ପାଣିରେ ବୁଡ଼ି ଦୈନିକ ଯାଉଛି ୨ ଜୀବନ: ୪ ବର୍ଷରେ ମଲେଣି ୨୧୩୫
କଟକ : ରାଜ୍ୟରେ ପାଣିରେ ବୁଡ଼ି ଦୈନିକ ଯାଉଛି ଦୁଇଟି ଅମୂଲ୍ୟ ଜୀବନ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟରେ ଘଟୁଥିବା ମୃତ୍ୟୁସଂଖ୍ୟାର ଏକ ତୃତୀୟାଂଶ କେବଳ ନଦୀ, ନାଳ, ପୋଖରୀ ଓ ସମୁଦ୍ରରେ ବୁଡି ଜୀବନ ଯାଉଥିବା ଜଣାପଡିଛି। ରାଜ୍ୟ ରିଲିଫ କମିସନର (ଏସଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ କହୁଛି ୨୦୧୮-୧୯ରେ ରାଜ୍ୟରେ ସଲିଳ ସମାଧିଜନିତ ମୃତ୍ୟୁସଂଖ୍ୟା ୮୪୩ ଅତିକ୍ରମ କରିସାରଲାଣି।
୨୦୧୬-୨୦୧୯ ମଧ୍ୟରେ ଅର୍ଥାତ୍ ୪ ବର୍ଷରେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨୧୩୫ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିବର୍ଷ ଏହି ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଇତିମଧ୍ୟରେ ଏହା ୨୯୬ ପ୍ରତିଶତ ବୃଦ୍ଧି ପାଇଥିବା ତଥ୍ୟକୁ ସମୀକ୍ଷା କଲେ ଜଣାପଡିଛି। ୨୦୧୫-୧୬ ମସିହାରେ ୨୪୬ ଜଣ, ୨୦୧୬-୧୭ରେ ୪୨୮ ଜଣ, ୨୦୧୭-୧୮ରେ ୬୧୮ ଜଣଙ୍କ ଜୀବନ ପାଣିରେ ବୁଡିଯିବା କାରଣରୁ ଯାଇଥିବାବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୮୪୩ରେ ପହଞ୍ଚିଯାଇଛି। ବିପଦଜ୍ଜନକ ଭାବେ ତଥା ବିନା ସୁରକ୍ଷାରେ ଗାଧୋଉଥିବା ବ୍ୟକ୍ତିବିଶେଷ ସିଧାସଳଖ ଦାୟୀ ଥିଲେ ମଧ୍ୟ ସରକାର ଏଦିଗରେ ସର୍ବସାଧାରଣରେ ସଚେତନତା ସୃଷ୍ଟି ଲାଗି ଆଖିଦୃର୍ଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଘଟଣାକୁ ରାଜ୍ୟ ସରକାର ସ୍ବତନ୍ତ୍ର ବିପର୍ଯ୍ୟୟ ଭାବେ ଉଲ୍ଲେଖକରି ମୃତକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ପ୍ରତିବର୍ଷ ଏହି ମୃତ୍ୟୁସଂଖ୍ୟା ବଢିବଢି ଚାଲିଥିବାବେଳେ ସରକାର ଏହାର ପ୍ରତିକାର ଲାଗି ପଦକ୍ଷେପ ନେବାରେ ବିଶେଷ ସମର୍ଥ ହୋଇପାରିନାହାନ୍ତି। ପ୍ରତିବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ ଏହି ସଂଖ୍ୟା ୭୨ ପ୍ରତିଶତ ରହୁଥିବାବେଳେ ଗ୍ରୀଷ୍ମଋତୁରେ ଅବଶିଷ୍ଟ ମୃତ୍ୟୁ ଘଟୁଛି। ତେବେ ମୃତକଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ଥିବା ସରକାରୀ ତଥ୍ୟରୁ ଜଣାପଡିଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୯ ଜିଲାର ୨୩୮ ବ୍ଲକ୍ରୁ ମିଳିଥିବା ସୂଚନାରେ ମୃତ୍ୟୁସଂଖ୍ୟା ତାଲିକାର ଆଗରେ ବାଲେଶ୍ବର ଜିଲା ରହିଛି। ଏହା ତଳକୁ ଭଦ୍ରକ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମ ଜିଲା ରହିଛି। ତେବେ ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ରେ ସର୍ବାଧିକ ବ୍ୟକ୍ତିଙ୍କ ପାଣିରେ ବୁଡି ଅକାଳ ବିୟୋଗ ଘଟିଥିବାବେଳେ ଏହା ତଳକୁ ରହିଛି ସମ୍ବଲପୁର ବ୍ଲକ୍, ବାଲେଶ୍ବର ଜିଲାର ବସ୍ତା ଓ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ୍। ଗାଧୋଇବା ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ନଦୀ, ନାଳ, ପୋଖରୀ, ଜଳଭଣ୍ଡାର, ସମୁଦ୍ର ଓ ଚୁଆରେ ବୁଡି ଲୋକଙ୍କ ପ୍ରାଣହାନି ଘଟୁଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି। ତେବେ ସବୁଠୁ ବିପଜ୍ଜନକ ସ୍ଥାନ ଉପକୂଳ ଅଞ୍ଚଳ ରହିଛି। ବିଶେଷକରି ପୁରୀ, କୋଣାର୍କ, ଗୋପାଳପୁର ଆଦି ବେଳାଭୂମିରେ ସମୁଦ୍ରରେ ଗାଧୋଉଥିବାବେଳେ ମଧ୍ୟ ଅନେକ ପର୍ଯ୍ୟଟକଙ୍କ ଅସାବଧାନତା ଯୋଗୁଁ ପ୍ରାଣହାନି ଘଟୁଛି।
ସୂଚନାଯୋଗ୍ୟ, ଏଭଳି ଅକାଳ ମୃତ୍ୟୁକୁ ରୋକିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସରକାରଙ୍କୁ କେତେକ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ ଲାଗି ନିର୍ଦେଶନାମା ଦିଆଯାଇଛି। ଯେଉଁସବୁ ସ୍ଥାନରେ ଗାଧୋଇବା ବିପଦପୂର୍ଣ୍ଣ ସେଠାରେ ଗାଧୋଇବା ଉପରେ ନିଷେଧାଦେଶ ଜାରୀ, ସର୍ବସାଧାରଣ ଗାଧୋଇବା ସ୍ଥଳରେ ତାରବାଡ ଘେରାଇ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ଗ୍ରହଣ, ଗାଧୋଇବା ଲାଗି ସ୍ବତନ୍ତ୍ର ଘାଟ ନିର୍ମାଣ ଭଳି ପଦକ୍ଷେପ ନେବାକୁ ପରାମର୍ଶ ରହିଛି। ଏପରିକି ସ୍ଥାନୀୟ ପ୍ରଶାସନ ଜରିଆରେ ଏନେଇ ସାଧାରଣରେ ସଚେତନତା ସୃଷ୍ଟି ଓ ନଦୀକୂଳ ଅଞ୍ଚଳର ଲୋକଙ୍କୁ ପହଁରା ଶିଖାଇବା ତାମିଲ ମଧ୍ୟ ଦିଆଯିବା ବ୍ୟବସ୍ଥା ରହିଛି। ଏଦିଗରେ ସରକାର ବିଶେଷ ଯତ୍ନବାନ ନାହାନ୍ତି ସତ; ମାତ୍ର ମଜା ଓ ମସ୍ତିରେ ଗାଧୋଇବାକୁ ଯାଉଥିବା ଅନେକ ଯୁବକ ମଧ୍ୟ ଜଳାଶୟର ଗଭୀରତା, ନଦୀ, ନାଳର ପ୍ରଖର ସୁଅ ଏବଂ ସମୁଦ୍ରର ଢେଉ ପ୍ରତି ଆଦୌ ସଜାଗ-ସତର୍କ ନୁହଁନ୍ତି। ଏପରିକି କେତେକ ପହଁରା ନଜାଣି ପାଣିରେ ଗାଧୋଇବାବେଳେ ଏଭଳି ଅଘଟଣ ଘଟୁଛି। ବିଶେଷକରି ସ୍କୁଲ, କଲେଜ ପଢୁଆ ପିଲାମାନେ ଏଭଳି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି।
Comments are closed.