ଟ୍ରମ୍ପ୍‌ ପ୍ରଶାସନର କଳୁଷିତ ରୂପ

0

ପାବକ କାନୁନ୍‌ଗୋ

prayash

ପ୍ରାୟ ଦୁଇବର୍ଷ ତଳେ ହ୍ବାଇଟ୍‌ହାଉସ୍‌ ଦଖଲ ଅଭିଯାନ ଚାଲିଥିବାବେଳେ ରାଜନୀତିରେ ଅନଭିଜ୍ଞ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ କଳୁଷିତ, ପଙ୍କିଳ ଶାସନର ଅନ୍ତ ଘଟାଇ ସାଧାରଣ ମଣିଷର ଯୁଗ ଆରମ୍ଭ କରିବେ। ସମାଜର ବଞ୍ଚିତ ଶ୍ରେଣୀ ଅନୁଭବ କରିବେ, ଆମେରିକାରେ ଗଣତନ୍ତ୍ରର ଅଭିବୃଦ୍ଧି ପ୍ରକ୍ରିୟାରେ ସେମାନଙ୍କର ବି ଭୂମିକା ରହିଛି। ମାର୍କିନ୍‌ ପ୍ରଶାସନକୁ ଆଉ କେହି ନ୍ୟସ୍ତସ୍ବାର୍ଥର ସୁରକ୍ଷା ପାଇଁ ବ୍ୟବହାର କରିପାରିବେ ନାହିଁ। ଦେଶର ରାଜନୀତି, ଅର୍ଥନୀତି ଓ ସମାଜନୀତିରେ ବିପ୍ଳବ ଆଣିବେ ବୋଲି ସେ କହୁଥିବା କଥାକୁ ଯେଉଁମାନେ ବିଶ୍ବାସ କରିଥିଲେ ସେମାନେ ଆଜି ଉଦ୍‌ବେଗର ସହ ଲକ୍ଷ୍ୟ କରୁଛନ୍ତି ସେହି ଟ୍ରମ୍ପ୍‌ ଆଜି କିପରି ଏକ ପୂତିଗନ୍ଧମୟ ଶାସନର ନେତୃତ୍ବ ନେଉଛନ୍ତି। ସାମ୍ବିଧାନିକ ସଂସ୍ଥା ଓ ଆଇନର ଶାସନକୁ ମାଡ଼ିମକଚି କିପରି ଅବକ୍ଷୟ ମୁଖରେ ନେଇହେବ ସେ ଦିଗରେ ସେ ନିରନ୍ତର ଉଦ୍ୟମରତ। ପ୍ରଶାସନିକ ଓ ରାଜନୈତିକ ଦୁଷ୍କର୍ମର ଗୋଟିଏଗୋଟିଏ ପ୍ରସ୍ଥ କ୍ରମେ ଲୋକଲୋଚନକୁ ଆସି ସେ ବିସ୍ଫୋରଣ ଯୋଗୁଁ ହଠାତ୍‌ ଉଜ୍ବଳ ହୋଇ ଉଠିଥିବା ତାରା ଭଳି ପ୍ରତୀୟମାନ ହେଉଛନ୍ତି। ଭାବନା, ଆବେଗ ଓ କାର୍ଯ୍ୟଭିତରେ ବିଷମତା ଆଣୁଥିବା ମାନସିକ ରୋଗ ସିଜୋଫ୍ରିନିଆରେ ଆକ୍ରାନ୍ତ ହେଲାଭଳି ରାଷ୍ଟ୍ରପତି ଚିତ୍କାର କରି କହୁଛନ୍ତି, ‘ମୋ ପରେ ପ୍ରଳୟ’।
ଅଗଷ୍ଟ ମାସ ଦ୍ବିତୀୟ ଭାଗରେ ବିଚାର ବିଭାଗର କେତେଗୁଡ଼ିଏ ନିଷ୍ପତ୍ତି ଯୋଗୁଁ ଟ୍ରମ୍ପ ସଂପୂର୍ଣ୍ଣ ନୂଆ ଓ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତି ଏପରି ସଂଗିନ ହେଲାଣି ଯେ ଦେଶର ୪୫ତମ ମୁଖ୍ୟ ଇତିହାସରୁ ସବୁଠୁ ବଳି ବିବଦମାନ ରାଷ୍ଟ୍ରପତିରେ ପରିଣତ ହେଲେଣି ବୋଲି କେହିକେହି କହୁଛନ୍ତି। ବ୍ୟବସାୟ ଓ ଶାସନ ବା ରାଜନୀତି ମଧ୍ୟରେ ଥିବା ଲକ୍ଷ୍ମଣରେଖାକୁ ଟପିଯିବାର ଚକ୍ରାନ୍ତ, ମହିଳାମାନଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ, ପ୍ରତିପକ୍ଷର ନିର୍ବାଚନକୁ ଭଣ୍ଡୁର କରିବାକୁ ରୁଷ ସହିତ ଚକ୍ରାନ୍ତ ସହିତ ସୁସ୍ଥ ଗଣତାନ୍ତ୍ରିକ ଅନୁଷ୍ଠାନ ସବୁକୁ ବିବାଦ ଭିତରକୁ ଟାଣି ଧ୍ବସ୍ତବିଧ୍ବସ୍ତ କରିବାର ପ୍ରଚେଷ୍ଟା ତାଙ୍କ ଲୋକପ୍ରିୟତାକୁ ନିରନ୍ତର ହ୍ରାସ କରିବାରେ ଲାଗିଛି। ସର୍ବଶେଷ ଜନମତ ସର୍ଭେରେ ଶତକଡ଼ା ମାତ୍ର ୩୪ଭାଗ ଲୋକ ତାଙ୍କ ସପକ୍ଷରେ ଅଛନ୍ତି। ଅସାଧାରଣ ସମ୍ମାନର ଅଧିକାରୀ ହୋଇ ବିଶ୍ବରେ ଅଖଣ୍ଡ ପ୍ରଭାବ ବିସ୍ତାର କରିଥିବା ରାଷ୍ଟ୍ରପତିଙ୍କୁ ଆଜି ଜଣେ ଅଭିଯୋଗ ଯୋଗ୍ୟ ଷଡ଼ଯନ୍ତ୍ରକାରୀ କହିବାକୁ ଲୋକେ କୁଣ୍ଠିତ ହେଉନାହାନ୍ତି। ନ୍ୟାୟର ପଥକୁ ଗତିରୋଧ କରି ସେ ଯେ ଆଇନର ଊର୍ଦ୍ଧ୍ବରେ, ଏକଥା ପ୍ରମାଣ କରିବା ପ୍ରକ୍ରିୟା ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଶକ୍ତ ଧକ୍‌କା ଦେଉଛି।
ଜଣେ ରାଷ୍ଟ୍ରପତି ଭାବରେ ‘ଭୟଙ୍କର’ ଓ ଜଣେ ବ୍ୟକ୍ତି ବିଶେଷ ଭାବରେ ‘ଶଠ’ ବୋଲି ବିବେଚିତ ହେଉଥିବା ଟ୍ରମ୍ପଙ୍କ ସମ୍ବିଧାନ ଓ ଆଇନବିରୋଧୀ କାର୍ଯ୍ୟ ଫଳରେ ଆମେରିକାର ରାଜନୈତିକ ବ୍ୟବସ୍ଥା ତ କ୍ଷତବିକ୍ଷତ ହେଉଛି; ଗୋଟିଏ ଉଦାରବାଦୀ ରାଷ୍ଟ୍ରର ମାନ୍ୟତା ପାଇଥିବା ତାଙ୍କ ଦେଶକୁ ଆନ୍ତର୍ଜାତିକ ସ୍ତରରେ ଅପଯଶ ଭିତରକୁ ଠେଲି ଦେଇଛି। ଜଣେ ସମାଲୋଚକ ଅବଶ୍ୟ କହିଛନ୍ତି, ଉଦାରବାଦୀ ଗଣତନ୍ତ୍ର କହିଲେ ପ୍ରକୃତରେ କ’ଣ ବୁଝାଏ ସେ କଥା ଯେତେବେଳେ ଜଣେ ଜାଣିନାହାନ୍ତି, ସେ ଏହାକୁ ଧ୍ବଂସ କରିବେ କିପରି? ଟ୍ରମ୍ପଙ୍କ ଭିତରେ ସୃ​‌ଷ୍ଟି ହୋଇଥିବା ଅସୁରକ୍ଷିତ ଭାବ ଏପରି ଅନିବାରଣୀୟ ଓ ଦୁର୍ବାର ରୂପ ନେଲାଣି। ତାଙ୍କ ଦୋଷଦୁର୍ବଳତାକୁ ଦର୍ଶାଉଥିବା ପ୍ରତ୍ୟେକ ଗଣତାନ୍ତ୍ରିକ ଅନୁଷ୍ଠାନକୁ ସେ ନିନ୍ଦିତ କରିବାକୁ ଚାହୁଁଛନ୍ତି। ମାଂସପେଶୀର ଅନିୟନ୍ତ୍ରିତ ସଙ୍କୋଚନ ଭଳି ଏଫବିଆଇ (ଭାରତର ସିବିଆଇ ଭଳି), ସିଆଇଏ (ଗୁପ୍ତଚର ସଂସ୍ଥା), ବିଚାର ବିଭାଗ, ଗଣମାଧ୍ୟମ ଓ କଂଗ୍ରେସ (ପାର୍ଲାମେଣ୍ଟ)ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇ ସେଗୁଡ଼ିକର ସମ୍ମାନହାନି କରୁଛନ୍ତି। ଜଣେ କହିଛନ୍ତି, ସେ ଗୋଟିଏ ରାଜନୀତିକ ଦଳର ନେତା ନୁହନ୍ତି; ଗୋଟିଏ ଧାର୍ମିକ ଆନ୍ଦୋଳନର (କଲ୍‌ଟ) ମୁଖ୍ୟ ଭାବରେ ନିଜକୁ ବିବେଚିତ କରୁଛନ୍ତି। ପ୍ରତାରଣାମୂଳକ କୌଶଳ ପ୍ର‌େୟାଗକରି ଏବଂ ଅସତ୍‌ ଉପାୟ ଅବଲମ୍ବନ କରି ରାଷ୍ଟ୍ରପତି ନିର୍ବାଚନକୁ କଳୁଷିତ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ନିର୍ବାଚନ ମ୍ୟାନେଜର ଶପଥନେଇ କହିଛନ୍ତି ଯେ ଟ୍ରମ୍ପଙ୍କ ନିର୍ଦେଶରେ ସେ ବେଆଇନ କାର୍ଯ୍ୟ କରିଥିଲେ। ଏହା ପ୍ରମାଣିତ ହେଲେ ମାନାଫୋର୍ଟଙ୍କୁ ୮୦ବର୍ଷ ଜେଲଦଣ୍ଡ ହୋଇପାରେ।
ଏପରି କାର୍ଯ୍ୟର କ’ଣ ପ୍ରତିରୋଧ କରାଯାଇପାରିବ ନାହିଁ? ଏହାର ଏକମାତ୍ର ଉତ୍ତର ହେଉଛି କେବଳ ମହାଭିଯୋଗ ଦ୍ବାରା ରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିହେବ। ଇଂଲଣ୍ଡରେ ରାଜାଙ୍କ ଦ୍ବାରା ନିଯୁକ୍ତ କର୍ମଚାରୀ ଯେତେବେଳେ ପାର୍ଲାମେଣ୍ଟକୁ ଅବଜ୍ଞା କରୁଥିଲେ ସେମାନଙ୍କୁ ଏହି ପଦ୍ଧତିରେ ଦଣ୍ଡ ଦିଆଯାଉଥିଲା। ଆମେରିକା ସମ୍ବିଧାନ କିନ୍ତୁ ଗୋଟିଏ ବିଚିତ୍ର ଦଲିଲ। ଏକ ପକ୍ଷରେ ରାଷ୍ଟ୍ରପତିଙ୍କୁ ଅମାପ କ୍ଷମତା ଦିଆଯାଇଥିଲାବେଳେ, କାଳେ ଏହାକୁ ବ୍ୟବହାର କରି ସେ ଏକଚ୍ଛତ୍ରବାଦୀ ହୋଇଯିବେ ସେଥିପାଇଁ ନାନା କଟକଣା ଖଞ୍ଜି ଦିଆଯାଇଛି। ଦେଶଦ୍ରୋହ, ଉତ୍କୋଚ ଓ ଲାଞ୍ଚନେବା କିମ୍ବା ଅନ୍ୟ ଗୁରୁତର ଅପରାଧ କରିବା ତଥା ଅସଦାଚାରଣ ଭଳି ଅପରାଧରେ କଂଗ୍ରେସର ଉଭୟ ସଦନ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ପାରିବେ। ନିମ୍ନସଦନ (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌) ଅଭିଯୋଗପତ୍ର ପ୍ରସ୍ତୁତ କଲାବେଳେ ଉଚ୍ଚସଦନ (ସିନେଟ) ଅଦାଲତରେ ପରିଣତ ହୋଇ ତାଙ୍କର ବିଚାର କରିପାରିବ। ନିମ୍ନ ସଦନରେ ଦୁଇ-ତୃତୀୟାଂଶ ଭୋଟର ଆବଶ୍ୟକତା ଥିଲାବେଳେ ସିନେଟ୍‌ରେ ତିନି-ଚତୁର୍ଥାଂଶ ଭୋଟର ଆବଶ୍ୟକତା ରହିଛି।
ମହାଭିଯୋଗଟି କେତେ ଜଟିଳ ପଦ୍ଧତି ତାହା ସ୍ପଷ୍ଟ ହୋଇଯିବ ଯେତେବେଳେ ଆମେ ଜାଣିବା ଯେ ପ୍ରାୟ ୨୩୦ ବର୍ଷର ସାମ୍ବିଧାନିକ ଇତିହାସରେ କୌଣସି ରାଷ୍ଟ୍ରପତି ଏହି ପନ୍ଥାରେ ବହିଷ୍କୃତ ହୋଇନାହାନ୍ତି। ମାତ୍ର ଚାରିଜଣଙ୍କ ବିରୋଧରେ ମହାଭି​‌େଯ​‌ାଗ ପ୍ରସ୍ତାବ ଆସିଥିଲେ ମଧ୍ୟ ନାନା କାରଣରୁ ସେମାନେ ଖଲାସ ହୋଇଗଲେ। ପ୍ରଥମେ ୧୮୪୨ରେ ଜନ୍‌ ଟାଇଲରଙ୍କୁ ଅଭିଯୁକ୍ତ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ନିମ୍ନ ସଦନରେ ୧୨୭/୮୩ଭୋଟରେ ପ୍ରସ୍ତାବ କାଟ ଖାଇଗଲା। ଯୁଦ୍ଧମନ୍ତ୍ରୀଙ୍କ ବେଆଇନ ନିଯୁକ୍ତ ସମ୍ପର୍କରେ ୧୮୬୮ରେ ଆଣ୍ଡୃ ଜନସଙ୍କୁ ପଦଚ୍ୟୁତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ସିନେଟ୍‌ରେ ମାତ୍ର ଗୋଟିଏ ଭୋଟରେ ସେ ରକ୍ଷା ପାଇଗଲେ। ୧୯୯୮ରେ ବିଲ୍‌ କ୍ଲିଣ୍ଟନ ହ୍ବାଇଟ୍‌ ହାଉସ୍‌ର ଜଣେ ଯୁବତୀ କର୍ମଚାରୀଙ୍କ ସହିତ ସମ୍ପର୍କ ବିଷୟରେ କୋର୍ଟରେ ମିଥ୍ୟା ବିବୃତି ଦେବା ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ। ନିମ୍ନ ସଦନରେ ପ୍ରସ୍ତାବ ଗୃହୀତ ହେଲାପରେ ମଧ୍ୟ ସିନେଟ୍‌ରେ ୬୭ଟି ଭୋଟବଦଳରେ ମାତ୍ର୫୦ଟି ଭୋଟ ମିଳିବାରୁ ସେ ଉଦ୍ଧାର ପାଇଗଲେ। ୧୯୭୦ ଦଶକ ଆରମ୍ଭରେ ୱାଟରଗେଟ୍‌ ଘଟଣାରେ ସଂପୃକ୍ତି ଅଭିଯୋଗରେ ରିଚାର୍ଡ ନିକ୍‌ସନ୍‌ଙ୍କ ବିରୋଧରେ ଅଭିଯୋଗପତ୍ର ପ୍ରସ୍ତୁତ ହେବାପୂର୍ବରୁ ସେ ପଦରୁ ଇସ୍ତଫା ଦେଇଦେଲେ। ତାଙ୍କ ପୂର୍ବରୁ କୌଣସି ରାଷ୍ଟ୍ରପତି ଇସ୍ତଫା ଦେଇ ନଥିଲେ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ମହାଭିଯୋଗ ପ୍ରସ୍ତାବ ନଆସି ମଧ୍ୟ ଏହାର ଭୟ ଦେଖାଇ ଅନେକ ରାଷ୍ଟ୍ରପତିଙ୍କୁ ଠିକ୍‌ ବାଟରେ ଚାଲିବାକୁ ବାଧ୍ୟ କରାଯାଇପାରିଛି। ୧୯୯୨ ପରେ ଯେତେ ରାଷ୍ଟ୍ରପତି ଆସିଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଊଣାଅଧିକେ ଏହି ନିରବ ଅସ୍ତ୍ରକୁ ପ୍ରୟୋଗ କରାଯାଇ ପାରିଛି। ତାଙ୍କୁ ଜଣେ ‘ନିର୍ବାଚିତ ପ୍ରଜା’ ଆସନ ନଦେବାକୁ ସୁପ୍ରିମକୋର୍ଟ ଓ କଂଗ୍ରେସ ବରାବର ଉଦ୍ୟମ କରିଛନ୍ତି। ଉଦ୍ଦାମ ବା ମତ୍ତ ରାଷ୍ଟ୍ରପତିଙ୍କୁ ବାଟକୁ ଆଣିବାକୁ ଏହି ଅସ୍ତ୍ର ପ୍ରୟୋଗ କରାଯାଇଛି। ଟ୍ରମ୍ପଙ୍କ ଓକିଲ କୋହେନ ପ୍ରକାଶ୍ୟ ଅଦାଲତରେ କହିଛନ୍ତି, ଏପରି କାର୍ଯ୍ୟ ରାଷ୍ଟ୍ରପତିଙ୍କ ସହାୟତା ଓ ନିର୍ଦେଶରେ ସେ କରିଛନ୍ତି।
ଟ୍ରମ୍ପ୍‌ କାହାଣୀର ଆଉ ଗୋଟିଏ ଦିଗ ଆମେରିକାରେ ଗଣତନ୍ତ୍ରର ସ୍ଥିତି ସମ୍ପର୍କରେ ନୂଆ ଆଶଙ୍କାକୁ ଜନ୍ମ ଦେଇଛି। ଦେଶରେ ଓ ସାରା ପୃଥିବୀର ରାଷ୍ଟ୍ରପତିଙ୍କ ଆଚରଣର ଆଲୋଚନା ଓ ସମାଲୋଚନା ହେଉଥିବାବେଳେ ତାଙ୍କ ନିଜ ରିପବ୍ଲିକାନ ପାର୍ଟି ତାଙ୍କର ରକ୍ଷାକବଚ ପାଲଟିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ବର୍ତ୍ତମାନ ଦଳର ପ୍ରାୟ ଶତକଡ଼ା ୮୭ଭାଗ ସଭ୍ୟ ତାଙ୍କ କାର୍ଯ୍ୟକୁ ସମର୍ଥନ କରୁଛନ୍ତି ଓ ତାଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। କେବଳ ନିଜ ଦଳରେ ଯଦି ତାଙ୍କ ବିରୋଧରେ ବଡ଼ଧରଣର ବିପ୍ଳବ ହୁଏ ତେବେ ମହାଭିଯୋଗ ପ୍ରସ୍ତାବ ଆଗେଇ ପାରିବ। ଏହାକୁ ଲକ୍ଷ୍ୟ କରି ଜଣେ ରାଜନୀତିବିଜ୍ଞାନୀ କହିଛନ୍ତି, ରାଷ୍ଟ୍ରପତିଙ୍କୁ ସିନା ବହିଷ୍କାର କରାଯାଇ ପାରିବ, ଆମେରିକୀୟ ଭୋଟରଙ୍କ ବିରୋଧରେ ତ ଏହି ପ୍ରସ୍ତାବ ଆଗତ ହୋଇପାରିବ ନାହିଁ। ଆସନ୍ତା ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ଯଦି କଂଗ୍ରେସର ଉଭୟ ସଦନକୁ ଅଧିକାର କରେ ତେବେ ଏ ସମ୍ପର୍କରେ ଗୁୁରୁତର ସହିତ ଚିନ୍ତା କରାଯାଇପାରିବ।

Leave A Reply