୨୦ଘଣ୍ଟା ପରେ ଉଠିଲା ଶବ, ଧାମରା-ବାସୁଦେବପୁର ରାଜପଥରେ ଯାତାୟତ ସ୍ୱାଭାବିକ

ଧାମରା: ଧାମରା ବନ୍ଦର ମଧ୍ୟରେ ରବିବାର ରାତି ୮ଟା ସମୟରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଳଭଦ୍ରପ୍ରସାଦ ଗ୍ରାମର କାର୍ତ୍ତିକ ଭୂୟାଁ ପ୍ରାଣ ହରାଇଥିଲେ। ସୂଚନା ଅନୁସାରେ ବଳଭଦ୍ରପ୍ରସାଦ ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଧାମରା ବନ୍ଦରର ଏକ ଓଡି-୦୧-ଭି୬୭୦୧ ଗାଡି କାର୍ତ୍ତିକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାର୍ତ୍ତିକ ପ୍ରାଣ ହରାଇଥିଲେ। ପରେ ବନ୍ଦର କର୍ତ୍ତୃପକ୍ଷ କାର୍ତିକଙ୍କ ପରିବାରକୁ ନ ଜଣାଇ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଭଦ୍ରକ ପୋଷ୍ଟମର୍ଟମ କରିବା ପାଇଁ ନେଉଥିବା ସମୟରେ କାର୍ତ୍ତିକଙ୍କ ପରିବାର ଏବଂ ଗ୍ରାମବାସୀ ଖବର ପାଇ ସଂପୃକ୍ତ ଆମ୍ବୁଲାନ୍ସକୁ ବଳଭଦ୍ରପ୍ରସାଦଛକଠାରେ ଅଟକାଇଥିଲେ। କେଉଁ ପରିସ୍ଥିତିରେ କାର୍ତ୍ତିକଙ୍କ ପରିବାରକୁ ନ ଜଣାଇ ଶବକୁ ପୋଷ୍ଟମର୍ଟମ କରିବାକୁ ନେଉଛନ୍ତି ବୋଲି ପଚାରିବାରୁ ଧାମରା ବନ୍ଦର କର୍ତ୍ତୃପକ୍ଷ ଏବଂ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଉତ୍ୟକ୍ତ ଗ୍ରାମବାସୀ ରାତି ୮ଟା ଠାରୁ ଧାମରା-ବାସୁଦେବପୁର ରାସ୍ତାକୁ ଅବରୋଧ କରି ରଖିଥିଲେ।

ଘଟଣାସ୍ଥଳରେ ଧାମରା ମେରାଇନ ଥାନାଧିକାରୀ, ବାଂଶଡା ଥାନାଧିକାରୀ ଏବଂ ଧାମରା ମେରାଇନ ଥାନାଧିକାରୀ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ କିଛି ଫଳ ମିଳି ନଥିଲା। ମଧ୍ୟ ରାତିରେ ଚାନ୍ଦବାଲି ଏସଡିପିଓ ଓ ଚାନ୍ଦବାଲି ତହସିଲଦାର ଆସି ସଂପୃକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିବା ବେଳେ ଗ୍ରାମବାସୀ ମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବୀ କରିବା ସହ ମାସିକ ୧୦ହଜାର କାର୍ତ୍ତିକଙ୍କ ବିଧବା ପତ୍ନୀକୁ ଦେବା ପାଇଁ କହିଥିଲେ। ଗତକାଲି ଏହି କଥା ସମାଧାନ ହୋଇ ପାରି ନଥିଲା।

ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିିବା ଗାଡି ଚାଳକ ଏବଂ ମାଲିକଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ ଦାବୀ କରିଥିଲେ। ମାତ୍ର ଧାମରା ବନ୍ଦର କର୍ତ୍ତୃପକ୍ଷ ଏହି କଥାକୁ ସମାଧାନ କରିବାକୁ ଚାହୁଁ ନଥିଲେ କି କୌଣସି କ୍ଷତିପୂରଣ ଦେବାକୁ ଚାହୁଁ ନଥିଲେ ବୋଲି ସଂପୃକ୍ତ ଗ୍ରାମବାସୀ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣ ୪.୧୫ ମିନଟରେ ଧାମରା ବନ୍ଦର କର୍ତ୍ତୃପକ୍ଷ ସଂପୃକ୍ତ ଗାଡିର ମାଲିକ ବିଜ୍ଞାନ ରାୟକୁ ଡାକି ତୁରନ୍ତ ଏହି କଥାର ସମାଧାନ କରିବାକୁ କହିଥିଲେ। ପରେ ସଂପୃକ୍ତ ଠିକାଦାର କାର୍ତ୍ତିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଚୁକ୍ତିପତ୍ର କରିବା ସହ ଧାମରା ବନ୍ଦର କର୍ତ୍ତୃପକ୍ଷ କାର୍ତ୍ତିକଙ୍କ ବିଧବା ପତ୍ନୀକୁ ମାସିକ ୭ହଜାର ଟଙ୍କା ଦେବେ ବୋଲି ମଧ୍ୟ ଚୁକ୍ତି ହୋଇଥିଲା। କାର୍ତ୍ତିକଙ୍କ ୩ମାସର ଝିଅ ସାବାଳିକା ହେବା ପର୍ଯ୍ୟନ୍ତ ମାସିକ ୭ହଜାର ଟଙ୍କା ଭରଣପୋଷଣ ଦିଆଯିବ ବୋଲି ବନ୍ଦର କର୍ତ୍ତୃପକ୍ଷ ରାଜି ହୋଇଥିଲେ। କାର୍ତିକଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ରେଡକ୍ରସରୁ ୧୦ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିଲା। ପରେ ଏହି ଚୁକ୍ତିନାମା ପରେ ବଳଭଦ୍ରପ୍ରସାଦ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ। ପରେ ଧାମରା-ବାସୁଦେବପୁର ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Comments are closed.