି ସମର୍ଥ ନୁହନ୍ତି ଏବଂ ଏହା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି।
ସରକାର ତ ଅଦାଲତରେ ତାଙ୍କର ଜବାବ ରଖିବେ ଏବଂ ସବୁ କାମ ଯଥାସମ୍ଭବ ହେଉଛି ବୋଲି କହିବେ। ତଥାପି ସରକାର ଯାହା କହନ୍ତି ଓ କରନ୍ତି ତାହା କେତେ ସତ ଓ କେତେ ମିଛ ଫଳରୁ ଜଣାପଡ଼େ। ଭଲ ହୋଇଛି ସର୍ବୋଚ୍ଚ ଅଦାଲତ ଯେତେବେଳେ ଏକ ବିରାଟ ମାନବୀୟ ସଂକଟକୁ ଗୁରୁତ୍ବ ଦେଇ ଏହାର ସୁପରିଚାଳନା ନିମନ୍ତେ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି ସେତେବେଳେ ଆଶା କରିବା ଏଥିରେ ସଂପୃକ୍ତ ଦୁର୍ଦଶାଗ୍ରସ୍ତ ଶ୍ରମିକଙ୍କ ଦୁଃଖ ଲାଘବ ହେବ। ସୁପ୍ରିମକୋର୍ଟ ଏନେଇ ସରକାରଙ୍କ ସତ୍ୟପାଠକୁ କେବଳ ବିଶ୍ବାସକୁ ନେଇ ବସି ରହିଲେ ଚଳିବ ନାହିଁ। ଏହାର ନିରନ୍ତର ତନଖି ଓ ତଦାରଖର ଆବଶ୍ୟକତା ରହିଛି। କହିବା ବାହୁଲ୍ୟ ଯେ କାର୍ଯ୍ୟପାଳିକା ଯେତେବେଳେ ଉଦାସୀନ ବା ବିଫଳ ହୁଏ ସେତେବେଳେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ନ୍ୟାୟପାଳିକାର ସକ୍ରିୟତା ଲୋଡ଼ା। ଆମ ନ୍ୟାୟପାଳିକ ସେଇ ନ୍ୟାୟରେ ତାହାର କର୍ତ୍ତବ୍ୟପାଳନ କରୁ।
Comments are closed.