www.samajalive.in
Monday, December 15, 2025
14.1 C
Bhubaneswar

କାମ୍ପା ଯୋଜନା, ସିଏଲଏଣ୍ଡରେ ଦୁର୍ନୀତି: ବନ ବିଭାଗ କାର୍ଯ୍ୟାଳୟରେ ଇଡି ଚଢାଉ

ଭବାନୀପାଟଣା: କଳାହାଣ୍ଡି ଜିଲା ଜୟପାଟଣା ଜଙ୍ଗଲ ବିଭାଗ ରେଞ୍ଜ ଅଫିସ୍ ସମେତ ଲଡୁଗାଁର ଜଣେ ନିଲମ୍ବିତ ଫରେଷ୍ଟ ଗାର୍ଡଙ୍କ ଘରେ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ଚଢାଉ କରିଛି। ଏହି ରେଞ୍ଜର ଫରେଷ୍ଟ ଗାର୍ଡ ଅଶୋକ ସାହୁ କାମ୍ପା ଏବଂ କ୍ଷତିପୂରଣ ବନୀକରଣ ବା ସିଏଲଏଣ୍ଡ ଯୋଜନାରେ ଅନେକ ହେରଫେର କରିଥିବା ଅଭିଯୋଗରେ ଚଢାଉ ହେଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଏହି ରେଞ୍ଜର ବେଣାଖମାର ସେକସନ୍ ଅନ୍ତର୍ଗତ ଚମ୍ପାଚୁଆଁ ଗାଁରେ ସିଏଲଏଣ୍ଡ ଯୋଜନା ଅନ୍ତର୍ଗତ ବାଲ୍ଡ ହିଲ୍‌ଡ ଚାରା ରୋପଣ କାର୍ଯ୍ୟକ୍ରମରେ ବ୍ୟାପକ ହେରଫେର ହେଇଥିବା ଜଣାପଡିଥିଲା। ଏହି ଗାଁର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୧୬ ଏବଂ ୭୨ ହେକ୍ଟର ଜମିରେ ନିର୍ଦ୍ଧାରିତ ଚାରାଠାରୁ କମ ଚାରା ରୋପଣ ହୋଇଛି। ସେହି ଅଞ୍ଚଳର ଫରେଷ୍ଟ ଗାର୍ଡ ଥିବା ଅଶୋକ ସାହୁ ଅର୍ଥ ହେରଫେର କରିବା ଅଭିଯୋଗରେ ପୁର୍ବରୁ ନିଲମ୍ବିତ ହୋଇଛନ୍ତି। ହେରଫେର ପରିମାଣ ପ୍ରାୟ ଅଢେ଼ଇ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ୨୦୨୩-୨୪ରେ ସିଏଲଏଣ୍ଡ ବା କ୍ଷତିପୂରଣ ବନୀକରଣ ଅନୁଦାନରେ ଚାରା ରୋପଣ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ହେଇ ନ ଥିବା ଅଭିଯୋଗ ହେଇଥିଲା। ଦୁଇଟି ଇନୋଭାରେ ଆସିଥିବା ଇଡି ଟିମ୍ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ପହଞ୍ଚି ଜୟପାଟଣା ରେଞ୍ଜ ଅଫିସରେ ଚଢାଉ କରିଥିଲେ। ଅଫିସକୁ ସିଆରପିଏଫ ଯବାନ ଘେରି ରହିଥିବାରୁ ଭିତରକୁ କେହି ଯାଇପାରି ନ ଥିଲେ। ଏଥି ସହିତ ନିଲମ୍ବିତ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁସ୍ଥିତ ଘରେ ମଧ୍ୟ ଇଡି ଚଢାଉ କରି କିଛି ଫାଇଲ ଜବତ କରିଛି। ଇଡି ଟିମ୍ ସାହୁଙ୍କ ଘରେ ଚଢ଼ାଉ ପରେ ତାଙ୍କୁ ଜୟପାଟଣା ରେଞ୍ଜ ଅଫିସକୁ ଆଣିଥିବା ସୂଚନା ମିଳିଛି। ଏହି ଘଟଣାରେ କିଛି ବିଭାଗୀୟ ଉପରିସ୍ଥ ଅଧିକାରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି। ସନ୍ଧ୍ୟା ସୁଦ୍ଧା ଜୟପାଟଣା ରେଞ୍ଜ ଅଫିସରେ ଚଢାଉ ଜାରି ରହିଥିଲା।

ଏହି ଘଟଣାରେ ୧୨୧ଟି ଜାଲ୍‌ ଜମାଖାତା ଖୋଲାଯାଇ ଟଙ୍କା ଉଠାଣ ହେଇଥିବା ଇଡି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି। ଏହି ଘଟଣାରେ ଫରେଷ୍ଟ ଗାର୍ଡରୁ ରେଞ୍ଜ ଅଫିସର ଯାଏଁ ସମ୍ପୃକ୍ତ ଥିବା ଇଡି ସନ୍ଦେହ କରୁଛି। ଚଢାଉ ବେଳେ ଅନେକ ବିଭିନ୍ନ କାଗଜପତ୍ର ସମେତ ବାଘ ଛାଲ ଭଳି ଜଣାପଡୁଥିବା ଏକ ଜନ୍ତୁ ଛାଲ ଜବତ ହେଇଥିବା ଇଡିର ଏହି ପ୍ରେସ ଇସ୍ତାହାରରେ ଉଲ୍ଲେଖ ରହିଛି। ଏସବୁର ତଦନ୍ତ ଚାଲୁ ରହିଥିବା ଇଡି ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories