ପୁଲିସ ଡିଜିଙ୍କ ବୌଦ୍ଧ ଓ କନ୍ଧମାଳ ଗସ୍ତ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଡିଜି ଓ୍ବାଇବି ଖୁରାନିଆ ଶୁକ୍ରବାର ବୌଦ୍ଧ ଓ କନ୍ଧମାଳ ଗସ୍ତ କରିଛନ୍ତି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଯାଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ଉଭୟ ଜିଲ୍ଲାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା, ଗଞ୍ଜେଇ ଚାଷ ଓ ଚୋରାଚାଲାଣ, ଜିଲ୍ଲାରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ଅତୀତରେ ପୁଲିସ ବିଭାଗର ସଫଳତା ଏବଂ ଆଗାମୀ ଦିନରେ ଅପରାଧୀ ତଥା ମାଓବାଦୀଙ୍କ ବିରୋଧରେ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଜି ବୌଦ୍ଧ ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଡିଜିପି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଅପରାଧ ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାର ଥାନାଧିକାରୀଙ୍କଠାରୁ ଆରମ୍ଭ କରି ଏସଡିପିଓ, ଅତିରିକ୍ତ ଏସପି ଏବଂ ମୁଖ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ଓ ଡିଜିପି ସମସ୍ତ ବିଭାଗର ସମୀକ୍ଷା କରିବା ସହ ଜିଲ୍ଲାକୁ ନକ୍ସଲମୁକ୍ତ ତଥା ଗଞ୍ଜେଇମୁକ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି। ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ଜିଲ୍ଲା ପୁଲିସ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି। ଏତଦବ୍ୟତୀତ ଜିଲ୍ଲାରେ ନକ୍ସଲ ସମସ୍ୟାକୁ ପ୍ରତିହତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ସମ୍ପୃକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ନଷ୍ଟ କରିବା ଉପରେ ଡିଜିପି ଗୁରୁତ୍ବାରୋପ କରିଛନ୍ତି। ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ଏସଓଜି ଟିମ୍ ଲିଡର, ଡିଭିଏଫ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଡିଜିପି। ପୁଲିସ ଡିଜିଙ୍କ ଏହି ଗସ୍ତ ସମୟରେ ଆଇଜି(ଅପରେସନ) ଜୟନାରାୟଣ ପଙ୍କଜ, ଡିଆଇଜି(ଦକ୍ଷିଣାଞ୍ଚଳ) ସାର୍ଥକ ଷଡଙ୍ଗୀ, ଡିଆଇଜି(ଏସଆଇଡବ୍ଲୁ) ଡଃ କନୱାର ବିଶାଲ ସିଂ, ଏସପି କଳାହାଣ୍ଡି ଏସପି ବୌଦ୍ଧ ଏସପି କନ୍ଧମାଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.