www.samajalive.in
Saturday, December 6, 2025
15.1 C
Bhubaneswar

ସାଧୁ ବଞ୍ଚିତ ସୁଖରୁ-ଜୀବନ ଉପଭୋଗ କରେ ଅସାଧୁ ଐଶ୍ବର୍ଯ୍ୟବାନ!

ପ୍ରଶ୍ନ : ଧର୍ମଶାସ୍ତ୍ର ଏବଂ ନୀତିବାକ୍ୟମାନେ ଆମକୁ ସର୍ବଦା ସତ୍ ଏବଂ ନୈତିକ ଜୀବନଯାପନ କରିବାକୁ ଶିକ୍ଷା ଦେଇଥା’ନ୍ତି – ଯେହେତୁ ଭଗବାନ୍ ଭଲ କାମ ପାଇଁ ପୁରସ୍କାର ଏବଂ ମନ୍ଦ କାମ ପାଇଁ ଦଣ୍ଡର ବ୍ୟବସ୍ଥା କରିଥା’ନ୍ତି; କିନ୍ତୁ ଆମେ ଦେଖୁଛୁ ଦୁର୍ନୀତି ପରାୟଣ, ଦୁଷ୍ଟ ଏବଂ ନିଷ୍ଠୁର ଲୋକେ ବେଶ ଧନୀ ଓ ସମୃଦ୍ଧଜୀବନ ଉପଭୋଗ କରୁଥିବା ସ୍ଥଳେ ସାଧୁ, ଦୟାବାନ୍ ଓ ସହାନୁଭୂତିଶୀଳ ଲୋକେ ସମାଜରେ କଷ୍ଟ ପାଉଛନ୍ତି। କେହିକେହି କହନ୍ତି ଏସବୁ ପୂର୍ବଜନ୍ମର କର୍ମଫଳ। ଜଣେ ସିନା ଚଳିତ ଜୀବନରେ ନିଜର କର୍ମ ଉପରେ ନିୟନ୍ତ୍ରଣ ରଖିପାରେ, ପୂର୍ବଜନ୍ମ ସକାଶେ ସେ କିପରି ଦାୟୀ ହେବ ?
– ସାନ୍ତ୍ୱନା ମହାନ୍ତି, ପୁରୀ
ଉତ୍ତର: ଯାହା ବାସ୍ତବତା, ତାହା ସ୍ଥୂଳଦୃଷ୍ଟିରେ ଧରା ନ ଦେଇପାରେ। ବହୁବର୍ଷ ତଳର ଏକ ଅଭିଜ୍ଞତା : ଘଟଣାଚକ୍ରରେ ମହାନଗରୀର ଜନୈକ ବିତ୍ତବାନ ଓ ପ୍ରଭାବଶାଳୀ ଚିତ୍ର-ପ୍ରଯୋଜକ ମହାଶୟଙ୍କର ଅତିଥି ହୋଇ ରାତିଟିଏ ବିତାଇଥିଲା ଜଣେ ତରୁଣ। ମହାଶୟଙ୍କୁ ଛାଡ଼ି ପରିବାରର ସଭିଏଁ ଗ୍ରୀଷ୍ମରୁ ଆତ୍ମରକ୍ଷା ନିମନ୍ତେ ଚାଲିଯାଇଥାନ୍ତି ସିମ୍‌ଲାସ୍ଥିତ ତା’ଙ୍କ ଶୈଳନିବାସକୁ।
କୌଣସି କାରଣରୁ ପ୍ରଯୋଜକ ମହାଶୟ ଦେଉଥିଲେ ନୈଶଭୋଜି। ଆସିଥାଆନ୍ତି ଦୁଇ ଡଜନ୍ ସରିକି ଚିତ୍ରତାରକା ଓ ସେ ଜଗତର ନବାବ୍‌ଗଣ। ମଧ୍ୟରାତ୍ରିଯାଏ ଚାଲିଥାଏ ଉଦ୍ଦାମ ହସଖୁସି, ନାନା କିସମର ଆହାର ଓ ପାନୀୟର ଅନର୍ଗଳ ଉଚ୍ଛଳ ଉପଯୋଗ। ତରୁଣ ବିସ୍ମିତ ହୋଇ ଭାବୁଥାଏ, ପୃଥିବୀରେ ଏତେ ସଦ୍‌ଭାବ, ଏଡେ ନିବିଡ଼ ଆତ୍ମୀୟତା ଥାଏ ? କିନ୍ତୁ ତରୁଣର ବିସ୍ମୟରେ ଆସିଲା ଗୁଣଗତ ପରିବର୍ତ୍ତନ – ଯେତେବେଳେ ମହାଶୟଙ୍କୁ ବିନମ୍ର ଧନ୍ୟବାଦ ଅର୍ପଣ ଅନ୍ତେ ଲିଫ୍ଟରେ ପଶିବାବେଳେ ଜଣେ ଯୁବତାରକା ତାଙ୍କ ଆପାତ-ବାନ୍ଧବୀଙ୍କୁ କହିବାର ସେ ଶୁଣିଲା, “ୟେ କୈସା କକ୍‌ଟେଲ୍ ପିଲାୟା ଶାଲା ବୁଦ୍ଦୁ ଓଲ୍‌ଡ୍‌ମ୍ୟାନ୍ ? ବିଲ୍‌କୁଲ୍ ବର୍‌ବାଦ୍ ଗୟାମେରା ଟାଇମ୍ !”
ସଭିଏଁ ବିଦାୟ ନେବା ଉତ୍ତାରୁ ଅବନମିତ ହେଲା ହଠାତ୍ ଏକ ଶୂନ୍ୟତା। “ବାପା, ମୋତେ ବଡ଼ ଅସ୍ୱସ୍ତି ଲାଗୁଛି। ମୁଁ ନିଦବଟିକା ଗିଳି ଶୋଉଛି। ଉଠିବାକୁ ଡେରି ହେଲେ କିଛି ମନେକରିବ ନାହିଁ। ଚାକର ତୁମକୁ ସକାଳେ ଚାହା ଦେଇଦେବ।” ତରୁଣଙ୍କ କୋଠରି ପାଖରେ ମହାଶୟଙ୍କ ଶୟନାଗାର। ସେଯାଏ ବିଶେଷ ପ୍ରଚଳିତ ହୋଇନଥିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରତି ଅନଭ୍ୟସ୍ତ ତରୁଣ ଥଣ୍ଡା ଯୋଗୁଁ ଶୋଇପାରୁନଥାଏ। ଅଗତ୍ୟା ତା’କୁ ଶୁଣିବାକୁ ପଡୁଥାଏ ମହାଶୟଙ୍କ ଉଃ ଆଃ । ଅର୍ଥାତ୍ ନିଦବଟିକା ସତ୍ତ୍ୱେ ସେ ହୁଏତ ଶୋଇ ପାରୁନଥିଲେ, ନ ହେଲେ ଭୋଗୁଥିଲେ ଅଶାନ୍ତନିଦ୍ରା। ତରୁଣ ବାଲ୍‌କୋନିକୁ ବାହାରି ଆସି ତଳକୁ ଅନାଇଲା। ବତିଖୁଣ୍ଟ ତଳୁ ଶୁଭୁଛି ନିର୍ମଳ ହସ। ଫୁଟ୍‌ପାଥ୍‌ରେ ଶୋଇଛନ୍ତି ଗୋଟାଏ ଶିଶୁକୁ ମଝିରେ ରଖି ଏକ ଦମ୍ପତି। ପାଖରେ ମହଜୁଦ୍‌ ସେମାନଙ୍କ ଜୀବିକାର ଅବଲମ୍ବନ ରିକ୍ସା ଗୋଟିକ। ପନ୍ଦର ମିନିଟ୍ ପରେ ତରୁଣ ଶୁଣିଲା ଅନ୍ତତଃ ଜଣକର ଘୁଙ୍ଗୁଡ଼ି। ପ୍ରଭାତରେ ଆରମ୍ଭ ହେବ ମୁଠିଏ ଆହାର ନିମନ୍ତେ ଜୀବନ ସଂଗ୍ରାମ; ଅଥଚ କେଡ଼େ ପ୍ରାଣଖୋଲା ହସ ଓ କେଡେ ନିବିଡ଼ ନିଦ୍ରା। ଏଣେ ବିପୁଳ ବ୍ୟାଙ୍କବାଲାନ୍ସ ଓ ଆଗାମୀ ତିନିପୁରୁଷ ପାଇଁ ଭୁରିଭୋଜନ ଓ ଦୁର୍ମୂଲ୍ୟ ପାନୀୟ-ପ୍ରତିଶ୍ରୁତ ମହାଶୟ ଜଣକ କୋଟିଏ ଟଙ୍କିଆ ସୁଖଶଯ୍ୟାରୁ ଗୋଟିଏ ଟଙ୍କା ମୂଲ୍ୟର ନିଦ୍ରା ଆଦାୟ କରିବାକୁ ଅକ୍ଷମ।
ଏ ଘଟଣାକୁ ଉପସ୍ଥାପନ କରି ମୁଁ ଦାରିଦ୍ର୍ୟର ମହିମା କିମ୍ବା ଐଶ୍ୱର୍ଯ୍ୟର ଅସାରତା କୀର୍ତ୍ତନ କରୁନାହିଁ। ବକ୍ତବ୍ୟ ସରଳ। ସର୍ବଶେଷ ବିଶ୍ଳେଷଣରେ ଜୀବନରେ ଆମର କାମ୍ୟ ମାତ୍ର ଦୁଇଟି: ସୁଖ, ସନ୍ତୋଷ କିମ୍ବା ସତ୍ୟ। ହାରାହାରି ପର୍ଯ୍ୟାୟର ମଣିଷଙ୍କ ପାଇଁ ସୁଖ, ସନ୍ତୋଷ ହିଁ ଏକମାତ୍ର ଲକ୍ଷ୍ୟ। ଯିଏ ସର୍ବସ୍ୱ ତ୍ୟାଗ କରେ, ସେ ସୁଖ ସନ୍ତୋଷ ତ୍ୟାଗ କରୁନାହିଁ, ତ୍ୟାଗ ହିଁ ତା’ ପାଇଁ ସନ୍ତୋଷର ମାଧ୍ୟମ। ଯେଉଁମାନେ ବିକଶିତ-ଚେତନାସମ୍ପନ୍ନ ବ୍ୟକ୍ତି, ସେମାନଙ୍କ କାମ୍ୟ ଜୀବନର ଲକ୍ଷ୍ୟ ବା ସତ୍ୟର ସନ୍ଧାନ। ହାରାହାରି ପର୍ଯ୍ୟାୟର ଆମମାନଙ୍କର ଚେତନାରେ ଯେତେବେଳେ କିଞ୍ଚିତ୍ ବିକାଶ ସମ୍ଭବ ହୁଏ, ସେତେବେଳେ ଆମେ ହୃଦୟଙ୍ଗମ କରୁଁ ଯେ ଏ ଦୁଇ ଲକ୍ଷ୍ୟ ବାସ୍ତବରେ ସ୍ୱତନ୍ତ୍ର ନୁହନ୍ତି। ଦ୍ୱିତୀୟ ଲକ୍ଷ୍ୟ ଉପଲବ୍ଧ ହେଲେହିଁ ପ୍ରକୃତସୁଖ ସନ୍ତୋଷ ଉପଲବ୍ଧ ହେବ। ଦୁର୍ନୀତି ବା ମିଥ୍ୟାଚାର ଯୋଗେ ବିତ୍ତବାନ ବନିଥିବା ଲୋକେ ବାସ୍ତବରେ ଜୀବନକୁ “ଉପଭୋଗ” କରନ୍ତି ନାହିଁ। ଏହା ଧର୍ମଗତ ବା ନୈତିକ ତତ୍ତ୍ୱ ନୁହେଁ; ଏହା ଦିବାଲୋକ ଭଳି ସ୍ପଷ୍ଟ ମନସ୍ତାତ୍ତ୍ୱିକ ସତ୍ୟ। ସେମାନଙ୍କ ପାଇଁ “ଉପଭୋଗ”ର ସଂଜ୍ଞା କ’ଣ ? ମଉଜ୍ ମଜଲିସ୍ କିମ୍ବା ବିତ୍ତ ଯୋଗେ ସାମାଜିକ ବା କ୍ଷମତା ଆୟତ୍ତ କରିବାର ଗୌରବବୋଧ। ସେସବୁ ସ୍ନାୟୁଗତ ଉତ୍ତେଜନା ମାତ୍ର; ସୁଖର ସାମୟିକ ମରୀଚିକା; ଅନିବାର୍ଯ୍ୟ ଭାବେ ଯାହାକୁ ଅନୁସରଣ କରେ ତାମସିକତା, ଅବସାଦ ଏବଂ ଜଣେ ଯଦି କିଞ୍ଚିତ୍ ସଚେତନ ହୋଇଥିବ, ତେବେ ଆତ୍ମଗ୍ଳାନିବୋଧ। ଏହାର ବହୁ କାରଣ ଭିତରୁ ମୁଖ୍ୟ ହେଲା, ଜଣେ ସଂପୂର୍ଣ୍ଣଭାବରେ ଅପଶକ୍ତି-କବଳିତ ହୋଇନଥିଲେ ଜଣକର ସତ୍ତାର ସମସ୍ତ ଅଂଶ ତା’ର ଅକର୍ମକୁ ସମର୍ଥନ କରେନାହିଁ। ଆମ ସାଧାରଣଜ୍ଞାନ ହିଁ କହିବ, ନ ହେଲେ “ଲାଇ-ଡିଟେକ୍‌ସନ୍” ବା ପୋଲିଗ୍ରାଫ୍ ପଦ୍ଧତି ଫଳପ୍ରଦ ହୁଅନ୍ତା ନାହିଁ।
ମୋଟ କଥା ହେଲା, ଦାରିଦ୍ର୍ୟ ଯେମିତି ଦୁଃଖ ଯନ୍ତ୍ରଣାର ହେତୁ ହୋଇପାରେ, ଅନୈତିକ ମାର୍ଗରେ ଉପାର୍ଜିତ ବିତ୍ତ ଅପେକ୍ଷାକୃତ ଅଧିକ ମାତ୍ରାରେ – ଭୟ, ଆତଙ୍କ, ସନ୍ଦେହ ଓ ଆତ୍ମଗ୍ଳାନି ସହକାରେ ମାନସିକ ତଥା ଶାରୀରିକ ଦୁଃଖ ଯନ୍ତ୍ରଣାର ହେତୁ ହୋଇପାରେ।
କର୍ମଫଳ: ସଂକ୍ଷିପ୍ତ ସୂଚନା
ବର୍ତ୍ତମାନ ଆସୁଛି ଆପଣଙ୍କ ପ୍ରଶ୍ନର ଦ୍ୱିତୀୟ ଭାଗକୁ। କର୍ମଫଳ ତତ୍ତ୍ୱ ଜଟିଳ; ପ୍ରଚଳିତ ଧାରଣାଠାରୁ ବହୁତ ଭିନ୍ନ। ଏ ଜୀବନରେ ଦାନ ଖଇରାତ୍ କଲେ ପର ଜନ୍ମରେ ଜଣେ ଧନୀ ପରିବାରରେ ଜନ୍ମ ହେବ, ଏ ଜନ୍ମରେ ଚୋରି କଲେ ପରଜନ୍ମରେ ଡାକୁ ହାବୁଡ଼ରେ ପଡ଼ିବାକୁ ହେବ – ଏମିତି ସରଳ କାର୍ଯ୍ୟ-କାରଣ ନିୟମ ଅତିଭୌତିକ ସ୍ତରରେ ଘଟେ ନାହିଁ। କହିବା ବାହୁଲ୍ୟ, କର୍ମର ସ୍ଥୂଳରୂପ ନୁହେଁ, ତାହା ପଶ୍ଚାତରେ ଯେଉଁ ଚେତନା ଥାଏ, ତାହା ହିଁ କର୍ମଫଳର ନିରୂପକ; କିନ୍ତୁ କର୍ମ ଏବଂ ତା’ର ଫଳ ଗାଣିତିକ ହିସାବ ଭଳି ନିରୂପିତ ହୁଏନାହିଁ। ଜନ୍ମଜନ୍ମ ଧରି ଆମ ଅନ୍ତର୍ସତ୍ତା ବା ଚୈତ୍ୟସତ୍ତାର କ୍ରମାଗତ ଅଗ୍ରଗତି ସାଧିତ ହେଉଛି। ଏହି ପ୍ରଗତି ସକାଶେ ଲୋଡ଼ା ନାନାଦି ଅଭିଜ୍ଞତା; ସୁଖ ଓ ଦୁଃଖର, ଆନନ୍ଦ ଓ ଯନ୍ତ୍ରଣାର। ଏହି ଚୈତ୍ୟସତ୍ତା ହିଁ ପ୍ରକୃତ ମୁଁ; ଏହା ଆତ୍ମାର ବ୍ୟକ୍ତିଗତ ରୂପ। ଗୋଟିଏ ଜନ୍ମରୁ ପରବର୍ତ୍ତୀ ଜନ୍ମକୁ ଏହାହିଁ ପ୍ରସ୍ଥାନ କରୁଛି; ଏ ଜନ୍ମରେ ଅନୁଭୂତ ଆମ ମାନ ଅଭିମାନ, ଗୌରବବୋଧ,ଚିନ୍ତା ଦୁଶ୍ଚିନ୍ତା, ଉତ୍କଣ୍ଠା ଅଭିଯୋଗର ସ୍ମୃତି ଆମର ଏହି ପ୍ରକୃତ ସତ୍ତା ସହ ପରପାରିକୁ ଯାଏନାହିଁ। ସେସବୁର ନିର୍ଯ୍ୟାସ ମାତ୍ର ଆମ ଚୈତ୍ୟସତ୍ତାରେ ସଞ୍ଚିତରହେ। ସେସବୁର ବିବରଣୀ ରହିଥାଏ ଆମର ଯେଉଁ ମନ ଓ ପ୍ରାଣରେ, ଆମେ ପରପାରିକୁ ପ୍ରସ୍ଥାନ କଲାବେଳେ ନିର୍ମୋକ ଭଳି ଖସିପଡ଼ନ୍ତି ସେମାନେ। ଜଣେ ନ୍ୟାୟପରାୟଣ ଓ ଏକାନ୍ତ ମହତ୍ ମଣିଷର ଏକମାତ୍ର ମେଧାବୀ ପୁତ୍ରର ପ୍ରାଣ ଅକାଳରେ ନିର୍ବାପିତ ହେଲେ ଆମେ ବିବ୍ରତ ଭାବରେ ପ୍ରଶ୍ନକରୁ ଏହା କାହିଁକି ହେଲା ? ପୁତ୍ରଟିର ନିୟତି ପ୍ରସଙ୍ଗ ଆପାତତଃ ଥାଉ; କିନ୍ତୁ ପିତା ବା ମାତାଙ୍କର ଚୈତ୍ୟସତ୍ତା ଯଦି ଏଭଳି ପର୍ଯ୍ୟାୟରେ ପହଞ୍ଚିଥିବ, ଯେତେବେଳେ ଏକ ପ୍ରଚଣ୍ଡ ଆସକ୍ତିରୁ ମୁକ୍ତି ଲାଭ ନିମନ୍ତେ ତାଙ୍କ ପାଇଁ ମୁହୂର୍ତ୍ତ ଉପନୀତ, ତେବେ ସେ ବିୟୋଗାନ୍ତକ ଅଭିଜ୍ଞତା ତାଙ୍କ ପାଇଁ ଏକ ଆଶୀର୍ବାଦ; କିନ୍ତୁ ଲେଖକର ଏ ବିବୃତିକୁ ମଧ୍ୟ ଆପଣ ଏକ ଧରାବନ୍ଧା ନିୟମ ଭାବରେ ଦେଖିବେ ନାହିଁ। ପ୍ରତି ବ୍ୟକ୍ତି କ୍ଷେତ୍ରରେ କାରଣ ଭିନ୍ନ ହୋଇପାରେ। ଜଣେ ଅପରିଣତ ଚେତନାବନ୍ତ ବ୍ୟକ୍ତି ସକାଶେ ଏହା ତା’ର ଉତ୍କଟ କର୍ମର ଫଳ ହୋଇପାରେ; ତଥାପି ଶେଷ ବିଶ୍ଳେଷଣରେ ଯାବତୀୟ ତଥାକଥିତ ଦୁର୍ଯୋଗ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ, ପାପୀ ପୁଣ୍ୟାତ୍ମା ନିର୍ବିଶେଷରେ, ସଭିଙ୍କର ଆତ୍ମିକ ପ୍ରଗତି ପ୍ରତି ଅବଦାନ ଦେଇଥାଏ।
ଉତ୍କଟ କର୍ମର ଉଲ୍ଲେଖ କରିଥିବା ଦୃଷ୍ଟିରୁ ସେ ସମ୍ପର୍କରେ ସାମାନ୍ୟ ଆଭାସ ଦେବା ପ୍ରୟୋଜନ। ଗୋଟାଏ ଜନ୍ମରେ ଆମର ଅଧିକାଂଶ କର୍ମର ହୁଏତ ପୂରା ନ ହେଲେ ଆଂଶିକ ଫଳ ଆମେ ସେହି ଜନ୍ମରେ ହିଁ ପାଇଯାଇଥାଉଁ – ପ୍ରକାଶ୍ୟ ଭାବରେ ବା ଅପ୍ରକାଶ୍ୟ ଭାବରେ। କ୍ରୂରକର୍ମ ଆମ ଚେତନା ନିମ୍ନଗାମୀ କରାଏ; ତାହା ହିଁ ଏକ ଦଣ୍ଡ – ଯେହେତୁ ଚେତନାର ଅଗ୍ରଗତି ହିଁ ଆମ ବ୍ୟକ୍ତିଗତ କ୍ରମବିକାଶର ଧର୍ମ ଓ ଆଭିମୁଖ୍ୟ; କିନ୍ତୁ ଚେତନାର ଯେଉଁ ସ୍ତରରେ ଥାଇ ଜଣେ ଭୁଲ୍‌ କରିଛି, ଯଦି ସେ ଆପଣାର ଆସ୍ପୃହା ବଳରେ ସେ ସ୍ତରରୁ ଉତ୍ତୀର୍ଣ୍ଣ ହୁଏ ବା ହେବା ନିମନ୍ତେ ପ୍ରୟାସ ଅବ୍ୟାହତ ରଖେ, ତେବେ ପୂର୍ବକୃତ କର୍ମର ଫଳ ତା’ ସକାଶେ ଆପଣାଛାଏଁ ଅନାବଶ୍ୟକ ହୋଇଯିବ। ସେ ସୂକ୍ଷ୍ମଲୋକରେ ଯାନ୍ତ୍ରିକ ଆଇନକାନୁନ୍ କାମ କରୁନଥାଏ। ତେବେ ଜଣେ ଯଦି ଚେତନାରେ ଯଥେଷ୍ଟ ସଜାଗ ଥିବା ସତ୍ତ୍ୱେ ମୋହାଚ୍ଛନ୍ନ ହୋଇ ଘୋର କୁକର୍ମ କରେ, ତାହା ଉତ୍କଟ କର୍ମ ଏବଂ ସେ ତା’ର ଫଳ ଭୋଗ କରିବା ଅନିବାର୍ଯ୍ୟ। ନିଷ୍ଠୁରତା, କୃତଘ୍ନତା ଓ ବିଶ୍ୱାସଘାତକତା ଉତ୍କଟ କର୍ମର ଅନ୍ତର୍ଭୁକ୍ତ। ସଙ୍ଗେସଙ୍ଗେ କିନ୍ତୁ ଏହା କହିଦେବା ଆବଶ୍ୟକ ଯେ ସବୁ ବ୍ୟାପାରରେ ଦିବ୍ୟ କରୁଣା ହିଁ ମହତ୍ତମ ଓ ପରମ ଶକ୍ତି। ନିକୃଷ୍ଟତମ ଅପରାଧୀକୁ ମଧ୍ୟ ତାହା କ୍ଷମା କରିପାରେ। ଆମ ମାନସିକ ଦୃଷ୍ଟିକୋଣରୁ ତାହା ଅହେତୁକୀ।
ନାନାଦି ଅଭିଜ୍ଞତାର ନିର୍ଯ୍ୟାସ-ସମୃଦ୍ଧ ଚୈତ୍ୟସତ୍ତା ଚୈତ୍ୟଲୋକ ବା ଆତ୍ମାଲୋକରେ ବିଶ୍ରାମ କରେ। ସେ ବିଶ୍ରାମ କେତେ ଦିନ ବା କେତେ ବର୍ଷ ବା କେତେ ଶତାବ୍ଦୀ ହେବ, ତାହାର ସାର୍ବଜନୀନ ନିୟମ ନାହିଁ। ବିକଶିତ ଚୈତ୍ୟସତ୍ତା କ୍ଷେତ୍ରରେ ସେ ସମୟ ଦୀର୍ଘ ହୋଇପାରେ। ମୁକ୍ତାତ୍ମାଟିଏ ପୁନର୍ବାର ଜନ୍ମଗ୍ରହଣ କରିବ କି ନାହିଁ ତାହା ନିର୍ଭର କରେ ତା’ର ସଂକଳ୍ପ ଉପରେ। ସାଧାରଣତଃ ଦିବ୍ୟଶକ୍ତି ଅବତାର ନେବାବେଳେ ସେମାନେ ତାଙ୍କ ସ୍ଥୂଳସାନ୍ନିଧ୍ୟ ସକାଶେ ଅଥବା ତା’ଙ୍କ କର୍ମରେ ସହାୟତା ନିମନ୍ତେ ଜନ୍ମଗ୍ରହଣ କରିଥା’ନ୍ତି।
(ଉତ୍ତରଦାତାଙ୍କ ନିବେଦନ: ଜିଜ୍ଞାସୁଙ୍କୁ ଅନୁରୋଧ, ଜଣେ ଗୋଟିଏ ପ୍ରଶ୍ନରୁ ଅଧିକ ପଠାଇବେ ନାହିଁ; ଅନ୍ତତଃ ଦୁଇମାସ ପରେ ଦ୍ୱିତୀୟପ୍ରଶ୍ନ ପଠାଇବେ। ଇ-ମେଲ୍‌ରେ ନିଜ ଠିକଣା ଦେବାକୁ ଭୁଲିବେ ନାହିଁ।)
email: queriesandresponses@gmail.com

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories