ରଣକ୍ଷେତ୍ର ପାଲଟିଲା ଭସାଣ ଶୋଭାଯାତ୍ରା ; ଡିଜେ ଶବ୍ଦରେ ଟଳିପଡ଼ିଲେ ଯୁବକ
ଦୁଇ ପକ୍ଷର ଢ଼େଲା ମାଡ଼: ୧୦ ଲହୁଲୁହାଣ, ବାଜା, ଲାଇଟ୍ ଭଙ୍ଗାରୁଜା, ଲାଠି ଚାର୍ଜ
ଢେଙ୍କାନାଳ : ଚଳିତ ବର୍ଷ ଲକ୍ଷ୍ମୀପୂଜା ଭସାଣି ଉତ୍ସବରେ ବିଶୃଙ୍ଖଳା ସହ ନିୟମକୁ ବେଖାତିର କରି ମାତ୍ରାଧିକ ଶବ୍ଦ ସୃଷ୍ଟିକାରୀ ଡିଜେ ବାଜୁଥିବାବେଳେ ଶୋଭାଯାତ୍ରାରେ ସାମିଲ ଥିବା ଜଣେ ଯୁବକ ଟଳି ପଡ଼ିଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କେତେକ ଏହାକୁ ଡିଜେ ଶବ୍ଦ ଯୋଗୁଁ ହୃତ୍ସ୍ପନ୍ଦନ ବନ୍ଦ ଜନିତ ମୃତ୍ୟୁ ହୋଇଥିବା କଥା କହୁଥିବାବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କଥା ଜଣାପଡ଼ିବ। ସେହିପରି କଣ୍ଟାନାଳି ବାଇପାସ୍ ମେଢ଼ ଓ ବନମାଳି ପ୍ରସାଦ ମେଢ଼ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୧୦ଜଣ ଲହୁଲୁହାଣ ହୋଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ନିର୍ଦ୍ଧାରିତ ସମୟଠାରୁ ମିଳିତ ଶୋଭାଯାତ୍ରାରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଶୋଭାଯାତ୍ରା ଓ ଲକ୍ଷ୍ମୀପୂଜାକୁ ଶୃଙ୍ଖଳିତ କରିବାରେ ପୁଲିସ ଓ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି।
ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟ, ଲୋକ ନୃତ୍ୟ, ଦେଶ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଦ୍ୟ ସାମିଲ ହୋଇଥିଲା। ମିଳିତ ଶୋଭାଯାତ୍ରାରେ ୩୮ଟି ମେଢ଼ରୁ ୨୮ଟି ମେଢ଼ ସାମିଲ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଉଚ୍ଚ ଶବ୍ଦ ବିଶିଷ୍ଟ ଡିଜେ ବାଜାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ତାହାକୁ ବେଖାତିର କରି ଉଚ୍ଚ ଶବ୍ଦରେ ଡିଜେ ବାଜା ବାଜୁଥିଲା। ଶୋଭାଯାତ୍ରା ବେଳେ ମହାବୀର ବଜାରର ସତ୍ୟବାଦୀ ବେହେରା ହଠାତ୍ ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡିଜେର ଉଚ୍ଚ ଶବ୍ଦ ଯୋଗୁଁ ହଠାତ୍ ହୃତ୍ସ୍ପନ୍ଦନ ବନ୍ଦ ହୋଇଯିବାରୁ ମୃତ୍ୟୁ ହୋଇଥିବା କଥା ସାଧାରଣରେ ଆଲୋଚିତ ହେଉଛି। ଅଶୋଭାଯାତ୍ରାରେ ଡିଜେ ବ୍ୟବହାର ନକରିବା ପାଇଁ ଅନୁମତିରେ ଦର୍ଶାଯାଇଥିଲେହେଁ ଏହାକୁ ନମାନି ଯେଉଁ ମେଢ଼ଗୁଡ଼ିକ ନିକଟରେ ଉଚ୍ଚ ଶବ୍ଦ ସୃଷ୍ଟି କରାଯାଉଛି, ସେମାନଙ୍କ ବିରୋଧରେ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବାରମ୍ବାର ଶୋଭାଯାତ୍ରାରେ ଉଚ୍ଚ ଶବ୍ଦରେ ଡିଜେ ବଜା ଚାଲିଥିବା ଅଭିଯୋଗ ହେଉଛି।
କଣ୍ଟାନାଳି ବାଇପାସ୍, ବନମାଳିପ୍ରସାଦ ଓ ଫଟାବନ୍ଧ ତିନୋଟି ମେଢ଼ ମିଳିତ ଶୋଭାଯାତ୍ରାରେ ଯୋଗ ନଦେଇ ନିଜ ଅଞ୍ଚଳରେ ଶୋଭାଯାତ୍ରା କରି ନିକଟସ୍ଥ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିଥାନ୍ତି। ଏହି ତିନୋଟି ମେଢ଼ ଶୋଭାଯାତ୍ରାରେ ଆସୁଥିବାବେଳେ କଣ୍ଟାନାଳି ବାଇପାସ୍ ଛକ ନିକଟରେ କୌଣସି କାରଣକୁ ନେଇ କଣ୍ଟାନାଳି ବାଇପାସ୍ ଓ ବନମାଳି ପ୍ରସାଦ ମେଢ଼ ମଧ୍ୟରେ ଗଣ୍ଡଗୋଳ ହୋଇ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୧୦ଜଣ ଲହୁଲୁହାଣ ହୋଇ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। କଣ୍ଟାନାଳି ବାଇପାସ୍ର ମେଢ଼, ବାଜା ଓ ଆଲୋକ ଭଙ୍ଗାରୁଜା ହୋଇଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବାଜିଚୌକ ଅତିକ୍ରମ କରି ରାତି ୮ଟା ସୁଦ୍ଧା ମେଢ଼ କାଠଶଙ୍ଖଠାରେ ବିସର୍ଜିତ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ବହୁ ବିଳମ୍ବ ହୋଇଥିଲା। ମିଳିତ ଶୋଭାଯାତ୍ରାର ୧ନଂ ମେଢ଼ ମୀନାବଜାର ପୂଜା ପ୍ରତିଷ୍ଠାନର ମେଢ଼ ରାତି ୭ଟାରେ ମହାବୀର ବଜାର ଛକ ଅତିକ୍ରମ କରିଥିବାବେଳେ ଲକ୍ଷ୍ମୀବଜାର ମେଢ଼ ଓ ଏହାର ପଛକୁ ପଛ ଥିବା ମେଢ଼ଗୁଡ଼ିକ ରାତି ୭ଟା୪୫ମି. ସୁଦ୍ଧା ପୂର୍ତ୍ତ ବିଭାଗ ରାସ୍ତା ଅତିକ୍ରମ କରିପାରିନଥିଲେ।
Comments are closed.