ଭୁବନେଶ୍ୱର: ପାଟଣାଗଡ଼ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଧାୟକ ମନୋଜ ମେହେର ଉଠବସ କରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ରାଜ୍ୟ ଡିପ୍ଲୋମା ଇଞ୍ଜିନିୟର ସର୍ଭିସ୍ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଶୀଘ୍ର ପଦକ୍ଷେପ ଗ୍ରହଣ ନକରାଗଲେ ସଂଘ ଆନ୍ଦୋଳନ କରିବାକୁ ଧମକ ଦେଇଛି। ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଧର ବାରିକ କହିଛନ୍ତି, ବିଧାୟକଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯିବ। ଏ ନେଇ ରାଜ୍ୟ ଡିପ୍ଲୋମା ଇଞ୍ଜିନିୟର ସର୍ଭିସ୍ ସଂଘର ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟ ପକ୍ଷରେ ଏହି ଘଟଣାରେ ସତ୍ୟତା ଥିବା ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। ଉପଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ। ଏହି ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।



