ବିରୋଧୀ ଦଳ ନେତାଙ୍କୁ ରାତ୍ରୀ ଭୋଜନ ପାଇଁ ସୋନିଆଙ୍କ ଆମନ୍ତ୍ରଣ
ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମସ୍ତ ବିରୋଧୀ ଦଳ ନେତାଙ୍କୁ ମାର୍ଚ୍ଚ ୧୩ରେ ରାତ୍ରୀ ଭୋଜନରେ ଆମନ୍ତ୍ରଣ କରିଛନ୍ତି । ଏହି ରାତ୍ରି ଭୋଜନରେ ୨୦୧୯ ଲୋକସଭା ନିର୍ବାଚନ ଉପରେ ଆଲୋଚନା ହେବ । ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାର ପ୍ରୟାସ ହେବ ଓ ଏକ ସଂଗଠିତ ବିରୋଧୀଙ୍କୁ ନେଇ ନିର୍ବାଚନ ଲଢିବାକୁ ପଦକ୍ଷେପ ନିଆଯିବ ବୋଲି ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେଉଛି । ବିରୋଧୀ ଦଳର ଅନେକ ନେତା ଏହି ରାତ୍ରୀ ଭୋଜନରେ ଯୋଗଦେବେ ବୋଲି ସହମ୍ମତି ପ୍ରଦାନ କରିଥିବା କଂଗ୍ରେସ ଦଳୀୟ ସୂତ୍ରରୁ ପ୍ରକାଶ । ଏହି ରାତ୍ରି ଭୋଜନରେ ଟିଆରଏସ୍, ଟିଡିପି, ବିଏସ୍ପି, ଟିଏମ୍ସି, ବାମଦଳ, ଡିଏମ୍କେ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।