ଅତ୍ୟଧିକ ଡ୍ରାଏ ଫ୍ରୁଟ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?

 

ବାଦାମ, ଖଜୁରୀ, କାଜୁ ଏବଂ ପିସ୍ତାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଶରୀରରେ ଏହାର କି କି ପ୍ରଭାବ ପଡିଥାଏ ଚାଲନ୍ତୁ ଜାଣିବା ।

ଡ୍ରାଏ ଫ୍ରୁଟ୍ସ ପୁଷ୍ଟିକର ଉତ୍ପାଦନରେ ଭରପୂର ହୋଇଥିବାରୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତିଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସକୁ ସାମିଲ କରିବା ଭଲ । କିନ୍ତୁ ଏହି ଡ୍ରାଏ ଫ୍ରୁଟ୍ସ ବେଳେ ବେଳେ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ ପୂରଣ ପାଇଁ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ଡାକ୍ତରମାନେ ସାଧାରଣତଃ ପରାମର୍ଶ ଦେଇଥାନ୍ତି । ଦୀର୍ଘ ବର୍ଷ ଧରି କରାଯାଇଥିବା ଅନୁସନ୍ଧାରୁ ଜଣାପଡିଛି ଯେ ଶରୀରର ଓଜନ ବୃଦ୍ଧି ପାଇଁ ୩୫୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ । ହେଲେ ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ୨୫୦ କ୍ୟାଲୋରୀ ମିଳିଥାଏ । ଯଦି ଆପଣ ପ୍ରତିଦିନ ଡ୍ରାଏ ଫ୍ରୁଟ୍ସ ଖାଉଛନ୍ତି ତେବେ ଶରୀରରେ ମାତ୍ରାଧିକ କ୍ୟାଲୋରୀ ବୃଦ୍ଧି ହେବା ସହିତ ଶରୀରର ଓଜନ ବୃଦ୍ଧି ହୋଇପାରେ । ଶରୀରରେ ହଠାତ ଓଜନ ବୃଦ୍ଧି ହେବା ଯୋଗୁ ଆପଣ ଅନେକ ସମସ୍ୟାରେ ପଡିପାରନ୍ତି । ଯେପରିକି ମେଦବହୁଳତା, ମହିଳାମାନଙ୍କ ମାସିକ ଋତୁସ୍ରାବ, ଉଚ୍ଚ ରକ୍ତଚାପ ଇତ୍ୟାଦି ସମସ୍ୟା ଦେଖା ଦେଇପାରେ । ଏଥିପାଇଁ ସର୍ବନିମ୍ନ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଜରୁରୀ ।

ଡ୍ରାଏ ଫ୍ରୁଟ୍ସକୁ ଅଧିକ ଦିନ ଧରି ରଖିବା ପାଇଁ ସେଥିରେ ସଲଫର୍‍ ଡାଇଅକ୍ସାଇଡ୍‍ ଗ୍ୟାସ ବ୍ୟବହୁତ ହୋଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଡ୍ରାଏ ଫ୍ରୁଟ୍ସକୁ ସୀମିତ ପରିମାଣରେ ଖାଇଲେ ଏହି ଦୁର୍ଗନ୍ଧକାରୀ ଗ୍ୟାସ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରଣ ନୁହେଁ । କିନ୍ତୁ ବିଶେଷଜ୍ଞଙ୍କ ମତରେ ମାନବ ଶରୀରରେ ପ୍ରତିଦିନ ୨୦ ମିଲିଗ୍ରାମ ସଲଫର୍‍ ଡାଇଅକ୍ସଇଡ ପାଇଁ ଅନୁମତି ଦିଆଯାଇଛି । ଏହାଠାରୁ ଅଧିକ ହେବା ଉଚିତ ନୁହେଁ । କାରଣ ଏହାର ପରିମାଣ ଅଧିକ ହେବା ମାତ୍ରେ ଆଜମା , ଆଲର୍ଜି ଓ ଚର୍ମ ରୋଗ ଭଳି ପ୍ରତିକ୍ରିୟା ସୃଷ୍ଟି କରିପାରେ । ଯଦି ଆପଣ ଡାଏଟ୍‍ରେ ଡ୍ରାଏ ଫ୍ରୁଟ୍ସକୁ ସାମିଲ କରିବାକୁ ଚାହୁଁଛନ୍ତି ତେବେ ମନେ ରଖନ୍ତୁ ୨୫ରୁ ୫୦ ଗ୍ରାମ ଭିତରେ ସୀମିତ ରହିବା ଆବଶ୍ୟକ । ଦୈନିକ ଏହାଠୁ ଅଧିକ ଖାଆନ୍ତୁ ନାହିଁ ।

ମାର୍କେଟରେ ଉପଲବ୍ଧ ହେଉଥିବା ଡ୍ରାଏ ଫ୍ରୁଟ୍ସରେ ଏକ ମୋଟା ଚିନିର ଲେୟାର ରହିଥାଏ । ଏହାକୁ ଖାଇବା ଦ୍ୱାରା ଦାନ୍ତରେ ଚିନି ଲାଗି ରହିବା କାରଣରୁ ଦାନ୍ତ ନଷ୍ଟ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଏହି କାରଣରୁ ଯେଉଁ ମାନଙ୍କ ଦନ୍ତ ସମସ୍ୟା ରହିଛି ସେମାନେ ଡ୍ରାଏ ଫ୍ରୁଟ୍ସ ଅତ୍ୟଧିକ ପରିମାଣରେ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାସହିତ ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଡ୍ରାଏ ଫ୍ରୁଟ୍ସ ଖାଇବାରୁ ନିବୃତ୍ତ ରହିବା ଉଚିତ ।

ଅତ୍ୟଧିକ ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଚର୍ବି ଜମା ହେବା ଫଳରେ ମେଦବହୁଳତା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଅଧିକ ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଫୁଲା, ଏବଂ ପେଟରେ ଯନ୍ତ୍ରଣା ହୋଇପାରେ । ଖାଦ୍ୟ ସାମଗ୍ରୀରେ ବାଦାମକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ । ନିୟନ୍ତ୍ରଣରେ ଖାଇଲେ ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ପ୍ରକୃତରେ ସହାୟକ ହୋଇପାରେ ।

 

Comments are closed.