ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ; ଜଳମଗ୍ନ ହେଲା ଶହଶହ ଏକର ଜମି
ଧର୍ମଗଡ଼: ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ ବଗାଡ଼ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି । ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ ଫିକା ପଡିଯାଇଛି । ଶନିବାର ସଂଧ୍ୟା ୬ଟାରେ କେନାଲରେ ଘାଇ ସୃଷ୍ଟି ହେବା ଫଳରେ କେନାଲ ପାଣି ଜମିକୁ ମାଡ଼ିଯାଇଛି । କେନାଲ ପାଣିରେ ଜମି ଜଳମଗ୍ନ ହେବା ଦେଖି ନୂଆଁଖାଇର ସବୁ ଖୁସି କ୍ଷଣିକ ମଧ୍ୟରେ ଉଭେଇ ଯାଇଛି । ଇନ୍ଦ୍ରାବତୀ ଦ୍ଵାରା ଜଳସେଚିତ ବଗାଡ ଗାଁରେ ଚଳିତ ବର୍ଷ ଧାନରୁଆ ସରିଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ସାର ପ୍ରୟୋଗ ପାଇଁ ଚାଷୀ ମାନେ ପ୍ରସ୍ତୁତ ହେଉଥିଲେ । ଠିକ୍ ଏତିକି ସମୟରେ ଶନିବାର ସଂଧ୍ୟାରେ ବଗାଡ ନିକଟସ୍ଥ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି ।
ଘାଇ ସୃଷ୍ଟି ଯୋଗୁ ଆଶିଷ ବେହେରା, ବସନ୍ତ ବେହେରା, ଉମାଶଙ୍କର ମାଝୀ, ନିରାକାର ରଣା, ସୁରତ ରଣା ସମେତ ପ୍ରାୟ ୩୦ଜଣ ଚାଷୀଙ୍କ ଜମି ଜଳମଗ୍ନ ହୋଇଯାଇଛି । ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଘାଇ ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସଂଧ୍ୟା ୬ଟାରେ କେନାଲ ଭାଙ୍ଗିଥିଲେ ବି ଘାଇ ମରାମତି ପାଇଁ ଇନ୍ଦ୍ରାବତୀ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବା ସୂଚନା ମିଳିଛି । ଉପରମୁଣ୍ଡରୁ ବାମ କେନାଲକୁ ଆସୁଥିବା ପାଣିକୁ ବନ୍ଦ କରି ଘାଇ ମରାମତି କରାନଗଲେ କ୍ଷତିର ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି । ତେବେ ଉପରମୁଣ୍ଡରେ ପାଣି ବନ୍ଦ କରାଯାଇନଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସିନଥିବା ଜଣାପଡ଼ିଛି ।
Comments are closed.