ମଦମୁକ୍ତ ଓଡ଼ିଶା ଆଉ ସ୍ବପ୍ନ ନୁହେଁ
ଅଭୟ ଦ୍ବିବେଦୀ
ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ମିଜୋରାମ ମଦମୁକ୍ତ ରାଜ୍ୟ ଭାବେ ପରିଗଣିତ ହେବ। ‘ନିର୍ବାଚନରେ ଜୟଲାଭ କଲେ ଆମେ ରାଜ୍ୟରେ ମଦ ସଂପୂର୍ଣ୍ଣ ନିଷିଦ୍ଧ କରିବୁ’ – ଏହା ଥିଲା ମିଜୋ ନାସନାଲ ଫ୍ରଣ୍ଟର ୨୦୧୮ ମସିହା ବିଧାନସଭା ନିର୍ବାଚନୀ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ଅନୁଯାୟୀ ମିଜୋ ନାସନାଲ ଫ୍ରଣ୍ଟର ତୁଙ୍ଗ ନେତା ତଥା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘୨୦୧୯ ମସିହା ଏପ୍ରିଲ ୧ ତାରିଖରୁ ମଦମୁକ୍ତ ମିଜୋରାମ’ ଘୋଷଣା କରି କହିଥିଲେ – ‘ଏଥି ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇ ମାର୍ଚ୍ଚ ୨୦ରୁ ଆରମ୍ଭ ହେଉଥିବା ବଜେଟ୍ ଅଧିବେଶନରେ ପାରିତ ହେବ।’ ୨୦୧୮ ମସିହା ଡିସେମ୍ବର ୧୫ ତାରିଖରେ ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଡିସେମ୍ବର ୧୮ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ସରକାରୀ ସଂସ୍ଥା ତରଫରୁ ପରିଚାଳିତ ୯ଟି ମଦ ଦୋକାନ ବନ୍ଦ କରିବା ସହିତ ଡିସେମ୍ବର ୨୧ ତାରିଖରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଦ ବିକ୍ରି ନିଷେଧ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।
ଏହା ପୂର୍ବରୁ ୧୯୯୭ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମଦ ବିକ୍ରି ସଂପୂର୍ଣ୍ଣ ନିଷେଧ ଥିଲା, କିନ୍ତୁ ୨୦୧୫ ମସିହାରେ କଂଗ୍ରେସ ସରକାର ନିର୍ଦେଶ କ୍ରମେ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହେଲା। ସେହି ସମୟରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା, ମହିଳା ସଂଗଠନ ଏବଂ ରାଜ୍ୟର ସମସ୍ତ ଚର୍ଚ୍ଚ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟରେ ମଦ ବିକ୍ରି ଏକ ପ୍ରମୁଖ ପ୍ରସଙ୍ଗ ଥିଲା। କଂଗ୍ରେସ ଏହାକୁ ପ୍ରୋତ୍ସାହନ ଦେଉଥିବାବେଳେ ବିଜେପି ମୁଖ୍ୟତଃ ନିରବ ରହିଥିଲା, କିନ୍ତୁ ଜନମତ ଆଧାରରେ ମିଜୋ ନାସନାଲ ଫ୍ରଣ୍ଟ୍ ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ଜୋରାମଥାଙ୍ଗା ଘୋଷଣା କରିଥିଲେ – ‘ପ୍ରତ୍ୟେକ ପରିବାର ପାଇଁ ମଦ ହେଉଛି ମହାମାରୀ ସଦୃଶ। ମହିଳାମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ। ସେମାନଙ୍କୁ ସମସ୍ତ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ ରାଜ୍ୟରେ ମଦ ନିଷେଧ ହେବା ଏକାନ୍ତ ଜରୁରୀ। ମଦ ପାନରେ ଯେତିକି ପ୍ରାଣହାନି ଘଟୁଛି, ତା’ ତୁଳନାରେ ରାଜସ୍ୱ ଆଦାୟ କିଛି ନୁହେଁ। ପୁରୁଷମାନେ ମଦର ଶିକାର ହୋଇ ମୃତ୍ୟୁବରଣ କରୁଥିବାରୁ ରାଜ୍ୟର ସମସ୍ତ ଜିଲାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ।’ ରାଜ୍ୟର ସମୁଦାୟ ୭.୬୮ ଲକ୍ଷ ଭୋଟରଙ୍କ ମଧ୍ୟରୁ ମହିଳା ସଂଖ୍ୟା ଥିଲା ୩.୯୩ ଏବଂ ପୁରୁଷ ୩.୭୪.ା ମୁଖ୍ୟତଃ ମଦ ନିଷେଧ ଇସ୍ତାହାର ନିମନ୍ତେ ମହିଳାମାନଙ୍କ ସମର୍ଥନ ପାଇ ମିଜୋ ନାସନାଲ ଫ୍ରଣ୍ଟ ସମୁଦାୟ ୪୦ଟି ଆସନ ମଧ୍ୟରୁ ୨୬ଟି ରେ ଜୟଲାଭ କରିଥିଲା।
ମିଜୋରାମକୁ ମଦମୁକ୍ତ କରିବା ନିମନ୍ତେ ଜନସାଧାରଣଙ୍କ ପ୍ରଚଣ୍ଡ ଆଗ୍ରହ ନିର୍ବାଚନ କ୍ଷେତ୍ରରେ ପ୍ରତିଫଳିତ ହୋଇଥିଲା। ଏହା ପୂର୍ବରୁ କଂଗ୍ରେସ ରାଜ୍ୟରେ କ୍ରମାଗତ ଦୁଇ ଥର ଶାସନଭାର ଗ୍ରହଣ କରିଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ଲାଲ ଥାନ୍ହାଓଲା (୨୦୦୮-୨୦୧୩ ଏବଂ ୨୦୧୩-୨୦୧୮)। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଲାଲ ଥାନ୍ହାଓଲା ରାଜ୍ୟରେ ମଦ ବିକ୍ରି ନିମନ୍ତେ ନିର୍ଦେଶନାମା ଜାରି କଲେ ଏବଂ ୨୦୧୫ ମସିହା ଜାନୁୟାରୀରୁ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହେଲା। ସରକାରୀ ତଥ୍ୟ ଅନୁଯାୟୀ ୨୦୧୭ ମସିହା ମାର୍ଚ୍ଚ ସୁଦ୍ଧା ୧୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ମଦ କାର୍ଡଧାରୀ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୭୧,୧୫୮। ଏମାନେ ପ୍ରତି ମାସ ୬ଟି ବଡ ମଦ ବୋତଲ (୭୫୦ଏମଏଲ) ଏବଂ ଦଶଟି ବିୟର ଓ ଦଶଟି ୱାଇନ୍ ବୋତଲ କିଣିପାରିବେ। ୨୦୧୫ ମସିହାରେ ରାଜ୍ୟ ପୁଲିସ ବିଭାଗରେ ଭାଳେଣି ପଡିଲା। ସେହି ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଅତ୍ୟଧିକ ମଦ୍ୟପାନ ଫଳରେ ୧୦୦ରୁ ଅଧିକ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ୨୦୧୫ ମସିହାରୁ ହିଁ ଏହା ବିରୋଧରେ ପ୍ରବଳ ଜନଅସନ୍ତୋଷ ମୁଣ୍ଡ ଟେକିଥିଲା। ଚର୍ଚ୍ଚ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଚର୍ଚ୍ଚ ତରଫରୁ ମଦ ବିରୋଧରେ ବହୁ ବାର ସମୂହ ପ୍ରାର୍ଥନାର ମଧ୍ୟ ଆୟୋଜନ କରାଯାଇଥିଲା।
୨୦୧୫ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟରେ ମଦ ବିକ୍ରିରୁ ପ୍ରାୟ ୨୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଗ୍ରାମାଞ୍ଚଳରେ ପ୍ରାୟ ୩୫% ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗୋଟିଏ ରାଜ୍ୟ ନିମନ୍ତେ ଏ ପରିମାଣ କିଛି କମ୍ ନୁହେଁ। ୨୦୧୭ ମସିହାରେ ମିଜୋରାମ ସରକାରଙ୍କ ତରଫରୁ ରାଜ୍ୟରେ ମଦ ବିକ୍ରିର ପ୍ରଭାବ ଉପରେ ସର୍ବେକ୍ଷଣ ପ୍ରସ୍ତୁତ କରିବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୯ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ରାଜ୍ୟ ସାରା ବୁଲି ମଦ ବିକ୍ରି ଉପରେ ଜନମତ ସଂଗ୍ରହ କରିଥିଲେ। ଏହି ସର୍ବେକ୍ଷଣର ନିର୍ଯାସ ଗୋଟିଏ ବାକ୍ୟରେ ପ୍ରକାଶ କଲେ ତାହା ଏହିପରି ହେବ – ‘ମଦ ବିକ୍ରିରୁ ଆଦାୟ ହୋଇଥିବା ପ୍ରତି ଟଙ୍କାଟେ ନିମନ୍ତେ ରାଜ୍ୟକୁ ସ୍ୱାସ୍ଥ୍ୟ, ଅପରାଧ, ପାରିବାରିକ ଅଶାନ୍ତି ଆଦି ବାବଦକୁ ଟ୨.୮୫ ପଇସା କ୍ଷତି ଭରଣା କରିବାକୁ ପଡିଛି।’ ମଦ ବିରୋଧରେ ଜନ ଅସନ୍ତୋଷ ଏତେ ତୀବ୍ର ଥିଲା ୨୦୧୫ ମସିହାରେ ମଦ ବିକ୍ରି ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଲାଲ ଥାନହାୱଲା ୨୦୧୮ ନିର୍ବାଚନରେ ଦୁଇଟି ଆସନରୁ ପରାସ୍ତ ହୋଇଥିଲେ। ସେ ଥିଲେ ରାଜ୍ୟର ପାଞ୍ଚଥର ମୁଖ୍ୟମନ୍ତ୍ରୀ। ୨୦୦୮ ଏବଂ ୨୦୧୩ ନିର୍ବାଚନରେ କଂଗ୍ରେସ ୩୨ ଏବଂ ୩୪ ଟି ଆସନ ହାସଲ କରିଥିବା ବେଳେ ୨୦୧୮ ନିର୍ବାଚନରେ ମାତ୍ର ୫ଟି ଆସନକୁ ଖସି ଆସିଥିଲା।
ଆମ ସମ୍ବିଧାନର ଅନୁଚ୍ଛେଦ ୪୭ରେ ଉଲ୍ଲେଖ ଅଛି – “ଜନସାଧାରଣଙ୍କ ପୋଷଣସ୍ତର, ଜୀବନଧାରଣର ମାନ ଏବଂ ସାର୍ବଜନିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ହେଉଛି ରାଜ୍ୟର ପ୍ରାଥମିକ କର୍ତ୍ତବ୍ୟ ଏବଂ ନିର୍ଦିଷ୍ଟ ଭାବେ, କେବଳ ଔଷଧୀୟ ସେବନ ବ୍ୟତିରେକ, ମଦ ଏବଂ ନିଶାଯୁକ୍ତ ଔଷଧ ଯାହା ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ, ତାହା ସଂପୂର୍ଣ୍ଣ ରୂପେ ନିଷେଧ କରିବେ।” ଏହି ଅନୁଚ୍ଛେଦ, ସମ୍ବିଧାନର ଚତୁର୍ଥ ଭାଗରେ ସାମିଲ କରାଯାଇଛି , ଯାହା ଡାଇରେକ୍ଟିଭ୍ ପ୍ରିନ୍ସିପଲସ୍ ଅଫ୍ ଷ୍ଟେଟ୍ ପଲିସି ଅନ୍ତର୍ଭୁକ୍ତ। ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଅନୁଚ୍ଛେଦ ୩୭, ଯାହା ସମ୍ବିଧାନର ଚତୁର୍ଥ ଭାଗ ଅନ୍ତର୍ଭୁକ୍ତ, ସେଥିରେ ଘୋଷଣା କରାଯାଇଛି – “ଏହି ଭାଗରେ ଅନ୍ତର୍ଭୁକ୍ତ ବିଧି ଉପବନ୍ଧ କୌଣସି ଅଦାଲତ ଦ୍ୱାରା ଲାଗୁ କରାଯାଇ ପାରିବ ନାହିଁ। ସେଥିରେ କିନ୍ତୁ ଉଲ୍ଲିଖିତ ସିଦ୍ଧାନ୍ତ , ଦେଶର ଶାସନ ପ୍ରକ୍ରିୟା ନିମନ୍ତେ ମୌଳିକ ଅଟେ ଏବଂ ଆଇନ ପ୍ରଣୟନ ସମୟରେ ସେଗୁଡିକୁ ପ୍ରୟୋଗ କରିବା ରାଜ୍ୟର କର୍ତ୍ତବ୍ୟ ଅଟେ।”
ଏବେ ଆମ ରାଜ୍ୟକୁ ଆସିବା। ରାଜ୍ୟରେ ବିଭିନ୍ନ ସଂଗଠନ ତରଫରୁ ମଦ ବିରୋଧୀ ଆନ୍ଦୋଳନ ଚାଲିଛି। ତାହା ରାଜ୍ୟବାସୀଙ୍କର ସାମ୍ବିଧାନିକ ଅଧିକାର ଏବଂ ରାଜ୍ୟକୁ ମଦମୁକ୍ତ ଘୋଷଣା କରିବା ସରକାରଙ୍କର ସାମ୍ବିଧାନିକ ଦାୟିତ୍ୱ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ପ୍ରାୟ ସମସ୍ତ ସଂଗଠନର ଅଧିକାଂଶ ଦାବି ମାନି ନେଇଛନ୍ତି। ଅମଲାମାନଙ୍କର କ୍ୟାଡର ନିର୍ଦ୍ଧାରଣ ହେଉ କିମ୍ବା ଅଙ୍ଗନବାଡି କର୍ମୀଙ୍କର ଦରମାବୃଦ୍ଧି ହେଉ, ସେ ସମସ୍ତଙ୍କୁ ଖୁସି ରଖିବା ପାଇଁ ପ୍ରୟାସ କରିଛନ୍ତି। ଏପରିକି କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟରେ ଜମା ହେଉଥିବା ରାଶିକୁ ‘ଋଣ ନୁହେଁ ସହାୟତା’ ବୋଲି ଘୋଷଣା କରିଛନ୍ତି। ସମସ୍ତଙ୍କ ସକାଶେ ରାଜକୋଷ ଉନ୍ମୁକ୍ତ କରି ଦେଇଛନ୍ତି। ସମସ୍ତଙ୍କର ଆଶା ଥିଲା ନିର୍ବାଚନ ପୂର୍ବରୁ ରାଜ୍ୟରେ ମଦ ନିଷେଧ ସଂପର୍କରେ ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ମାତ୍ର ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ଯେଉଁ ସମସ୍ତ ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରି ରଖିଛନ୍ତି , ସେମାନେ ନିରାଶ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶାରେ ଗତ ବର୍ଷ ଅଗଷ୍ଟ ମାସରେ ଅବକାରୀ ବିଭାଗ ତରଫରୁ ନୂତନ ଅଧିସୂଚନା ଜାରି କରାଯାଇଥିଲା। ସେଥିରେ ଉଲ୍ଲେଖ ଥିଲା – “ଓଡିଶା ଅବକାରୀ ଆଇନ ୨୦୧୮ (ଓଡିଶା ଆକ୍ଟ ୧୦ ଅଫ୍ ୨୦୧୩) ଆଧାରରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ବିଦେଶୀ ମଦ ବିକ୍ରି, ଭାରତରେ ନିର୍ମିତ ବିଦେଶୀ ମଦ ଉତ୍ପାଦନ ଓ ବିକ୍ରି, ଦେଶୀ ମଦ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି ନିମନ୍ତେ ଅନନ୍ୟ ବିଶେଷାଧିକାର ପ୍ରଦାନ କରୁଛନ୍ତି।” ପୂର୍ବରୁ ମଦ ଦୋକାନ ଖୋଲିବା ନିମନ୍ତେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଥିଲା। ଜିଲାପାଳ ପ୍ରାଥମିକ ରିପୋର୍ଟ ପ୍ରଦାନ କରୁଥିଲେ, ଅବକାରୀ କମିସନର ତାହାର ଅନୁସନ୍ଧାନ କରି ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଅବକାରୀ ମନ୍ତ୍ରୀ ଅନୁମୋଦନ କରୁଥିଲେ। ବର୍ତ୍ତମାନ ଜିଲାପାଳ ସେହି କ୍ଷମତାର ଅଖଣ୍ଡ ଅଧିକାରୀ।
ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ ବିକଳ୍ପ କ’ଣ ? ଆମ ଆଗରେ ମିଜୋରାମବାସୀ ଗୋଟିଏ ସୁନ୍ଦର ଦୃଷ୍ଟାନ୍ତ ରଖିଯାଇଛନ୍ତି। ଏହା ପୂର୍ବରୁ ବିହାରବାସୀ ମଧ୍ୟ ଅନୁରୂପ କାହାଣୀ ଶୁଣାଇଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ବିରୋଧୀ ଦଳ, ବିଜେପି ଅବା କଂଗ୍ରେସ , ରାଜ୍ୟକୁ ମଦମୁକ୍ତ କରିବା ନିମନ୍ତେ ଘୋଷଣା କରିବେ ଆମର ବିଶ୍ୱାସ ଜନମତ ହୁଏତ ତାଙ୍କରି ସମର୍ଥନରେ ଯାଇପାରେ !