ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିବେ ବିରୋଧୀ!

0

ନୂଆଦିଲ୍ଲୀ : କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯିବାକୁ ଥିବା ମହାଭିଯୋଗ ପ୍ରସ୍ତାବରେ କେତେକ ଦଳ ସ୍ୱାକ୍ଷର କରିଛନ୍ତି ବୋଲି ଏନ୍‌ସିପି ନେତା ଡିପି ତ୍ରିପାଠୀ ପ୍ରକାଶ କରିଛନ୍ତି । ଏଥିରେ ଏନ୍‌ସିପି, ଟିଏମ୍‌ସି, କଂଗ୍ରେସ, ବାମ ଦଳ ସମେତ ଅନ୍ୟ କେତେକ ଦଳ ସାମିଲ ଅଛନ୍ତି । ପ୍ରକାଶ ଯେ ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୭ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ । ସେ ପୂର୍ବତନ ପ୍ରଧାନ ବିଚାରପତି ଜେଏସ୍‌ ଖୈରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୧୮ ଅକ୍ଟୋବର ୨ରେ ଶେଷ ହଉଛି । ଏହା ପୂର୍ବରୁ ଜାନୁଆରୀ ମାସରେ ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଙ୍କ ସହ କଥା ଚାଲିଛି । ଏହା ପରେ ଏହି ନୂଆ ଘଟଣାକ୍ରମ ପଦାକୁ ଆସିଛି। ପ୍ରକାଶ ଯେ ଚଳିତ ବର୍ଷ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ପ୍ରମୁଖ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ କରିଥିଲେ । ଏହାପରେ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡିକ ଏକାଠି ହୋଇଛନ୍ତି ।

ମହାଭିଯୋଗ କ’ଣ ?
ଭାରତ ସମ୍ବିଧାନର ଧାରା ୧୨୪(୪)ରେ ମହାଭିଯୋଗ ସଂପର୍କରେ ଉଲ୍ଲେଖ କରାଯାଇଛି। ଏହି ଧାରା ଅନୁସାରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ବିଚାରପତିଙ୍କ ବିରୋଧରେ ଦୁର୍ନୀତି ବା ଅପରାଗତା ପାଇଁ ମହାଭିଯୋଗ ପ୍ରସ୍ତାବ ଅଣାଯାଇ ପାରିବ । ସଂସଦ ଅଧିବେଶନରେ କୌଣସି ଏକ ଗୃହରେ ମହାଭିଯୋଗ ପ୍ରସ୍ତାବ ଅଗତ କରାଯାଇଥାଏ । ଏହାପରେ ଏହା ଯାଞ୍ଚ ପାଇଁ ଦ୍ୱିତୀୟ ଗୃହକୁ ଯାଇଥାଏ । ସଂସଦରେ ବିଚାରପତିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ତଦନ୍ତ କରାଯାଇଥାଏ ଓ ପ୍ରସ୍ତାବ ଉପରେ ମତଦାନ ହୋଇଥାଏ । ପ୍ରସ୍ତାବ ସପକ୍ଷରେ ଦୁଇ ତୃତୀୟାଂଶ ମତ ମିଳିଲେ ମହାଭିଯୋଗ ଉପରେ ନିଷ୍ପତ୍ତି ନିଆଯାଇଥାଏ । ବିଚାରପତି ପଦରେ ରହିବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇଥାଏ। ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଲୋକସଭାର ୧୦୦ ସାଂସଦ କିମ୍ବା ରାଜ୍ୟସଭାରେ ୫୦ ସାଂସଦଙ୍କ ସ୍ୱୀକୃତି ଆବଶ୍ୟକ ।

ଆଜି ଯାଏଁ ଦୁଇ ଥର ଆସିଛି ମହାଭିଯୋଗ
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ଦଳ ଗୁଡିକ ମହାଭିଯୋଗ ଆଣିବାକୁ ସକ୍ଷମ ହେଲେ ଏହା ନ୍ୟାୟିକ ଇତିହାସରେ ତୃତୀୟ ମହାଭିଯୋଗ ପ୍ରସ୍ତାବ ହେବ । ଏହା ପୂର୍ବରୁ ଦୁଇ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସି ସାରିଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରାମାସ୍ୱାମୀଙ୍କ ବିରୋଧରେ ୧୯୯୩ରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଏହା ଲୋକସଭାରେ ପାରିତ ହୋଇପାରିନଥିଲା । ଏହାପରେ କଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୌମିତ୍ର ସେନଙ୍କ ବିରୋଧରେ ୨୦୧୧ରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ଏନେଇ ଲୋକସଭାରେ ମତଦାନ ହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ ।

Leave A Reply