ଲଡୁଗାଁ : କଳାହାଣ୍ଡି ଜିଲ୍ଲା ବାଣିଜ୍ୟ ନଗରୀ ବୋଲାଉଥିବା ଲଡୁଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସାଙ୍ଗକୁ ଶୋଚନୀୟ ରାସ୍ତା ପୁଣି ଲୋକେ ହିନସ୍ଥା। ହିନସ୍ଥା ହେବେ ନାହିଁ ବା କାହିଁକି, ସବୁ କଥା ରେ ତ’ ପଞ୍ଚାୟତ ଅଛି । ଆମେ ଆଉ ସୁଧୁରିବା ନି ! ଏଥିପାଇଁ ମାଳ ମାଳ ପ୍ରତିଶ୍ରୁତି ଦେଉଥିବା ନିର୍ବାଚିତ ପ୍ରତିନିଧି ତଥା ପ୍ରାଶାସନିକ ଅଧିକାରୀ ଯେତିକି ଉତ୍ତରଦାୟୀ ତାଠାରୁ ଅଧିକ ଦାୟୀ ରାସ୍ତା ଦୁଇ ପାର୍ଶ୍ୱରେ ରହୁଥିବା ସାଧାରଣ ଜନତା ଓ ଦୋକାନୀ। ଘର, ଦୋକାନ ସଫା କଲେ ପ୍ଲାଷ୍ଟିକ ପଲିଥିନ୍ ମୁଣି, କାଚ ବୋତଲ ଯାହା ଅଳିଆ ବାହାରିଲା ଘର ସାମନା ଡ୍ରେନରେ ପକେଇଲେ ପୁଣି ଖାଉଥିବା ବଳକା ଖାଦ୍ୟ ଫିଙ୍ଗିଲେ। ଯେଉଁଠାରେ ଡ୍ରେନ୍ ତିଆରି ହେବା କଥା ବା ଯେଉଁଠି ଡ୍ରେନ୍ ତିଆରି ହୋଇ ସାରିଛି । ସେଇଠି ଘର ଅଗଣା ପାହାଚ ତ ଆଉ କୋଉଠି ଘର ଡ୍ରେନ୍ ଉପରକୁ ମାଡ଼ି ବସିଛି । ଲଡୁଗାଁ ୩ ନମ୍ବର ୱାର୍ଡ ଛେଲିଆପଡା ବନ୍ଦପଡ଼ା ରାସ୍ତାରେ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଥିବା ବେଳେ ଡ୍ରେନର ମଇଳା ପାଣି ରାସ୍ତା ଲହଡି ମାରୁଛି । ନାଳ ପାଣି ଦୁର୍ଗନ୍ଧରେ ନାକ ଫାଟୁଛି । ଯାହାକୁ ନେଇ ଆବାଳ ବୃଦ୍ଧ ବନିତା ସମସ୍ତେ ଦୁଃଖ ପ୍ରକାଶ କରି କହୁଛନ୍ତି ଆମେ ରାସ୍ତା ଯେଭେ ଦେଖିଲେ ରାସ୍ତା ଯେନ୍ତା କେ ସେନ୍ତା । କାରଣ ଖରା ବର୍ଷା ଶୀତ ସବୁ ସମୟରେ ଏ ରାସ୍ତା ଏମିତି ଅପରିଷ୍କାର ରହିଥିଲେ ହେଁ ଏଥି ପ୍ରତି କାହାରି ନିଘା ନାହିଁ। ଜନତାଙ୍କଠୁ ଆରମ୍ଭ କରି ରାଜନେତା ତଥା ପ୍ରଶାସନିକ ଅଧିକାରୀ କେହି ଏହାର ସମାଧାନ କରୁନଥିବା ଅଭିଯୋଗ ହେଉଛି। ଓଡ଼ିଆରେ ଗୋଟେ କଥା ପ୍ରଚଳିତ ଅଛି ଗୋଦରା କୋଡ଼େ ଯେତେ, ମାଡେ ସେତେ । ଅର୍ଥ ସମସ୍ତଙ୍କୁ ଭଲ ଭାବରେ ଜଣାଅଛି । ଆଜି ପୁଣି ସେକଥା ? ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଗୁରୁତ୍ଵ ଦେଇଛନ୍ତି । କହିବାକୁ ଗଲେ ଗଲା କେତେ ବର୍ଷ ହେଲା ସରକାର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ନୂଆ ରାସ୍ତା ତିଆରି କରୁଛନ୍ତି । ଅଥଚ ରାସ୍ତା କଡ଼ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ହୋଇପାରୁ ନାହିଁ । ଏପଟେ ଲୋକେ କାହାକୁ ବା କହିବେ। ଗାଁ ପରିମଳ ବ୍ୟବସ୍ଥା ତଥା ଉନ୍ନତିକରଣ ଯୋଜନା ପ୍ରତି ଆଉ ବିରୋଧ କରିପାରିବେନି । ଏବେ ଅପେକ୍ଷା କରି ରହିଛନ୍ତି, ହଁ କିଛିଦିନ ପରେ ସବୁ ଠିକ୍ ହେଇଯିବ । ସବୁ ଠିକ୍ ହେବା ଭିତରେ କିଛି ସମାଧାନ ତ ହୁଏନି, ହୁଏ କେବଳ ଲୋକଙ୍କୁ ସଂକ୍ରମଣ ଜନିତ ରୋଗ । ଏଭଳି ପରିସ୍ଥିତି ସୃଷ୍ଟି ହୋଇ ରାସ୍ତା ଦି କଡ଼ରେ ଥିବା ଲୋକମାନଙ୍କ ପାଇଁ ପ୍ରକୃତ ଯମ ଯନ୍ତ୍ରଣା ଆରମ୍ଭ ହୋଇଗଲା ଜାଣ।
ଘଟଣା କେବଳ ଗଳିକନ୍ଦିରେ ସୀମିତ ନାହିଁ । ସହରର ମୂଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ତଦ୍ରୁପ । ଚାରିଦିନ ତଳେ ତମେ ଯେଉଁ ରାସ୍ତାରେ ଯାଇଥିଲ ସେଇ ରାସ୍ତାରେ ତମେ ଫେରି ପାରିବ ବୋଲି କିଛି ମଧ୍ୟ ଗ୍ୟାରେଣ୍ଟି ନାହିଁ । ଗୋଟିଏ ପଟେ ମାଲବାହୀ ଟ୍ରକ ଯୋଗୁ ଟ୍ରାଫିକ ସମସ୍ୟା ତ ଅନ୍ୟପଟେ ଗଳି ରାସ୍ତା ଶୋଚନୀୟ। କ’ଣ ପାଇଁ ବ୍ୟବସ୍ଥା ଭିତରେ ଏଇ ସବୁ ଅବ୍ୟବସ୍ଥା ରହିଛି? ଏତେ ବର୍ଷ ଭିତରେ ବିଭିନ୍ନ ବିଭାଗ ସାଙ୍ଗରେ ସମନ୍ୱୟ କରାଯାଇ କାମଟି କ’ଣ ପାଇଁ କରିବା ସମ୍ଭବ ହେଇପାରୁନି ? ଜନସାଧାରଣଙ୍କ ଲାଭ ହେବ କହି ଅସଲ ଲାଭ ଉଠଉଛି କିଏ ? ଏହାକୁ ଅପରିଣାମଦର୍ଶିତା କହିବା ନା ଜାଣି ସିଆଣା କହିବା ?
ଘଟଣା କ୍ରମରେ କିଏ କୋଉଠୁ ଆସି ଘର କରିଛନ୍ତି । ଘର ଖଣ୍ଡେ ଗଢିଥିବା ମଣିଷ ପାଇଁ ତା’ ଆଖ ପାଖ ସାହି ପଡିଶା ଅଜଣା ଅଚିହ୍ନା ବୋଲି ସାଧାରଣରେ ପ୍ରଶ୍ନ ଉଠେ । ଏମିତି ଅବସ୍ଥାରେ ପ୍ରତିବାଦ ବା କରିବ କିଏ ? ଆମ ରାଜନେତା, ଠିକାଦାର ଓ ସରକାରୀ ବାବୁଙ୍କ ସଲାସୁତୁରାରେ ରାଜ୍ୟର ଉନ୍ନତି ଚାଲିଛି ବୋଲି ମଧ୍ୟ କୁହାଯାଉଛି । ଯୋଜନା ପରେ ଯୋଜନା । କେତେ କେତେ ସ୍ୱପ୍ନ ଓ ପ୍ରତିଶୃତି। କିନ୍ତୁ ପରିଶେଷରେ ଭାଗଫଳ ଯେ ଶୂନ। ତାହା ଦୁଃଖ ଓ ପରିତାପର ବିଷୟ । ଏଣୁ ନିର୍ବାଚିତ ପ୍ରତିନିଧି, ପ୍ରଶାସନ, ରାସ୍ତା ଦୁଇ ପାର୍ଶ୍ଵରେ ରହିଥିବା ଦୋକାନୀ ଓ ଜନସାଧାରଣ ମିଳିତ ଆଲୋଚନା କରାଯିବା ପରେ ଏହାର ସମାଧାନ ହୋଇପାରିବ ବୋଲି ପରିବେଶବୀତ ଓ ବୁଦ୍ଧିଜୀବୀ କୁହନ୍ତି ।
Comments are closed.