ଅବସରପ୍ରାପ୍ତ ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ନାଏକ ପରଲୋକ,ବିଭିନ୍ନ ମହଲରେ ଶୋକ
କେନ୍ଦୁଝରଗଡ : ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସରଗ୍ରହଣ କରିଥିବା ପ୍ରାଧ୍ୟାପକ ଡ.କୃଷ୍ଣଚନ୍ଦ୍ର ନାଏକ ୭୧ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ଡ. ନାଏକ ଗତ କିଛିଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କଟକସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧିନ ଥିବାବେଳେ ସୋମବାର ଭୋର ସମୟରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ସମଗ୍ର କେନ୍ଦୁଝର ଜିଲାରେ ଶୋକର ଛାୟା ଖେଳି ଯାଇଛି । ଚମ୍ପୁଆ ବ୍ଲକ ଜାଲି ଗ୍ରାମରେ ଜନ୍ମିତ ଡ. ନାଏକ ଉଚ୍ଚଶିକ୍ଷା ସମାପ୍ତି ପରେ କଟକସ୍ଥିତ ଜେକେବିକେ ମହାବିଦ୍ୟାଳୟରୁ ଓଡିଆ ବିଭାଗ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଭାବେ ଅବସରଗ୍ରହଣ କରି ନିଜକୁ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ କରିଥିଲେ। ‘କେନ୍ଦୁଝରର ଲୋକ ନାଟକ’ ସମ୍ପର୍କରେ ଗବେଷଣା କରି ପିଏଚ୍ଡି ଡିଗ୍ରୀ ଲାଭ କରିଥିବା ଡ. ନାଏକ ‘କେନ୍ଦୁଝରର ଲୋକ ନାଟକ’ ଓ ‘କେନ୍ଦୁଝର ଦର୍ଶନ-କଥା କାହାଣୀ’ ପୁସ୍ତକ ରଚନା କରି ବେଶ୍ ପ୍ରଶଂସା ସାଉଁଟି ପାରିଥିଲେ। ପରିବେଶ ସୁରକ୍ଷା, ପ୍ରକୃତି, ବନ୍ୟଜନ୍ତୁ ସଂରକ୍ଷଣ ଆଦି ପାଇଁ ସର୍ବଦା ସମର୍ପିିତ ଡ. ନାଏକ ନିଜକୁ ପ୍ରଚାର ପ୍ରସାରରୁ ଦୂରେଇ ରଖି ଜଣେ ନମ୍ର, ଭଦ୍ର, ସ୍ନେହୀ ଓ ଅନାବିଳ ମଣିଷ ଭାବେ ସାଧାରଣରେ ଜଣେ ଅଜାତଶତ୍ରୁ ଭାବେ ବେଶ୍ ପରିଚିତ ଥିଲେ। ନିଜ ଜନ୍ମିତ ଗ୍ରାମ ଜାଲିସ୍ଥିତ ଜମିରେ ହାତୀ ମୃତ୍ୟୁ ପରେ ସ୍ମାରକୀ ସ୍ୱରୂପ ‘ହାତୀ ମିନାର’ ନିର୍ମାଣ କରି ଉକ୍ତ ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରାଇ ବନ୍ୟପ୍ରାଣୀଙ୍କ ପ୍ରତି ତାଙ୍କର ଥିବା ଅନୁରକ୍ତିକୁ ପରିପ୍ରକାଶ କରିଥିଲେ।
ମୃତ୍ୟୁ ବେଳକୁ ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଥିଲେ। ଡ. ନାଏକଙ୍କ ମୃତ୍ୟୁରେ ମିଳନୀ ସାହିତ୍ୟ ସଂସଦ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ ଓ ସମ୍ପାଦକ ଡ. ତ୍ତ୍ରଞ୍ଜନ ମିଶ୍ର, କବି ପିନାକୀ ମିଶ୍ର, ଇନ୍ଦୁମତି ପାତ୍ର, ପ୍ରାଧ୍ୟାପକ ସୁଧା ଦାଶ, ଡ. ସୁମନ୍ତ୍ର ନାଏକ, ସଞ୍ଜିବନୀ ସାହିତ୍ୟ ସଂସଦ ଭଣ୍ଡାର ସମ୍ପାଦକ ଡମ୍ବରୁ ମହାନ୍ତ, ଡ. ସୁନୀଲ ରଥ, ଜିତେନ୍ଦ୍ର ପରିଡା, ଡ.ବନବିହାରୀ ମିଶ୍ର, ମମତାରାଣୀ ଦାସଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ଶୁଭେଛୁ ଶୋକବ୍ୟକ୍ତ କରିବା ସହ ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି। ତାଙ୍କର ଏକମାତ୍ର ପୁତ୍ର ଯଜାତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ପୁରୀ ସ୍ୱର୍ଗଦାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ଜଣାପଡିଛି।
Comments are closed.