ଧାମରା ଅଞ୍ଚଳରେ ବ୍ୟାପକ ମାଟି ଚୋରି, ପ୍ରଶାସନ ରାଜସ୍ୱ ହାନୀ କହୁଥିବାବେଳେ ଆରଆଇଙ୍କ ମତ ବିପରୀତ

ଧାମରା: ଧାମରା ଅଞ୍ଚଳରେ ବ୍ୟାପକ ମାଟି ଚୋରି ହେଉଥିବାବେଳେ ଏହାକୁ ରୋକ ଲଗାଇବାକୁ ଏହି ଅଞ୍ଚଳରେ ଥିବା ରାଜସ୍ୱ ନିରୀକ୍ଷକମାନେ ରାଜି ନୁହନ୍ତି। ଦିନକୁ ଶହ ଶହ ଟ୍ରିପ ଟ୍ରାକ୍ଟରରେ ମାଟି ଚୋରି ହେଉଥିବାବେଳେ କେଉଁ ପରିସ୍ଥିତିରେ ଏଥିରେ ରୋକ୍ ଲଗାଯାଉନାହିଁ ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି।

ପ୍ରାପ୍ତ ଖବରରୁ ଜଣାଯାଇଛି, ଧାମରା, ବାଂଶଡା, କରଞ୍ଜମାଳ, କରଣପଲ୍ଲୀ, ଯଶିପୁର ଏବଂ ଘଣ୍ଟେଶ୍ୱରଠାରେ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଥିବା ବେଳେ ଏହି ସମସ୍ତ ରାଜସ୍ୱ ନିରୀକ୍ଷକ ଚାନ୍ଦବାଲି ତହସିଲ ଅଧିନରେ କାର୍ଯ୍ୟରତ। ଏହି ସମସ୍ତ ଅଞ୍ଚଳରେ ଦିନକୁ ଦିନ ମାଟି ଚୋରି ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ମାନେ ରାଜି ନୁହନ୍ତି। ଗୋଟିଏ ଗୋଟିଏ ଦିନରେ ପକଲିନ ଲଗାଇ ଶହ ଶହ ଟ୍ରିପ ମାଟି ଉଠାଇ ପ୍ରତି ଟ୍ରିପ ପିଛା ୨୫୦ଟଙ୍କାରୁ ୩ଶହ ଟଙ୍କା ଦରରେ ସଂପୃକ୍ତ ମାଟି ବ୍ୟବସାୟୀ ସାଧାରଣ ଜନତା ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିକ୍ରି କରୁଥିବା ବେଳେ ଚାନ୍ଦବାଲି ତହସିଲ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି। ଦିନ ରାତିକୁ ଏକାକାର କରି ଏହି ମାଟି ଦଲାଲ ମାଟି ବିକ୍ରି କରୁଥିବା ବେଳେ କେତେବେଳେ କେମିତି ସଂପୃକ୍ତ ରାଜସ୍ୱ ଅଧିକାରୀ ଗୋଟିଏ ଗୋଟିଏ ସ୍ଥାନକୁ ଯାଇ ସେଠାରେ ନିଜ ପକେଟକୁ ସୁହାଇବା ଭଳି ଫାଇନ କାଟି ବିବାଦରୁ ମୁକ୍ତି ପାଇଥାନ୍ତି। ଏହି ମାଟି ଚୋରି ବିଷୟରେ ବହୁବାର ଚାନ୍ଦବାଲି ତହସିଲଦାରଙ୍କଠାରେ ଅଭିଯୋଗ ହେବା ପରେ ତହସିଲଦାର ଏହି ସମସ୍ତ ରାଜସ୍ୱ ଅଧିକାରୀମାନଙ୍କୁ ମାଟି ଚୋରି ଉପରେ ନଜର ଦେବାକୁ ନିର୍ଦେଶ ଦେବା ପରେ ମଧ୍ୟ ଆଖିଦୃଶିଆ ରାଜସ୍ୱ ଆଦାୟରେ ସଂପୃକ୍ତ ରାଜସ୍ୱ ଅଧିକାରୀ ସକ୍ଷମ ହୋଇ ନଥାନ୍ତି। ଏହି ସମସ୍ତ ମାଟି ଚୋରୀ ଉପରେ ରାଜସ୍ୱ ଆଦାୟ ହେଉ ଅଥବା ଜୋରିମାନା ଆଦାୟ କରିବା ପାଇଁ ଚାନ୍ଦବାଲି ତହସିଲଦାର ନିର୍ଦେଶ ଦେଉଥିବା ବେଳେ ସଂପୃକ୍ତ ରାଜସ୍ୱ ଅଧିକାରୀ ମାନେ ରାଜସ୍ୱ ଆଦାୟରେ ଏବଂ ଜୋରିମାନା ଆଦାୟରେ ପାତର ଅନ୍ତର ନୀତି ଆପଣାଇବା ସହ ନିଜ ପକେଟକୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ମାନ ହୋଇଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ମାଟି ଚୋରିରୁ ରାଜସ୍ୱ ଆଦାୟ ଦାୟିତ୍ୱ ମାଇନ୍ସ ଆଣ୍ଡ ମିନେରାଲସ ବିଭାଗକୁ ହସ୍ତାନ୍ତିରତ ହୋଇଥିବା ପରିପ୍ରେକ୍ଷୀରେ ଫାଇନ ଆଦାୟ କରିବା ଦାୟିତ୍ୱ ତହସିଲଦାରଙ୍କୁ ଦିଆଯାଇଛି। ମାତ୍ର ତହିଲସଦାରଙ୍କ ନିର୍ଦେଶ ପରେ ମଧ୍ୟ ସଂପୃକ୍ତ ରାଜସ୍ୱ ଅଧିକାରୀମାନେ ଏହି ନିର୍ଦେଶକୁ ମାନିବାକୁ ରାଜି ନୁହନ୍ତି। କେଉଁ ପରିସ୍ଥିତିରେ ମାଇନ୍ସ ଆଣ୍ଡ ମିନେରାଲସ ବିଭାଗକୁ ଏହି ମାଟି ଚୋରୀକୁ ରୋକିବା ଏବଂ ମାଟି ମାଫିଆଙ୍କ ନିକଟରୁ ରାଜସ୍ୱ ଆଦାୟ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଲେ ତାହା ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତମାନ ପରିସ୍ଥିତିରେ ମାଇନ୍ସ ଏଣ୍ଡ ମିନେରାଲସ ବିଭାଗ କେବଳ ଜିଲାରେ ଗୋଟିଏ ଅଫିସ ଥିବା ବେଳେ କର୍ମଚାରୀ ଅଭାବ ପରିଲକ୍ଷିତ। ଏପରିସ୍ଥଳେ ମାଇନ୍ସ ଆଣ୍ଡ ମିନେରାଲ୍ସ ବିଭାଗୀୟ ଅଧିକାରୀ ଆସି ମାଟିଚୋରି ପାଖରେ ପହଞ୍ଚିବା ବେଳକୁ ଚୋର ଫେରାର ହୋଇଥିବା ବେଳେ କିପରି ମାଟିଚୋରିକୁ ରୋକାଯାଇ ପାରିବ ସେ ନେଇ ଚର୍ଚ୍ଚା ଚାଲିଛି। ଜିଲ୍ଲାପାଳ ତୁରନ୍ତ ଏହି ମାଟି ଚୋରି ପ୍ରତି ନଜର ଦେବା ସହ ପୁଲିସ ପ୍ରଶାସନକୁ ଜୋରିମାନା କାଟିବାକୁ ନିର୍ଦେଶ ଦେଲେ ଜିଲାର ରାଜସ୍ୱ ବହୁ ପରିମାଣରେ ବୃଦ୍ଧି ହୋଇ ପାରିବ। ଏପରି ସ୍ଥଳେ ଚାନ୍ଦବାଲି ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କ ପାଖରେ ଏହି ମାଟି ଚୋରୀକୁ ନେଇ ଅଭିଯୋଗ ହେବା ପରେ ସେ ତୁରନ୍ତ ରାଜସ୍ୱ ନିରୀକ୍ଷକମାନଙ୍କୁ ତୁରନ୍ତ ଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ସଂପୃକ୍ତ ରାଜସ୍ୱ ନିରୀକ୍ଷକମାନେ ସେହି ସ୍ଥାନକୁ ଆସିବାକୁ ଇଛା ପ୍ରକାଶ କରି ନଥିବା ଜଣାଯାଇଛି। ଆଗାମୀ ଦିନରେ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମାଟି ଚୋରି ରୋକା ଯାଇପାରନ୍ତା ବୋଲି ଅଂଚଳର ବୁଦ୍ଧିଜୀବୀ ଆଶାବାଦୀ।

 

Comments are closed.