ଆଶାର ସଂଚାର କରୁଛି ଡିଆରଡିଓର କୋଭିଡ ଚିକିତ୍ସା ଔଷଧ

ଦେଶରେ କୋଭିଡ-୧୯ ମହାମାରୀକୁ ନେଇ ହା ହାକାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କୋଭିଡ ରୋଗୀଙ୍କ ଚିକିିତ୍ସା ପାଇଁ ଡିଆରଡିଓରଏକ ଅଗ୍ରଣୀ ଲାବୋରେଟୋରୀ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍ସେସ (ଆଇଏନଏମଏଏସ) ପକ୍ଷରୁ ହାଇଦରାବାଦସ୍ଥିତ ଡ.ରେଡ୍ଡିସ୍‍ ଲାବୋରେଟୋରିଜ ସହିତ ମିଶି ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଚଳିତ ମାସ ପ୍ରଥମ ଭାଗରେ ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ) ମଧ୍ୟମରୁ ଗୁରୁତର କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରଚଳିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା (ଏସଓସି) ଅନୁଯାୟୀ ଏକ ସହାୟକ ଚିକିତ୍ସା ସକାଶେ ଜରୁରୀକାଳୀନ ବ୍ୟବହାର ଉଦ୍ଦେଶ୍ୟରେ ଏହାକୁ ପାଟିବାଟେ ସେବନ କରାଯିବାକୁ ଅନୁମୋଦନ କରିଥିଲେ। ଭାରତ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ଏବଂ ତଦ୍‍ଜନିତ ମୃତ୍ୟୁକୁ ନେଇ ଘାଣ୍ଟି ହେଉଥିବା ଏବଂ ଏହାର ମୁକାବିଲା କରିବାରେ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୀମିତ ହୋଇପଡିଥିବାବେଳେ ଏହି ଔଷଧର ବ୍ୟବହାରକୁ ଅନୁମୋଦନ ମିଳିଛି।
ଏହି ଔଷଧ ପାଉଡର ଆକାରରେ ଏକ ପୁଡିଆ ମଧ୍ୟରେ ଆସୁଛି, ଯାହାକୁ ପାଣିରେ ଗୋଳାଇ ପିଇବାକୁ ହୋଇଥାଏ। ଏହା ଭୂତାଣୁ ସଂକ୍ରମିତ କୋଷଗୁଡିକରେ ଯାଇ ଜମାହେବା ସହିତ ଭୂତାଣୁର ଶକ୍ତି ବୃଦ୍ଧିକୁ ରୋକି ଭୂତାଣୁ ସଂଖ୍ୟାର ବୃଦ୍ଧିକୁ ମଧ୍ୟ ରୋକିଥାଏ ଏବଂ ତଦ୍ଦ୍ୱାରା ଭୂତାଣୁ ଶରୀର ମଧ୍ୟରେ ବ୍ୟାପିବା ଆଶଙ୍କା ହ୍ରାସ କରିଥାଏ। ଏହାର କ୍ଲିନିକାଲ ପରୀକ୍ଷଣରୁ ଜଣାଯାିଛି ଯେ ହସପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କର ଦ୍ରୁତ ଆରୋଗ୍ୟରେ ଏହା ସହାୟକ ହେଉଛି ଏବଂ ସହାୟକ ଅମ୍ଳଜାନ ନିର୍ଭରଶୀଳତା ମଧ୍ୟ ହ୍ରାସ ଘଟାଉଛି। ୨୦୨୦ ଏପ୍ରିଲ ମାସରେ ମହାମାରୀର ପ୍ରଥମ ଲହର ସମୟରେ ଆଇଏନଏମଏଏସ-ଡିଆରଡିଓ ବୈଜ୍ଞାନିକଗଣ ହାଇଦରାବାସ୍ଥିତ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମବି) ସହାୟତାରେ ଏହାର ଲାବୋରେଟୋରୀ ପରୀକ୍ଷା କରିଥିଲେ ଏବଂ ସେମାନେ ଦେଖିବାକୁ ପାଇଲେ ଯେ ଏହି ମଲିକ୍ୟୁଲ ସାର୍ସ-ସିଓଭି-୨ ବିପକ୍ଷରେ ଫଳପ୍ରଦ ଭାବରେ କାର୍ଯ୍ୟ କରୁଛି ଏବଂ ଭୂତାଣୁ ଅଭିବୃଦ୍ଧିକୁ ପ୍ରତିହତ କରୁଛି। ଉକ୍ତ ପରୀକ୍ଷା ଫଳାଫଳ ଆଧାରରେ ଔଷଧ ନିୟନ୍ତ୍ରକ ଏବଂ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ୨୦୨୦ ମଇ ମାସରେ ଏହି ୨-ଡିଜି ଔଷଧକୁ କୋଭିଡ ରୋଗୀଙ୍କ ଠାରେ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଥିଲେ।
ଡିଆରଡିଓ ତାହାର ଶିଳ୍ପ ସହଭାଗୀ ହାଇଦରାବାଦର ଡିଆରଏଲ ସହିତ ମିଶି କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ନିରାପତ୍ତା ଓ ପ୍ରଭାବୀ ଦିଗ ସମ୍ପର୍କରେ ଜାଣିବାକୁ କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ (ଡୋଜ୍‍ ପରିମାଣ ସମେତ) ୨୦୨୦ ମଇରୁ ଅକ୍ଟୋବର ମଧ୍ୟରେ କରାଯାଇଥିଲା ଏବଂ ଲକ୍ଷ୍ୟ କରାଗଲା ଯେ ଏହି ଔଷଧ କୋଭିଡ ରୋଗୀଙ୍କ ପାଇଁ ନିରାପଦ ଏବଂ ସେମାନଙ୍କ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଉଛି। ୨-ଡିଜି ଔଷଧ ଦିଆଯାଇଥିବା ରୋଗୀଙ୍କ ଲକ୍ଷଣରେ ମାନକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ରୋଗୀଙ୍କ ତୁଳନାରେ ଦ୍ରୁତ ସୁଧାର ଘଟିଥିଲା। ନଭେମ୍ବର ୨୦୨୦ରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମୋଦନ କରାଗଲା ଏବଂ ତାହା ୨୦୨୦ ଡିସେମ୍ବରରୁ ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୧ ମଇ ୧ ତାରିଖରେ ଏହି ଔଷଧକୁ ହସପିଟାଲରେ ଥିବା ଏବଂ ଅମ୍ଳଜାନ ଆବଶ୍ୟକ କରୁଥିବା କୋଭିଡ ରୋଗୀଙ୍କ ନିମନ୍ତେ ଅନ୍ୟାନ୍ୟ ଭୂତାଣୁ ନିରୋଧୀ ଚିକିତ୍ସା ସହିତ ଏକ ସହାୟକ ଚିକିତ୍ସା ଭାବରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଗଲା। ଏହା ଭୂତାଣୁ ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରୁଥିବାରୁ ସଂକ୍ରମଣ ପ୍ରକ୍ରିୟାର ପ୍ରଥମ ୭ରୁ ୧୦ ଦିନ ମଧ୍ୟରେ ଏହା ଅତ୍ୟନ୍ତ ଉପଯୋଗୀ ବିବେଚିତ ହେଉଛି। ତେବେ ଅନିୟ୍‍ନ୍ତ୍ରିତ ମଧୁମେହ, ହାର୍ଟ ଫେଲ୍ୟୋର, କରୋନାରୀ ଆର୍ଟେରି ଡିଜିଜ (ସିଏଡି), ଆସଥମା, ଇଣ୍ଟରଷ୍ଟିଟିଆଲ ଲଙ୍ଗ ଡିଜିଜ (ଆଇଏଲଡି), ମାଲିଗନାନ୍ସି (କ୍ୟାନସର) ଏବଂ କ୍ରନିକ କିଡନି ଡିଜିଜ (ସିକେଡି) ଆଦି ପ୍ରାକ୍‍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏହି ଔଷଧର ପ୍ରଭାବୀ ଗୁଣ ଏପର୍ଯ୍ୟନ୍ତ ଜଣାଯିବାକୁ ବାକି ଅଛି। ଶ୍ୱାସ ପ୍ରଶ୍ୱାସରେ ଗୁରୁତର ସମସ୍ୟା ଭୋଗୁଥିବା ଅଥବା ଏକାଧିକ ଶରୀରର ଅଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ବିଫଳ ହୋଇଥିବା ଗୁରୁତର କୋଭିଡ-୧୯ ରୋଗୀଙ୍କ ପାଇଁ ୨-ଡିଜି ବ୍ୟବହାରକୁ ସୁପାରିଶ କରାଯାଇନାହିଁ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ମଧ୍ୟ ଏହି ଔଷଧ ସେବନ ବାରଣ କରାଯାଇଛି।
ବୈଜ୍ଞାନିକ ତଥ୍ୟରୁ ଜଣାଯାଇଛି ଯେ ଏହି ଔଷଧ ନିର୍ଦ୍ଦିଷ୍ଟ ଭାବରେ ଭୂତାଣୁ ପ୍ରଭାବିତ କୋଷ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ସାଧାରଣ ସୁଦ୍ଧ କୋଷଗୁଡିକରେ ମଧ୍ୟ ଜମା ହୋଇଥାଏ। ଏହାର ମଲିକ୍ୟୁଲ ଗ୍ଲୁକୋଜ ଭଳି, କିନ୍ତୁ ଗ୍ଲୁକୋଜ ଯେଉଁଭଳି କୋଷ ମଧ୍ୟରେ ବିଭାଜିତ ହୋଇ ଶରୀରକୁ ଶକ୍ତି ଯୋଗାଇଥାଏ, ଏହା ସେଭଳି କରିବ ନାହିଁ। ଫଳରେ ଏହି କାରଣରୁ ରୋଗୀଙ୍କ ଶରୀରରେ ଗ୍ଲୁକୋଜ ସ୍ତର ହଠାତ୍‍ ହ୍ରାସପାଇବା ଆଶଙ୍କା ରହିଥାଏ ଏବଂ ରୋଗୀ ହାଇପୋଗ୍ଲାଇସେମିଆରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ସେଥିପାଇଁ ଏହାକୁ ହସପିଟାଲ ବାହାରେ ଦିଆଯିବାକୁ ସ୍ପଷ୍ଟ ଭାବରେ ମନା କରାଯାଇଛି। କେବଳ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ଔଷଧ ସେବନ କରିବାକୁ ଦିଆଯାଇପାରିବ।

prayash

(ଡା.ସ୍ୱାଗତ ଦାଶ, ବରିଷ୍ଠ କନସଲ୍ଟାଣ୍ଟ ଏବଂ ବିଭାଗୀୟ ମୁଖ୍ୟ, ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ମଲିକ୍ୟୁଲାର ଇମେଜିଂ, ସର୍ବୋଦୟ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର, ଫରିଦାବାଦ)

kalyan agarbati

Comments are closed.