ଧାମରା ବନ୍ଦର ମନମୁଖୀ କାର୍ଯ୍ୟର ଶିକାର ୪ ରାଜସ୍ୱ ଗ୍ରାମ ବାସିନ୍ଦା; ରେଳ ଫାଟକ ନିକଟରେ ଧାରଣା

ଧାମରା: ଧାମରା ବନ୍ଦର(ଆଦାନୀ)ର ମନମୁଖୀ କାର୍ଯ୍ୟର ଶିକାର ହୋଇ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି ୪ ରାଜସ୍ୱ ଗ୍ରାମର ବାସିନ୍ଦା। ଆଜି ଏହାକୁ ବିରୋଧ କରି ବହୁ ସ୍ଥାନୀୟ ଲୋକେ ଧାରଣା ଦେଇଥିବା ଜଣାଯାଇଛି।

ଖବରରୁ ପ୍ରକାଶ, ଦୋସିଙ୍ଗା ପଂଚାୟତରେ ଥିବା ଚିଆଣୀପାହି, ଓରାମାଳ ନରସିଂହପ୍ରସାଦ ଏବଂ ସମିପାଟିଆ ଗ୍ରାମର ଲୋକେ ବ୍ୟବହାର କରୁଥିବା ରାସ୍ତାଟି ସଂପୂର୍ଣ୍ଣ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିବା ପରେ ମଧ୍ୟ ଧାମରା ବନ୍ଦର ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜି ବସିଛି। ଏହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ୩ହଜାରରୁ ଊର୍ଦ୍ଧ୍ବ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଏହି ଗ୍ରାମରୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ିକୁ ଶିକ୍ଷାଗ୍ରହଣ କରିବାକୁ ଯାଉଥିବା କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବା ବନ୍ଦ କରି ଦେଲେଣି। ଏହି ରାସ୍ତା ଧାମରା ବନ୍ଦର(ଆଦାନୀ) ଅଧିନରେ ଥିବା ସତ୍ତ୍ବେ କାହିଁକି ବନ୍ଦର କର୍ତ୍ତୃପକ୍ଷ ମରାମତି କରୁନାହାନ୍ତି ବୋଲି ଅଂଚଳବାସୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣକୁ ନେଇ ବହୁବାର ସ୍ଥାନୀୟ ଅଧିବାସୀ ଧାମରା ବନ୍ଦର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। ଗତ ମାସରେ ସଂପୃକ୍ତ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଆସି ବୁଲି ଦେଖିବା ସହ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିକୁ ଦୀର୍ଘ ୧ମାସ ବିତି ଯାଇଥିଲେ ମଧ୍ୟ ବନ୍ଦର ପ୍ରଶାସନର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଥିବାରୁ ଆଜି ପୁନଶ୍ଚ ଏହି ୪ ଗ୍ରାମର ଲୋକେ ଆସି ଧାମରା ବନ୍ଦର ରେଳ ଫାଟକ ନିକଟରେ ଧାରଣା ଦେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ଥିବା ବେଳେ ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ନିର୍ମାଣ କରା ନଗଲେ ସଂପୃକ୍ତ ୪ ରାଜସ୍ୱ ଗ୍ରାମର ଅଧିବାସୀ ଆସି ପୁନଶ୍ଚ ଧାମରା ରେଳ ଚଳାଚଳକୁ ବନ୍ଦ କରିବା ସହ ଧାମରା ବନ୍ଦର ୧ନଂ ଗେଟ ଆଗରେ ଧାରଣା ଦେବେ ବୋଲି ମତ ପ୍ରକାଶ ପାଇଛି।

ଆଜିର ଏହି ଧାରଣାରେ ଶିବୁ ଶଙ୍କର ମହାନ୍ତି, ଗୁରୁପଦ ମାନ୍ନା, ଗୌତମ କୁମାର ଦାସ, ଶୁକଦେବ ଦାସ, ଶକ୍ତି ମାନ୍ନା, ହାରାଧନ ଦାସ, ଅକ୍ଷୟ କୁମାର ନାଥ, ବିକାଶ ମାନ୍ନାଙ୍କ ସମେତ ବହୁ ଗ୍ରାମବାସୀ ଧାରଣା ଦେଇଥିବା ବେଳେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇପାରି ନଥିଲା।

Comments are closed.