nua o banner

ଧାମନଗରରେ ଇତିହାସର ପୁନରାବୃତ୍ତି ଘଟିବନି ତ?

BJD Bijuli 480×75 Mob

ଭଦ୍ରକ: ଧାମନଗର ବିଜେଡି ଇତିହାସ ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ପୁରସ୍କୃତ ହୋଇଥିବା ପ୍ରମାଣ ଦେଉଛି। ଚଳିତ ଉପନିର୍ବାଚନରେ ବି ଧାମନଗର ବିଜେଡିକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟନ୍ତ୍ରଣ କରୁଥିବା ଅଧିକାଂଶ ବିଜେଡି ନେତା ଅଥବା ସେମାନଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଅତୀତରେ ବିଦ୍ରୋହ କରିଥିବା ଇତିହାସ କହୁଛି। ଧାମନଗର ବିଜେଡି ଇତିହାସକୁ ପରଖିଲେ ୨୦୦୦ରେ ବିଜେପି ସହିତ ମେଣ୍ଟ କରି ବିଜେଡି ଯେତେବେଳେ ପ୍ରଥମ ବିଧାନସଭା ନିର୍ବାଚନକୁ ସାମ୍ନା କରିଥିଲା ସେତେବେଳେ ଅସଂରକ୍ଷିତ ଧାମନଗର ଆସନ ବିଜେପି ଭାଗରେ ପଡ଼ିଥିଲା। ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଧାମନଗରରୁ ମେଣ୍ଟର ପ୍ରାର୍ଥୀ ହୋଇଥିଲେ। ହେଲେ ସେତେବେଳେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ମଇଦାନରେ ବିଦ୍ରୋହୀ ଭାବେ ଅବତୀର୍ଣ୍ଣ ହୋଇଥିଲେ ପ୍ରାକ୍ତନ ବିଧାୟକ ମାନସ ମଲ୍ଲିକ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ। ରାଜ୍ୟରେ କଂଗ୍ରେସ ବନାମ ମେଣ୍ଟ ଲଢେଇ ଚାଲିଥିଲେ ବି ମାନସଙ୍କ ପ୍ରାର୍ଥିତ୍ୱ ଧାମନଗରରେ ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ତିଆରି କରିଥିଲା। ମନମୋହନଙ୍କ ଲାଗି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜ​‌ପେୟୀ, ଜଗନ୍ନାଥଙ୍କ ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଧାମନଗରରେ ପହଞ୍ଚି ପ୍ରଚାର କରିଥିଲେ। ହେଲେ ଜିତିଥିଲେ ବିଦ୍ରୋହୀ ମାନସ। ମାନସ ଜିତିବା ପରେ ରାଜ୍ୟ ରାଜନୀତିରେ ଏକ ପ୍ରକାର ‘ହିରୋ’ ବନିଥିଲେ। ପରେ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ବିଧାନସଭାର ସହଯୋଗୀ ସଦସ୍ୟ ଭାବେ ଗ୍ରହଣ କଲା।

ପରେ ଆସିଲା ୨୦୦୪ ବିଧାନସଭା ନିର୍ବାଚନ। ଏଥରକ ବି ମେଣ୍ଟ ସୂତ୍ରରେ ବିଜେପି ଭାଗରେ ପଡ଼ିଥିଲା ଧାମନଗର ଆସନ। ମାନସ ପୁଣି ସ୍ୱାଧୀନ ପ୍ରାର୍ଥୀ ହେଲେ। ଏଥରକ କିନ୍ତୁ ମାନସ ବାଜି ହାରିଗଲେ। ବିଜେପିରୁ ମନମୋହନଙ୍କ ବିଜୟ ହେଲେ ଓ ଭାଗୁଆଳୀ ସରକାରରେ ମନମୋହନ ମନ୍ତ୍ରୀ ହେଲେ। ପରବର୍ତ୍ତୀ ଅବସ୍ଥାରେ ମାନସଙ୍କ ବିୟୋଗ ଘଟିଲା। ହେଲେ ସାନଭାଇ ସଞ୍ଜୀବ ମଲ୍ଲିକ ଆଜି ଭଦ୍ରକ ବିଧାୟକ। ଅନ୍ୟତମ ସାନଭାଇ ପ୍ରଦୀପ ମଲ୍ଲିକ ଜିଲା ପରିଷଦ ସଦସ୍ୟ। ମାନସଙ୍କ ପୁଅ ଅମିତ ଏବେ ବିଜେଡିର ରାଜ୍ୟ ମୁଖପାତ୍ର। ସମ୍ପ୍ରତି ଧାମନଗର ଉପନର୍ବିାଚନରେ ବିଦ୍ରୋହ କରିଥିବା ରାଜୁ ଦାସଙ୍କ ଆଡକୁ। ୨୦୦୪ରେ ରାଜୁ ମଧ୍ୟ ବିଦ୍ରୋହୀ ହୋଇଥିଲେ। ସେତେବେଳେ ସଂରକ୍ଷିତ ଚାନ୍ଦବାଲି ଆସନରେ ମେଣ୍ଟ ପ୍ରାର୍ଥୀ ବିଜେପିର ବିଷ୍ଣୁ ସେଠୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରୁଥିଲେ ବରିଷ୍ଠ ବିଜେଡି ନେତା ବିଜୟ ନାୟକ। ବିଜୟ ଓ ବିଷ୍ଣୁଙ୍କ ଭିତରେ ତିକ୍ତତା ଶୀର୍ଷ ଛୁଇଁଥିଲା। ମେଣ୍ଟ ନିଷ୍ପତ୍ତି ବିରୋଧରେ ଯାଇ ବିଷ୍ଣୁଙ୍କୁ ପାନେ ଦେବା ଲାଗି ବିଜୟ ନିଜର ଅନୁଗତ ରାଜୁ ଦାସଙ୍କୁ ୨୦୦୪ ବିଧାନସଭା ନିର୍ବାଚନରେ ସଂରକ୍ଷିତ ଚାନ୍ଦବାଲି ଆସନରେ ସ୍ୱାଧୀନ ଭାବେ ଛିଡା କରାଇଲେ। ବିଜେଡି ଉଭୟ ବିଜୟ ଓ ରାଜୁଙ୍କୁ ନିଲମ୍ବନ କଲା। ହେଲେ ୨୦୦୯ ବେଳକୁ ଉଭୟଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦିଆଗଲା। ବିଜୟଙ୍କ ଘର ତିହିଡି ବ୍ଲକର ବିଲଣା ପଞ୍ଚାୟତରେ ଓ ରାଜୁଙ୍କ ଘର ତିହିଡି ବ୍ଲକର କାଁପଡ଼ା ପଞ୍ଚାୟତରେ। ୨୦୦୯ର ହୋଇଥିବା ନିର୍ବାଚନମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣରେ ଉଭୟ ବିଲଣା ଓ କାଁପଡ଼ା ସଂରକ୍ଷିତ ଧାମନଗର ଆସନ ଅଧୀନକୁ ଆସିଗଲା।

ଏତିକିବେଳେ ୨୦୦୪ରେ ବିଷ୍ଣୁଙ୍କୁ ହରାଇଥିବା ବିଜୟ ଓ ରାଜୁ ଦୁଇଜଣଙ୍କୁ ଏକାଥରକେ ପରସ୍କୃତ କଲା ବିଜେଡି। ବିଜୟଙ୍କୁ ଚାନ୍ଦବାଲି ଆସନ ଓ ରାଜୁଙ୍କୁ ଧାମନଗର ଆସନରୁ ବିଧାନସଭା ଯିବାର ସୁଯୋଗ ଦେଲା ଦଳ। ସଂଯୋଗକ୍ରମେ ବିଜୟଙ୍କ ଭଣଜା ବ୍ୟୋମକେଶ ରାୟ ବି ଏବେ ଚାନ୍ଦବାଲି ବିଧାୟକ। ସେହିପରି ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନାୟକ ମଧ୍ୟ ଅତୀତରେ ବିଦ୍ରୋହୀ ଭୂମିକାରେ ଥିଲେ। ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରି ଗଠନ କରିଥିଲେ ଧାମନଗର ବିକାଶ ମଞ୍ଚ। ଏହି ମଞ୍ଚ ଧାମନଗରରେ ବିଜେଡିକୁ ଧୁଳି ଚଟାଇଥିଲା। ଜିଲା ପରିଷଦ ନିର୍ବାଚନରେ ଧାମନଗର ବ୍ଲକରେ ଶଙ୍ଖ ଚିହ୍ନରେ କେହି ଜିତିଲେନି। ସେତେବେଳେ ବିଜେଡି ମଧ୍ୟ ଅଶୋକଙ୍କୁ ଦଳରୁ ନିଲମ୍ବିତ କରିଥିଲା। କିନ୍ତୁ ପରେ ନିଲମ୍ବନ ହଟିଛି, ଅଶୋକ ପଞ୍ଚାୟତ ସମିତିର ମଙ୍ଗ ଧରିଛନ୍ତି ଏବଂ ତାଙ୍କ ପତ୍ନୀ ଏବେ ଅଧ୍ୟକ୍ଷା ଅଛନ୍ତି।
ଧାମନଗର ରାଜନୀତିର ଏହି ଇତିହାସରୁ ଆଉ ଗୋଟେ କଥା ବି ବୁଝାପଡୁଛି ଯେ, ଦଳ ଯେତେବେଳେ ଯାହା ନିଷ୍ପତ୍ତି ନେବ ତାକୁ ଧାମନଗରର ସମସ୍ତ ଦଳୀୟ କର୍ମୀ ମାନନ୍ତିନି। ଅନେକ କର୍ମୀ ଦଳକୁ ପଛକୁ ଠେଲି ନିଜ ପସନ୍ଦର ନେତାଙ୍କ ସହିତ ରୁହନ୍ତି। ଦଳୀୟ କର୍ମୀଙ୍କ ଏହି ମାନସିକତା ହିଁ ସାଂପ୍ରତିକ ସ୍ଥିତିରେ ରାଜ୍ୟ ବିଜେଡି ନେତାଙ୍କ ଲାଗି ଭୀତି ସଞ୍ଚାର କରିଛି ବୋଲି କୁହାଯାଉଥିବା ବେଳେ ‘ନବୀନ ମ୍ୟାଜିକ’କୁ ନେଇ ଦମ୍ଭ ଦେଖାଉଛନ୍ତି ନେତାଏ। ଆଗକୁ ଫଳାଫଳ ହିଁ କହିବ କେଉଁଟା ସତ?

Comments are closed.