କୋଟି କୋଟି ଟଙ୍କାର ବନ୍ଧକରେ ବଡ଼ମ୍ବା ଚିନିକଳ ; ସମ୍ପତ୍ତି ବ୍ୟାଜାପ୍ତି ଘୋଷଣା ନୋଟିସ ଜାରିକଲା ବ୍ୟାଙ୍କ
ବଡ଼ମ୍ବା : ସ୍ଥାଣୁ ଅବସ୍ଥାରେ ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ଧରି ବଡ଼ମ୍ବା ଚିନିକଳ ପଡ଼ି ରହିଛି । ଏହି ସମବାୟ ଶିଳ୍ପକୁ ରାଜ୍ୟ ସରକାର ଶାଗମାଛ ଦରରେ ଏକ ଘରୋଇ କମ୍ପାନୀକୁ ବିକ୍ରୟ କରିଛନ୍ତି । ତେବେ ସଂପୃକ୍ତ କମ୍ପାନୀ ଚିନିକଳ ଚଲାଇବା ତ’ ଦୂରରେ ଥାଉ ଏହି ଶିଳ୍ପକୁ ବନ୍ଧକ ପକାଇ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରୁ କୋଟି କୋଟି ଟଙ୍କାର ଋଣ କରିଥିବା ଜଣାଯାଇଛି । କେବଳ ସେତିକି ନୁହେଁ ଏହି ଋଣ ଟଙ୍କା ନିର୍ଦ୍ଧାରିତ ସମୟରେ ସୁଝିବାରେ ଖିଲାପ କରିଥିବାରୁ ଏବେ ଚିନିକଳ ସମ୍ପତ୍ତି ବ୍ୟାଜାପ୍ତି କରିବା ନେଇ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଶନିବାର ବିଧିବଦ୍ଧ ଇସ୍ତାହାର ଜାରି କରିଥିବା ପ୍ରକାଶ । ଜାରି କରାଯାଇଥିବା ଇସ୍ତାହାର ଅନୁଯାୟୀ ସଂପୃକ୍ତ କମ୍ପାନୀ ପ୍ରାୟ ୩ଶହ ୬୯କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଋଣ ପରିଶୋଧ କରିନଥିବା ଜଣାଯାଇଛି । ଘଟଣାକୁ କେନ୍ଦ୍ରକରି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏବଂ ସଂପୃକ୍ତ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଅଦାଲତ ନୋଟିସ ସହିତ ଚିନିକଳ ଭିତର ଶନିବାର ପରିଦର୍ଶନ କରିଥିଲେ।
ଏହାର ଅନେକ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିଯାଇଥିବା ଦେଖିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ସେ ସଂକ୍ରାନ୍ତରେ ଏକ ଏତଲା ମଧ୍ୟ ଦାୟର କରିଥିବା ଜଣାଯାଇଛି । ସେହିଭଳି ୟୁନିଅନ ବ୍ୟାଙ୍କ ତରଫରୁ ବନ୍ଧକ ପଡ଼ିଥିବା ଚନିକଳର ସମସ୍ତ ଜନ୍ତ୍ରାଂଶ ଏବଂ ସ୍ଥାବର ସମ୍ପତି ଉପରେ ମଧ୍ୟ କଟକଣା ନୋଟିସ ସହିତ ନାଲି ପତାକା ଚିନିକଳରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଚିନିକଳ ଚଳାଇବାକୁ ସକ୍ଷମ ହୋଇନଥିବା ଗୋଟିଏ ବାହାର ରାଜ୍ୟର ଘରୋଇ କମ୍ପାନୀକୁ ଏତେ ଗୁଡ଼ାଏ ଟଙ୍କାର ଋଣ ଏକ ବାହାର ରାଜ୍ୟର ବ୍ୟାଙ୍କ ଶାଖାରୁ କିଭଳି ଭାବେ ମଞ୍ଜୁର ହେଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ସମବାୟ ଶିଳ୍ପଟି ବନ୍ଦ ହେବା ଏବଂ ଏହାର ଭବିଷ୍ୟତ ନାଟକୀୟ ସ୍ଥିତିରେ ପହଞ୍ଚିଥିବା ଘଟଣାକୁନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।
Comments are closed.