www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀଲଙ୍କା ସଙ୍କଟ

ଭାରତର ପଡ଼ୋଶୀ ତଥା ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ଯେଉଁ ଗୁରୁତର ରାଜନୈତିକ ସଂକଟ ସୃଷ୍ଟି ହୋଇଛି, ସେଥିପାଇଁ ମୁଖ୍ୟତଃ ସେ ଦେଶର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନ ଦାୟୀ। ସେ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ପ୍ରଧାନମନ୍ତ୍ରୀ ରନୀଳ ବିକ୍ରମସିଂହଙ୍କୁ ହଟାଇ ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ ରାଜପକ୍ଷଙ୍କୁ ନିଯୁକ୍ତି ଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ବିକ୍ରମସିଂହଙ୍କୁ ବାଚସ୍ପତି ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକୃତି ଦେଉଥିବାବେଳେ ଗୃହରେ ତାଙ୍କର ସଂଖ୍ୟାଗରିଷ୍ଠତା ରହିଛି। ତେଣୁ ବିକ୍ରମସିଂହଙ୍କ ବହିଷ୍କାର ଅସାମ୍ବିଧାନିକ ଓ ବେଆଇନ। ତେବେ ଚତୁର ଶିରିସେନ ଦେଶର ପାର୍ଲାମେଣ୍ଟକୁ ନଭେମ୍ବର ୧୬ ଯାଏ ସସ୍‍ପେଣ୍ଡ କରି ରାଜପକ୍ଷଙ୍କୁ ସମର୍ଥନ ଯୋଗାଡ଼ ଓ ଘୋଡ଼ାବେପାର ପାଇଁ ଯଥେଷ୍ଟ ସମୟ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାର ସୁପ୍ରିମକୋର୍ଟ କି ପ୍ରକାର ନିଷ୍ପତ୍ତି ନେବ ଏବଂ ସେଠାକାର ଗଣତାନ୍ତ୍ରିକ ବ୍ୟବସ୍ଥା କିପରି ଚାଲିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏଇ ଘଟଣାରୁ ସ୍ପଷ୍ଟ ହୋଇଯାଇଛି ଯେ କେତେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ବିକ୍ରମସିଂହ ଏକମତ ନ’ହେବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ରାଜନୀତି ଓ କ୍ଷମତା ଲଢ଼େଇରେ ଏହା ନୂଅାକଥା ନୁହେଁ।
ପ୍ରଧାନମନ୍ତ୍ରୀ ଭାବେ ରାଜପକ୍ଷଙ୍କ ପ୍ରତ୍ୟାବର୍ତ୍ତନକୁ ଚୀନର ବିଜୟ ଭାବେ ଅନେକ ଦେଖିବା ସ୍ୱାଭାବିକ; କାରଣ ସେ ରାଷ୍ଟ୍ରପତି ଥିବାବେଳେ ଶ୍ରୀଲଙ୍କା-ଚୀନ ସମ୍ପର୍କ ଅତି ନିବିଡ଼ ଥିଲା। ଚୀନ ଏହି ସମୟରେ ଶ୍ରୀଲଙ୍କାରେ ବିପୁଳ ପୁଞ୍ଜିନିବେଶ କରି ଏହି ଦ୍ୱୀପରାଷ୍ଟ୍ରର ଅର୍ଥନୀତିକୁ ଏକ ନୂଆ ରୂପ ଦେଇଥିଲା। ରାଜପକ୍ଷଙ୍କ ପରାଜୟ ପରେ ଶିରିସେନ-ବିକ୍ରମସିଂହ ମିଳିତ ସରକାର କ୍ଷମତାକୁ ଆସିଥିଲେ ମଧ୍ୟ ଦେଶର ଅର୍ଥନୀତି ମାନ୍ଦା ରହିବାରୁ ଜନଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଶିରିସେନ ରାଜନୈତିକ ଅଙ୍କକଷି ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ କରିଥିବା ସୁସ୍ପଷ୍ଟ। ବିକ୍ରମସିଂହଙ୍କ ସହ ଭାରତର ସମ୍ପର୍କ ଭଲ ଥିଲା। ତେଣୁ ତାଙ୍କୁ ହଟାଇ ଦିଆଯିବା ନିଶ୍ଚିତ ଭାରତ ପାଇଁ ଏକ ଖରାପ ଖବର। ଯାହା ଅନୁମାନ କରାଯାଉଛି ଶ୍ରୀଲଙ୍କାର ନୂଆ ରାଜନୈତିକ ସମୀକରଣ ପୁନର୍ବାର ଚୀନକୁ ସୁହାଇବ। ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କା, ଯେଉଁମାନଙ୍କ ସହ ଭାରତର ପାରମ୍ପରିକ ସୁସମ୍ପର୍କ ଥିଲା ସେମାନେ କ୍ରମଶଃ ଚୀନ ଆଡ଼କୁ ଢଳୁଛନ୍ତି। ପାକିସ୍ତାନ ତ ମୂଳରୁ ଚୀନପଟେ ରହିଛି। ଏଭଳି ଅବସ୍ଥାରେ ଦକ୍ଷିଣ ଏସିଆରେ ବାଂଲାଦେଶ ଓ ଭୂଟାନ ବ୍ୟତୀତ କୌଣସି ଦେଶ ଆଉ ଭାରତ ପଟିଆ ହୋଇନାହାନ୍ତି। ଚୀନର ଚତୁର ବିସ୍ତାରବାଦୀ ପନ୍‌ଝା ଏସବୁ ରାଷ୍ଟ୍ରଙ୍କୁ ଏକ ପ୍ରକାର କାବୁ କରି ନେଇଛି। ଶ୍ରୀଲଙ୍କା ଘଟଣାରେ ଭାରତ ଭଳି ଆମେରିକା ମଧ୍ୟ ଅସନ୍ତୁଷ୍ଟ। ଏହା ସତ୍ତ୍ବେ ଚୀନର ପରୋକ୍ଷ ହସ୍ତକ୍ଷେପ ଓ ଚାପକୁ ରୋକିବା ପାଇଁ ଏହି ଦୁଇଦେଶ ତତ୍କାଳ କିଛି କରିପାରିବା ଅବସ୍ଥାରେ ନାହାନ୍ତି। ତେଣୁ ଶ୍ରୀଲଙ୍କା ସ୍ଥିତି ଆଗକୁ କି ରୂପ ନେଉଛି, ସେ ନେଇ ଭାରତକୁ ସତର୍କତାର ସହ ଅପେକ୍ଷା କରିବାକୁ ପଡ଼ିବ; କାରଣ ଏକ ଅସ୍ଥିର ପଡ଼ୋଶୀ ସର୍ବଦା ଚିନ୍ତାର କାରଣ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories