ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଡେସ୍କ ସ୍ଲାବ୍‌‌ କାର୍ଯ୍ୟ ନିମ୍ନମାନର; ନୂଆ ସେତୁ ଉପରେ ଗଲେ ମିଳୁଛି ପୁରୁଣା ସେତୁର ଅନୁଭୂତି

ହରଭଙ୍ଗା: ବୌଦ୍ଧ ଜିଲ୍ଲାର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ନିର୍ମାଣକାର୍ଯ୍ୟ ଶେଷ ହେବାର ପାଖାପାଖି ୩ମାସ ପରେ ବି ଏହାର ଲୋକାର୍ପଣ କରାନଯିବା ସାଧାରଣ ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ଛିଡା କରିଛି। ପ୍ରକାଶ ଯେ, ୨୦୧୬ ମସିହାରେ ନାବାର୍ଡ ସହାୟତାରେ ୧୬୮କୋଟି ଟଙ୍କା ବ୍ୟୟବରାଦରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୮୭ପିଲର ବିଶିଷ୍ଟ ସେତୁର ଲମ୍ବ ୩ କିଲୋମିଟର ୩୨ମିଟର ରହିଛି। ଏହାର ଓସାର ଦୁଇପାର୍ଶ୍ବ ଫୁଟପାଥକୁ ମିଶାଇ ସାଢେ ୧୧ମିଟର ରହିଛି। ମହାନଦୀ ଭିତରେ ୫୯ଟି ଓ ନଦୀ ଉପରେ ୨୮ଟି ପିଲାର ନିର୍ମାଣ କରାଯାଇଛି। ସେତୁକୁ ଧଳପୁର ପାର୍ଶ୍ବରୁ ସଂଯୋଗ କରୁଥିବା ଆପ୍ରୋଚ ରାସ୍ତାର ଲମ୍ବ ୭୬୦ ମିଟର ରହିଥିବାବେଳେ ଆଠମଲ୍ଲିକ ପାର୍ଶ୍ବର ଆପ୍ରୋଚ ରାସ୍ତାର ଲମ୍ବ ୧୪୬୦ ମିଟର ରହିଛି। ସେତୁ ଉପର ଡେସ୍କ ସ୍ଲାବ୍‌‌ ବା ଛାତକାର୍ଯ୍ୟ ଏବଂ ଏକ୍ସେପେନସନ ଜଏଣ୍ଟ କାର୍ଯ୍ୟରେ ତାଳମେଳ ନଥିବାରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ସରିଥିବା ସେତୁ ଉପରେ ଯାତାୟତ କଲେ ପୁରୁଣା ସେତୁ ଉପରେ ଯାଉଥିବା ପରି ଯାତ୍ରୀକୁ ଅନୁଭବ ହେଉଛି। ଗାଡିଟି ଗୋଟିଏ ପଟକୁ ଢଳି ପଡୁଥିବା ଭଳି ଅନୁଭବ ହେଉଥିବାବେଳେ ଡେସ୍କ ସ୍ଲାବ୍‌‌ ଲେବୁଲିଂ କାର୍ଯ୍ୟ ସଠିକ୍‌‌ ଭାବେ କରାଯାଇ ନଥିବା ବୁଝାପଡୁଛି ଯାହାଫଳରେ ସେତୁର ଶେଷ ପର୍ଯ୍ୟାୟ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବୋଲି ସ୍ପଷ୍ଟ ଅନୁଭବ କରିହେଉଛି। ଏହାସତ୍ୱେ ଦାୟିତ୍ୱରେଥିବା ବିଭାଗୀୟ ମୁଖିଆମାନେ ଚୁପ୍‌‌ ବସିବା ଘଟଣା ଠିକାସଂସ୍ଥା-ବିଭାଗୀୟ ମୁଖିଆଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଅନ୍ୟପଟେ ସେତୁ ଉପରେ ଏଯାବତ୍‌‌ ଆଲୋକୀକରଣ ବ୍ୟବସ୍ଥା କରାଯାଇନାହିଁ। ଏପରି ଦୁଇ ପାର୍ଶ୍ବରେ ଗଛ ଲଗାଯିବା ପ୍ରାବଧାନ ସାଙ୍ଗକୁ ଗ୍ରାସ ଫିଲିଙ୍ଗ କାର୍ଯ୍ୟ ମଧ୍ୟ ବାକି ରହିଛି। ଏ ଦିଗରେ ବିଭାଗୀୟ ମୁଖିଆ ଦୃଷ୍ଟିଦେବାକୁ ଦାବୀ ଉଠୁଛି।

ସୂଚନା ଥାଉ କି, ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ବୌଦ୍ଧ, ପୁରୁଣାକଟକ ଏବଂ ହରଭଙ୍ଗା, ପଟୁ ତିନିଗୋଟି ରାସ୍ତା ରହିଛି। ବର୍ତମାନ ହରଭଙ୍ଗା-ଧଳପୁର, ପୁରୁଣାକଟକ-ଧଳପୁର, ବୌଦ୍ଧ-ଧଳପୁର ରାସ୍ତା ସେତୁକୁ ସଂଯୋଗ ପାଇଁ ସୁବିଧା ରହିଛି। ବର୍ଷାଦିନେ ବନ୍ୟା ଯୋଗୁଁ ହରଭଙ୍ଗା -ଧଳପୁର ଏବଂ ବୌଦ୍ଧ -ଧଳପୁର ରାସ୍ତା ପାଣିଘେରରେ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ସିଧାସଳଖ ସେତୁକୁ ସଂଯୋଗ ପାଇଁ ବୌଦ୍ଧର ପୁରୁଣାକଟକ ୫୭ନମ୍ବର ଜାତୀୟ ରାଜପଥ ଠାରୁ ଭାୟା କାନପୁର-ପିତାମ୍ବରପୁର-ଫୁଲଝରୀ, ଇନ୍ଦ୍ରପୁର, ରାଜିଂ-ଜିରାଡ-ଟଭାପଦର- ଚନ୍ଦ୍ରଶେଖରପୁର-ପଲଶାକୁଟୁଣି-ସାକୁଶିଙ୍ଗା-ପରମାନନ୍ଦପୁର- ଖରଶଙ୍କୁଲେଇ ପର୍ଯ୍ୟନ୍ତ ଦୀର୍ଘ ୧୧.୩୨୮ କିଲୋମିଟରର ନୂଆ ସଡକ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି। ନୂଆ ସଡ଼କ ନିର୍ମାଣ ପାଇଁ ସମୁଦାୟ ୯୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ସେଥିରୁ ୬୩ ଏକର ବେସରକାରୀ ଏବଂ ୨୯ ଏକର ସରକାରୀ ଜମି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡୁଛି। ଉକ୍ତ ରାସ୍ତା ଉପରେ ଥିବା ୧୨ଟି ଗ୍ରାମବାସୀଙ୍କ ୬୩ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ହରଭଙ୍ଗା-ଧଳପୁର ରାସ୍ତା ବନ୍ୟାରେ ପ୍ରଭାବିତ ହେଉଥିବାରୁ ଏହି ରସ୍ତାର ଉଚ୍ଚତା ଏବଂ ଓସାର ବୃଦ୍ଧି ଦିଗରେ ମଧ୍ୟ ବିଚାରବିମର୍ଷ ଅତିଶୀଘ୍ର କରାଯିବା ଆବଶ୍ୟକତା ରହିଛି। ତୁରନ୍ତ ଏହାର ଲୋକର୍ପଣ କାର୍ଯ୍ୟକ୍ରମ ଦିଗରେ ଦୃଷ୍ଟିଦେବା ସହ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ଉଭୟପାର୍ଶ୍ବରେ ପୁଲିସ ପେଟ୍ରୋଲିଂ ପାଇଁ ଚେକ୍‌‌ ପୋଷ୍ଟ ନିର୍ମାଣ କରାଯିବା ପାଇଁ ଦାବୀ ହେଉଛି। ଯାହାଫଳରେ ଚାତକପରି ଚାହିଁ ରହିଥିବା ହରଭଙ୍ଗା-ଆଠମଲ୍ଲିକ ଅଂଚଳବାସୀଙ୍କ ଦୀର୍ଘଦିନର ଅଶା ସମ୍ପୂର୍ଣ୍ଣ ହେବା ସହ ଦୁଇମହାନଦୀ ପାର୍ଶ୍ବ ଜିଲ୍ଲାମଧ୍ୟରେ ସେତୁଭଳି ସମ୍ପର୍କ ପୁନଃ ବୃଦ୍ଧିପାଇବ ବୋଲି ଜଳ ଜଳ ହୋଇ ଦିଶୁଛି। ଏ ସର୍ମ୍ପକରେ ପୂର୍ତବିଭାଗ ମୁଖ୍ୟ ନିର୍ମାଣକାରୀ ଯନ୍ତ୍ରୀ ଇଂ ସୁଧାଂଶୁ ରଞ୍ଜନ ନାଏକଙ୍କୁ ପଚାରିବାରୁ ଏହି ଜିନିଷ ମୁଁ ପଏଣ୍ଟ ଆଉଟ କରିଛି। ମାତ୍ର ମୋର ଏଠାରେ ଯୋଗଦାନ ପୂର୍ବରୁ ଏହିକାର୍ଯ୍ୟ ଶେଷ ହୋଇ ସାରିଥିଲା। ଏହାକୁ ପୁନର୍ବାର କରିହେବ କି ନାହିଁ ପଚାରିବାରୁ କରିହେବ ବୋଲି ଉତ୍ତର ରଖିଥିଲେ। ଏ ଦିଗରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

 

Comments are closed.