ସୋନିଆଙ୍କ ବିଚାର- ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ସୁରକ୍ଷିତ ରହୁ
କୋଭିଡ୍-୧୯ ମହାବିପତ୍ତି ବିରୋଧରେ ଚାଲିଥିବା ମହାସଂଗ୍ରାମର ପରବର୍ତ୍ତୀ ରଣନୀତି ସମ୍ପର୍କରେ ବିଚାରବିମର୍ଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କରୋନା ପରବର୍ତ୍ତୀ ଆର୍ଥିକ ସ୍ଥିତିର ମୁକାବିଲା ପାଇଁ ଏକ ୫ ସୂତ୍ରୀ ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଛନ୍ତି।
ସ୍ୱାଧୀନତା ପରବର୍ତ୍ତୀ ସମୟରୁ ସର୍ବାଧିକ ସମୟ ଦେଶ ଶାସନ କରିଥିବା, ସର୍ବପୁରାତନ ଓ ଏକଦା ସର୍ବବୃହତ୍ ଜାତୀୟ ଦଳ କଂଗ୍ରେସରେ ଡ. ମନମୋହନ ସିଂହ, ପି ଚିଦମ୍ବରମଙ୍କ ପରି ଅର୍ଥନୀତିଜ୍ଞ ଏବଂ ଦୀର୍ଘ ଅଭିଜ୍ଞତାସମ୍ପନ୍ନ ଅନେକ ବିଦ୍ୱାନ ନେତା ଅଛନ୍ତି। ତେଣୁ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶରେ ସେହି ସବୁ ନେତାଙ୍କ ଚିନ୍ତାଧାରା ଓ ସୁଦୂରପ୍ରସାରୀ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଥିବ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏକ ସଙ୍କଟଜନକ ସ୍ଥିତିରେ ସୋନିଆଙ୍କ ପତ୍ର ଅନେକ ଗୁରୁତ୍ୱ ବହନ କରେ, କିନ୍ତୁ ସେଥିରେ ଥିବା ଗୋଟିଏ ପରାମର୍ଶ ବିତର୍କର ଅପେକ୍ଷା ରଖେ।
ସୋନିଆଙ୍କ ପାଞ୍ଚସୂତ୍ରୀ ପରାମର୍ଶ ମୁଖ୍ୟତଃ ଖର୍ଚ୍ଚ କାଟ ଆଧାରିତ। ରାଷ୍ଟ୍ରର ହିତ ବା ସେପରି କୌଣସି ଜରୁରୀ ଆବଶ୍ୟକତା ନଥିଲେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚସ୍ତରୀୟ ଅଧିକାରୀମାନଙ୍କର ବିଦେଶ ଗସ୍ତ ଉପରେ କଟକଣା ଜାରି କରିବାକୁ ସୋନିଆ ପରାମର୍ଶ ଦେଇଛନ୍ତି। ସୋନିଆଙ୍କ ସୂଚନା ଅନୁଯାୟୀ ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ସରକାରୀ ବାବୁମାନଙ୍କ ବିଦେଶ ଗସ୍ତ ପାଇଁ ରାଜକୋଷରୁ ଖର୍ଚ୍ଚ ହୋଇଛି ୩୯୩ କୋଟି ଟଙ୍କା। ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ ସେହି ବାବଦ ଅର୍ଥ କୋଭିଡ୍ -୧୯ ମୁକାବିଲାରେ ବିନିଯୋଗ ହୋଇପାରନ୍ତା। ସେହିପରି କେବଳ ଦରମା, ପେନସନ୍ ଓ କେନ୍ଦ୍ରୀୟ ଯୋଜନାକୁ ବାଦ୍ ଦେଇ ସରକାରୀ ଖର୍ଚ୍ଚ ୩୦% ପର୍ଯ୍ୟନ୍ତ କାଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ବର୍ଷକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିବ ଏବଂ ସେହି ଅର୍ଥ ଶ୍ରମିକ, କୃଷକ, ଏମ୍ଏସ୍ଏମ୍ଇ(ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ଏବଂ ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ସୋନିଆ ପରାମର୍ଶ ଦେଇଛନ୍ତି। ସୋନିଆଙ୍କ ଅନ୍ୟ ଏକ ପ୍ରସ୍ତାବକ୍ରମେ ୨୫୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ନୂତନ ସଂସଦ ଭବନର ନିର୍ମାଣକୁ କିଛି ବର୍ଷ ପାଇଁ ସ୍ଥଗିତ ରଖାଯାଇପାରିବ। କାରଣ ବର୍ତ୍ତମାନର ଐତିହାସିକ ସଂସଦ ଭବନରେ ଜନପ୍ରତିନିଧିମାନେ ବସି ଦେଶ ଚଲାଇବାରେ କୌଣସି ଅସୁବିଧା ନାହିଁ। ସେହି ଅର୍ଥରେ ନୂଆ ଡାକ୍ତରଖାନା ନିର୍ମାଣ, କୋଭିଡ୍ -୧୯ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସା ଉପକରଣ ଏବଂ ଚିକିତ୍ସକଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଣାଯାଇ ପାରିବ।
ଉପରୋକ୍ତ ପ୍ରସ୍ତାବ ଆଧାରରେ ସୋନିଆ ଗାନ୍ଧୀଙ୍କ ଦୃଷ୍ଟିକୋଣ ଦୂରଦର୍ଶୀ ଓ ସମର୍ପିତ ବୋଲି କହିବାରେ ଦ୍ୱିରୁକ୍ତି ନାହିଁ, କିନ୍ତୁ ପାଞ୍ଚସୂତ୍ରୀ ପରାମର୍ଶ ଭିତରେ ଏଭଳି ଏକ ପ୍ରସ୍ତାବ ରହିଛି ଯାହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ଥିତି, ଭବିଷ୍ୟତ ଏବଂ ସର୍ବୋପରି ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଗ୍ରହଣୀୟ ହେଉନାହିଁ। ସୋନିଆଙ୍କ ମତରେ ସରକାର ବର୍ଷକୁ ପ୍ରାୟ ୧୨୫୦ କୋଟି ଟଙ୍କା ଗଣମାଧ୍ୟମ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି। ତେଣୁ କୋଭିଡ୍ -୧୯ ପରବର୍ତ୍ତୀ ଆର୍ଥିକ ପରିଚାଳନାର ଏକ ପଦକ୍ଷେପ ସ୍ୱରୂପ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ ସରକାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତରଫରୁ ଗଣମାଧ୍ୟମକୁ ଦିଆଯାଉଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲାଗୁ। ଅବଶ୍ୟ ସ୍ୱାସ୍ଥ୍ୟ କିମ୍ବା ସେଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଜ୍ଞାପନ ଦେବାରେ ଅସୁବିଧା ନାହିଁ।
ସୋନିଆଙ୍କ ଏହି ପ୍ରସ୍ତାବକୁ ନେଇ ବିବାଦ ଉଠିବା ସ୍ୱାଭାବିକ। ଏହା ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ହାତଗଣତି କେତେ ଗଣମାଧ୍ୟମ ସଂସ୍ଥାକୁ ଛାଡ଼ିଦେଲେ ପ୍ରାୟ ସବୁସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକ ଓ କର୍ମଚାରୀମାନେ ଆର୍ଥିକ ଓ ସାମାଜିକ ନିରାପତ୍ତା ଦୃଷ୍ଟିରୁ ସୁରକ୍ଷିତ ନୁହନ୍ତି। ସଂସ୍ଥାର ଖର୍ଚ୍ଚ ତୁଳନାରେ ଆୟର ପନ୍ଥା ଅତି ସୀମିତ ଥିବାରୁ ସରକାରୀ ବିଜ୍ଞାପନ ହିଁ ସେମାନଙ୍କ ପାଇଁ କିଛିମାତ୍ରାରେ ଆଶା, ଆଶ୍ୱାସନା ଓ ଭରସା ସୃଷ୍ଟି କରିଛି। ଯଦି ସରକାରୀ ବିଜ୍ଞାପନ ବନ୍ଦ ହୋଇଯାଏ ତେବେ ଅନେକ ସଂସ୍ଥା ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଶେଷରେ ବନ୍ଦ କରିବାକୁ କିମ୍ବା କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେବେ। ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ନିଜ ଜୀବନକୁ ବିପନ୍ନ କରି ଜନତା ଓ ସରକାର ମଧ୍ୟ ସେତୁଭଳି କାର୍ଯ୍ୟ କରୁଥିବା ସାମ୍ବାଦିକ ବା ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନେ। ଖବର ସରବରାହ ସଂଘ (ଏନ୍ବିଏ) ମଧ୍ୟ ସୋନିଆଙ୍କ ପ୍ରସ୍ତାବ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।
ଖବରକାଗଜ ପ୍ରକାଶନ ଓ ପରିଚାଳନା ସହିତ ସୋନିଆଙ୍କ ପରିବାରର ମଧ୍ୟ ସମ୍ପୃକ୍ତି ରହିଛି। ତେଣୁ ବାସ୍ତବତା ସେ ହୃଦୟଙ୍ଗମ କରିଥିବେ। ଯଦି ସରକାରୀ ଅର୍ଥରେ ବିଜ୍ଞାପନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଶାସକ ଦଳ ନିଜ ପ୍ରଚାର ପ୍ରସାର କରି ଅନୀତି କରୁଛନ୍ତି ବୋଲି ସୋନିଆଙ୍କ ହୃଦବୋଧ ହୋଇଥାଏ ତେବେ ସେହି ଅଭିଯୋଗରୁ ତାଙ୍କ ଦଳ ମଧ୍ୟ ମୁକ୍ତ ନୁହେଁ। ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ସରକାର ଓ ଜନତା ମଧ୍ୟରେ ସେତୁ ରହିବା ନିହାତି ଆବଶ୍ୟକ। ଗଣମାଧ୍ୟମର ସକ୍ରିୟ ଭୂମିକା ବିନା ଏହି ସେତୁ ସ୍ଥାପନ ଅସମ୍ଭବ। ସର୍ବୋପରି ଗଣତନ୍ତ୍ର ତିଷ୍ଠି ରହିବା ପାଇଁ ଏହାର ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ମଧ୍ୟ ଦୃଢ଼ ଓ ସୁରକ୍ଷିତ ରହିବା ଆବଶ୍ୟକ।
Comments are closed.