ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ କୁଟ୍ଟେ ନିଲମ୍ବିତ: ଆଜି ଦିଲ୍ଲୀ ଆବାସିକ କାର୍ଯ୍ୟାଳୟରେ କରିବେ ରିପୋର୍ଟ

ଭୁବନେଶ୍ବର : ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ୍‌. କୁଟ୍ଟେଙ୍କୁ ନିଲମ୍ବନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହିତ ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ କୁହାଯାଇଛି। ପୁନଶ୍ଚ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ହୋଇଥିବା ଇଭିଏମ ଭଙ୍ଗା ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି।
ମଙ୍ଗଳବାର ଆୟୋଗଙ୍କ ପକ୍ଷରୁ ସଚିବ ରାକେଶ କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳଙ୍କୁ ଲିଖିତ ପତ୍ରରେ ଦର୍ଶାଇଛନ୍ତି ଯେ ସୋମବାର କୁଟ୍ଟେ ଓ ସିଂହ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ଆୟୋଗଙ୍କ ପକ୍ଷରୁ ତିନୋଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, କୁଟ୍ଟେଙ୍କୁ ତୁରନ୍ତ ନିଲମ୍ବନ ସହ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଦାୟିତ୍ବ ନିର୍ବାହ କରିବାକୁ କୁହାଯାଇଛି। ଆଜି (ବୁଧବାର) ଅପରାହ୍ଣ ୩ଟା ସୁଦ୍ଧା ସେଠାରେ କୁଟ୍ଟେଙ୍କୁ ରିପୋର୍ଟ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହିତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ ଫର୍ଦ ପ୍ରଦାନ କରିବା ପାଇଁ ସିଇଓଙ୍କୁ ନିର୍ଦେଶ ଦିଆଯାଇଛି। ଏପରିକି ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଅଭିଯୋଗ ଫର୍ଦ ଦାଖଲ କରିବାକୁ ଆୟୋଗଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଆଇଜି ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ଏକ ସ୍ବତନ୍ତ୍ର ଡାକ୍ତରୀଦଳ ମାଧ୍ୟମରେ ତାହାର ଯାଞ୍ଚ କରିବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ବର ଏମ୍ସ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ ବୋର୍ଡ ଗଠନ କରି ୩୦ ତାରିଖ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। ଆଶିଷ ମେ’ ୪ରୁ ସ୍ବାସ୍ଥ୍ୟ ଖରାପ ଦର୍ଶାଇ ଏମ୍ସରେ ଚିକିତ୍ସିତ ହେଉଥିବା ଦର୍ଶାଇଛନ୍ତି। ଏହାର ବାସ୍ତବତା ଯାଞ୍ଚ କରି ୩୧ ତାରିଖ ସୁଦ୍ଧା ଆୟୋଗଙ୍କ ନିକଟକୁ ରିପୋର୍ଟ ପଠାଇବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମନ୍ବୟ ରକ୍ଷା କରି ରିପୋର୍ଟ ପ୍ରଦାନ ପାଇଁ ଆୟୋଗଙ୍କ ପକ୍ଷରୁ ଉଲ୍ଲିଖିତ ପତ୍ରରେ ଦର୍ଶାଯାଇଛି।

Comments are closed.