ନିର୍ମଳା ଯୋଜନାରେ ନିୟୋଜିତ ଠିକା ସଫେଇ କର୍ମଚାରୀ ଦରମା ନପାଇ ଧାରଣାରେ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମଳା ଯୋଜନାରେ ନିୟୋଜିତ ଠିକା କର୍ମଚାରୀ ଠିକାଦାରଠାରୁ ୩ ମାସର ଦରମା ନପାଇବାରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହାକୁ ସଫା ସୁତୁରା ରଖିବା ପାଇଁ ଯାଜପୁରର ଏକ ଠିକାଦାର ମାଧ୍ୟମରେ ସଫେଇ କର୍ମଚାରୀ ନିୟୋଜିତ କରାଯାଇଛି। ଏହି ଠିକା କର୍ମଚାରୀମାନଙ୍କୁ ମାସିକ ଅର୍ଥ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାସକୁ ମାସ ଠିକାଦାରକୁ ଦିଆଯାଇଥାଏ। କିନ୍ତୁ ଦାୟିତ୍ୱରେ ରହିଥିବା ଠିକାଦାର ସଫେଇ କର୍ମଚାରୀଙ୍କୁ ମାସିକ ଦରମା ନଦେଇ ୩ ରୁ ୪ ମାସରେ ଥରେ ଲେଖାଏଁ ଦରମା ଦେଇଥାଏ। କିନ୍ତୁ ଗତ କିଛିମାସ ଧରି ଠିକାଦାର ଦରମା ଦେବାରେ ବ୍ୟାପକ ଅବହେଳା କରୁଥିବାରୁ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ଧାରଣରେ ବସି ରହିଥିବା ସଫେଇ କର୍ମଚାରୀମାନେ ଦାବି କରିଛନ୍ତି।

Comments are closed.