ଉତ୍କଳ ଜନନୀଙ୍କଠାରୁ ପତ୍ରଟିଏ
ମଣୀନ୍ଦ୍ର କୁମାର ମେହେର
ପବିତ୍ର ଉତ୍କଳମାଟିର ମୋର ସୁସନ୍ତାନ ବର୍ଗ କେବେ ହେଲେ ଭାବିନଥିବେ ଯେ ଉତ୍କଳ ଜନନୀ ବି ସେମାନଙ୍କ ଉଦ୍ଦେଶ୍ୟରେ ଦେଇପାରନ୍ତି ପତ୍ରଟିଏ। ମୁଁ କେବଳ ଏକ ଶୁଷ୍କ ଭୂଖଣ୍ଡ ମାତ୍ର ନୁହେଁ, ମୁଁ ହେଉଛି ଜନନୀ ଜନ୍ମଭୂମି, ଏକ ଜୀବନଦାୟିନୀ ମହାଶକ୍ତି। ମହାନ ଭାରତମାଟିର ମୁଁ ହେଉଛି ଏପରି ଏକ ଅବିଚ୍ଛେଦ୍ୟ ଅଂଶ ଯେଉଁଥିରୁ ପ୍ରତିମୁହୂର୍ତ୍ତରେ ସ୍ଫୁରିତ ହୁଏ ଜନନୀ ହୃଦୟର ଅକପଟ ଉଛ୍ବାସ। ଯେଉଁମାନେ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇ ରହିଗଲେ ସେମାନଙ୍କ ପାଇଁ ମଧ୍ୟ ମୋ ହୃଦୟରେ ଭରିରହିଛି ଅମାପ ମମତା। ପ୍ରତିବର୍ଷ ଏହି ଓଡ଼ିଶା ଭୂମିରେ ଯେଉଁ ଉତ୍କଳଦିବସ ପାଳନ କରାଯାଏ ସେଥିରେ ମୋ ପରି ଜନନୀ ନିଜକୁ ଭାଗ୍ୟବତୀ ମନେକରିବା ଏକାନ୍ତ ସ୍ବାଭାବିକ। ମାତ୍ର ଏ ସମସ୍ତ କୋଳାହଳର ଅନ୍ତରାଳରେ ମୋ ଚକ୍ଷୁରୁ ଯେଉଁ ଅଶ୍ରୁଧାରା ନିରନ୍ତର ନିର୍ଗତ ହୁଏ, ସେହି ଦୃଶ୍ୟ ମୋର ପ୍ରିୟ ସନ୍ତାନମାନେ ଦେଖିନପାରିବା ହେଉଛି ମୋଲାଗି ସବୁଠାରୁ ବେଦନାଦାୟକ।
ଓଡ଼ିଶା ରାଜ୍ୟ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ଯେଉଁମାନେ ନିଜର ରକ୍ତ ଓ ସ୍ବେଦଦାନ କରିଛନ୍ତି ସେମାନଙ୍କୁ ମୁଁ ବିସ୍ମରି ଯିବା କେବେହେଲେ ସମ୍ଭବ ନୁହେଁ। କେବଳ କୌଣସି ନିର୍ଦିଷ୍ଟ ଅଞ୍ଚଳ ମଧ୍ୟରେ ମୋର ମମତା ମଧ୍ୟ ସୀମାବଦ୍ଧ ନୁହେଁ। ଓଡ଼ିଶା ଭୂମିର ଯେଉଁ ଯେଉଁଠି ମୋତେ ଏକାଠି କରିବା ପାଇଁ ରକ୍ତ ଓ ସ୍ବେଦ ସିଞ୍ଚନ ହୋଇଛି ସେ ସମସ୍ତ ବରପୁତ୍ରଙ୍କ ଅମ୍ଳାନ ପ୍ରତିମୂର୍ତ୍ତିକୁ ମୋ ହୃଦୟ ପ୍ରଦେଶରେ ମୁଁ ସର୍ବଦା ଧାରଣକରି ରଖିଛି। ଏଠାରେ ସେ ସମସ୍ତଙ୍କ ତ୍ୟାଗପୂତ ଜୀବନଗାଥା ବର୍ଣ୍ଣନା କରିବାର ପ୍ରେୟାଜନ ନାହିଁ। କାରଣ ସେମାନେ ଓଡ଼ିଶାବାସୀଙ୍କ ନିମିତ୍ତ ତେଜୀୟାନ ଦୀପଶିଖା ସଦୃଶ ସର୍ବଦା ପ୍ରଜ୍ବଳିତ ହୋଇ ରହିଛନ୍ତି କେଉଁଠି ପ୍ରତିମୂର୍ତ୍ତି ରୂପରେ ତ କେଉଁଠି ଗ୍ରନ୍ଥାଗାର ମଧ୍ୟରେ ମର୍ଯ୍ୟାଦାଜନକ ପୁସ୍ତକର ଜୀବନ୍ତ ପୃଷ୍ଠା ଭିତରେ।
ଆଜି ଗୋଟିଏ କଥା ମୋର ହୃଦୟକୁ ଗଭୀର ଭାବରେ ଉଦ୍ବେଳିତ କରୁଛି। ସେ କଥାଟି ହେଉଛି ଯେତେବେଳେ ଉତ୍କଳ ଗୌରବ ମଧୁସୂଦନ ଦାସ ମୃତ୍ୟୁର ନିକଟବର୍ତ୍ତୀ ହୋଇ ଆସୁଥିଲେ ସେ ସମୟରେ ଏ ମାଟିର ପ୍ରିୟ ବରପୁତ୍ର ବ୍ରଜସୁନ୍ଦରଙ୍କ ଉଦ୍ଦେଶ୍ୟରେ ଆବେଗକମ୍ପିତ ସ୍ବରରେ ପଚାରିଥିଲେ ‘ବ୍ରଜସୁନ୍ଦର! ମୋର ସ୍ବପ୍ନର ଓଡ଼ିଶାକୁ ଗଢ଼ିବା ପାଇଁ ମଣିଷ ଆସିବେ ତ?’ ମହାତ୍ମା ଗାନ୍ଧୀ ସ୍ବାଧୀନତା ଲାଭ କରି ସାରିବା ପରେ ଭାରତବର୍ଷର ପ୍ରକୃତ ଗଠନ ଆରମ୍ଭ ହେବବୋଲି ଯେପରି ଅନୁଭବ କରୁଥିଲେ ସେହିପରି ମଧୁସୂଦନ ଦାସ ଓଡ଼ିଶାର ସ୍ବତନ୍ତ୍ର ସମ୍ମାନ ଲାଭ ପରେ ଓଡ଼ିଶାକୁ ଗଢ଼ିବା ପାଇଁ ସାଧୁ ସଚ୍ଚୋଟ, ନିଃସ୍ବାର୍ଥପର, କର୍ମଠ ଓ ତ୍ୟାଗୀ ମଣିଷମାନଙ୍କର ଆଗମନ ହେବ କି ନାହିଁ ସେହି ଚିନ୍ତାରେ ଥିଲେ ଅତ୍ୟନ୍ତ ବ୍ୟାକୁଳ। ଆଜି ତେଣୁ ଏ କଥାଟିକୁ ମନେ ପକାଇବା ପାଇଁ ମୁଁ ମୋର ପ୍ରିୟ ସନ୍ତାନମାନଙ୍କୁ ଅନୁରୋଧ କରୁଛି।
ଆଜି ସମଗ୍ର ଓଡ଼ିଶାରେ ଯେଉଁ ଭାବ ସଂହତି ପ୍ରତିଷ୍ଠିତ ହେବାକଥା, ସମଗ୍ର ଓଡ଼ିଶାବାସୀ ଗୋଟିଏ ସ୍ନେହ ରଜ୍ଜୁରେ ଯେପରି ବନ୍ଧନଯୁକ୍ତ ହେବା ଆବଶ୍ୟକ, ଓଡ଼ିଶାମାଟିକୁ ସ୍ବର୍ଗୀୟ ସୌନ୍ଦର୍ଯ୍ୟରେ ଭରିଦେବା ପାଇଁ ସେମାନେ ଯେପରି ସଂକଳ୍ପବଦ୍ଧ ହେବା ପ୍ରୟୋଜନ, ତାହାର ବାସ୍ତବ ରୂପାୟନ ସମ୍ଭବ ହୋଇପାରିଛି କି? ସ୍ବଭାବ କବି ଗଙ୍ଗାଧର ମେହେର ତାଙ୍କର ‘ଉତ୍କଳଲକ୍ଷ୍ମୀ’ କାବ୍ୟରେ ପ୍ରଥମ ପଦଟିରେ ହିଁ କହିଥିଲେ- ‘ଜୟ ଗୋ ଉତ୍କଳଲକ୍ଷ୍ମୀ ଏକମାତ୍ର, ସୁନ୍ଦରୀ ତୁ ବସୁଧାେର / ପ୍ରାକୃତିକ ଶୋଭା ରାଶି ରହିଛନ୍ତି ତୋ ଅଙ୍ଗରେ ଏକାଧାରେ।’ ସମଗ୍ର ବସୁଧାରେ ମୋତେ ଏକମାତ୍ର ସୌନ୍ଦର୍ଯ୍ୟମୟୀ ଜନନୀ ବୋଲି ସେ ସମ୍ବୋଧନ କରିବା ତାଙ୍କ ମହନୀୟ ହୃଦୟବତ୍ତାର ପରିଚାୟକ ନିଶ୍ଚୟ। ତେବେ ସେଦିନ ଯେଉଁ ପ୍ରାକୃତିକ ଶୋଭାରାଶିରେ ମୁଁ ପରିପୂର୍ଣ୍ଣ ହୋଇ ରହିଥିଲି, ଆଜି କ’ଣ ସେହି ରମ୍ୟ ଶୋଭା ଅମଳିନ ହୋଇ ରହିଛି। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ – ଓଡ଼ିଶାର ଏହି ଚତୁର୍ଦିଗରେ ଥିବା ମୋର ସନ୍ତାନମାନଙ୍କ ମଧ୍ୟରେ ଯେଉଁ ଭାବ, ଐକ୍ୟ ପ୍ରତିଷ୍ଠିତ ହେବାର ସ୍ବପ୍ନରେ ମୁଁ ଦିନେ ଥିଲି ବିହ୍ବଳ, ତାହା ଧୀରେଧୀରେ କିପରି ବିପର୍ଯ୍ୟୟର ସମ୍ମୁଖୀନ, ତାହା ମୁଁ ମର୍ମେମର୍ମେ ଅନୁଭବ କରିପାରୁଛି। ଯେଉଁ ସ୍ବପ୍ନ ନେଇ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଦିଆଯାଇଥିଲା ଓ ଯେଉଁମାନେ ଏଥିପାଇଁ ଆପଣାକୁ ଉତ୍ସର୍ଗ କରି ଦେଇଥିଲେ, ସେମାନଙ୍କ ସେହି ମହନୀୟ ସ୍ବପ୍ନ କେତେଦୂର ସାର୍ଥକ ହୋଇଛି ତାହା ଯଦି ମୋର ପ୍ରିୟ ସନ୍ତାନମାନେ ଅନ୍ତତଃ ନିରପେକ୍ଷ ଭାବରେ ସମୀକ୍ଷା କରନ୍ତେ ତାହାହେଲେ ନିଜକୁ ମୁ ଁ କୃତାର୍ଥ ଜ୍ଞାନ କରନ୍ତି। ଓଡ଼ିଶାର ପ୍ରତିଟି ଅଞ୍ଚଳର ସୌନ୍ଦର୍ଯ୍ୟ, ପ୍ରତିଟି ଅଞ୍ଚଳର ମଣିଷ, ପ୍ରତିଟି ଅଞ୍ଚଳର ଭାଷା, ବେଶଭୂଷା, ପର୍ବପର୍ବାଣି, ଯାନିଯାତ୍ରା, ଦେବଦେବୀ- ଏ ସମସ୍ତଙ୍କୁ ଘେନି ମୁଁ ବାସ୍ତବରେ ପରିପୂର୍ଣ୍ଣ। ମୋର କୌଣସି ଗୋଟିଏ ଅଙ୍ଗ ଯଦି ଅବହେଳିତ ହୋଇଯାଏ, ଯଦି ଗୋଟିଏ ଅଞ୍ଚଳର ମୋର ସନ୍ତାନମାନେ ନିଜକୁ ଉପେକ୍ଷିତ ଜ୍ଞାନ କରନ୍ତି, ତା’ହେଲେ ମୋ ହୃଦୟରୁ ଅବିରତ ରକ୍ତକ୍ଷରଣ ହୁଏ। ଓଡ଼ିଶାର ଆଜି ହଜାରହଜାର ସଂଖ୍ୟକ ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ସେମାନେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସାଧାରଣ ଜ୍ଞାନ ପୁସ୍ତକ ପଢ଼ି ଓଡ଼ିଶାକୁ ଜାଣିବାର ଯେଉଁ ବୃଥା ପ୍ରୟାସ କରୁୁଛନ୍ତି, ତାହା ଦେଖି ମୁଁ ବ୍ୟଥିତ ହୋଇପଡ଼େ। ପୂର୍ବାଞ୍ଚଳର ଛାତ୍ରଛାତ୍ରୀମାନେ ପଶ୍ଚିମାଞ୍ଚଳକୁ ଯାତ୍ରାକରି, ଉତ୍ତରାଞ୍ଚଳର ଛାତ୍ରଛାତ୍ରୀମାନେ ଦକ୍ଷିଣାଞ୍ଚଳକୁ ଯାତ୍ରାକରି ଏହିପରି ଭାବରେ ପରସ୍ପର ମଧ୍ୟରେ ଭାବ ଆଦାନପ୍ରଦାନ କରି ଓଡ଼ିଶାର ବିଭିନ୍ନ ତୀର୍ଥ ଦର୍ଶନ କରି ଯଦି ମୋ ହୃଦୟକୁୁ ଆହ୍ଲାଦିତ କରିଦେଇ ପାରନ୍ତେ ତାହା ହେଲେ ସମସ୍ତଙ୍କ ହୃଦୟଭିତରେ ପ୍ରେମର ଫୁଲ ପ୍ରସ୍ଫୁଟିତ ହୋଇଉଠନ୍ତା, ଯାହାର ସୌରଭ ସମଗ୍ର ଭାରତବର୍ଷକୁ କରନ୍ତା ବିମୁଗ୍ଧ।
ମୋ ମନରେ ଆହୁରି ଗଭୀର ବେଦନା ଅନୁଭୂୂତ ହୁଏ। ଆମ ଓଡ଼ିଶାର କିମ୍ବା ଭାରତବର୍ଷର ମହାପୁରୁଷମାନଙ୍କ ଜୀବନୀଗ୍ରନ୍ଥ କିପରି ଅବହେଳିତ ହୋଇ ଗ୍ରନ୍ଥାଗାର ମଧ୍ୟରେ ପଡ଼ିରହିଛନ୍ତି ଅସହାୟ ଭାବରେ। ମଧୁସୂଦନ ଦାସ ସେଦିନ ସେଇ କଥା ଚିନ୍ତାକରି କହିଥିଲେ ଏ ପବିତ୍ର ଭୂମିକୁ ପ୍ରକୃତ ମଣିଷମାନଙ୍କର ଆଗମନ ସମ୍ଭବ ହେବ ତ? ବାସ୍ତବରେ ଯଦି ଛାତ୍ରଛାତ୍ରୀମାନଙ୍କ ହୃଦୟ ପ୍ରଦେଶରେ ମହାପୁରୁଷମାନଙ୍କ ମହତ୍ବାଣୀ ଓ ଜୀବନୀ କମ୍ପନ ସୃଷ୍ଟି କରି ନପାରିଲା, ତା’ହେଲେ ସେମାନଙ୍କ ଅନ୍ତର ଭିତରେ କୌଣସି ନୂତନ ସ୍ବପ୍ନ ଅଙ୍କୁରିତ ହେବନାହିଁ। ନିଜ ଜନ୍ମଭୂମିକୁ ଗୌରବାନ୍ବିତ କରିବା ସକାଶେ ଯେଉଁ ତ୍ୟାଗ ଓ ତିତିକ୍ଷା ଲୋଡ଼ା ତାହା ଜାଗ୍ରତ ହୋଇପାରିବ ନାହିଁ। ସେହିପରି ଭାବରେ ସେମାନଙ୍କ ଜୀବନ, ଆଚାର ବ୍ୟବହାର ଓ ସେମାନଙ୍କ ଲକ୍ଷ୍ୟ ମହନୀୟତାର ସଂକେତ ବହନ କରିପାରିବ ନାହିଁ। ଗୁଡ଼ାଏ ଯନ୍ତ୍ରମଣିଷ ସୃଷ୍ଟି ହେବା ଦ୍ବାରା ମୋ ହୃଦୟ କେତେ ଶୁଷ୍କ, ନିରସ, ନିଷ୍ପ୍ରାଣ ଓ ନିରର୍ଥକ ହୋଇଯିବ ସେକଥା ଭାବି ମୁଁ ନିରନ୍ତର ଚିନ୍ତାମଗ୍ନ। ଅନ୍ତର ତଳର ବ୍ୟଥା କାହାକୁ କହିହୁଏ ନାହିଁ, ଆଜି ଉତ୍କଳ ଦିବସ ପାଳନ ହେଉଛି ବୋଲି ମୋର ଅତିପ୍ରିୟ ସନ୍ତାନମାନଙ୍କ ଉଦ୍ଦେଶ୍ୟରେ ମୋର ଏହି ଅଶ୍ରୁପୂର୍ଣ୍ଣ ନୟନ ଦେଖାଇବା ପାଇଁ ବାଧ୍ୟ ହେଉଛି। ଏଭଳି ନୈରାଶ୍ୟଜନକ ପରିସ୍ଥିତି ମଧ୍ୟରେ ତଥାପି ଯେ ସୃଜନର ସଂଗୀତ ବହୁପ୍ରାଣରେ ଧ୍ବନିତ ହୁଏ, ତାହା ମୁଁ ଜାଣେ। ସେଇଥିପାଇଁ ସକଳ ନୈରାଶ୍ୟ ସତ୍ତ୍ବେ ମୋ ଭିତରେ ଆସ୍ଥାଶୀଳତାର ବୃକ୍ଷ ପଲ୍ଲବିତ ହୁଏ। ଏ ମାଟିରେ ଏବେ ଯେଉଁମାନେ ତାରୁଣ୍ୟର ଜ୍ୟୋତିରେ ସମୁଦ୍ଭାସିତ, ସେମାନଙ୍କ ଜୀବନଧାରା ପ୍ରତି ମୁହୂର୍ତ୍ତରେ ମୁଁ ଗଭୀର ଦୃଷ୍ଟି ନିକ୍ଷେପ କରିଥାଏ। କାହାଠାରେ ପ୍ରତିଭାର, ପରୋପକାରର, ନିଃସ୍ବାର୍ଥପରତାର, ନିଷ୍ଠା ଓ ଏକାଗ୍ରତାର, ନିରୁତା ଦେଶପ୍ରେମର ଅଗ୍ନିକଣିକା ଦେଖିବା ମାତ୍ରକେ ତାଙ୍କରି ହୃଦୟ ମଧ୍ୟକୁ ମୁଁ ଅନାୟାସରେ ପ୍ରବେଶ କରେ। ଉତ୍କଳମାଟିର ଯେଉଁ ପବିତ୍ର ଆତ୍ମା ବିରାଜିତା ତାହାହିଁ ହେଉଛି ମୋର ପ୍ରକୃତ ଅନ୍ତଃସତ୍ତା। ଏକ ଜୀବନ୍ତ ରଶ୍ମିରେଖା ହୋଇ, ଏକ ପ୍ରେରଣାଦୀପ୍ତ ଅମୃତ ବିନ୍ଦୁହୋଇ ଝଲକାଏ ମଳୟ ପବନ ହୋଇ, ଜହ୍ନ ଆଲୁଅର ଧାରେ ଜ୍ୟୋତ୍ସ୍ନାଧାରା ହୋଇ ସେମାନଙ୍କ ଅନ୍ତର ମଧ୍ୟକୁ ମୁଁ ପ୍ରବେଶ କରିଯାଏ। ଯେଉଁମାନେ ବୟସରେ ବରିଷ୍ଠ ସେମାନେ କନିଷ୍ଠଙ୍କ ସକାଶେ ଏକଏକ ମହାନ୍ ଦୃଷ୍ଟାନ୍ତ ହୋଇ ପ୍ରତିଭାତ ହେବା କେତେ ବିରଳ ହୋଇଗଲାଣି ସତେ! ଏ ସବୁ କଥାକୁ ଆଦୌ ଗୁରୁତ୍ବ ନଦେଇ ତଥାପି ଯେଉଁ ତରୁଣ ହୃଦୟରେ ସୃଜନର ସଂଗୀତ ଧ୍ବନିତ ହୋଇପାରେ ସେଇମାନେ ହିଁ ହେବେ ନୂତନ ଓଡ଼ିଶାର ନବନିର୍ମାତା। ପ୍ରତ୍ୟେକ ମଣିଷର, ପ୍ରତ୍ୟେକ ପ୍ରଦେଶର, ପ୍ରତ୍ୟେକ ଅନୁଷ୍ଠାନର ପୁନର୍ଗଠନ ସର୍ବଦା ଚାଲିଥାଏ ଅନ୍ତହୀନ ଭାବରେ। ଓଡ଼ିଶାମାଟିକୁ ଯେଉଁ ସନ୍ତାନମାନେ ଗୌରବାନ୍ବିତ କରିବେ, ସେଇମାନେ ଏହି ଭୂମିରେ ପଦାର୍ପଣ କରନ୍ତୁ, ଉଦାର, ସ୍ନେହଶୀଳ, ଅପୂର୍ବ ପ୍ରାଣପ୍ରାଚୁର୍ଯ୍ୟ ଗର୍ଭିତ ଜନନୀମାନଙ୍କ ମଧ୍ୟରୁ ଦୀପ୍ତିମାନ ସନ୍ତାନସନ୍ତତି ଜନ୍ମଗ୍ରହଣ କରି ଏ ଭୂମିରେ ପବିତ୍ରତାକୁ ଆହୁରି ଗୌରବାନ୍ବିତ କରାନ୍ତୁ। ଏହାହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ, ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ, ମା’ ସୁରେଶ୍ବରୀ, ମା’ ମାଣିକେଶ୍ବରୀ- ଏ ସମସ୍ତଙ୍କ ନିକଟରେ ପ୍ରତିଟି ଗାଁର ପ୍ରତିଟି ଦେବଦେବୀଙ୍କ ନିକଟରେ, ପ୍ରତିଟି ପରିବାରର ଇଷ୍ଟଦେବଦେବୀଙ୍କ ପାଖରେ ଓ ପ୍ରତିଟି ମଣିଷର ଅନ୍ତରାତ୍ମାରେ ଥିବା ଶାଶ୍ବତ ଭଗବାନଙ୍କ ନିକଟରେ ମୋର ଆନ୍ତରିକ ପ୍ରାର୍ଥନା।