ଧାମନଗର ଉପନିର୍ବାଚନ ମଇଦାନରେ ୫ ପ୍ରାର୍ଥୀ: ମତଦାନ କରିବେ୨ଲକ୍ଷ ୩୮ହଜାର ୪୧୭ ଭୋଟର, ୨୫୨ ଭୋଟ ଗ୍ରହଣ କେନ୍ଦ୍ର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଧାମନଗର ଉପନିର୍ବାଚନରେ ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ। ଧାମନଗରରେ ମୋଟ ୨ଲକ୍ଷ ୩୮ହଜାର ୪୧୭ ଭୋଟର ଅଛନ୍ତି।  ସେମାନେ୨୫୨ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୧୦୭ଟି ସମ୍ବେଦନଶୀଳ ବୋଲି ଜଣାପଡ଼ିଛି। ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ବ୍ରେଲି ବାଲାଟ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା ହୋଇଛି।
ଧାମନଗର ଉପନିର୍ବାଚନ ପାଇଁ ଅକ୍ଟୋବର ୧୪ ଥିଲା ନାମାଙ୍କନ ଦାଖଲର ଶେଷ ରହିଥିବାବେଳେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସେଥିମଧ୍ୟରୁ ଜଣଙ୍କର ପ୍ରାର୍ଥୀତ୍ବ ଖାରଜ ହୋଇଥିଲା ଏବଂ ଅନ୍ୟ କେହି ନାମାଙ୍କନ ପ୍ରତ୍ୟାହାର କରି ନାହାନ୍ତି । ଏଣୁ ଧାମନଗର ଉପନିର୍ବାଚନରେ ୫ ଜଣ ଜଣ ପ୍ରାର୍ଥୀ ନିର୍ବାଚନ ପ୍ରତିନ୍ଦ୍ବନ୍ଦ୍ବିତା କରିବା ନିଶ୍ଚିତ ହୋଇଛି ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଇତିମଧ୍ୟରେ ପୋଲିଂ ଅଫିସରମାନଙ୍କ ପ୍ରଥମ ରାଉଣ୍ଡ ଟ୍ରେନିଂ ସରିଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପୋଷ୍ଟର ଆଉ ବ୍ୟାନର ଯେଉଁଠି ଲାଗିଥିଲା ସେସବୁ ବାହାର କରାଯାଇଛି। ଯେମିତି ପ୍ରତି ନିର୍ବାଚନରେ ହୁଏ ସେମିତି ମତଦାନ ହେବାର ଦୁଇଦିନ ପୂର୍ବରୁ ବନ୍ଦ ହେବ ମଦ ଦୋକାନ। ମତଦାନ ଦିନ ଛୁଟି ଘୋଷଣା ହେବ । ଭୋଟ ଯେମିତି ସୁରୁଖୁରୁରେ ହେବ ସେଥିପାଇଁ ଭୋଟ ପାଇଁ ୨୬ ଜଣ ମାଇକ୍ରୋ ଅବଜର୍ଭର ନିୟୋଜିତ ହେବେ। ୧୭ ପ୍ଲାଟୁନ ପୁଲିସ ମୁତୟନ ହେବେ। ପ୍ରତି ପ୍ରାର୍ଥୀ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ପାରିବେ। ତା’ଠାରୁ ଅଧିକ ଖର୍ଚ୍ଚ କରୁଥିବା ନେଇ କୌଣସି ପ୍ରାର୍ଥୀଙ୍କ କିଛି ଭିଡ଼ିଓ ଆସିଲେ କିମ୍ବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି।
ସମଗ୍ର ଧାମନଗର ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ଉଲ୍ଲଙ୍ଘନ ହୋଇଥିବା ଜଣାପଡ଼ିଛି । ସର୍ବସାଧାରଣରେ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେସୁଦ୍ଧା ମୋଟ ୧୮୭ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଡିପୋଜିଟ୍ ହୋଇଥିବାବେଳେ ୧୧୬୭ଜଣଙ୍କୁ ସିଆରପିସିରେ ଅଟକ ରଖାଯାଇଛି। ସେହିପରି ୫୩ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ଉପନିର୍ବାଚନରେ ଅବକାରୀ ବିଭାଗର ଚଢ଼ଉ ଯୋଗୁ ୫୧ଟି ମାକଲା ରୁଜୁ ହୋଇଛି ଓ ୪୮ଜଣଙ୍କୁ ଗିରଫ କରାଯାଇଛି। ଏହାସହିତ ୧୦.୪୮ଲକ୍ଷ ଟଙ୍କାର ମଦ ମଧ୍ୟ ଜବତ ହୋଇଛି।

Comments are closed.