ମିଆଁମାର ଭୂମିକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା: ୧୫୦ରୁ ଅଧିକ ମୃତ୍ୟୁ, ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ : ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ଘଟିଛି ବଡ଼ ଧରଣର ଭୂମିକମ୍ପ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଯୋଗୁଁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଶଙ୍କା କରାଯାଉଛି। ନଭଶ୍ଚୁମ୍ଭୀ ଅଟ୍ଟାଳିକା ଗୁଡିକ ଧରାଶାୟୀ ହୋଇପଡିଛି। ବହୁ ସେତୁ ଗଳିପଡିବା ସହ ସଡ଼କରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ସର୍ବାଧିକ ମୃତ୍ୟୁ ମ୍ୟାଁମାରରେ ଘଟିଥିବାବେଳେ ଥାଇଲାଣ୍ଡରେ ଭିତ୍ତିଭୂମି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ମ୍ୟାଁମାରରେ ଇଣ୍ଟରନେଟ୍‌ ସେବା ସଂପୂର୍ଣ୍ଣ ବ୍ୟାହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଓ କ୍ଷୟକ୍ଷତି ସଂପର୍କରେ ସଠିକ୍ ତଥ୍ୟ ମିଳିପାରୁନି। ସେଠାରେ ବିମାନସେବା ମଧ୍ୟ ବନ୍ଦ ରହିଛି। ପ୍ରାଥମିକ ତଥ୍ୟ ଅନୁଯାୟୀ ମ୍ୟାଁମାରରେ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସଂଖ୍ୟା ୫ରୁ ୧୦ ହଜାର ଛୁଇଁପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭୂକମ୍ପ ପରବର୍ତ୍ତୀ ଏକାଧିକ ଶକ୍ତିଶାଳୀ ଝଟ୍‌କା କାରଣରୁ ବ୍ୟାପକ ଧନଜୀବନହାନି ଘଟିଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଆଁମାର ସାମରିକ ସରକାର (ଜୁଣ୍ଟା) ମୁଖ୍ୟ ମିନ୍ ଅଉଙ୍ଗ ହାଲିଙ୍ଗ କହିଛନ୍ତି ଯେ, ଭଗ୍ନାବଶେଷ ମଧ୍ୟରେ ଅନେକ ଲୋକ ଚାପି ହୋଇ ରହିଛନ୍ତି। ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ସହାୟତା ଯୋଗାଇ ଦେବାକୁ ସେ ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରାଷ୍ଟ୍ରଙ୍କ ଏଭଳି ବିପଦ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଭାରତ ସମସ୍ତ ପ୍ରକାର ସହାୟତା କରିବ ବୋଲି ଘୋଷଣା କରିଛନ୍ତି। ଭାରତ ମିଆଁମାରକୁ ରିଲିଫ୍ ସାମଗ୍ରୀ ପଠାଇଛି। ବାୟୁସେନା ବିମାନ ଯୋଗେ ୧୫ ଟନ୍ ରିଲିଫ୍ ସମାଗ୍ରୀ ପଠାଇଛି। ଟେଣ୍ଟ୍‌ , ସ୍ଲିପିଂ ବ୍ୟାଗ୍, କମ୍ବଳ, ସୋଲାର୍ ଲ୍ୟାମ୍ପ, ଆବଶ୍ୟକୀୟ ଓୗଷଧ ସହ ଜେନେରେଟର୍ ସେଟ୍ ଆଦି ପଠାଇଛି। ସେପଟେ ଭୂମିକମ୍ପରେ ଆହତଙ୍କ ଚିକିତ୍ସା ଲାଗି ମ୍ୟାଁମାର ରାଜଧାନୀ ନ୍ୟାପିଦ, ମାଣ୍ଡାଲେ ଓ ସାଗାଇଙ୍ଗ ସହରର ଡାକ୍ତରଖାନା ଗୁଡିକରେ ଅସମ୍ଭାଳ ଭିଡ଼ ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଅନ୍ୟପଟେ ଜୁଣ୍ଟା ସରକାର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହିତ ଓ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି। ଫଳରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରୁ ସବିଶେଷ ରିପୋର୍ଟ ମିଳିବା କଷ୍ଟକର ହୋଇଛି। ଅନେକ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିପାରିନାହିଁ।
ରିପୋର୍ଟ ଅନୁଯାୟୀ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ଣ ୧୨ଟା ୫୦ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୭ ରହିଥିବା ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କହିଛି। ଭୂମିକମ୍ପର ଉତ୍ପତ୍ତିସ୍ଥଳ ଉତ୍ତର-ପଶ୍ଚିମ ସାଗାଇଙ୍ଗ୍ ସହର ଓ ଭୂପୃଷ୍ଠର ୧୦ରୁ ୩୦ କିମି ଗଭୀର। ଏହି ଭୂମିକମ୍ପର ପ୍ରଭାବ ଭାରତ ସମେତ ଥାଇଲାଣ୍ଡ, ଚୀନ୍‌, ଭିଏତନାମ ଓ ବାଂଲାଦେଶରେ ଅନୁଭୂତ ହୋଇଛି। ପ୍ରଥମ ଭୂମିକମ୍ପ ପରେ ୬.୪ ତୀବ୍ରତାର ଆଉ ଏକ ଭୂମିକମ୍ପ ସହିତ ମୋଟ ୬ଥର କମ୍ପନ ଅନୁଭୂତ ହୋଇଥିଲା। ଏହି କମ୍ପନଗୁଡିକର ପ୍ରଭାବ ୫.୦, ୪.୯, ୪.୪ ଓ ୪.୩ ରହିଥିଲା। ଏହି ଭୂମିକମ୍ପର ପ୍ରଭାବରେ ମ୍ୟାଁମାରରେ ଅନେକ ବଡ ବଡ ଅଟ୍ଟାଳିକା, ଘରଦ୍ବାର ଓ ସେତୁ ଭୁଶୁଡି ପଡିଛି। ମ୍ୟାଁମାର ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଅତୀତରେ ହୋଇଥିବା ଭୂକମ୍ପ ମଧ୍ୟରୁ ଏହି ଭୂମିକମ୍ପ ସବୁଠାରୁ ଶକ୍ତିଶାଳୀ ରହିଛି। ଏହି ଭୂମିକମ୍ପରେ ମ୍ୟାଁମାରର ଏକ ପୁରୁଣା ସେତୁ ଭୁଶୁଡି ପଡିଥିବାର ଫଟୋ ଗଣମାଧ୍ୟମକୁ ଆସିଛି। ମାଣ୍ଡାଲେ ଓ ୟାଙ୍ଗନୁନ୍‌କୁ ସଂଯୋଗ କରୁଥିବା ରାଜପଥରେ ଏହି ସେତୁଟି ଅବସ୍ଥିତ ଥିଲା। ସେହିପରି ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Comments are closed.