କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। କରୋନା ସଂକ୍ରମଣ ଭୟ ଥିବାରୁ କୋଭିଡ୍ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡ଼ିକରେ ପୂଜା ଅନୁଷ୍ଠିତ ହେଉଛି। ଶାରଦୀୟ ଷୋଡ଼ଶ ପୂଜାର ଉପଚାରରେ ଦେବୀଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରାଯାଉଛି। ଆଜି (ମଙ୍ଗଳବାର) ଗଡ଼ଚଣ୍ଡୀ ଓ କଟକଚଣ୍ଡୀଙ୍କ ପୀଠରେ ମହାଅଷ୍ଟମୀ ପୂଜାବ୍ରତ ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପଗୁଡ଼ିକରେ ଦେବୀଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି।
ଗଡ଼ଚଣ୍ଡୀ ଆଜି ଭକ୍ତଙ୍କୁ ମହାସରସ୍ୱତୀ ବେଶରେ ଦର୍ଶନ ଦେଇଥିବା ବେଳେ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ସୁସଜ୍ଜିତ ହୋଇଛନ୍ତି। ଉଭୟ ଶକ୍ତିପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ଯେପରି ଭିଡ଼ ନହୁଏ ଓ କୋଭିଡ୍ କଟକଣା ସମସ୍ତେ ପାଳନ କରିବେ ସେ ଦିଗରେ ପ୍ରଶାସନ ବେଶ୍ ସଚେତନ ଥିବା ଜଣାପଡ଼ିଛି। ପୂଜା ମଣ୍ଡପଗୁଡ଼ିକରେ ପରଦା ଟଙ୍ଗାଯାଇଛି। ଭିତରେ ପୂଜାର୍ଚ୍ଚନା ଚାଲୁ ରହିଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି।



