ଖର୍ଚ୍ଚ ହୋଇପାରୁନି ଖଣିଜ ପାଣ୍ଠି : ଆଦାୟ ୯୮%; ବିନିଯୋଗ ୫୫.୯୨%
ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ରେ ଖର୍ଚ୍ଚ କମ, ପୂର୍ତ୍ତ, ଗଣଶିକ୍ଷା ବିଭାଗ ଖର୍ଚ୍ଚରେ ପଛୁଆ ଓମ୍ବାଡସୀ କରିଛି ୬୭.୩୩% ବିନିଯୋଗ
ଭୁବନେଶ୍ବର : ଖଣି ଅଞ୍ଚଳ ଲୋକଙ୍କ ଜୀବନରେଖାକୁ ସୁଗମ କରିବା ଓ ସେଠାରେ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଜିଲା ଖଣିଜ ପାଣ୍ଠି (ଡିଏମଏଫ) ଗଠିତ ହୋଇଛି। କେବଳ ଡିଏମ୍ଏଫ ଗଠିତ ହୋଇଛି ତାହା ନୁହେଁ; ବରଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଖଣି ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ କଲ୍ୟାଣ ଏବଂ ସମ୍ପୃକ୍ତ ଅଞ୍ଚଳ ବିକାଶ କାର୍ଯ୍ୟ ପାଇଁ ଓଡ଼ିଶା ଖଣିଜଧାରୀ କ୍ଷେତ୍ର ବିକାଶ ନିଗମ (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପ୍ମେଣ୍ଟ କର୍ପୋରେସନ ଅର୍ଥାତ୍ ଓମ୍ବାଡସୀ) ଗଠିତ ହୋଇଛି। ୮ଜିଲା ଖଣି ଅଞ୍ଚଳରେ ଡିଏମଏଫ ଏବଂ ଓମ୍ବାଡସୀ ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇପାରୁ ନଥିବା ଜଣାପଡିଛି। ଚଳିତ ଆର୍ଥିକ ବର୍ଷ ଜାନୁଆରୀ-୨୦୨୩ ସୁଦ୍ଧା ଡିଏମଏଫ ଏବଂ ଓମ୍ବାଡସୀ ଖର୍ଚ୍ଚ ହାରକୁ ଦେଖିଲେ ଏହା ଅନୁମେୟ। ରାଜ୍ୟ ସରକାର ଏବର୍ଷ ଡିଏମ୍ଏଫ୍ ଜରିଆରେ ୯୮% ଅର୍ଥ ଆଦାୟ କରିଥିବାବେଳେ ମାତ୍ର ୫୫.୯୨% ଟଙ୍କା ଖର୍ଚ୍ଚ କରିଛନ୍ତି। କେଉଁ ଜିଲାରେ ମଞ୍ଜୁରପ୍ରାପ୍ତ ଅର୍ଥରୁ ୪୫% ଟଙ୍କା ଖର୍ଚ୍ଚ ହୋଇଛି ତ ଆଉ କେଉଁ ଜିଲାରେ ୭୭% ଅର୍ଥ ଖର୍ଚ୍ଚ କରାଯାଇଛି। ଫଳରେ ଖଣି ଅଞ୍ଚଳରେ ସମାନ ବିକାଶ ଆସିପାରୁନାହିଁ। ଅନୁରୂପ ଅବସ୍ଥା ଓମ୍ବାଡସୀରେ ଦେଖିବାକୁ ମିଳିଛି।
ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବର୍ଷ ୨୦୨୨-୨୩ ବଜେଟ ବ୍ୟୟବରାଦ ଖର୍ଚ୍ଚ ସମୀକ୍ଷାରୁ ଜଣାପଡିଛି ଯେ, ଜାନୁଆରୀ ୨୦୨୩ ସୁଦ୍ଧା ଅନୁଗୋଳ ଜିଲାରୁ ୨୭୦୮.୨୮କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା ବାବଦରେ ୨୨୭୯.୪୬ କୋଟି ମଞ୍ଜୁର ହୋଇଥିଲା। ଏଥିରୁ ୧୫୪୭.୦୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକି ୬୭.୮୭%। ଯାଜପୁର ଜିଲାରୁ ୧୭୪୧.୩୧ କୋଟି ଟଙ୍କା ଆଦାୟ ହୋଇଛି। ମଞ୍ଜୁର ଅର୍ଥ ୨୦୬୧.୫୩ କୋଟିରୁ ମାତ୍ର ୯୪୦.୧୭କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଝାରସୁଗୁଡ଼ା ଜିଲାରୁ ୧୧୬୫.୨୦ କୋଟି ଟଙ୍କା ଆଦାୟ ଏବଂ ୧୬୦୪.୬୩ କୋଟି ଟଙ୍କା ୧୦୩୯ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି। ଏଥିରୁ ୯୧୨.୯୦ କୋଟି ଖର୍ଚ୍ଚ କରାଯାଇପାରିଛି। କେନ୍ଦୁଝର ଜିଲାରୁ ୯୧୭୦.୨୪ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ
୧୩୮୩ଟି ପ୍ରକଳ୍ପ ପାଇଁ ୭୧୪୭.୧୦ କୋଟି ମଞ୍ଜୁର ହୋଇଛି। ମଞ୍ଜୁରପ୍ରାପ୍ତ ଅର୍ଥରୁ ୩୭୩୯.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକି ୫୨.୩୨%।
ଉପରୋକ୍ତ ୮ଜିଲାରେ ୨୫୩୬୧ଟି ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଚଳିତ ବର୍ଷ ସରକାର ୨୩୧୬୪ଟି ପ୍ରକଳ୍ପ ଏବଂ ଯୋଜନା ହାତକୁ ନିଆଯାଇଛି। ଏଥିରୁ ୧୭୯୯୩ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ମୋଟ ୧୧୯୩୯.୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରିଛି, ଯାହାକି ୫୫.୯୨%। ଏଠାରେ ପ୍ରଶ୍ନ ଉଠୁଛି ଡିଏମଏଫରୁ ଆଦାୟ ହେଉଥିବା ଅର୍ଥକୁ କାହିଁକି ନିର୍ଦ୍ଧାରିତ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯାଇପାରୁନାହିଁ।
ଜାନୁଆରୀ ଶେଷସୁଦ୍ଧା ଜିଲାରେ ବିଭାଗ ଗୁଡ଼ିକ ପକ୍ଷରୁ ୪୩୯୫.୫୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକି ୫୭.୨୮%। ଅନ୍ୟପଟେ ଡିଏମଏଫ ଅର୍ଥ ଆଦାୟକୁ ନେଇ ସରକାରଙ୍କ କହିବାନୁଯାୟୀ, ଖଣିଜ ସମ୍ପଦରେ ଭରପୂର ୮ଜିଲାରୁ ମୋଟ ୨୧,୦୯୧.୦୭କୋଟି ଟଙ୍କା ଆଦାୟ ହୋଇଛି, ଯାହାକି ୯୮%। ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା ବାବଦରେ ଜିଲା ଗୁଡ଼ିକରେ ଖର୍ଚ୍ଚ କରିବା ପାଇଁ ସରକାର ୨୧୩୫୧.୦୩ କୋଟି ମଞ୍ଜୁର କରିଛନ୍ତି।
୮ ଖଣି ଜିଲାରେ ବିଭାଗ ଗୁଡ଼ିକର ଖର୍ଚ୍ଚକୁ ଦେଖିଲେ, ପୂର୍ତ୍ତ ବିଭାଗ କମ୍ ଅର୍ଥ ଖର୍ଚ୍ଚ କରିଛି ଏବଂ ଜଳ ସମ୍ପଦ ବିଭାଗ ସର୍ବାଧିକ ମଞ୍ଜୁରପ୍ରାପ୍ତ ଅର୍ଥରୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛି। ପୂର୍ତ୍ତ ବିଭାଗ ୮୧.୯୯% ଅର୍ଥ ଖର୍ଚ୍ଚ କରିଥିବା ବେଳେ ପଞ୍ଚାୟତିରାଜ ଏବଂ ପାନୀୟ ଜଳଯୋଗାଣ ୯୫.୪୦%, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୮୪.୯୭%, ଗ୍ରାମୀଣ ବିକାଶ ୮୮.୫୭%, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୯୬.୯୧%, ଜଳ ସମ୍ପଦ ୯୭.୦୬%, ଗୃହ ନିର୍ମାଣ ଓ ନଗର ଉନ୍ନୟନ ୮୮.୮୧% ଏବଂ କୃଷି ୯୧.୭୧% ଖର୍ଚ୍ଚ କରିଛନ୍ତି। ଆର୍ଥିକ ଖର୍ଚ୍ଚ ପରିମାଣ ଆହୁରି ବଢ଼ିବ ବୋଲି ବିଭାଗ ଗୁଡ଼ିକ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି।
ଓମ୍ବାଡସୀ ୨ ଡିସେମ୍ବର ୨୦୧୪ରେ ଗଠିତ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ନିର୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ ଅଞ୍ଚଳ ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିଲା। ଫଳରେ ଖଣିଜ ସମ୍ବଳପୂର୍ଣ୍ଣ ଅଞ୍ଚଳର ବିକାଶ ସୁନିଶ୍ଚିତ ହେବା ଆଶା ଥିଲା। କିନ୍ତୁ ରାଜ୍ୟରେ ଏହି ଅର୍ଥକୁ ଠିକଣା ରୂପେ ଖର୍ଚ୍ଚ କରାଯାଇପାରୁନାହିଁ।
ସମୀକ୍ଷାରୁ ଜଣାପଡିଛି, ଚଳିତ ଆର୍ଥିକ ବର୍ଷର ଜାନୁଆରୀ ୨୦୨୩ ସୁଦ୍ଧା ସୁଧ ସହିତ ନିଗମ ପାଖରେ ମୋଟ ୨୦୨୧୮.୨୭ କୋଟି ଟଙ୍କା ରହିଛି। ୫୪ଟି ପ୍ରକଳ୍ପ ପାଇଁ ନିଗମ ୧୭୩୧୮.୦୫କୋଟି ଟଙ୍କା ଅନୁମୋଦନ କରିଥିବାବେଳେ ୮୮୫୨.୦୫ କୋଟି ଟଙ୍କା ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି। ମଞ୍ଜୁରପ୍ରାପ୍ତ ଅର୍ଥରୁ ୫୯୫୯.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ୬୭.୩୩%। ବିଶେଷ କରି ପାଇପରେ ପାନୀୟ ଜଳଯୋଗାଣ, ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ହୋଇଛି; କିନ୍ତୁ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁସୂଚିତ ଜନଜାତି(ଏସଟି)ଆୟୋଗ ଅଧ୍ୟକ୍ଷ ହର୍ଷ ଚୌହାନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରାଜ୍ୟରେ ଡିଏମଏଫ ଅର୍ଥକୁ ଅନୁସୂଚୀତ ଜନଜାତିଙ୍କ ଲାଗି ସଠିକ ଭାବେ ଖର୍ଚ୍ଚ କରାଯାଉନାହିଁ।
Comments are closed.