ପଳାଶପଙ୍ଗା ଅଞ୍ଚଳରେ ପାନୀୟ ଜଳର ଅଭାବ

କେନ୍ଦୁଝରଗଡ଼: ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ବର୍ଷଧରି ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ପଳାଶପଙ୍ଗା ସଂଲଗ୍ନ ଅଞ୍ଚଳରେ ୪ଟି ସ୍ପଞ୍ଜ ଲୁହାକାରଖାନା ମଧ୍ୟରୁ ୩ଟି, ଗୋଟିଏ ରାଇସ୍‌‌ ମିଲ, ୪ଟି କ୍ରସର କାର୍ଯ୍ୟକ୍ଷମ ଥିବାବେଳେ ଏମାନେ ସମସ୍ତେ ଭୂତଳ ଜଳ ଉପରେ ବିଶେଷ ଭାବେ ନିର୍ଭର କରି ଚଳି ଆସୁଛନ୍ତି। ଏହି କାରଣରୁ କାରଖାନା ସମେତ କ୍ରସର ସଂସ୍ଥାମାନ ନିଜ ନିଜ ପରିସରରେ ବେଆଇନ ଭାବେ ଗଭୀର ନଳକୂପ ଖନନକରି ଭୂତଳ ଜଳକୁ ସଂଗ୍ରହ କରି ଶିଳ୍ପାନୁଷ୍ଠାନ ଚଳାଇ ଆସୁଥିବା ବେଳେ ଚତୁଃପାର୍ଶ୍ବରେ ଥିବା କୂଅ, ପୋଖରୀ, ନାଳ, ଝରଣା ଆଦି ଗ୍ରୀଷ୍ମଋତୁର ବହୁ ପୂର୍ବରୁ ଶୁଖି ଯାଉଥିବାରୁ ଏଠାକାର ସାଧାରଣ ଲୋକେ ତଥା ଗୃହପାଳିତ ପଶୁ ପକ୍ଷୀ ଟୋପାଏ ପାନୀୟଜଳ ପାଇଁ ସଦା ସଂଘର୍ଷରତ। ସେହିପରି ପାନୀୟଜଳର ଅଭାବ ହେଲେ ସମ୍ପୃକ୍ତ ଅଞ୍ଚଳରେ ନଳକୂପ ଖୋଳାଯାଇ ପାନୀୟଜଳ ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇ ଜିଲା ପ୍ରଶାସନ ଡିଣ୍ଡିମ ପିଟୁଥିବା ବେଳେ ଉକ୍ତ ଅଞ୍ଚଳରେ ଏହାର ଘୋର ବ୍ୟତିକ୍ରମ ଦେଖାଦେଇଛି। ପଳାଶପଙ୍ଗା ଓ ମୁରୁସୁଆଁ ଏହି ଦୁଇଗ୍ରାମକୁ ନିକଟସ୍ଥ ଅରଡେଇ ନଦୀରୁ ପାଇପଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ଆସୁଥିବା ବେଳେ ପାଇପ ଫାଟିବା କାରଣରୁ ଆଜକୁ ପ୍ରାୟ ୩ବର୍ଷ ଧରି ଏହି ପ୍ରକଳ୍ପ ଅଚଳ ଯୋଗୁଁ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ପାନୀୟଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ମରାମତି କରାଯାଇ ପାନୀୟଜଳ ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଆସୁଛି।

prayash

ସେହିପରି ପଳାଶପଙ୍ଗା ସମବାୟ ସମିତି ଏବଂ ଆୟୁର୍ବେଦ ଚିକିତ୍ସାଳୟକୁ ବର୍ଷତମାମ ସ୍ଥାନୀୟ ୮ଟି ପଞ୍ଚାୟତର ଶତାଧିକ ହିତାଧିକାରୀ ଯା’ଆସ କରୁଥିଲେ ହେଁ ପାନୀୟଜଳର କୌଣସି ବ୍ୟବସ୍ଥା ନଥିବାରୁ ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ଏକ ଗଭୀର ନଳକୂପ ଖନନ କରାଯିବାକୁ ସାଧାରଣରେ ଦାବି ହୋଇଆସୁଛି। ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନା ପକ୍ଷରୁ ମୁରୁସୁଆଁ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟରେ ମୁରୁସୁଆଁ ଖେଳ ପଡ଼ିଆରେ ଗଭୀର ନଳକୂପ ଖନନ କରି ଓଭରହେଡ ଟ୍ୟାଙ୍କ ମାଧ୍ୟମରେ ଘରକୁ ଘର ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବା ଗ୍ରାମବାସୀଙ୍କୁ ନିରାଶ କରିଛି। ପଳାଶପଙ୍ଗା ଅଞ୍ଚଳରେ କାର୍ଯ୍ୟକ୍ଷମ ଛୋଟବଡ ଶିଳ୍ପାନୁଷ୍ଠାନ ପକ୍ଷରୁ ମନଇଚ୍ଛା ଗଭୀର ନଳକୂପ ଖନନକୁ ବନ୍ଦ କରାଯିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କାର୍ଯ୍ୟକ୍ଷମ ଶିଳ୍ପସଂସ୍ଥା ପକ୍ଷରୁ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ତୁଲାଇବା ଅବସରରେ ଗଭୀର ନଳକୂପ ଖେଳାଯାଇ ଓଭରହେଡ୍‌‌ ଟ୍ୟାଙ୍କ ନିର୍ମାଣ କରି ପାଇପଯୋଗେ ପାନୀୟଜଳ ଯୋଗାଇ ଦେବାକୁ ପଳାଶପଙ୍ଗା, ପର୍ଜନପୁର, କଣ୍ଡରାପଶି, ରାଇକଳା, କାଉଁରୀକଳା, ଗୋବର୍ଦ୍ଧନ ଓ ହାଣ୍ଡିଭଙ୍ଗା ଆଦି ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଛି।

Comments are closed.