ମ୍ୟାଲେରିଆ ନିରାକରଣ ମାସ ଅଭିଯାନ-୨୦୨୪ ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ନିରାକରଣ ମାସ ଅଭିଯାନ-୨୦୨୪ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, ମ୍ୟାଲେରିଆ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ବିଭାଗ ଓ ସର୍ବୋପରି ଲୋକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମ୍ୟାଲେରିଆ ଜଣାପଡ଼ିଲେ ଯଥାଶିଘ୍ର ଔଷଧ ଖାଇବା ସହିତ ପୁରା ମାତ୍ରାରେ ଔଷଧ ଖାଇବାକୁ ଡା. ଉପାଧ୍ୟାୟ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଅରବିନ୍ଦ ଦାସ ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ, ଓ ଜେ.ଇ. ରୋଗର ଲକ୍ଷଣ, ପ୍ରତିକାର ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା ଏହିସବୁ ବ୍ୟାକ୍ଟେରିଆବାହିତ ରୋଗର ପ୍ରତିରୋଧ ପାଇଁ ବିଦ୍ୟାଳୟ ଗୁଡ଼ିକରେ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁ କିଭଳି ବ୍ୟାପେ, ରୋଗର ଲକ୍ଷଣ ଓ ପ୍ରତିକାର, ରୋଗରୁ ରକ୍ଷା ପାଇବାର ଉପାୟ, ରୋଗ ପ୍ରତି ସତର୍କ ଓ ସଚେତନ ଉପରେ ଲୋକଙ୍କୁ ବୁଝାଇଥିଲେ ।
ସୂଚନାରୁ ଜଣାପଡ଼ିଛି ଯେ, ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲାରେ ୧୦ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲାବେଳେ, ୨୦୧୭ ମସିହାରେ ୩ ଜଣ, ୨୦୧୯ ମସିହାରେ ୦୧ ଜଣ, ୨୦୨୦ ମସିହାରେ ୩ ଜଣ, ୨୦୨୧ ମସିହାରେ ୩ ଜଣ, ୨୦୨୨ ଓ ୨୦୨୩ ମସିହାରେ ୦୧ ଜଣ ଲେଖାଏଁ ମୃତ୍ୟୁବରଣ କରିଥିଲେ । ତେବେ ଆମେ ସମସ୍ତେ ସଚେତନ ହୋଇ ମିଳିତ ଭାବେ ପରିବେଶକୁ ସଫା ରଖିଲେ ଜିଲ୍ଲା ମ୍ୟାଲେରିଆ ମୁକ୍ତ ହୋଇପାରିବ ।

 

Comments are closed.